Laxman Mahanty

Children Stories Drama Inspirational

4  

Laxman Mahanty

Children Stories Drama Inspirational

ବାଳକ ବିଶ୍ୱାବସୁ

ବାଳକ ବିଶ୍ୱାବସୁ

7 mins
447


ସୂର୍ଯ୍ୟୋଦୟ ସମୟ । ସୂର୍ଯ୍ୟଙ୍କ ଆଲୋକରେ ଆଲୋକିତ ଧରା, ଖୁସିରେ ଖେଳିଉଠିଲା ପ୍ରକୃତି ରାଣୀ । ଚତୁର୍ଦ୍ଦିଗେ ଖେଳିଗଲା ସୁବାସିତ ପୁଷ୍ପର ମହକ । ଭିନ୍ନ ରଙ୍ଗରେ ରଙ୍ଗିନ ଲାଗୁଥାଏ ପରିବେଶ । ଚାରିଆଡେ ଖୁସିର ଲହରୀ ଖେଳିଯାଇଛି, କିନ୍ତୁ ଘଞ୍ଚ ଜଙ୍ଗଲର ଶୀତଳ ପରିବେଶରେ ଗୋଟିଏ ବୁଢା ବରଗଛ ତଳେ ବସି କାନ୍ଦୁଥାଏ ବିଶ୍ୱାବସୁ । ଆଖିରେ ତା’ର ପଲକ ନଥାଏ । ତା’ କୋମଳ ଆଖିରୁ ଝରୁଥାଏ ଲୋତକ ଗଙ୍ଗା । କେବଳ ଭାବୁଥାଏ- କେମିତି ଖୋଜିବି ? କେଉଁଠି ଥିବେ ସେ ? ଚାରିଦିନ ହେଲାଣି ଖୋଜୁଛି, କିନ୍ତୁ ପାଉନାହିଁ ତାଙ୍କୁ, ସିଏ କ’ଣ ସତରେ ଅଦୃଷ୍ୟ, ନିରାକାର ? 

ବିଶ୍ୱାବସୁ ସଙ୍ଖପୁର ଗ୍ରାମର ଏକ ମଧ୍ୟବିତ୍ତ ପରିବାରର କୁନି ପିଲାଟିଏ । ବୟସ ହେବ ଆଠ ବର୍ଷ ପାଖାପାଖି । ସେ ତାଙ୍କ ଗାଁ ସ୍କୁଲରେ ଦ୍ଵିତୀୟ ଶ୍ରେଣୀରେ ପାଠପଢେ । ତା’ ବାପା ଆର୍ତ୍ତତ୍ରାଣ ଏବଂ ମାଁ ଜ୍ୟୋତ୍ସ୍ନାମୟୀ । ବାପା ଜଣେ ଆଦର୍ଶ ଶିକ୍ଷକ । ଛୋଟବେଳୁ ବାପା ମାଁ ଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ସେ ଜଣେ ଉତ୍ତମ ମଣିଷ ହେବାର ସ୍ୱପ୍ନ ଦେଖୁଥିଲା । ଦିନେ ସ୍କୁଲରେ ଶିକ୍ଷକ ପାଠ ପଢାଇବା ସମୟରେ ଭଗବାନଙ୍କ ବିସୟରେ କହିଲେ । ବିଶ୍ୱାବସୁ ଭଗବାନଙ୍କ ବିସୟରେ ଅଧିକ ଜାଣିବା ପାଇଁ ଶିକ୍ଷକଙ୍କୁ ପଚାରି ପଚାରି ବିରକ୍ତ କରିଦେଲା । ଶିକ୍ଷକ ରାଗି କହିଲେ -ଯଦି ଜାଣିବାର ଏତେ ଇଚ୍ଛା ଅଛି ତୁ ନିଜେ ଭଗବାନଙ୍କୁ ଖୋଜ ଏବଂ ତାଙ୍କୁ ଘେଟିଲେ କହିବୁ ତତେ ମୁଁ ପଠେଇଛି । ଏତିକିରେ ଶିକ୍ଷକ ଶ୍ରେଣୀରୁ ଚାଲିଗଲେ । ବିଶ୍ୱାବସୁ ବାହାରିଲା ଭଗବାନଙ୍କୁ ଖୋଜିବା ପାଇଁ । କିନ୍ତୁ ବିଚରା ଖୋଜି ଖୋଜି ଜଙ୍ଗଲରେ ବାଟବଣା ହୋଇ ବରଗଛ ତଳେ ବସି କାନ୍ଦୁଛି । 

