ଐଶ୍ୱର୍ଯ୍ୟ
ଐଶ୍ୱର୍ଯ୍ୟ
ଫଗୁଣର ହିଲ୍ଲୋଳରେ ବସନ୍ତର ଆଗମନ
ମୃଦୁମନ୍ଦ ମଳୟ ପବନ
ସୁମଧୁର ମୂରଲୀର ସ୍ବନ
ଚଂଚଳିତ ହେଲା ନିକୁଞ୍ଜ କାନନ....।
ଏକାନ୍ତରେ ନିକୁଞ୍ଜରେ ଥିଲେ ନୀଳମଣି
ଦୂରୁ ଦେଖି ଗୋପୀଙ୍କର ଆସିବାର ଜାଣି
କାହିଁକି କେଜାଣି ?
ଇଚ୍ଛା କଲେ ଚିନ୍ତାମଣି
ଦେଖାଇବେ ଆଜି ସିଏ ନିଜର ଐଶ୍ୱର୍ଯ୍ୟ
ଗୋପୀମାନେ ତାଙ୍କୁ ଦେଖି ହେବେ ଯେ ଆଶ୍ଚର୍ଯ୍ୟ....।
ଅପୂର୍ବ ସେ ରୂପକାନ୍ତି, ମଣିକାନ୍ତ ଶୋଭା
ଲାବଣ୍ୟ ଜ୍ୟୋତିରେ ଦିଶେ, ଉଜ୍ଜ୍ଵଳିତ ଆଭା
ଚତୁର୍ଭୁଜେ ଶଂଖ, ଚକ୍ର, ଗଦା, ପଦ୍ମ ଧରି
ମନ୍ଦ ମନ୍ଦ ହସୁଥାନ୍ତି ନିକୁଞ୍ଜ ବିହାରୀ...।
କୁଞ୍ଜବନେ ଗୋପୀମାନେ ହେଲେ ସମାଗତ
ଦେଖି ସେହି ବିଷ୍ଣୁରୂପ ନିମିଷେ ଚକିତ
ସେ ରୂପେ କୃଷ୍ଣଙ୍କୁ ନ ଦେଖି, ହେଲେ ନିରୁପାୟ
ବ୍ୟଥିତ ମନରେ ନେଲେ, ସେ ସ୍ଥାନୁ ବିଦାୟ....।
ଶ୍ରୀରାଧାଙ୍କ ଅପେକ୍ଷାରେ ଥିଲେ ନୀଳମଣି
ଭାବନ୍ତି ଐଶ୍ୱର୍ଯ୍ୟେ ବଶ ହେବେ ରାଧା ରାଣୀ
ଯେତିକି ଯେତିକି ରାଧା ହେଲେ ତାଙ୍କ ପାଶ
ସେତିକି ସେତିକି କ୍ଷୟ ହେଲା ଚତୁର୍ଭୁଜ....।
ଶ୍ରୀରାଧା ସମ୍ମୁଖେ ଐଶ୍ୱର୍ଯ୍ୟ ବି କୃଷ୍ଣମୟ
ଅନୁମତି ନଥିଲେ ବି ନେବ ସେ ବିଦାୟ
ବୃନ୍ଦାବନେ ନିଷ୍ପ୍ରଭ ସେ, ନାହିଁ ତା'ର ପ୍ରୟୋଜନ
ନିକୁଞ୍ଜରେ ରାଧା ପ୍ରେମେ ଶୁଭେ ବଂଶୀ ସ୍ବନ.....।