ବାଘ
ବାଘ
ମଣିପୁରର ରାଜା ଶଶୀଧର ଥିଲେ । ଶିକାର କରିବା ତାଙ୍କର ଏକ ସଉକ ଥିଲା । ତେଣୁ ସପ୍ତାହକୁ ସେ ଥରେ ଶିକାର କରିବାକୁ ଯାଉଥିଲେ । ଥରେ କେତେକ ସୈନ୍ୟଙ୍କୁ ନେଇ ସେ ରଥ ଚଢି ଶିକାର କରି କେବଳ କେତୋଟି ହରିଣ ଓ ବନ୍ୟଶୁକରଙ୍କୁ ଶିକାର କରିଥିଲେ । ତା’ପରେ ଏକ ବଡ ଗଛ ତଳେ ସମସ୍ତେ ମିଶି ଖିଆପିଆ କରି ବିଶ୍ରାମ ନେଲେ । ରାଜା ବିଶ୍ରାମ କରୁଥିବା ବେଳେ ହଠାତ୍ ଗୋଟିଏ ବାଘୁଣୀ ଆସି ତାଙ୍କ ଉପରକୁ କୁଦି ପଡିଲା । ଏପରି ଦୃଶ୍ୟ ଦେଖି ଉପସ୍ଥିତ ଲୋକମାନେ କିଂକର୍ତ୍ତବ୍ୟବିମୁଢ ହୋଇ କେବଳ ଚିତ୍କାର ଓ କୋଳାହଳ କରିବାରେ ଲାଗିଲେ । ରାଜା କିନ୍ତୁ ତିଳେ ମଧ୍ୟ ଭୟଭୀତ ନହୋଇ ଢାଲଟି ଉଠାଇ ନେଇ ନିଜକୁ ରକ୍ଷା କଲେ । ବାଘୁଣୀ ପଛ ଗୋଡରେ ଠିଆ ହୋଇ ପୁଣି କୁଦିବା ବେଳକୁ ରାଜା ନିମିଷକ ମଧ୍ୟରେ ତରବାରୀ କାଢି ତା’ର ମୁଣ୍ଡ କାଟି ପକାଇଲେ । ତା’ପରେ ସେ ରାଜାଙ୍କର ଏଭଳି ସାହସ ଓ ପରାକ୍ରମକୁ ସମସ୍ତେ ପ୍ରଶଂସା କଲେ । ତା’ପରେ ବାଘୁଣୀର ମୃତଦେହର ଚାରିପଟରେ ସମସ୍ତେ ଠିଆ ହୋଇଥା’ନ୍ତି, ହଠାତ୍ ଦେଖାଗଲା ବୁଦା ହଲୁଛି ଓ ତାହା ମଧ୍ୟରୁ କିଛି ଶବ୍ଦ ଆସୁଛି ।
ରାଜା ପୁଣି ସାବଧାନ ହୋଇ ହାତରେ ରକ୍ତାକ୍ତ ତରବାରୀକୁ ଧରି ଶତୃ ଅପେକ୍ଷାରେ ରହିଲେ । ଅଳ୍ପ ସମୟ ପରେ ବୁଦା ମୂଳରୁ ବାଘୁଣୀର ଛୁଆ ବାହାରି ଆସି ଏତେଗୁଡିଏ ଲୋକ ଦେଖି ତାଙ୍କ ଆଡକୁ ଚାହିଁ କୋମଳ କଣ୍ଠରେ ସେ ଗର୍ଜନ କଲା । ତା’ପରେ ସେ ତା’ ମା’ର ମୃତ ଦେହକୁ ଦେଖି ତା’ ଚାରିପଟରେ ବୁଲିବୁଲି ବଡ ବିକଳ ହୋଇ କାନ୍ଦିବାକୁ ଲାଗିଲା ।ଏହି ମର୍ମାନ୍ତିକ ଦୃଶ୍ୟ ଦେଖି ରାଜାଙ୍କ ହୃଦୟ ଅକସ୍ମାତ ଦୁଃଖ ଓ ଦୟାରେ ବିଚଳିତ ହେଲା । ସେ ଚେଷ୍ଟା କରି ବାଘ ଛୁଆଟିକୁ ଧରିନେଲେ । ବାଘଛୁଆ କିନ୍ତୁ ରାଜାଙ୍କୁ ରାମ୍ପୁଡି ପକାଉଥାଏ ।
ରାଜା ତାକୁ କୋଳରେ ଧରି ସ୍ନେହରେ ଆଉଁସି ଦେଇ କହିଲେ, “ଶାନ୍ତ ହୋଇଯା, ମୁଁ ନିଜକୁ ରକ୍ଷା କରିବାକୁ ଯାଇ ବାଧ୍ୟ ହୋଇ ତୋ ମା’କୁ ମାରିଛି ।” ତା’ପରେ ଆଉ ଶିକାର କରିବେ ନାହିଁ ବୋଲି ସ୍ଥିର କରି ସେ ରାଜା ତାଙ୍କ ନଅରକୁ ଫେରି ଆସିଲେ । ରାଣୀ ଗିରିଜା ଦେବୀ ବାଘଛୁଆକୁ ଦେଖି କହିଲେ, “ମହାରାଜ, ଛୋଟ ହେଲେବି ଏହା କ୍ରୁର ଜନ୍ତୁର ଶାବକ । ଅବଶ୍ୟ ଏବେ କିଛି ବିପଦ ନାହିଁ, କିନ୍ତୁ ବଡ ହେଲେ ସେ ଆମକୁ ଆଉ କୌଣସି ବିପଦରେ ପକାଇବ ନାହିଁ ତ?”