ହଠାତ୍ ବିଶ୍ୱାବସୁର ନଜର ପଡିଲା ପିମ୍ପୁଡି ମାନଙ୍କ ଦଳ ଉପରେ । ପୁମ୍ପୁଡି ଦେଖି ମନେପଡିଲା ତା’ ବାପାଙ୍କ କଥା । ଦିନେ ପିମ୍ପୁଡି ଦେଖି ବିଶ୍ୱାବସୁ ତା’ ବାପାଙ୍କୁ ପଚାରିଥିଲା -ପିମ୍ପୁଡି ଏତେ ଛୋଟ ହୋଇ ମଧ୍ୟ ବଡ ବଡ ଚିନିଦାନା କେମିତି ବୋହି ନେଉଛି ? ଏହା ଏକ ଅସାଧାରଣ କାର୍ଯ୍ୟ ପିମ୍ପୁଡି ପାଇଁ । ବାପା କହିଲେ – ଯଦି ନିଜ ଉପରେ ଗଭୀର ବିଶ୍ୱାସ ଏବଂ ନିଜ କର୍ତ୍ତବ୍ୟକୁ ପାଳନ କରିବାର ଶକ୍ତି ହୃଦୟରେ ଅଛି ତାହାହେଲେ ତୁ ମଧ୍ୟ ଅସାଧାରଣ କାର୍ଯ୍ୟ କରି ପାରିବୁ । ପିମ୍ପୁଡି ତା’ କର୍ତ୍ତବ୍ୟ ପାଳନ କରୁଛି ଏବଂ ତା’ ନିଜ ଉପରେ ଗଭୀର ବିଶ୍ୱାସ ଅଛି ଯେ ସେ ତା’ଠୁ ଅଧିକ ଓଜନର ଜିନିସ ବୋହି ନେଇ ପାରିବ । ସେଥିପାଇଁ ପିମ୍ପୁଡି ତା’ଠୁ ବଡ ଚିନିଦାନା ବୋହି ନେଉଛି ।

ପୁଣି ମନେପଡିଲା ଶିକ୍ଷକଙ୍କ କଥା – ପିମ୍ପୁଡି ଆଗକୁ ବଢ଼ିଚାଲେ । କେବେ ପଛକୁ ଚାହେଁନାହିଁ, ସିଏ ସବୁବେଳ କର୍ତ୍ତବ୍ୟରତ । ସତକୁ ସତ ପିମ୍ପୁଡି ଦଳ ବିଶ୍ୱାବସୁ ବସିଥିବା ବରଗଛ ଉପରକୁ ଚଢୁଥାଆନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ପିମ୍ପୁଡି ଗଛ ଉପରୁ ତଳକୁ ଖସି ଯାଉଥିଲେ, କିନ୍ତୁ ସେମାନେ ପୁଣି ଗଛ ଉପରକୁ ଚଢୁଥିଲେ । ପିମ୍ପୁଡିଙ୍କୁ ଦେଖି ବିଶ୍ୱାବସୁ ମନରେ ଏକ ସାହସ ଜାଗ୍ରତ ହେଲା । ସିଏ ଭାବିଲା ପିମ୍ପୁଡିମାନେ ଯଦି ପଛକୁ ଫେରୁନାହାନ୍ତି ମୁଁ କାହିଁକି ପଛଘୁଞ୍ଚା ଦେବି । 

