ମୋ ଗଁ। ସ୍ମୃତି
ମୋ ଗଁ। ସ୍ମୃତି
ଶୁଭ୍ରଜ୍ୟୋତ୍ସ୍ନା ଜହ୍ନରାତି, ମନ୍ଦମନ୍ଦ ସଞୁଆ ପବନ
ଶ୍ୟାମ ଦୁର୍ବାଦଳ ଭରା ପ୍ରାନ୍ତରର ଶୋଭା ଅନୁପମ
ଧୂଳିଆ ମାଟିର ବାସ୍ନା, ପୋଖରୀର ଶିଉଳିଆ ତୁଠ
ଦେବଦାରୁ,ଝାଉଁବଣ ଚୁମିଯାଏ ମୋ ଗାଁର ଓଠ
ଧ୍ୟାନମଗ୍ନ ଋଷି ପରି ବିଦ୍ୟାଳୟ କରୁଥାଏ ଧ୍ୟାନ
ହାଇଁପାଇଁ ହୁଏ ଭାଳି,ଆସନ୍ତା କି ଆଜି ଫେରି
ତୋ ସ୍ମୃତିର ରୂପାଥାଳି ଜହ୍ନ !
ପୋଖରୀର କାଚକେନ୍ଦୁ ପାଣି ପରେ ଶୁଭ୍ରମେଘ ଛାଇ
ସଞହେଲେ ଜହ୍ନ ଦେଖି,ଖିଲିଖିଲି ହସେ ନୀଳକଇଁ
ଆମ ଗାଁ କଡେକଡେ ସାଳନ୍ଦୀର ଅଙ୍କାବଙ୍କା ଧାର
ନଦୀବାଲି ପଠା ପରେ "ଅଳସୀ" ର ଆଦ୍ୟ ଅଭିସାର
ଓଦାବାଲି ପରେ ସେଠି ,ଦିଶନ୍ତାକି ମୋ ଶୈଶବ
କୁନିକୁନି ପାଦ ଚିହ୍ନ ମାନ !
ହାଇଁପାଇଁ ହୁଏ ଭାଳି, ଆସନ୍ତାକି ଆଜି ଫେରି
ତୋ ସ୍ମୃତିର ରୂପାଥାଳି ଜହ୍ନ !
ଧାନକ୍ଷେତେ କେଣ୍ଡାକେଣ୍ଡା ସୁନାର ଫସଲ
ଲହଡି ଭାଙ୍ଗଇ ଦେଖି,ହୋଇଯାଏ ଆଖି ଝଲମଲ
ଗେଣ୍ଡାଳିଆ ଡେଣାଝାଡି ଉଡିଯାଏ,ଝାଡିଦେଇ ପର
ବଗ ଓ ବଗୁଲୀ ବସି ଗଛଡାଳେ ହେଉଥାନ୍ତି ଗେଲ
କାଗଜର ଗୁଡି ମୋର , ଉଡନ୍ତା କି ଫରଫର
ଫେରନ୍ତା କି ମୋର ପିଲାଦିନ !
ହାଇଁପାଇଁ ହୁଏ ଭାଳି,ଆସନ୍ତାକି ଆଜି ଫେରି
ତୋ ସ୍ମୃତିର ରୂପାଥାଳି ଜହ୍ନ !
ମୋ ଗାଁର ଇତିହାସ ମୂକସାଖୀ, ଝଙ୍କା ବରଗଛ
ଶାନ୍ତ ଓ ଶୀତଳ ଛାଇ,ଶତଶତ ଓହଳ ବେଷ୍ଟିତ
ଗାଁ ଆମ୍ବତୋଟା ମାଳେ ବଉଳ ଓ ଆମ୍ବକଷି ଭାର
କୋଇଲିର କୁହୁତାନ କରିଥାଏ ପ୍ରାଣ ମୋ ବିଭୋର
ଉର୍ଦ୍ଧ୍ବବାହୁ ପ୍ରସାରିଣ , ଖଜୁରୀ ଓ ନାରିକେଳ
ସୁଦୂରରୁ କରନ୍ତି ଆହ୍ବାନ ।
ହାଇଁପାଇଁ ହୁଏ ଭାଳି,ଆସନ୍ତା କି ଆଜି ଫେରି
ତୋ ସ୍ମୃତିର ରୂପାଥାଳି ଜହ୍ନ !