ରାଣୀଙ୍କ କଥାରେ ଶଶୀଧର ଦୀର୍ଘ ଶ୍ୱାସ ପକାଇ କହିଲେ, “ସେ ମାତୃହୀନ, ଏବଂ ସେଥିପାଇଁ କେବଳ ମୁ ହିଁ ଦାୟୀ ପାଳିପୋଷି ବଡ କରିବା ପାଇଁ ହିଁ ମୁଁ ତାକୁ ଏଠାକୁ ଆଣିଛି । ମୋର ବିଶ୍ୱାସ ହେଉଛି ଯେ ପିଲାକାଳରୁ ମଣିଷଙ୍କ ମଧ୍ୟରେ ଚଳିଲେ ତା’ର ସ୍ୱଭାବ ମଧ୍ୟ ଆସ୍ତେ ଆସ୍ତେ ପରିବର୍ତ୍ତନ ହୋଇଯିବ । ତାହାର କ୍ରୁରତା ଲୋପ ପାଇଯିବ । ଯଦି ସେପରି ନହୁଏ ତେବେ ଟିକିଏ ବଡ ହୋଇଗଲେ ମୁଁ ତାକୁ ଜଙ୍ଗଲରେ ନେଇ ଛାଡି ଦେବି ।”
ସେହିଦିନଠାରୁ ରାଜା ତାକୁ ସବୁଦିନେ ନିଜେ ଦୁଧ ପିଆନ୍ତି । ଫଳରେ ଖୁବ୍ ଅଳ୍ପଦିନ ମଧ୍ୟରେ ସେ ପୋଷା ମାନିଗଲା । ପୋଷା ବିଲେଇ ପରି ଅନ୍ତଃପୁର ମଧ୍ୟରେ ସ୍ୱାଧିନ ଭାବରେ ସେ ବିଚରଣ କରୁଥାଏ । ରାଣୀଙ୍କ ବିଛଣାରେ, ତାଙ୍କ କୋଳରେ ସେ ଶୋଉଥାଏ ।
ବର୍ଷକ ମଧ୍ୟରେ ସେ ବଡ ହୋଇଗଲା । ସେ ଅନ୍ୟାନ୍ୟ ଖାଦ୍ୟ ଭିତରେ ମାଂସ ଖାଇଲା । ଦେହର ବର୍ଣ୍ଣ ହଳଦିଆରେ କଳା ପଟା ସବୁ ଦେଖାଦେଲା । କିନ୍ତୁ ମଣିଷର ସ୍ନେହଶ୍ରଦ୍ଧା ପାଇ ସେ ବିଲେଇଟି ପରି ଚଳୁଥାଏ; କେବେ କାହାର କ୍ଷତି କରି ନାହିଁ ।
ଥରେ ସେ ବାଘ ଦେହରେ ବ୍ରଣସବୁ ବାହାରିଲା । ପଶୁବୈଦ୍ୟକୁ ଡକା ହେଲା । ସେ ତାକୁ ଭଲକରି ଦେଖିବା ପରେ କହିଲେ, “ମହାରାଜ, ଏହିପରି ବ୍ରଣ ପ୍ରାୟ ପଶୁ ଜନ୍ତୁଙ୍କଠାରେହିଁ ଦେଖାଯାଏ । ଏହା ପାଇଁ ସାଧାରଣରେ କୌଣସି ଔଷଧ ନାହିଁ । ସେଥିପାଇଁ ଏକ ତରଳ ଔଷଧ ଦରକାର ଯେଉଁଟିକୁ କି ତା’ର ଦେହରେ ଲେପି ଦେଲେ ସେ ଭଲ ହୋଇଯିବ । କିନ୍ତୁ ସେହି ଲେପନରେ ବାରଟି ଜଡିବୁଟି ଏକତ୍ର କରାଯାଇଥାଏ । ମୋର ଏଗାରଟି ଅଛି । ମାତ୍ର ଗୋଟିଏ ଜିନିଷ ନାହିଁ । ସେଇଟି ହେଲା ସିନ୍ଦୁରସୁଧା ପୁଷ୍ପ । ତାହାର ରଙ୍ଗ ହଳଦିଆ । ଏହାର ଗଛ ପ୍ରାୟ ସାଢେ ତିନିଫୁଟ ଉଚ୍ଚ ହୋଇଥାଏ । ଏଥିରେ ବର୍ଷକରେ ଥରେ ଫୁଲ ଫୁଟେ । ମୁଁ ଶୁଣିଛି ଯେ ଏହିଗଛ ରତ୍ନପୁରୀର ରାଜା ଆନନ୍ଦବର୍ଦ୍ଧନଙ୍କ ଉଦ୍ୟାନରେ ଅଛି ।”
