STORYMIRROR

Suchismita Das

Others

3  

Suchismita Das

Others

ବର୍ଷା : ମୋ ଫ୍ଲାଟ ଝରକାରୁ

ବର୍ଷା : ମୋ ଫ୍ଲାଟ ଝରକାରୁ

1 min
250

ମୋ ଫ୍ଲାଟ ଝରକାରୁ

ବର୍ଷା ଲାଗେ ଲାଜେଇ

ସତେଯେମିତି କାଲି

ଲାଗିବ ତା' ହାତରେ ହଳଦୀ

ପାଦରେ ଅଳତା।


ଜୋରଦାର ସ୍ବାଗତ ହୁଏ ତା'ର

ଆମ କଲୋନୀର ଛୋଟବଡ଼ ଗର୍ତ୍ତମାନେ

ଗର୍ବରେ ଫୁଲିଉଠନ୍ତି

ବର୍ଷା ଆସିଲେ ଅପେକ୍ଷିତ କିଛି

ସମସ୍ୟାମାନେ କମର କଷି

ପୁଣି ମୁଣ୍ଡ ଟେକନ୍ତି।


ମୋ ଫ୍ଲାଟ୍ ଝରକାରୁ

ଦିଶେ ସାମନା ଦୋ'ତାଲାର ବେଡ୍ରୁମ

କଳା ପିଚ୍ ପିଚ୍ ଆକାଶ ପରି

ସେଟା ବି ଦିଶେ କେଉଁ ଏକ

ଅନ୍ଧାରୀ ମୁଲକର ରାଜଧାନୀ

କଳାକାଚରୁ ପରଦା ହଟେନାହିଁ।


ବର୍ଷା ଦେଖିଥିଲି ମୁଁ

ଯେବେ ମନ ଥିଲା କଅଁଳ ଆଉ ଛୋଟ ଥିଲା ଗାଁ

ସାରୁପତ୍ରରେ ମାପୁଥିଲି

ବର୍ଷାର ବୟସ,  ଦୂରୁ ଶୁଭୁଥିଲା

ବାପାଙ୍କ ସ୍ନେହବୋଳା ଆକଟ,

"ଥଣ୍ଡା ଲାଗିଯିବରେ ମା' "।


ମୋ ଫ୍ଲାଟ୍ ଝରକାରୁ

ଟପ୍ ଟପ୍ ଗଳେ, ହଜିଯାଉଥିବା କିଛି ସ୍ମୃତି

ରେଲିଂ ଡେଇଁ ଭେଦିଯାଏ ମୋ ଡାଇରି

କାଗଜଡ଼ଙ୍ଗା ବନାଉ ବନାଉ ଅଟକିଯାଏ ହାତ,

ମନେପଡେ, ନାଲି ଚା ପରି ଓଳି ତଳ ପାଣିସୁଅ

ଆପାର୍ଟମେଂଟ ପଛପଟେ ନର୍ଦ୍ଦମା ହୋଇଯାଇଛି।


ଭିଜା ଭିଜା ଜୁନରେ

କ୍ୟାମେରାଫ୍ଲାସ୍ ପରି ଝଲସି ଯାଉଥିବା

ବିଜୁଳି ଆଲୁଅରେ ଦିଶିଯାଏ କିଛି ମୁହଁ,

ଆଉ କିଛି ସମୟ

କୋହଲା ପାଗରେ ବି ଉଷ୍ମତା ଭରା

ଅତୀତ ବର୍ଷା ମାନଙ୍କର ବାଇସ୍କୋପ।


ମୋ ଫ୍ଲାଟ୍ ଝରକାରୁ

ହଠାତ୍ ସଞ୍ଚରିଯାଏ କେମିତି ଏକ ପୁଲକ

ଅନ୍ୟସବୁ ଝରକାମାନେ ମଧ୍ୟ ଖୋଲିଯାଆନ୍ତି

ଗୋଟିକ ପରେ ଗୋଟିକ

ବେଖାତିର କରି ଅନ୍ଧାରୀ ମୁଲକର

ଯେତେସବୁ ଆଦିନିୟମ।


ଡାଇରି ରୁ ମୁହଁ ଉଠାଇ ଚାହିଁଲା ବେଳକୁ

କେହି ଜଣେ ହସୁଥାଏ ମୁରୁକି ମୁରୁକି

ବୋକାଙ୍କ ପରି ଦେଖୁଥାଏ ମୁଁ

କାନରେ ବାଜୁଥାଏ 'ଫେରିଚାଲ ଫେରିଚାଲ' ର ନାରା, ଆଉ କେବେ ଦେଖାହେବ କହି

ମେଲାଣି ନେଉଥାଏ ବର୍ଷା, ମୋ ଫ୍ଲାଟ୍ ଝରକାରୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