ନିର୍ବାସିତ
ନିର୍ବାସିତ
1 min
133
ବେଳେ ବେଳେ ଅଣନିଃଶ୍ୱାସୀ ଲାଗେ
ଅଜସ୍ର ଆତ୍ମୀୟତାର ଭିଡ଼
ଅଚାନକ ଭୟ ସଂଚାର କରେ
ଏକାନ୍ତ ନିବିଡତା
ଭାରି ଇଚ୍ଛା ହୁଏ
କରିବାକୁ ଆତ୍ମଗୋପନ
ନିଜେ ନିଜ ଦେହର ଦେହୁଳି ଭିତରେ
ଆଉ ନିଜ ସହ ଲୁଚକାଳି ଖେଳିବାରେ
ଭଲ ଲାଗେ ଦେଖିବାକୁ ପତ୍ରଝଡ଼ା
ରାସ୍ତା ସାରା ହଳଦିଆ ରଙ୍ଗର ଛିଟା
ଖସ୍ ଖସ୍ ଶବ୍ଦ ଭିତରେ
ଉଡି ବୁଲନ୍ତି ଏଣେତେଣେ
ବିଭୋର ହୋଇ ଉଠନ୍ତି ବୋଧେ
ଉନ୍ମୁକ୍ତ ଉତ୍ସୃଙ୍ଖଳତା ଭିତରେ
ଆବଦ୍ଧତାରେ ଯେ କେତେ ଯନ୍ତ୍ରଣା
ବୁଝେ କେବଳ ବୃନ୍ତଯୁକ୍ତ କଳିକା
ନିଜକୁ ନିର୍ବାସିତ କରିଦେବା ପରେ
ଝରିପଡନ୍ତି ଅପହଞ୍ଚ ସ୍ୱପ୍ନମାନେ
ଚୂନାଚୂନା ଶେଫାଳୀ ପରି
ଘନକଳା କବରୀ ସ୍ପର୍ଶ କରି......।।
