ସାବଧାନ ମଣିଷ
ସାବଧାନ ମଣିଷ
ଆଜି ଏ ସମୟ ଚେତାଇ କହୁଛି
ଆହେ ବିଜ୍ଞାନୀ ମଣିଷ,
ସୁନ୍ଦର ସୃଷ୍ଟିକୁ ବିନାଶ କରି ତୁ
ପାଉଅଛୁ କେଉଁ ଯଶ ।
କୋଟି କୋଟି ବର୍ଷ ଲାଗି ଯାଇଥିଲା
ସୃଷ୍ଟି ହେବାକୁ ପ୍ରକୃତି,
ଜୀବ ଜଗତକୁ ସୃଷ୍ଟି କରି ସିଏ
ପାଉଥିଲା କେତେ ଶାନ୍ତି।
ସବୁଜ ବୃକ୍ଷରେ ଫୁଲଫଳ ଖଞ୍ଜି
ଜୀବଙ୍କୁ ଦେଲା ଆହାର,
ଜଳକଷ୍ଟୁ ସର୍ବେ ବରତିବା ପାଇଁ
ତିଆରିଲା ବର୍ଷା ଧାର।
ସ୍ଵାର୍ଥପର ହୋଇ ପ୍ରକୃତି ବକ୍ଷରେ
ଢାଳିଲୁ ଘାତକ ବିଷ,
ଖେଳି ଚାଲିଲୁ ତୁ ପରିବେଶ ସଙ୍ଗେ
କରୁଛୁ ତାହାକୁ ଧ୍ଵଂସ।
ଜୀବଜନ୍ତୁ ମାରି ପେଟ ତୁ ଭରିଲୁ
ଜୋଅର ଯାଆର କରି,
କୀଟ ପତଙ୍ଗ ଠୁଁ ତରୁତୃଣ ଯାଏ
ସବୁର ହେଲୁ ଭଗାରୀ।
ସ୍ରଷ୍ଟାଙ୍କ ନିୟମ ସମସ୍ତେ ପାଳିଲେ
ତୁହି ହେଲୁ ପଥଚ୍ୟୁତ୍,
ବାରୁଦ ଗଦାରେ ନିଜେ ବସି ରହି
ନିଆଁକୁ ମାରିଲୁ ହାତ।
ବିକାଶ ନାମରେ ବିନାଶ କରୁଛୁ
ନଷ୍ଟ କଲୁ ସବୁଜିମା,
ତପ୍ତ କଢେଇରେ ସିଝୁଅଛୁ ପଛେ
ସେ କଥା ଭାବୁନୁ ଜମା।
ପ୍ରକୃତି ସାଜିଛି ରକ୍ତମୁଖା ଆଜି
ଜ୍ଞାନୀରୁ ହେଲୁ ଅଜ୍ଞାନ,
ଅବାଟରେ ତୁ ବିଜ୍ଞାନ ଖଟାଇଲୁ
ଧରା କାଳେ ତୋ ଅଧୀନ।
ବିପଦକୁ ତୁହି ନିମନ୍ତ୍ରଣ କଲୁ
ଭାବିଲୁ ନାହିଁ ଭବିଷ୍ୟ,
ନିଜର ଗୋଡ଼ରେ କୁରାଢି ମାରି ତୁ
ନିଜେ ହେଲୁ ସର୍ବନାଶ।
ଆସେ ବିପର୍ଯ୍ୟୟ ଆସେ ମହାମାରୀ
ଆସଇ କେତେ ବିପତ୍ତି,
ଏବେ ଠାରୁ ଯଦି ସାବଧାନ ହେବୁ
ଟଳିଯିବ ସବୁ ଭୀତି।