ଆନନ୍ଦବର୍ଦ୍ଧନଙ୍କ ନାମ ଶୁଣି ରାଜା ହଠାତ୍ ଚମକି ଉଠିଲେ ଓ ତାଙ୍କର ହସହସ ମୁହଁଟିରେ ରାଗରେ ରକ୍ତ ଚହଟି ଯାଇ ଲାଲ୍ ହୋଇଗଲା । ସେତେବେଳେ ପଚିଶବର୍ଷ ତଳର ଏକ ଘଟଣା ହଠାତ୍ ତାଙ୍କର ମନେ ପଡିଲା । ସେ ଘଟଣାଟି ଏହିପରି –
ପଚିଶବର୍ଷ ପୂର୍ବେ କାଂଚନପୁରୀର ରାଜକୁମାରୀ ମଦନମଞ୍ଜରୀଙ୍କର ସ୍ୱୟମ୍ବର ହେବାର ଥାଏ । ଭୂପାଲ ବର୍ମା ତାଙ୍କ ପିତା ଥିଲେ । ମଦନମଞ୍ଜରୀ ଅପୂର୍ବ ସୁନ୍ଦରୀ ଥିଲେ । ତେଣୁ ପଡୋଶୀ ରାଜ୍ୟମାନଙ୍କର ଯୁବରାଜମାନେ ତାଙ୍କୁ ପାଇବାକୁ ସ୍ୱପ୍ନ ଦେଖୁଥିଲେ । ଅନେକ ରାଜ୍ୟର ଯୁବରାଜମାନେ ତାଙ୍କ ସ୍ୱୟମ୍ବରକୁ ଆସିଥିଲେ, ରାଜା ଶଶିଧର ବିବାହିତ ହୋଇ ମଧ୍ୟ ସେଠାକୁ ଯାଇଥିଲେ ।
କିନ୍ତୁ ରତ୍ନ ପୁରୀର ରାଜକୁମାର ଆନନ୍ଦବର୍ଦ୍ଧନ ଓ ମଦନମଞ୍ଜରୀ ଦୁହେଁ ମନେ ମନେ ପରସ୍ପରକୁ ଶ୍ରଦ୍ଧା ଓ ସମ୍ମାନ କରୁଥିବାର ରାଜା ଜାଣିଥିଲେ । ତେଣୁ ଏ ସ୍ୱୟମ୍ବର କେବଳ ପ୍ରଥା ଅନୁଯାୟୀ ନାମକୁ ମାତ୍ର ହୋଇଥିଲା । ସ୍ୱୟମ୍ବର ସଭାରେ ମଦନମଞ୍ଜରୀ ସିଧା ଯାଇ ଆନନ୍ଦବର୍ଦ୍ଧନଙ୍କ ଗଳାରେ ତା’ ବରଣମାଳା ଦେଲେ ।
ସେତେବେଳେ ଶଶୀଧର ଆନନ୍ଦବର୍ଦ୍ଧନଙ୍କ ପାଖରେ ଥିବା ଆସନରେ ବସିଥିଲେ । ରାଜକୁମାରୀ ଆନନ୍ଦବର୍ଦ୍ଧନଙ୍କୁ ବରମାଳା ଦେବା ପରେ ଆନନ୍ଦବର୍ଦ୍ଧନ ତାଙ୍କ କଡକୁ ଟିକିଏ ତେରେଛା ଚାହାଣୀ ଦେଇ ଗର୍ବର ସହିତ ସେ କହିଲେ, “ଦେଖିଲତ? ସ୍ୱୟମ୍ବରର ପ୍ରତିଯୋଗିତାରେ ବିଜୟ ମୋର ।”