ବିଶ୍ୱାବସୁ ତା’ ଲୁହ ପୋଛି ଭଗବାନଙ୍କୁ ଖୋଜିବା ପାଇଁ ଆଗକୁ ବଢିଲା । ଖୋଜି ଚାଲିଲା ପୁଷ୍ପରେ, ଖୋଜି ଚାଲିଲା ବୃକ୍ଷରେ ପୁଣି ଖୋଜି ଚାଲିଲା ସୁଲୁସୂଲିଆ ପବନ ଦେହରେ । କିଛିଦୂର ଅନ୍ତେ ତା’ ପାଦ ଅଟକିଗଲା, ତା’ ଆଖି ଦୁଇଟା ଖୋଲା କୁ ଖୋଲା ରହିଗଲା । ଟିକିଏ ଅଟକି ଆଖିବୁଜୀ ବାହୁ ମେଲେଇ ଅନୁଭବ କଲା ନିର୍ମଳ ମଳୟ, ବିଭିନ୍ନ ପ୍ରକାର ପକ୍ଷୀ ମାନଙ୍କ ସୂମଧୁର ଶ୍ୱରରେ ତା’ ପ୍ରାଣ ପୁଲକି ଉଠିଲା । ଝରଣାର କୁଳୁ କୁଳୁ ନାଦ, ବୃକ୍ଷର ଷୀତଳ ଛାଇ, ରଙ୍ଗବେରଙ୍ଗ ଫୁଲରେ ବିଶ୍ୱାବସୁ ଆନନ୍ଦ ଅନୁଭବ କଲା । ସେମିତି ଦୃଶ୍ୟ ତା’ ପାଇଁ ପ୍ରଥମ । ଦୌଡିଗଲା ଝରଣାର ସ୍ୱଚ୍ଛ ଜଳ ପାଖକୁ । ଚାରିଦିନ ଜଙ୍ଗଲର ଫଳ ଯାହା ପାଇଲା ସେ ଖାଇଥିଲା କିନ୍ତୁ ପାଣି ପିଇନଥିଲା । ସେ ଡେରି ନକରି ପ୍ରଥମେ ଝରଣା ଜଳକୁ ଆନନ୍ଦର ସହିତ ମନଭରି ପିଇଲା ।

ଟିକିଏ ବସି ଚାରିଆଡେ ଅନେଇ ଭାବିଲା - ଏହା କ’ଣ ସ୍ୱର୍ଗ ନା ଅନ୍ୟ କିଛି? ଚାରିଆଡେ କେବଳ ସୂନ୍ଦର ସୂନ୍ଦର ଫୁଲର ପାଖୁଡା, ଫୁଲର ମନଲୋଭା ମହକ, ସେହି ଫୁଲ ଉପରେ ଭ୍ରମର ଏବଂ ରଙ୍ଗିନ ପ୍ରଜାପତିଙ୍କ ଭିଡ଼ । ବିଭିନ୍ନ ପକ୍ଷୀ ମାନଙ୍କ ସୁମଧୂର କଣ୍ଠରେ ହୃଦୟର ସ୍ପନ୍ଦନ ଜାଗ୍ରତ ହେଲା । ସୂର୍ଯ୍ୟଙ୍କ କିରଣରେ ଝରଣା ପାଣି ହୀରା ପରି ଝଲସୁଥାଏ । ଝରଣା ପାଣି ଭିତରେ ଖେଳୁଥାଆନ୍ତି ଛୋଟବଡ ମାଛ । ମାଛ ମାନଙ୍କ ଖେଳ ଦେଖି ବିଶ୍ୱାବସୁ ଟିକିଏ ଖୁସି ହେଲା । ସିଏ ଦେଖିଲା ଝରଣା ତଟରେ ଜଣେ ଦାଢିଆ ବାବା ଗେରୁଆ ବସ୍ତ୍ର ପରିଧାନ କରି ଯୋଗାସନରେ ବସିଛନ୍ତି । ଭାବିଲା ତାଙ୍କସହ ଟିକିଏ କଥାହେବ । 

