ମାଆ କୋଳ
ମାଆ କୋଳ
ମଣିଷ ହେଉ ଅବା ପଶୁ, ମାଆ ର ହୃଦୟ ଓ ମା କୋଳ ସରଗର ସୁଖ ଦେଇଥାଏ. ଥାଉ ନଥାଉ କି ଖାଅ ନଖାଅ ମାଆ କୋଳ ଅଛି ତ ସବୁ ଅଛି. ସେଦିନ ଆମ ଘରକୁ ଅଚାନକ ପଶିଆସିଥିବା ବିଲେଇଟା ନିକଟ ଅତୀତରେ ମାଆ ହେବ ବୋଲି ଜଣାପଡୁନଥାଏ ବରଂ ଡାହାଳ ବିଲେଇଟାର ଓଠ ଉପରକୁ ଠିକ ନିଶ ଉଠିବା ସ୍ଥାନରେ ଦୁଇ ପଟେ ଥିବା କଳା ଚିହ୍ନ ଦେଖି ଆମେ ତାକୁ ନିଶୁଆ ବିଲେଇ ଡାକୁ ଡାକୁ ଗୋଟେ ଦିନ ସକାଳୁ ଦେଖିଲା ବେଳକୁ ବିଲେଇଟା ସଦ୍ୟ ନବଜାତ ନିଜ ଏକମାତ୍ର ବିଲେଇ ଛୁଆଟିକୁ କୋଳରେ ପୁରେଇ ଚାଟି ଚାଲିଛି. ଆମ ଘର ସଦସ୍ୟ ସବୁ ଭୁଲିଗଲେ ଯେ ନିଶୁଆ ବିଲେଇ ଆମ ପୋଷା ନୁହେଁ ବରଂ କୋଉଠୁ ପଶି ଆସି କ୍ଷୀର ଅଇଁଠା କରେ, ମାଛ ଚୋରୀ କରି ଖାଇଦିଏ ପୁଣି ଜେଜେମାଆ ଘରେ ପଶି ଆମିଷ ଖିଆ ଓଠ ଚାଟୁଥାଏ ବୋଲି ସେ ରଡି କରନ୍ତି ତ ନାତି ଟୁକୁନା, ତା ଜେଜେମାଆ ତା ପାଇଁ ପୁରୀରୁ ଆଣିଥିବା ନାଲି ବାଡ଼ି ଧରି ଦଉଡି ଆସି ପାହାରେ ପକେଇଲା ବେଳକୁ ବିଲେଇ ଛୁ ମାରିଥାଏ କିନ୍ତୁ ଚଟାଣରେ ଶୁନ୍ୟ ପାହାର ଖାଇ ନାଲିବାଡି ଅବସ୍ଥା ଦି ଗଡ଼ ହୋଇସାରିଥାଏ. ସେସବୁ କଥା ଭୁଲି ଏବେ ଟୁକୁନା ଲାଗିପଡ଼ିଥିଲା ନିଶୁଆ ବିଲେଇ ଓ ତା ଛୁଆକୁ ଢାବଲ ଭିତରେ ଭରି ରଖିବାକୁ ଓ କପଡା ଘୋଡେଇ ଉଷୁମ କରିବାକୁ. ଟୁକୁନା ବିଲେଇ ମାଆ ଓ ତା ଛୁଆଙ୍କୁ ରଖୁ ରଖୁ ଜେଜେମାଆ ପାଟି କରି ଉଠିଲେ ଆରେ ଛୁଆ ଦେହରେ ଜନ୍ଦା ଲାଗିଛନ୍ତି ତ ଜନ୍ଦା ଛାଡ଼େଇବାକୁ ଯାଇ ଟୁକୁନା ପାରୁନଥିଲା ତ ଟୁକୁନାର ମାଆ ଉଷୁମ କ୍ଷୀର ଆଣୁ ଆଣୁ ମୋ ବୋଉ ଅର୍ଥାତ ଟୁକୁନା ଜେଜେମାଆ ବିଲେଇ ଛୁଆ ଦେହରୁ ଜନ୍ଦା କାଢିରଖୁଥିଲା. ଏବେ ଢ଼ାବଲ ବା ମାଆ ଛୁଆ ରହିଥିବା ପେଟିଟି କୋଉଠି ରହିବ ଚିନ୍ତା ଆମ ସମସ୍ତଙ୍କୁ ଘାରୁଥିଲା ବେଳେ ମୋ ବୋଉ ଅର୍ଥାତ ଟୁକୁନାର ଜେଜେମାଆ ନିଜେ କହିଥିଲେ ତାଙ୍କ ରୁମ ର ଖଟତଳେ ରଖିନେବାକୁ.କାଗଜ ପେଟି ଭିତରେ ରହି ନିଶୁଆ ବିଲେଇ ତା କୋଳକୁ ନେଇ ଛୁଆଟିକୁ ତାର ଚାଟି ଚାଟି ସଫା କରୁଥାଏ ତ ଆମେ ସେ ସ୍ବର୍ଗୀୟ ଦୃଶ୍ୟରେ ଆମୋଦିତ ଅନୁଭବ କରୁ.