ସେଦିନ ମଦନମଞ୍ଜରୀଙ୍କୁ ନପାଇ ଶଶୀଧରଙ୍କ ମନ ବହୁତ ଦୁଃଖ ଥିଲା; ତା’ ଉପରେ ପୁଣି ଆନନ୍ଦବର୍ଦ୍ଧନଙ୍କର ଏପରି ଉକ୍ତି ତାଙ୍କ ହୃଦୟକୁ ଯେପରି ଛିନ୍ନଭିନ୍ନ କରିପକାଇଲା ।
ମଣିପୁର ଓ ରତ୍ନଗିରି ଦୁହେଁ ପଡୋଶୀ ରାଜ୍ୟ ଥିଲେ ଏବଂ ଦୁହିଁଙ୍କ ରାଜ୍ୟର ସୀମାନ୍ତ ନେଇ ବରାବର ଗଣ୍ଡଗୋଳ ଓ ଶତୃତା ଲାଗିରହିଥାଏ । ତା’ଉପରେ ପୁଣି ଆନନ୍ଦବର୍ଦ୍ଧନଙ୍କର ଏପରି କଥା ତାଙ୍କ ଦେହରେ ଛୁରୀ ଚାଲିଗଲା ପରି ଲାଗିଲା । ସେ ତାଙ୍କ ଆସ
ନ ଉପରୁ ତଳକୁ ଡେଇଁ ପଡି ତରବାରୀ ବାହାର କରି କହିଲେ, “ଜଣେ ସ୍ତ୍ରୀ ତୁମକୁ ପସନ୍ଦ କଲା ବୋଲି ନିଜକୁ ମହାବୀର ବୋଲି ଭାବ ନାହିଁ ପ୍ରକୃତ ବୀର ହୋଇଥିଲେ ଆସ ଯୁଦ୍ଧ କରି ମୋତେ ହରାଅ ।”
ଆନନ୍ଦବର୍ଦ୍ଧନ ମଧ୍ୟ କହିଲେ, “କେବଳ ଖଡ୍ଗ ଯୁଦ୍ଧ? ସେଥିରେ ହାର ଜିତ୍ରେ କ’ଣ ହେବ? ବାଜି ରଖିବା । ଯିଏ ଜିତିବ ମୋତିଦ୍ୱୀପଟି ତା’ର ହେବ ।”
ଆନନ୍ଦବର୍ଦ୍ଧନଙ୍କ ଏହି ସର୍ତ୍ତକୁ ଶଶୀଧର ବି ମାନିଗଲେ । ଚାହୁଁ ଚାହୁଁ ଖଡ୍ଗ ଯୁଦ୍ଧ ଆରମ୍ଭ ହୋଇଗଲା । ବହୁ ସମୟ ଧରି ସେମାନଙ୍କର ଏହି ଯୁଦ୍ଧ ଚାଲିଲା । କ୍ରମେ ଆନନ୍ଦବର୍ଦ୍ଧନ ନିସ୍ତେଜ ହୋଇ ପଡିଲେ । ଏଣେ ଶଶୀଧର ବେଶି ଉତ୍ସାହରେ ତଲବାର ଚଳାଇଲେ । ହଠାତ୍ ନିଜକୁ ବଂଚାଇବା ପାଇଁ ଆନନ୍ଦବର୍ଦ୍ଧନ ଢାଲଟି ଟେକି ଧରିଲେ ଓ ସେଥିରେ ଶଶୀଧରଙ୍କ ଖଣ୍ଡା ବାଜି ତାହା ଦୂରକୁ ଛିଟକି ଗଲା ଓ ତାଙ୍କ ହାତରେ ଆଘାତ ଲାଗିଲା ।
ଜିତିବାକୁ ଯାଉଥିବା ଲୋକ, ଅଳ୍ପକେ ହାରିଗଲେ ବୋଲି କହିଲେ ଚଳେ । ଯୁଦ୍ଧ ସ୍ଥଗିତ ରଖାଗଲା । ସେହିଦିନଠାରୁ ଶଶୀଧର ରତ୍ନଗିରି ରାଜ୍ୟ ସହିତ ରାଜା ଆନନ୍ଦବର୍ଦ୍ଧନଙ୍କୁ ମଧ୍ୟ ନିଜର ଶତ୍ରୁ ଭାବରେ ଦେଖନ୍ତି । ଆଉ ଏବେ ସେ କିପରି ଔଷଧ ପାଇଁ ସେଠାକୁ ଲୋକ ପଠାଇବେ ।
