Pratap Kishore Rout

Others Children

4  

Pratap Kishore Rout

Others Children

ଭାରତ ସ୍ୱାଧୀନ ହେଲା କେବେ

ଭାରତ ସ୍ୱାଧୀନ ହେଲା କେବେ

4 mins
202



ରାତିଟା ଶୋଇ ଯାଇଥିଲା ଝିପି ଝିପିବର୍ଷାରେ । ରାସ୍ତା କଡ ର ଆଲୁଅ ଗୁଡା କେମିତି ଗୋଟେ ନିଷ୍ପ୍ରଭ ଚାହାଣି ରେ ଆକାଶକୁ ଚାହିଁ ସୂର୍ଯ୍ୟୋଦୟକୁ ଅପେକ୍ଷା

କରିଥିଲେ ଟିକେ ବିଶ୍ରାମ ଆଶାରେ । ମଝିରେ

ମଝିରେ ଝାପ୍ସାଏ ବିଜୁଳି ରେ ଆଖିମିଟିକା

ମାରୁଥିଲା ବର୍ଷା ରାଣୀ । ଶୋଇବା ଘର ରକବାଟ ଅଧା ମୁକୁଳା ଥିଲା । ମଝିରେ ମଝିରେ ଦଲକାଏ ପବନ ଘର ଭିତରକୁପଶି ନିଜର ଉପସ୍ଥିତିକୁ ଜଣାଇ ଦେଉଥିଲା।ଘଣ୍ଟା ସୁଚେଇ ଦେଲା ସମୟ ରାତ୍ରି ଦୁଇଟା।ଦମୟନ୍ତି ଦେବୀ କେତେ ବେଳୁ ଶୋଇପଡିଛନ୍ତି । ଘରୁ ବାହାରକୁ ବାହାରୁ ଘରଭିତରକୁ ଯନ୍ତ୍ରବତ ପଦାଚରଣ କରୁଥାନ୍ତି ଶିକ୍ଷକ ଦୀନନାଥ ରାଉତ ରାୟ ।ଅନେକ ସମୟ ୟାଭିତରେ ବିତିଗଲାଣି ।କେଉଁ ଏକଅଜଣା ଭାବନା ଭିତରେ ପଶି ଯାଇ ଯେମିତି ତାର ସମାଧାନ ର ସୂତ୍ରକୁ ବାହାର କରିବାକୁ ଆପ୍ରାଣ ଚେଷ୍ଟାକରି ମଧ୍ୟ ସଫଳ ହୋଇ ପାରୁ ନାହାନ୍ତି ।କେବଳ ସୂର୍ଯ୍ୟୋଦୟକୁ ଅପେକ୍ଷା ପୂର୍ବାକାଶ ରେ ସିନ୍ଦୁରା ଫାଟିବ,ପୃଥିବୀକୁ ଓହ୍ଲାଇ ଆସିବ ଆଶାର ଅରୁଣୀମା,ମୁକ୍ତି ର ଆଲୋକ ଚାରି ଆଡ଼େ ବିଛେଇ

ହୋଇ ପଡିବ।ସ୍ୱାଧୀନ ଭାରତ ର ଜୟଗାନ ରେ ଗଗନ ପବନ ପ୍ରକମ୍ପିତ ହେବ ଓ ସାରାଭାରତ ବର୍ଷ ର ନର ନାରୀ ତାର ସ୍ୱାଦ ଉପଭୋଗ କରିବେ । ରାତିରେ ଆଠ ବର୍ଷର ନାତୁଣୀ ମାମୁନି ର ହଜାରେ ପ୍ରଶ୍ନ 

ବାଣ ରେ ଯେମିତି ଘାଇଲା ହୋଇ ଯାଇଛନ୍ତି।

ପଚାରିଥିଲା ଜେଜେ !


       ସ୍ୱାଧୀନତାର ଅର୍ଥ କଣ ?

