ବାଃ ରେ ଜୀବନ
ବାଃ ରେ ଜୀବନ
ବୃଦ୍ଧାଶ୍ରମର ଚାରିକାନ୍ଥ ମଧ୍ୟରେ ଖୁବ୍ ଅଣନିଃଶ୍ବାସୀ ପାଲଟି ଯାଉଛନ୍ତି ବିନୋଦ ବାବୁ। ଅସଂଖ୍ୟ ଅସମାହିତ ପ୍ରଶ୍ନ କ୍ଷତ ବିକ୍ଷତ କରୁଛି ତାଙ୍କ ମସ୍ତିଷ୍କକୁ।ସେଦିନର ବଦାନ୍ୟ ବିନୋଦ ବାବୁ , ଆଜି ଅସହାୟ ବିନୋଦ। ବାଃ ରେ ଜୀବନ ।
ସେଦିନ ବିଜେବି କଲେଜର କୃତିଛାତ୍ର ବିନୋଦ ଅପୂର୍ବା ସୁନ୍ଦରୀ ଆଞ୍ଚଲକୁ କଲେ ପ୍ରେମ ବିବାହ। ଦୁର୍ଭାଗ୍ୟର ବୈତରଣୀରେ ଭାସିଗଲା ଅଢେଇ ଦିନର କୁଣିଆ ଆଞ୍ଚଲ, ଅଢେଇ ମାସର କୁନିପୁତ୍ର ସମ୍ପଦକୁ ଛାଡ଼ିଦେଇ। ଉନ୍ମକ୍ତ ପାଗଳ ପ୍ରାୟ ବିନୋଦ। ସମ୍ପଦର ଦେଖାଶୁଣା କରିବାକୁ ଅନିଚ୍ଛା ସତ୍ତ୍ୱେ ବି ବାଧ୍ୟ ହୋଇ ବିବାହ କଲେ କୁସଂସ୍କାରୀ ଅସଭ୍ୟା ବିଧବା ସୋନାଲିକୁ। ଜନ୍ମ ଦେଲା ସୋନାଲିର ପୁତ୍ର, ନାମ ବିପ୍ଳବ। ସମ୍ପଦର ସୁଖ ଆଯଶରେ ଡ଼ିଆଁ ମାରିଲା ଦୁଃଖର ଧୂମକେତୁ। ସୋନାଲି ପରିବାରର କୁଟଚକ୍ରାନ୍ତର ଶିକାର ହୋଇ ଛାଡିଲା ଘର ବିଚରା ସମ୍ପଦ। ସ୍ତ୍ରୀର ଉଗ୍ର, ଅଶାଳୀନତାର ଭୟରେ ବିନୋଦ ସାଜିଲା ସର୍କସର ବାଘ। ଅଭଦ୍ର ମା' ଯାର ଆଦର୍ଶ, ସେ ଅଶିଷ୍ଟାଚାର ପ୍ରତି ମୁହୂର୍ତ୍ତରେ କରୁଥାଏ ବିପ୍ଳବ। ଅଯାଚିତ ସ୍ବାଧୀନତା ଓ ଭଲପାଇବା ତାକୁ କରୁଥାଏ ସ୍ବେଚ୍ଛାଚାରୀ ଓ ଅମଣିଷ। ଆମେରିକା ଗଲା,କଲା ଉଚ୍ଚଶିକ୍ଷା।ଭଲପାଇଲା ଏକ ଖ୍ରୀଷ୍ଟିୟାନୀ। ସାବାଳକ ସେ, ସ୍ୱାଧୀନ ଓ ଅତ୍ୟାଧୁନିକ, ତେଣୁ ତା ବିବାହରେ କେହି ହସ୍ତକ୍ଷେପ ଅନାଵଶ୍ୟକ କହି ବିବାହ କଲା ତାନିଆକୁ। ହାଲୋ ହାଏ ରେ ଅପସଂସ୍କାରରେ ଧକେଇ କାନ୍ଦିଲା ପରିବାର । ସୋନାଲୀର ବିଛାମନ୍ତ୍ର କରିପାରିଲା ନାହିଁ ବଶୀଭୂତ କାଳ ନାଗୁଣୀକୁ। ବିଷ ମନ୍ତ୍ରରେ ବିପ୍ଳବକୁ କଲା କବଜା, ଶାଶୁ ଶୁଶୁରକୁ ମନକୁ କଲା କ୍ଷତାକ୍ତ। ଏକ ଦୁର୍ଘଟଣାରେ ଆରପାରିକୁ ଗଲା ସୋନାଲି, ବିନୋଦ ହେଲା ଅକର୍ମଣ୍ୟ ,ଗଲା ଚାକିରୀ। ଶେଷରେ ପୁଅ ବୋହୂଙ୍କ ପାଶ୍ଚାତ୍ୟ ଆତ୍ମନିର୍ଭରଶୀଳ ନୀତିର ଈଙ୍ଗୀତ ବିନୋଦକୁ ଲାଗିଲା ସାକ୍ଷାତ ଅଂଶୁଘାତ। ଧମକ ଚମକ ଦେଇ ଘର ବାଡ଼ି ବିକ୍ରିକରି ଚାଲିଗଲେ ପୁତ୍ରବଧୁ ଆମେରିକା। ଗ୍ରାମବାସୀଙ୍କ ଦୟାରେ ଚିକିତ୍ସିତ ହେଲେ ବିନୋଦ। ଶେଷରେ ଆଶ୍ରା ହରାଇ ଆଦରିନେଲେ ପୁଣ୍ୟଧାମ ବୃଦ୍ଧାଶ୍ରମକୁ।
ଅମାନିଆ ଆର୍ଦ୍ର ଆଖିରୁ ଲୁହ ଦି ଟୋପା ପୋଛୁ ପୋଛୁ,ଆଣ୍ଠୁମାଡ଼ି ପ୍ରଣିପାତ କଲେ ସାଥିରେ ନେବାକୁ ଆସିଥିବା ସମ୍ପଦ ଓ ତା ଧର୍ମପତ୍ନୀ ସୁନୀତା। ଲଜ୍ଜାରେ ନିଜକୁ ମୂଲ୍ୟାୟନ କରୁଥାନ୍ତି ସେ। ଦୁହିଙ୍କ ମୁଣ୍ଡ ଆଉଁସି ଆଶୀର୍ବାଦ ଦେଇ ଆତ୍ମାକୁ କହୁଥିଲେ ।
ବାଃ ବାଃ ରେ ଜୀବନ।