ରାଜାଙ୍କୁ ଏଭଳି ଚିନ୍ତାଗ୍ରସ୍ଥ ହେବାର ଦେଖି ରାଣୀ ତାଙ୍କୁ କହିଲେ, “ମହାରାଜ, ଏବେ ବାଘ ପାଇଁ ବିପଦ ପଡିଛି; ଏ ସମୟରେ ପୂର୍ବକଥା, ଯିଦି, ଶତୃତା ଏସବୁ ଆମକୁ ଭୁଲି ଯିବାକୁ ହେବ । ଆନନ୍ଦବର୍ଦ୍ଧନଙ୍କ ଉଦ୍ୟାନରୁ ଯେପରି ହେଉ ପଛେ ଆମକୁ ସେ ଔଷଧକୁ ଆଣିବାକୁ ହେବ । ବାଘକୁ ବଂଚାଇବାକୁ ହେବ । ତାକୁ ଜୀବିତ ରଖିବା ଅବଶ୍ୟ ଆମର ଧର୍ମ । ସେହି ବାଘଟି ଆମ ସ୍ନେହର ଏକ ପ୍ରତୀକ ।”
ରାଣୀଙ୍କ କଥାଶୁଣି କିଛିସମୟ ଭାବିବା ପରେ ରାଜା କହିଲେ, “ରତ୍ନଗିରି ରାଜ୍ୟକୁ ଆକ୍ରମଣ କରି ବିଜୟଲାଭ କରି, ଔଷଧକୁ ହସ୍ତଗତ କଲେ କିପରି ହୁଅନ୍ତା?”
ତହୁଁ ସେ ରାଣୀ କହିଲେ, “ମହାରାଜ, କୁହାଯାଏ ଯୁଦ୍ଧରେ ଜୟ ପରାଜୟ ଦୈବର ଅଧୀନ । ଆପଣ ହାରିଗଲେ କ’ଣ ହେବ? ଆଚ୍ଛା ଯଦିବା ଜିତିବେ, ତେବେ ଔଷଧ ଯେ ପାଇବେ ତା’ର ସଠିକତା କିଛି ନାହିଁ । ପୁଣି ଦୁଇପକ୍ଷରେ ଅସଂଖ୍ୟ ଲୋକ କେବଳ ରାଜାଙ୍କ ଖିଆଲ୍ ଯୋଗୁଁ ମୃତ୍ୟୁବରଣ କରିବେ । ସେ ପାପ ବି ତ ଶେଷରେ ଆମକୁହିଁ ଲାଗିବ ନା? ପୁଣି ବାଘଟା ପାଇଁ ଏତେ ଘଟଣା ଏକ ହାସ୍ୟାସ୍ପଦ କଥା ମାତ୍ର ହେବ ।”
ରାଜା ପଚାରିଲେ “ଆଚ୍ଛା, ଏବେ ତୁମେ କୁହ ବାଘକୁ କିପରି ରୋଗରୁ ରକ୍ଷା କରା ହେବ?” ପ୍ରତ୍ୟୁତ୍ତରରେ ରାଣୀ ଗିରିଜାଦେବୀ ଅଳ୍ପ ହସି ବଡ କୋମଳ ସ୍ୱରରେ କହିଲେ, “ମହାରାଜ, ଆପଣ ଯଦି ବିରକ୍ତ ନହେବେ ତେବେ କଥାଟିଏ କହିବି । ଆମର ଜ୍ୟେଷ୍ଠପୁତ୍ର ଯୁବରାଜ ଦୀପ୍ତିଶେଖର ଓ ଆନନ୍ଦବର୍ଦ୍ଧନଙ୍କ ଝିଅ ରାଜକୁମାରୀ ଚନ୍ଦନା ଏ ଦୁହେଁ ପରସ୍ପରକୁ ମନେମନେ ବିବାହ କରିବାକୁ ସ୍ଥିର କରିଛନ୍ତି । ଆପଣଙ୍କର ଏପ୍ରକାର ମନୋଭାବ ଦେଖି ମୁଁ ଏହି ସତ୍ୟକୁ ଲୁଚାଇ ରଖିଛି । ଆପଣ ଏକଥାରେ ଅମତ ନହେଲେ, ଏହି ଶୁଭକାର୍ଯ୍ୟ ଯଥାଶୀଘ୍ରହିଁ ସମ୍ପନ୍ନ ହେବ ଏବଂ ଆମେ ଆମ ବାଘ ପାଇଁ ଉପଯୁକ୍ତ ଔଷଧ ମଧ୍ୟ ପାଇ ପାରିବା ।”
ଏପରି ଅପ୍ରତ୍ୟାଶିତ କଥା ଶୁଣି ଶଶୀଧର କହିଲେ, “ଅସମ୍ଭବ, ମୋ ଶତୃ ସହିତ ବନ୍ଧୁ ସମ୍ପର୍କ ରଖିବାକୁ କହୁଛ? ମୋର ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ମୁଁ ନିଶ୍ଚୟ ଏହାର ପ୍ରତିବାଦ କରିବି ।”
ରାଣୀ ତ ଆଉ ଏତେ ସହଜରେ ହାରିଯିବା ଲୋକ ନୁହଁନ୍ତି; ସେ କହିଲେ, “ମହାରାଜ, ବାଘର ବାସସ୍ଥାନ ହେଉଛି ଜଙ୍ଗଲ । ତା’ର ସ୍ୱଭାବ କ୍ରୁର । କିନ୍ତୁ ମନୁଷ୍ୟମାନଙ୍କ ସହିତ ସେ ରହି ସାଧୁପରି ବ୍ୟବହାର କରୁଛି, ନିଜର କ୍ରୁରତା ଓ ପଶୁପ୍ରବୃତ୍ତି ସେ ସମ୍ପୂର୍ଣ୍ଣରୂପେ ଭୁଲି ଗଲାଣି । ଯଦି ସାଧାରଣ ପଶୁ ଭିତରେ ଏତେ ପରିବର୍ତ୍ତନ ସମ୍ଭବ, ତେବେ ଆମ ଭିତରେ କ’ଣ ଅଳ୍ପ ପରିବର୍ତ୍ତନ ସମ୍ଭବ ନୁହେଁ? ଆମେ ପରା ମଣିଷ ଜନ୍ମ ପାଇଛୁ । ପୁଣି ଆମ ମଧ୍ୟରେ ଜ୍ଞାନ, ବିଦ୍ୟା, ଶକ୍ତି, ବିବେକ୍, ବୁଦ୍ଧି ଭରପୁର ହୋଇ ଅଛି । ଆପଣ ପୁଣି ରାଜା, ଦେଶର ଓ ପ୍ରଜାଙ୍କର ରକ୍ଷାକର୍ତ୍ତା । ଅକାରଣରେ ଦେଶ ଆକ୍ରମଣ କରି ଜନହତ୍ୟା କରି ପାପଅର୍ଜନ କରିବାର ଆବଶ୍ୟକତା ବା କେଉଁଠି? ଏପରି କରିବା ଦ୍ୱାରା ତ ଆମେ ନିଜ ଭିତରେ ପଶୁପ୍ରବୃତ୍ତିକୁହିଁ ପ୍ରକଟ କରିବା । ମୋ କଥା ଆପଣଙ୍କୁ ଶୁଣିବାକୁ ବହୁତ ଖରାପ୍ ଲାଗୁଥିବ, ତେଣୁ କ୍ଷମା କରନ୍ତୁ । ଆପଣ ତ ବାଘଛୁଆର ମା’କୁ ମାରିଥିଲେ ସେଥିପାଇଁ କ’ଣ ସେ ପ୍ରତିଶୋଧ ନେବାକୁ ଚାହୁଁଛି? ଆପଣ ପୂର୍ବକଥାକୁ ନେଇ ରହିଛନ୍ତି, କ୍ଷମା ଦେଇ ପାରୁ ନାହାଁନ୍ତି? ଏହି କଥା ଭାବି ମୋତେ ଯେତିକି ଆଶ୍ଚର୍ଯ୍ୟ ଲାଗୁଛି, ସେତିକି ଦୁଃଖ ମଧ୍ୟ ଲାଗୁଛି ।”
