ଦାରୁଭୂତ ଠାକୁର
ଦାରୁଭୂତ ଠାକୁର
ଜୀବନ ଅନଳେ ଯହିଁ ଦୁଃଖୀ, ହୀନଜନେ
ଦେଇଥାନ୍ତି ଝାସ ତହିଁ ବସିଛ ଆସନେ।
ଦେଖୁଛ ଦାରୁଭୂତ ଅପଲକ ନୟନେ
ଭରୁଅଛ ଅମରତ୍ବ ମୋର ଏ' ଜୀବନେ।।
ଦୀନର ଯାତନା ନିଜେ କରିଛ ବରଣ
ଲାଞ୍ଛନା ଭୋଗିକି ତବ ଶ୍ରୀମୁଖ ମଳିନ।
କାହିଁ ଦିଶେ ତବ ଦେହ ରକତ ରଞ୍ଜିତ
ଅସୂୟା ବିଷକୁ ପିଇ ଢାଳୁଛ ଅମୃତ।।
ଶୂନ୍ୟ ମହାକାଶୁ ତବ ଜ୍ୟୋତିର ପ୍ରକାଶ
ନିରୟେ ନିରାଶା ମନେ ଫୁଟାଉଛ ହସ।
ସୂର୍ଯ୍ୟଙ୍କ ପ୍ରଖର ତେଜେ ଦେଉଛ ହେ ଶାନ୍ତି
ଅମା ଅନ୍ଧକାରେ ଦିଶେ ତବ ଦିବ୍ୟକାନ୍ତି।।
ଭରିଲା ପାପରେ ଧରା ହେଲ ନିର୍ଯ୍ୟାତିତ
ତଥାପି ଶୁଭୁଛି ତବ ପ୍ରୀତିର ସଙ୍ଗୀତ।
ହସି ହସି ଗାଉଅଛ ପ୍ରେମର ବାରତା
ଭ୍ରମିତ ମନୁଷ୍ୟ ହୃଦେ ଭରୁଛ ମମତା।।
ଅନ୍ତରେ କାନ୍ଦୁଛ ବୋହି ସଂସାରର ଭାରା
ପାପ ବୋଝେ ନୟନରୁ ବହେ ଅଶ୍ରୁ ଧାରା।
ସଭିଙ୍କୁ ଘାରିଛି ନିଶା ଅତ୍ୟାଧୁନିକତା
କିଏ ବା ଶୁଣୁଛି ତବ ବେଦନା ଓ ବ୍ୟଥା।।
ତବ ଯନ୍ତ୍ରଣାକୁ ଦେଖି ପର୍ବତ ତରଳେ
ସୃଷ୍ଟି ହୁଏ ମହୋଦଧି ତବ ଅଶ୍ରୁ ଜଳେ।
ଚିର ଅବିଚଳ କେତେ ପାଉଛ ହେ ଦୁଃଖ
ଦେଖି ମୁଁ ପାରୁନି ତବ ବିରସିତ ମୁଖ।।
ତବ ପାଦପଦ୍ମେ ପ୍ରଭୁ କରେ ନିବେଦନ
କରିଦିଅ ଅନ୍ଧ ମତେ, ଫୁଟୁ ମୋ' ନୟନ।
ତୁମ୍ଭ ସମ ଜୀବନ ମୋ' ହେଉହେ ବିଷମ
ଦିଅ ଦାରୁଭୂତ ମତେ ଦରିଦ୍ର ଜନମ।।