ତୁମେ କଣ ସ୍ୱାଧୀନ ? ମୁଁ କଣ ସ୍ୱାଧୀନ ?ଯାହାହେଉ କୌଣସି ଉପାୟ ରେ ତାକୁ ସିନା ବୁଝେଇ ଦେଇଥିଲେ,ହେଲେ ନିଜକୁ ବୁଝେଇ ପାରୁ ନଥିଲେ ।ଆଜି ନୁହଁ ପଚାଶ ବର୍ଷ ହେଲା ଏହି ଅସମାହିତ ପ୍ରଶ୍ନ ର ଉତ୍ତର ଖୋଜି ଖୋଜି ସ୍ଥାଣୁ ପାଲଟି ଯାଇଛନ୍ତି ସେ।

ଚାଳିଶ ବର୍ଷ ର ଶିକ୍ଷକତା ଜୀବନ ରେ କାହିଁ କେଉଁ ଦିନ ସ୍ୱାଧୀନତା ର ଅର୍ଥ ବୁଝିବାରେ ସଫଳ ହୋଇ ନାହାନ୍ତି । ଏଇ ଅଗଷ୍ଟ ୩୧ ତାରିଖ,ଚାକିରୀ ଜୀବନ ର ପୂର୍ଣଛେଦ ।ଶିକ୍ଷକତା ଜୀବନ ରୁ ଅବ୍ୟାହତି। ରାତି ପାହିଲେ ଅଗଷ୍ଟ ପନ୍ଦର।ତାଙ୍କ ପାଇଁ ଜଣେ ଶିକ୍ଷକ ହିସାବରେ ଶେଷ ସ୍ୱାଧୀନତା ଦିବସ ।ଏହାପରେ ସ୍ୱାଧୀନ ଭାରତ ର ତ୍ରିରଙ୍ଗା ଉତ୍ତୋଳନ କରିବା ତାଙ୍କ ଭାଗ୍ୟରେ ଅଛି କି ନାହିଁ କିଏ କହିବ ?

   -ଆରେ ତୁମେ ଶୋଇ ନାହଁ ନା କଣ ?

ନିଦ ରୁ ଉଠି ଆଖି ମଳି ମଳି ପ୍ରଶ୍ନ କଲେ ଦମୟନ୍ତି ଦେବୀ ।

  - ନାଁ, କାହିଁକି କେଜାଣି ଆଜି ନିଦ ହେଲା

ନାହିଁ ।ଆଜି ପରି ଦିନରେ କିଏ କଣ ଶୁଏ ?୧୯୪୭ ମସିହା ଏଇ ଅଗଷ୍ଟ ୧୪ ରାତି ରେ ସମଗ୍ର ବିଶ୍ୱ ଶୋଇପଡି ଥିବା ବେଳେ ଆମେ ସ୍ୱାଧୀନତା ହାସଲ କଲେ ।ଆଜିବି ସେଇ ଅଗଷ୍ଟ ୧୪ ତାରିଖ । ଦେଖୁଛ ଦମୟନ୍ତି ବାହାରେ ପକ୍ଷୀମାନଙ୍କର କଣ୍ଠରେ ପ୍ରଭାତ

ର ଆଵାହନୀ ସଂଗୀତ ?ପ୍ରତି ଟି ଭଙ୍ଗିମାରେ

ମୁକ୍ତି ର ଆନନ୍ଦ।ହେଲେ ଏ ମଣିଷ ପାଖରେ

ସେ ଭାବ କାହିଁ ।ସାରା ଜୀବନ ସରକାର ଙ୍କ ପାଖରେ ମୁଣ୍ଡ ବିକି ଗୋଲାମୀ କରିଛି।ଇଛା ନଥାଇ ବି ଇଛା ବିରୁଦ୍ଧରେ କାମ କରିଛି।ମଣିଷ ତିଆରି କରିବା ପାଇଁ ଚାକିରୀ କରିଥିଲି ,ହେଲେ ସରକାରୀ ଫାଇଲି

ଭିତରେ ସତମିଛ ଖେଳରେ ପେଷି ହୋଇ ଅନେକ ଯନ୍ତ୍ରଣା ପାଇଛି ।ଅଫିସର ଙ୍କ ନାଲି ଆଖି ରେ ଗୋଟିଏ ବାଧ୍ୟ ପୁଅ ପରି ସେମାନଙ୍କର ଆଦେଶ ପାଳନ କରିଛି ।ଦେଶ ସେବକ ର ଖୋଳପା ଭିତରେ ଅସାଧୁ ନେତା ମାନଙ୍କର ହାତ ବାରିସୀ ସାଜିଛି ।କହିପାରିବ ଦମୟନ୍ତି ମୁଁ କେବେ ସ୍ୱାଧୀନ ହେଲି ?