ଏବେ ଏବେ ଆଖି ଫିଟିଗଲାଣି ବିଲେଇ ଛୁଆର. ଖୁବ ଖେଳୁଛି ମାଆ ସହ. ମାଆ ନିଶୁଆ ବିଲେଇ ଏଥର ଛୁଆଟିକୁ ନିର୍ଭୟ ରେ ଛାଡି ଦେଇ ଖିଆ ପିଆ କରିବାକୁ ତଥା ବୁଲିବାଲି କରି ଆସିବାକୁ ବାହାରକୁ ଯାଏ ଓ ଫେରେ କିନ୍ତୁ ଆମ ଘରେ ଆମିଷ ପଶୁ ନଥିବା ବେଳେ ମାଆ ବିଲେଇଟା କୋଉଠୁ କୋଉଠୁ ଆମିଷ ଖୋଜି ନେଇଆସେ ତା ଛୁଆ ପାଇଁ ତ ମୋ ବୋଉ ଅର୍ଥାତ ମୋ ପୁଅ ଟୁକୁନା ର ଜେଜେମାଆ ଖୁବ ବିରକ୍ତ ହୁଏ. କ୍ଷୀର ଭାତ ତତେ ୠଚୁନି ଯେ କିଛି ନହେଲେ ଏଣ୍ଡୁଅ, ମୂଷା, ଝିଟିପିଟି ଇତ୍ୟାଦି ନିରୀହ କୀଟ ପତଙ୍ଗ ମାନୁନୁ ଅଲକ୍ଷେଣୀ ନିଶୁଆ ମାଆ ବିଲେଇ ବୋଲି କହୁଥାଏ.ଘର ଗନ୍ଧ ସାଙ୍ଗକୁ ମାରା କରୁଛୁ ନିତି ପ୍ରତି କହି ମୋ ବୋଉ ଗାଳି କରେ ବିଲେଇକୁ ତ ବିଲେଇଟା କଣ ବୁଝେ କେଜାଣି ଅନେଇ ରହେ ମୋ ବୋଉକୁ ଢ଼ିମା ଢିମା ଆଖି ମେଲି ତ ଟୁକୁନା କହେ ନିଶୁଆ ବିଲେଇ ଯୋଉ ମୂଷା ମାରୁଛି!କେତେ ଉପକାର କରୁଛି ପରୋକ୍ଷରେ ଆମର ଜେଜେମାଆ!ତୋ ମାଳି ନେଇଯାଏ ନା ନାହିଁ ମୂଷା. ଏବେ ନିଶୁଆ ବିଲେଇ ମାଆ ହୋଇ ଆମ ଘରେ ଛୁଆ ସହ ରହୁଛି ବୋଲି ମୂଷା ମାରୁଛି ନା ନାହିଁ!ବୋଉ ମୋର ଗରଗର ହେଉଥାଏ. ମୁଁ ସକାଳୁ ଉଠି ବୋଉ ରୁମରୁ ଆଗ ମଲା ମୂଷା କାଢି ସାରିବା ପରେ, ମୋ ସ୍ତ୍ରୀ ମିନତି ଫିନାଇଲ ପକେଇ ଧୋଉଥାଏ ଏମୁଣ୍ଡରୁ ସେମୁଣ୍ଡ ଯାଏଁ ମୋ ବୋଉର ରୁମ .