ବିଶ୍ୱାବସୁ ମହର୍ଷିଙ୍କ ପାଖକୁ ଗଲା ଆଉ ତାଙ୍କ ଦାଢି ଆଉଁସେଇ କହିଲା – ଦାଢିଆ ବାବା, ଦାଢିଆ ବାବା… ଏତେ ଲମ୍ବା ଦାଢି କାହିଁକି ରଖିଛ …। ମହର୍ଷି ଆଖି ଖୋଲିଲେ । ସିଏ ଆଶ୍ଚର୍ଯ୍ୟ ହେଇ ପଚାରିଲେ – ତୁମେ କିଏ ବତ୍ସ ? ଏତେ ଛୋଟ ହୋଇ ଏହି ଅରଣ୍ୟ ମଧ୍ୟରେ କ’ଣ କରୁଛ? ଲାଗୁଛି ବାଟବଣା ହୋଇ ଯାଇଛ । ବିଶ୍ୱାବସୁ କହିଲା – ଦାଢିଆ ବାବା, ମୁଁ ଭଗବାନଙ୍କୁ ଖୋଜିବା ପାଇଁ ବାହାରିଥିଲି , କିନ୍ତୁ ଭୁଲରେ ଏହି ଅରଣ୍ୟରେ ବାଟବଣା ହୋଇ ରହିଯାଇଛି । କିନ୍ତୁ ମୁଁ ଜାଣେ ଦିନେ ନା ଦିନେ ଭଗବାନଙ୍କୁ ନିଶ୍ଚୟ ଖୋଜି ପାଇବି । ଦାଢିଆ ବାବା, ଆପଣ କହି ପାରିବେ କି ଭଗବାନଙ୍କୁ ମୁଁ କେଉଁଠି ପାଇବି ? କୁନି ପିଲାଟିର କଥାରେ ମହର୍ଷି ଭାବିଲେ ଆଧୁନିକ ଯୁଗରେ ଇଏ ପୁଣି କେମିତିକା ପିଲା ଯିଏକି ଭଗବାନଙ୍କୁ ଖୋଜୁଛି ! ଆଶ୍ଚର୍ଯ୍ୟ । 

ମହର୍ଷି କିଛି ନ କହି ବିଶ୍ୱାବସୁକୁ ଦେଖୁଥାଆନ୍ତି । ବିଶ୍ୱାବସୁ ପୁଣିଥରେ ପଚାରିଲା । ମହର୍ଷି କହିଲେ – ବତ୍ସ ତୁମେ ଭଗବାନଙ୍କ ବିସୟରେ କିଛି ଜାଣିଛ କି ? ଯଦି ଜାଣିଛ ତେବେ କୁହ । ବିଶ୍ୱାବସୁ କହିଲା – ଦାଢିଆ ବାବା, ସ୍କୁଲରେ ଦିନେ ଶିକ୍ଷକ କହିଥିଲେ ଆମ ସମସ୍ତଙ୍କୁ ଭଗବାନ ସୃଷ୍ଟି କରିଛନ୍ତି । ଭଗବାନ ନିରାକାର, ସେ ଦୟାବାନ । ତାଙ୍କୁ ଆମେ ଶ୍ରଦ୍ଧାରେ ଯାହା ମାଗିବା ସିଏ ଦେଇଦିଅନ୍ତି । ଭକ୍ତିଭାବରେ ତାଙ୍କୁ ସ୍ମରଣ କଲେ ଭଗବାନଙ୍କୁ ଦେଖି ପାରିବା । କିନ୍ତୁ ଦାଢିଆ ବାବା, ମୁଁ ବୁଝି ପାରୁନି ଚାରିଦିନ ହେଲା ମୁଁ ଖୋଜୁଛି କିନ୍ତୁ ଏପର୍ଯ୍ୟନ୍ତ ମୁଁ ଭଗବାନଙ୍କୁ ପାଇ ପାରିଲି ନାହିଁ ।