   -ଥାଉ ଥାଉ ତୁମ ଭାଷଣ ।ସ୍କୁଲକୁ

ଗଲେ ଯାହା କିଛି ରଖିଛ ସେଠାରେ ଦେଵ।ଯାଅ ନିତ୍ୟକର୍ମ ସାର ।ଆଜିପରା ଅଗଷ୍ଟ ୧୫।ସ୍କୁଲକୁ ବେଣୁସୁ ଯିବାକୁ ପଡ଼ିବ । ମୁ ଯାଏତୁମ ପାଇଁ ଟିକେ ଚା ଜଳଖିଆ ର ବନ୍ଦୋବସ୍ତ କରେ । କହି କହି ବିଛଣାରୁ ଉଠି ଚାଲି ଗଲେ ଦମୟନ୍ତୀ ଦେବୀ ।


         ସକାଳ ହେଲା ।ସ୍ନାନ ଶୌଚ ସାରି ଚା ଜଳଖିଆ ଟିକେ କରିଦେଇ ଏକ ମୁହାଁ ହୋଇ ସ୍କୁଲକୁ ଚାଲିଲେ ଦୀନ ନାଥ ବାବୁ ।କି ସୁନ୍ଦର ସକାଳ ର କଁଅଳ ଖରା !ସବୁଜ ଘାସ ଉପରେ ସତେ ଯେମିତି ମୁକ୍ତା ର ଭ୍ରମ ସୃଷ୍ଟି କରୁଛି ।ସବୁ ପୂର୍ବ ଯୋଜନା ଅନୁସାରେ ପ୍ରସ୍ତୁତ ହୋଇଛି ।ଗ୍ରାମ୍ୟ ପରିକ୍ରମା ପରେ ସମସ୍ତେ ସମବେତ ହେଲେ ଜାତୀୟ ପତାକା ତଳେ। ପତାକା ଉତ୍ତୋଳନ କଲେ ପ୍ରଧାନ ଶିକ୍ଷକ ଭାବେ ଦୀନନାଥ ବାବୁ।ଉତ୍ତୋଳିତ ପତାକା ରୁ ଖସି ପଡୁଥିଲା ରଙ୍ଗବେରଙ୍ଗ ର ପୁଷ୍ପ ସମ୍ଭାର।


ଜାତୀୟ ସଙ୍ଗୀତ ଗାନ ହେଲା।ସ୍ଲୋଗାନ ରେ କମ୍ପି ଉଠିଲା ବିଦ୍ୟାଳୟ ପରିସର । ସୁମଧୁର ଭାଷା ବିନ୍ୟାସକୁ ନେଇ ସୁବକ୍ତୃତା ।ହେଲେ କେଉଁଠି କିଛି ଗୋଟେ ଅଭାବ ଯେମିତି ପରିଲକ୍ଷିତ ହେଉଥିଲା ନିଜ ମନରେ ।ମୋଟା ଲେନ୍ସ ର ଚଷମା ଭିତରୁ ତାଙ୍କର ଅନୁସନ୍ଧାନୀ ଆଖି ସତେ ଯେମିତି ଖୋଜୁଥିଲା ସେହି ମୁକ୍ତିର ଆନନ୍ଦକୁ। ଦୃଷ୍ଟି ନିକ୍ଷେପ ହୋଇଗଲା ଜାତୀୟ ପତାକା ଉପରେ। ସତେ ଯେମିତି କେଉଁ ଏକ ଅଳସ ଭଙ୍ଗୀ ରେ ଉଡୁଥିଲା ଆମ ଗର୍ବ ଗୌରବ ର ପ୍ରତୀକ ଜାତୀୟ ପତାକା। ତ୍ରିରଙ୍ଗା ଶୌର୍ଯ୍ୟ ବୀର୍ଯ୍ୟ,ସାହସିକତା ର ପ୍ରତୀକ ;ସତ୍ୟାଶାନ୍ତି ମୈତ୍ରୀ ର ପ୍ରତୀକ,ପ୍ରଗତି ଓ ନିର୍ଭରଶୀଳତା ର ପ୍ରତୀକ ।ଅଖଣ୍ଡ ଭାରତ ବର୍ଷର ପ୍ରଗତି କେଉଁଠି ଲୁଚିଗଲା ସତେ ।ଏବେବି ଭାରତ ମାତା ର ହାଡ଼ ମାଂସକୁ ଚୋବେଇ ଖାଇବା ପାଇଁ ପାକିସ୍ଥାନ ଚୀନ ପରି ଲୁବ୍ଧ ଶୃଗାଳ ମାନ ଦିନରାତି ଲାଗି ପଡିଛନ୍ତି।କାଶ୍ମୀର ର ମା କୋଳରେ ଛୁଆ ଟା ବି ଟିକେ ନିରାପଦ ରେ ଶୋଇ ପାରୁନାହିଁ।ପ୍ରତିଦିନ ରକ୍ତ ରଞ୍ଜିତ ହେଉଛି ଭାରତ ବର୍ଷର ସୀମାନ୍ତ ରାଜ୍ୟ।ସାର୍ବଭୌମତ୍ୱ ର ପରିଭାଷା ବଦଳି ଯାଇଛି ଯେମିତି ।