ସେଦିନ ଢାଵଲ ଖାଲି ପଡିଥିଲା . ମାଆ ବିଲେଇ ତା ଛୋଟ ବିଲେଇ ପିଲା ନେଇ କୁଆଡେ ଚାଲିଯାଇଥିଲା. ଯିଏ ଯେତେ ଚୁ ଚୁ ଡାକିଲେ ତାର ନାମ ଗନ୍ଧ କି ମିଆଁଉ ମିଆଁଉ ଡାକ ଶୁଭୁନଥିଲା. ମୁଁ କହୁଥିଲି ଯିଏ ଯାହା ଆହାର ଅନ୍ୱେଷଣରେ ତ ଯିବେ. ପଶୁ, ପକ୍ଷୀ ଓ କୀଟ ଙ୍କୁ ଖାଲି ଆଶ୍ରୟ ଦେଇଦେଲେ ହେବନି ତାଙ୍କ ମନ ଚାହୁଁଥିବା ଖାଦ୍ୟ ତଥା ତାଙ୍କ ନିତ୍ୟକର୍ମ ମଧ୍ୟ ସେମାନେ କରିବେ ନା ନାହିଁ!ଯିଏ ଯାହା ଆଶ୍ରୟ ପାଇଁ ପ୍ରକୃତି କୋଳରେ କୋଉଠି ନା କୋଉଠି ସ୍ଥାନ ପାଇଯିବେ. ବୋଉ ମୋର ମାଳିଗଡ଼ଉଥିଲା ଦୁଃଖରେ. ଖାଇନଥିଲା ଦୁଇଦିନ ଧରି ଆଉ ମୋ ପୁଅ ଟୁକୁନା ନିଶୁଆ ବିଲେଇ ର ସନ୍ଧାନ କରୁ କରୁ ସ୍କୁଲ ଟାସ୍କ କରିନପାରି ସାରଙ୍କ ଗାଳି ମାଡ଼ର ଶୀକାର ହେଉଥିଲା.ହଠାତ ସେଦିନ ଘରେ ମିଆଁଉ ମିଆଁଉ ଶବ୍ଦ ବାରିପଟୁ ଶୁଣି ସମସ୍ତେ ଆମେ ଯାଇ ଦେଖିଲୁ ବୋଉ ବାରିପଟେ ଚୁଲି ଲଗେଇ ଆମିଷ ତାୱା ଭଜାମାଛ ଭାଜି ଚୁ ଚୁ ଡାକି ନିଶୁଆ ବିଲେଇକୁ ପାଇଛି. ମାଆ ଓ ଛୁଆ ମାଛ ଭାତ ଖାଇ ମଜ୍ଜା ନେଉ ନେଉ ମୋ ବୋଉ ଦେହରେ ଘଷି ଲେସି ହେଉଛନ୍ତି. ଟୁକୁନା ପୁଣି ପେଟି ସଜାଡ଼ିଲା. ମାଆ ନିଶୁଆ ବିଲେଇ ଓ ଛୁଆ କକି ଉଭୟଙ୍କୁ ନେଇ ପୁଣି ଜେଜେମାଆ ଖଟତଳେ ରଖୁଥିଲା. ସେଦିନ ଠାରୁ ବୋଉ ମତେ ସବୁଦିନ ବଜାରରୁ ମାଛ ଆଣିବାକୁ ବରାଦ କରୁଥିଲା ବେଳେ ମୁଁ ଯେବେ ଘର ମାରା ହେବ କହି ବାରଣ କରୁଥିଲି ବୋଉ କହୁଥିଲା ନାହିଁରେ ପୁଅ ମୁଁ ଖାଇବିନି ବୋଲି ତୁମେ ମାନେ ଖାଇବନି, ଏଇଟା ଅନ୍ୟାୟ, ପୁଣି ବିଲେଇଟା ଅଛି. ସେଦିନ ମାଛ ଭାତ ପେଟେ ପେଟେ ଖାଇ ଆମେ ବାପା ଓ ପୁଅ ବୋଉ ପାଖେ ଗଡ଼ିଲା ବେଳେ ଟୁକୁନା ମୋ ବୋଉକୁ କହୁଥିଲା ତୁ କେତେ ଭଲ ଜେଜେମାଆ. ବୋଉ ମୁରୁକି ମୁରୁକି ହସୁଥିଲା ମାଳି ଗଡେଇ ଗଡେଇ.ଆଜି ବୋଉ ନାହିଁ କି ନାହିଁ ନିଶୁଆ ବିଲେଇ ହେଲେ କକି ଛୁଆ ଦେଇ ତିନି ତିନିଟା ବିଲେଇର ମାଆ ବନିଛି. ଟୁକୁନା ପ୍ରତିଦିନ ସକାଳେ ଜେଜେମାଆ ବେକରେ ଫୁଲ ମାଳ ଦେଲାବେଳେ କହେ କୁଆଡେ ଗଲୁ ଜେଜେମାଆ!ତୋ କୋଳରେ ଶୋଇ ଗପ ଶୁଣିବାକୁ ଭାରି ଇଛା ହୁଏ ମୋର ବେଳେ ବେଳେ କାହିଁକି କେଜାଣି.