ବିଶ୍ୱାବସୁକୁ ମହର୍ଷି ବୁଝେଇ କହିଲେ – ବତ୍ସ, ତୁମ ଶିକ୍ଷକ ସତ୍ୟ କହିଛନ୍ତି । ଆମକୁ ଭଗବାନ ସୃଷ୍ଟି କରିଛନ୍ତି । ତୁମକୁ କେତେ ବର୍ଷ ? ବିଶ୍ୱାବସୁ କହିଲା – ଆଠବର୍ଷ ବାବା । ମହର୍ଷି କହିଲେ – ତୁମେ ଆଠବର୍ଷ କାଳ ଭଗବାନଙ୍କ ସହିତ ରହିଛ, କିନ୍ତୁ ଚାରିଦିନ ଏହି ଅରଣ୍ୟରେ କ’ଣ ପାଇଁ ଭଗବାନଙ୍କୁ ଖୋଜୁଛ ? ବିଶ୍ୱାବସୁ ଟିକିଏ ଭାବିବାକୁ ଲାଗିଲା, ସିଏ ଭାବିଲା ଘରେ ଆଉ ଭଗବାନଙ୍କୁ ଛାଡିଦେଇ ଚାଲି ଆସିନି ତ! ବିଶ୍ୱାବସୁ ଚିନ୍ତାରେ ପଡିବା ଦେଖି ମହର୍ଷି ଟିକିଏ ମୁରୁକି ହସି କହିଲେ – ତୁମେ ଯାହା ଶୁଣିଲ ତାହା ସତ୍ୟ । ତୁମେ ଆଠବର୍ଷ ଭଗବାନଙ୍କ ପାଖରେ ରହିଛ, ତାଙ୍କ ପାଖରେ ବଢିଛ, ତାଙ୍କ ହାତଧରି ଚାଲିଛ, ଅଝଟ ବେଳେ ଗାଳି ଖାଇଛ, ତାଙ୍କଠୁ ଶିକ୍ଷା ମଧ୍ୟ ପାଇଛ । ବିଶ୍ୱାବସୁ ବୁଝି ପାରିଲା । ଦାଢିଆ ବାବା ବିଶ୍ୱାବସୁର ବାପା, ମାଁ ଙ୍କ କଥା କହୁଛନ୍ତି । ବିଶ୍ୱାବସୁ ଆଖିରୁ ଲୁହ ଝରି ଆସିଲା । ସିଏ କହିଲା – ଆପଣ ମୋ ବାପା, ମାଁ ଙ୍କ କଥା କହୁଛନ୍ତି ନା ? ମହର୍ଷି କହିଲେ – ହଁ ବତ୍ସ, ଶାସ୍ତ୍ରରେ ମଧ୍ୟ ରଚିତ ହୋଇଛି – ଚାଣକ୍ୟ ନୀତି ଅନୁସାରେ…

जनिता चोपनेता च यस्तु विद्यां प्रयच्छति ।    ଜନିତା ଚୋପନେତା ଚ ୟସ୍ତୁ ବିଦ୍ୟାଂ ପ୍ରୟଚ୍ଛତି ।

अन्नदाता भयत्राता पञ्चौते पितरः स्मृताः ।।   ଅନ୍ନଦାତା ଭୟତ୍ରାତା ପଞ୍ଚୌତେ ପିତରଃ ସ୍ମୃତାଃ ।।

ଅର୍ଥାତ, ଯିଏ ଆମକୁ ଜନ୍ମ ଦିଅନ୍ତି, ଯିଏ ଆମକୁ ଜ୍ଞାନର ମାର୍ଗ ଦେଖାନ୍ତି, ବିଦ୍ୟା ପ୍ରଦାନ କରନ୍ତି, ଯିଏ କି ଆମର ଅନ୍ନଦାତା, ଯିଏ ଆମକୁ ଭୟରୁ ରକ୍ଷା କରନ୍ତି – ଏହି ପଞ୍ଚଗୁଣ ହେଉଛି ପିତାଙ୍କର ।