୭୫ ବର୍ଷ ସ୍ୱାଧୀନ ହେବା ପରେ ବି ଆଜି ଆମର ସୀମାନ୍ତ ସଠିକ ନିରୂପଣ ହୋଇପାରି ନାହିଁ ? କାହିଁକି ଲାଦାଖ ର ବରଫାବୃତ୍ତ ଦେହରେ ରକ୍ତର ଛିଟା ?କାହିଁକି କାଶ୍ମୀର କନ୍ୟାର ଚୋରା ଚାହାଣି ରମାଦକତା ଭିତରେ ଧସେଇ ପଶି ଯାଇଛିଭୟ ଓ ଘୃଣା ର ବର୍ବରତା ।ସତ୍ୟ ନାମରେ ଅସତ୍ୟ ର ରାଜତ୍ୱ । ଅଯୋଗ୍ୟ ଅର୍ଥ ଵାହୁ ବଳରେ ଦେଶର ଶାସନ କର୍ତ୍ତା । ଭୋଟ ଭୟର ନିଶାରେ ମସଗୁଲ ନେତା ଦେଶର ସାର୍ବଭୌମତ୍ୱକୁ ନିଲାମ କରି ଦେଇଛନ୍ତହତ୍ୟା,ଲୁଣ୍ଠନ, ନାରୀ ନିର୍ଯାତନା, ଶୋଷଣ ସମାଜକୁ ବ୍ୟାଧିଗ୍ରସ୍ତ କରି ପକାଇଛି। ଏବେବି ନିର୍ଭୟା ବେବିନା ର ଆତ୍ମା ମାନେ 

ରୋଷରେ ଛଟପଟ ହେଉଛନ୍ତି ।ରାଜନେତା ଓ ଉଚ୍ଚ ପଦସ୍ଥ ଅଫିସର ମାନଙ୍କ ପାଖରେ ଦେଶର ଅର୍ଦ୍ଧେକ ସମ୍ପତ୍ତି ଠୁଳ ହୋଇଛି । ଶାନ୍ତି ମୈତ୍ରୀ ର ବନ୍ଦନା ଗାନ କରୁଥିବା ଦେଶରେ ସାମ୍ପ୍ରଦାୟିକ ଦଙ୍ଗା ସୃଷ୍ଟି ହେଉଛିସ୍ୱଳ୍ପ ଶିକ୍ଷିତ ରାଜନେତା ଙ୍କ ନାଲି ଆଖିରେ

ଅମଲାତନ୍ତ୍ର ଶ୍ୱାସ ରୁଦ୍ଧ ,ସମାଜସେବା ନାଁରେ ଜାତୀୟ ସମ୍ପତି ହରିଲୁଟ ହେଉଛି। ପ୍ରତ୍ୟହ ଜ୍ୱାଳା ଯନ୍ତ୍ରଣାରେ ଶିକାର ମଣିଷ ତ୍ରାହି ତ୍ରାହି ଡାକୁଛି। ପ୍ରଗତିଶୀଳ ଦେଶ