ରାଣୀଙ୍କ କଥା ରାଜାଙ୍କ ମନକୁ ବହୁତ ପ୍ରଭାବିତ କଲା । ଅଳ୍ପ ସମୟ ଚିନ୍ତା କରିବା ପରେ ସେ ରାଜା ଦୀର୍ଘଶ୍ୱାସ ପକାଇ କହିଲେ, “ଠିକ୍ ଅଛି । ଆନନ୍ଦବର୍ଦ୍ଧନଙ୍କର ଏଥିରେ କୌଣସି ଆପତ୍ତି ନଥିଲେ ବିବାହର ବନ୍ଦୋବସ୍ତ କର । ମାତ୍ର ତା’ପୂର୍ବରୁ ସେଠାରୁ ଯେପରି ଔଷଧ ମଗାଇ ବାଘକୁ ଚିକିତ୍ସା କରାଯାଏ ।” ତା’ପରେ ସେ ରତ୍ନଗିରିକୁ ପଠାଇବାକୁ ଜଣେ ଦୂତକୁ ଡାକିବାକୁ କହିଲେ ।
ଇତିମଧ୍ୟରେ ପଶୁବୈଦ୍ୟ ରାଜାଙ୍କ ନିକଟକୁ ଆସି କହିଲେ, “ମହାରାଜ, କ୍ଷମା କରନ୍ତୁ ମୁଁ ଆପଣଙ୍କୁ ମିଥ୍ୟା କହିଥିଲି । ମୋ ପାଖରେ ଥିବା ଔଷଧରେ ବାଘ ଭଲ ହୋଇଯିବ । ଆପଣଙ୍କ ମଧ୍ୟରେ ପରିବର୍ତ୍ତନ ଆଣିବା ପାଇଁ ରତ୍ନଗିରି ଓ ମଣିପୁର ମଧ୍ୟରେ ବନ୍ଧୁତା ସ୍ଥାପନ କରିବାକୁ, ଦୁଇ ରାଜ୍ୟର ପ୍ରଜା ଯେପରି ସୁଖୀ ଓ ସମ୍ପନ୍ନ ହୁଅନ୍ତୁ, ଏହିସବୁ ବିଷୟକୁ ମନରେ ରଖି ମହାରାଣୀ ଏପରି ଯୋଜନା କରି ମୋ ଦ୍ୱାରା କାର୍ଯ୍ୟକାରୀ କରାଇ ଥିଲେ । ସେଥିପାଇଁ ମୋତେ କ୍ଷମା କରନ୍ତୁ ।”
ତାଙ୍କର ସମସ୍ତ କଥା ଶୁଣି ଶଶୀଧର ଅଳ୍ପ ହସି କହିଲେ, “ମହାରାଣୀଙ୍କୁ ତ ମୁଁ ପରେ ପୁରସ୍କାର ଦେବି । କିନ୍ତୁ ତୁମକୁ ମୁଁ ଯାହା ଦେଖିଲି ତୁମେ କେବଳ ପଶୁ ବୈଦ୍ୟ ନୁହଁ, ମଣିଷ ମଧ୍ୟରେ ଥିବା ପଶୁ ପ୍ରବୃତ୍ତିକୁ ବି ଉପଶମ କରାଇବାରେ ଦକ୍ଷ, ସେଥିପାଇଁ ତୁମକୁ ମୁଁ ଏବେହିଁ ପୁରସ୍କାର ଦେଉଛି ।” ଏହା କହି ସେ ରାଜା ତୁରନ୍ତ ନିଜ ଗଳାରୁ ରତ୍ନହାର କାଢି ପଶୁବୈଦ୍ୟଙ୍କୁ ତାହା ସେ ପୁରସ୍କାର ସ୍ୱରୂପ ଦେଲେ ।