କେବଳ ଏତିକି ନୁହେଁ, ରାମାୟଣରେ ମଧ୍ୟ ଲେଖା ହୋଇଛି –

यतः मूलम् नरः पश्येतु प्रादुर्भावम इह आत्मनः ।  ୟତଃ ମୂଳମ୍ ନରଃ ପଶ୍ୟେତୁ ପ୍ରାଦୁର୍ଭାବଂ ଈହ ଆତ୍ମାନଃ ।

कथम् तस्मिन् न वतेत प्रत्यक्षे सति दैवते ।।    କଥମ୍ ତସ୍ମିନ୍ ନ ବତେତ ପ୍ରତ୍ୟକ୍ଷେ ସତି ଦୈବତେ ।।

ଅର୍ଥାତ, ଯେବେ ମନୁଷ୍ୟର ଉତ୍ପତ୍ତିର ମୂଳ ହେଉଛନ୍ତି ପିତା ତେବେ ପିତାଙ୍କ ରୁପରେ ବିଦ୍ୟମାନ ସାକ୍ଷାତ ଭଗବାନଙ୍କୁ କାହିଁକି ପୁଜା କରୁନାହଁ । 

ବତ୍ସ, ତୁମ ଉତ୍ପତ୍ତି ପାଇଁ ପିତାଙ୍କ ଯେତିକି ଶ୍ରେୟ ରହିଛି ତୁମ ମାତାଙ୍କ ମଧ୍ୟ ସେତିକି ଶ୍ରେୟ ରହିଛି । ତୁମର ଏହି ସୁନ୍ଦର କୋମଳ ଜୀବନଟି କେବଳ ତୁମ ପିତା ମାତାଙ୍କ ପାଇଁ ହିଁ ପାଇଛ । ବତ୍ସ, ଆଉ ଡେରି ନକରି ଶିଘ୍ର ଘରକୁ ଯାଅ । ତୁମ ମାତା ପିତା ତୁମକୁ ଘରେ ନଦେଖି ବ୍ୟସ୍ତ ହେଉଥିବେ ।


ବିଶ୍ୱାବସୁ ଆଉ ଡେରି ନ କରି ମହର୍ଷିଙ୍କୁ ପ୍ରଣାମ କରି ଘରକୁ ଫେରିବାର ବାଟ ପଚାରିଲା ଏବଂ ଦୌଡି ଦୌଡି ଘରକୁ ଫେରିଲା । ଘରକୁ ଫେରି ଦେଖିଲା ତାଙ୍କ ଘରେ ଚୁଲି ଜଳିନି, ବାପା ମାଁ ଓପାସରେ ବସିଛନ୍ତି । ବିଶ୍ୱାବସୁକୁ ଦେଖି ଆର୍ତ୍ତତ୍ରାଣ ଏବଂ ଜ୍ୟୋତ୍ସ୍ନାମୟୀ ଙ୍କ ଆଖିରେ ଖୁସିର ଲୁହ ଝରି ଆସିଲା । ବିଶ୍ୱାବସୁକୁ ଦୁହେଁ କୋଳେଇ ନେଲେ ଆଉ ପଚାରିଲେ -ଏହି ଚାରିଦିନ ତୁ କେଉଁଠି ଥିଲୁ ବାବୁ ? ବିଶ୍ୱାବସୁ କହିଲା – ବାପା, ମାଁ ମୋତେ ଆମ ଶିକ୍ଷକ ପଠାଇଛନ୍ତି । ଚାଲ ତାଙ୍କ ଘରକୁ ଯିବା ।