ଭାବେ ବାହା ବାହା ନେବା ବେଳେ କେଉଁ ଏକ ଅଖ୍ୟାତ ପଲ୍ଲୀ ଅଞ୍ଚଳ ରେ ଶିକ୍ଷା, ସ୍ୱାସ୍ଥ୍ୟ,ଗମନାଗମନ ସର୍ବ ନିମ୍ନ ଆବଶ୍ୟକତା ପୁରଣ କରିବାରେ ସରକାର ବିଫଳ ।

ସାମାଜିକ ପରିସ୍ଥିତି ର କ୍ରୁର ପରିହାସ ରେ ବୃଦ୍ଧ ବୟସ ରେ ପିତାମାତା ମାନଙ୍କର ଆଶ୍ରୟ ସ୍ଥଳୀ ପାଲଟିଛି ବୃଦ୍ଧାଶ୍ରମ ।


 ଆଖିରେ ଲୁହ ଜକେଇ ଆସିଲା ଦିନନାଥ ବାବୁଙ୍କର ।ପଛରୁ ଡାକ ଶୁଭିଲା -ସାର ! ସମସ୍ତେ ଚାଲି ଗଲେଣି ।ଏକା ଏକା ଠିଆହୋଇ କଣ ଭାବୁଛନ୍ତି ?ମୁଁ ଆପଣଙ୍କୁ ଅପେକ୍ଷା କରିଛି । ପ୍ରକୃତିସ୍ଥ ହେଲେ ଦିନନାଥ ବାବୁ ।ଚଷମା ଖୋଲିଧୋତି କାନି ରେ ଲୁହପୋଛି ଦେଖିଲେ ପଛରେ ଠିଆ ହୋଇଛି ସ୍କୁଲ ପିଅନ ବାବନ।


ଆରେ ହଁ--ହଁ ବାବନ ।ତୁ କେତେବେଳୁ ମୋ 

ପାଇଁ ଅପେକ୍ଷା କରିଛୁ ? ଆରେ ବାବନ

ଏ ହେଉଛି ମୋର ଶେଷ ସ୍ୱାଧୀନତା ଦିବସ।ହୁଏତ ମୋ ଭାଗ୍ୟରେ ଆଉ ପତାକା ଉଡାଇବାର ସୌଭାଗ୍ୟ ଆଉ ଆସିବ କି ନା ଜାଣେନା ।ମନେରଖ ଏ ସ୍ୱାଧୀନତାକୁ ତୁମେ ଏମିତି ପଙ୍ଗୁ କରିଦେବ ନାହିଁ ।ତୁ 

ପିଲା ଅଛୁ, ତୋ ସାଙ୍ଗ ସାଥି ମାନଙ୍କୁ ନେଇ ଏକ

ପୂର୍ଣ୍ଣତାର ସ୍ୱାଧୀନତା ଆଣିବାକୁ ଚେଷ୍ଟାକରିବୁ ଯେଉଁଥିରେ ଥିବ ମୁକ୍ତିର ଆନନ୍ଦ,ଗଢିବାର ଆଖିଏ ସ୍ବପ୍ନ ,ଆଉ ପ୍ରଗତିର ସ୍ୱତଃସ୍ଫୁର୍ତ୍ତ ଆବେଗ । ଏତିକି କହି ପୁଣିଥରେ ଚାହିଁ ଦେଲେ ସେହି ଉଡ୍ଡୀୟମାନ ତ୍ରିରଙ୍ଗାକୁ ।ତାପରେ ଏକ ଦୀର୍ଘଶ୍ଵାସ ପକାଇ ସିଧା ଚାଲିଲେ ଗୃହ ଅଭିମୁଖେ। ପଛରେ ବାବନ ଲକ୍ଷ୍ୟ କରୁଥିଲା ଗୋଟିଏ

ଭଙ୍ଗା ମନ ତଳେ ଲୁଚି ଥିବା ସ୍ବପ୍ନ ମାନଙ୍କର ଅଭିସାର ଆଉ ଭାବୁଥିଲା ସତରେ ଆମ

ଦେଶ ସ୍ଵାଧୀନ ହେଲା କେବେ ? ? ?

      


Rate this content
Log in