ସେମାନେ କିଛି ବୁଝିପାରୁ ନଥିଲେ । କିନ୍ତୁ ବିଶ୍ୱାବସୁର କଥାଶୁଣି ସେମାନେ ଗଲେ ଶିକ୍ଷକଙ୍କ ଘରକୁ । ଶିକ୍ଷକ ବିଶ୍ୱାବସୁକୁ ଦେଖି ପଚାରିଲେ – ଭଗବାନଙ୍କୁ ପାଇଲୁ କିରେ ମେଞ୍ଚଡ ? ବିଶ୍ୱାବସୁ କହିଲା – ହଁ, ମୁଁ ତାଙ୍କୁ ମୋ ସାଥିରେ ଆଣିଛି । ଶିକ୍ଷକ ହୋ ହୋ କରି ହସି ଉଠିଲେ । ସେ କହିଲେ – ତୋ’ ବାପା, ମାଁ ଙ୍କୁ ସାଥିରେ ଆଣି ଭଗବାନଙ୍କୁ ଆଣିଛୁ କହୁଛୁ ? କିରେ ଟୋକା ପାଗଳ ହେଇଗଲୁ କି ! ହା…ହା…ହା…। 

ବିଶ୍ୱାବସୁ କହିଲା – ଆପଣ ହିଁ କହିଥିଲେ, ଆମକୁ ଭଗଵାନ ସୃଷ୍ଟି କରିଛନ୍ତି । ଯଦି ଆପଣଙ୍କ କଥା ସତ, ତାହେଲେ ମୋତେ ମୋ ବାପା ମାଁ ସୃଷ୍ଟି କରିଛନ୍ତି । ତେଣୁ ଏହି ଦୁଇଜଣ ମୋ ଭଗବାନ । ମୁଁ ଯେତେବେଳେ ଜ୍ୱରରେ ପିଡିତ ଥିଲି ଭଗବାନ ଆସି ନଥିଲେ ମୋ ସେବା କରିବା ପାଇଁ, ମୋ ବାପା ରାତିସାରା ଉଜାଗର ରହି ମୋ ମୁଣ୍ଡ ଆଉଁସି ଦେଉଥିଲେ, ମୋ ମାଁ ରାତିସାରା ଆମ ଠାକୁର ଘରେ ଦୀପ ଜାଳୁଥିଲେ । ଆଜି ପର୍ଯ୍ୟନ୍ତ ମୋର ସବୁ ଇଚ୍ଛାକୁ ଭଗବାନ ନୁହେଁ, ମୋ ବାପା ମାଁ ପୁରଣ କରିଛନ୍ତି । ମୋ ହାତଧରି ମତେ ଚାଲିବା ସିଖେଇଛନ୍ତି । ମୁଁ ପଡିଗଲେ ମୋ ଦେହ ଝାଡିଝୁଡି ଦେଇ ଆଗକୁ ବଢିବାକୁ ପ୍ରେରଣା ଦେଇଛନ୍ତି । ମୁଁ ଭୁଲ କଲେ ମୋ ମାଁ ମୋର କାନମୋଡି ମତେ ଶାସନ କରିଛନ୍ତି, ମୋ ବାପା ବନ୍ଧୁଟିଏ ଭଳି ମତେ ସବୁ କ୍ଷେତ୍ରରେ ସାହାଯ୍ୟ କରିଛନ୍ତି । ମତେ ଖୁସିରେ ରଖଛନ୍ତି । ତେଣୁ ମୋ ପାଇଁ ମୋ ବାପା ମାଁ ହେଉଛନ୍ତି ଭଗବାନ ।

ଏତିକି କହି ଶିକ୍ଷକଙ୍କ ସାମ୍ନାରେ ପିତା ମାତାଙ୍କ ପାଦଧୁଳି ନେଇ ଘରକୁ ଚାଲିଗଲା ବିଶ୍ୱାବସୁ । ଶିକ୍ଷକ ମହାସୟ ଠକ୍ କରି ତଳେ ବସିପଡିଲେ ଏବଂ ଭାବିବାକୁ ଲାଗିଲେ । ସେ ନିଜ ଗର୍ବ, ଅହଙ୍କାର ଯୋଗୁଁ ତାଙ୍କ ବାପା ମାଁଙ୍କୁ ବୃଦ୍ଧାଶ୍ରମରେ ରଖିଥିଲେ । ତାଙ୍କ ଛୋଟବେଳ କଥା ସବୁ ମନେ ପଡିଗଲା । ତାଙ୍କ ବାପା ତାଙ୍କୁ ପିଠିରେ ବସେଇ ବୁଲେଇବା ଦୃଷ୍ୟ, ଅଝଟ ବେଳେ ତାଙ୍କ ମାଁଙ୍କ ଗାଳି ସବୁକିଛି ତାଙ୍କ ହୃଦୟକୁ ଆଘାତ ଦେଇ ଚାଲିଥାଏ । ସେ ନିଜକୁ ଦୋଷୀ ମନେକରି କାର୍ ନେଇ ଚାଲିଗଲେ ବୃଦ୍ଧାଶ୍ରମକୁ ।

ପିତା ମାତାଙ୍କ ପାଦତଳେ ପଡି ଭୋ ଭୋ ହୋଇ କାନ୍ଦି ପକାଇଲେ ଶିକ୍ଷକ । କ୍ଷମା ଭିକ୍ଷା କରି ଗୋଡତଳେ ପଡି କାନ୍ଦୁ ଥାଆନ୍ତି । କାନ୍ଦି କାନ୍ଦି କହିଲେ – ବାପା, ବୋଉ ଆଜି ମୁଁ ମୋ ଭୁଲ ବୁଝି ପାରିଛି । ଆପଣ ଦୁହିଁଙ୍କ ପ୍ରତି ମୁଁ ଯେଉଁ ଅନ୍ୟାୟ କରିଛି ସେଥିପାଇଁ ମୁଁ ଆଜି ଅନୂତପ୍ତ । ମତେ କ୍ଷମା କରିବନି ? ମୋ ସହିତ ଘରକୁ ଯିବନି ? ଘରେ ଆପଣଙ୍କ ବହୁ ଏବଂ ନାତୁଣୀ ଆପଣ ଦୁହିଁଙ୍କୁ ଅପେକ୍ଷା କରିଛନ୍ତି ।

କୌଣସି ପିତାମାତା ତାଙ୍କ ପୁତ୍ରକୁ କେବେ ଅଭିଶାପ ଦେଇ ପାରିବେ ନାହଁ । ପିଲା ଯେତେ ଭୁଲ କଲେମଧ୍ୟ ଭୁଲକୁ ସୁଧାରିବା ପାଇଁ ସୁଯୋଗ ଦେଇଥାଆନ୍ତି । ଶିକ୍ଷକଙ୍କ ପିତାମାତା ତାଙ୍କୁ କ୍ଷମା କରିଦେଲେ ଏବଂ ଶିକ୍ଷକଙ୍କ ସହିତ ଘରକୁ ଗଲେ । ଏହି ଆଧୁନିକ ଯୁଗରେ ଯୁବଗୋଷ୍ଟି ପାଶ୍ଚାତ୍ୟ ଆଡକୁ ଅଗ୍ରସର ହୋଇ ତାଙ୍କ ମୂଲ୍ୟହୀନ ଖୁସି ପାଇଁ ନିଜ ପିତାମାତାଙ୍କୁ ପାଦରେ ଏଡାଇ ଦେଉଛନ୍ତି । ସେମାନେ ଭୁଲି ଯାଆନ୍ତି ତାଙ୍କ ପିତାମାତାଙ୍କ ଯୋଗୁଁ ହିଁ ତାଙ୍କ ସୃଷ୍ଟି ହୋଇଛି । କିନ୍ତୁ ସେହି ପିତାମାତା ପିଲା ମାନଙ୍କ ଠାରୁ ଦୁରେଇ ରହି ମଧ୍ୟ ତାଙ୍କ ପିଲାଙ୍କ ଖୁସି ପାଇଁ ଭଗବାନଙ୍କୁ ପ୍ରତି ମୁହୂର୍ତ୍ତରେ ପ୍ରାର୍ଥନା କରନ୍ତି ।


Rate this content
Log in