ଅନୁମୋଦନ
ଅନୁମୋଦନ
ଶୁଣ ଗୋ ସଜନୀ ହେ ମୃଗ ନୟନୀ
ବଚନୋପରାନ୍ତେ ତୋର
କମ୍ପିତ ଅଧରେ ଚକ୍ଷୁ ରହିଲାଣି
ମାୟା କରେ ହରବର ।।୧।।
ଚାତକ ଯେସନେ ଘନେ ଆଶା କରି
ଚାହିଁ ରହିଥାଏ ନଭ
ତୋ ପ୍ରୀତି ଭାବକୁ ଅଛି ଅନୁସରି
ଭାବ ଜାଗିଛି ଦୁର୍ଲ୍ଲଭ ।।୨।।
ଯେମନ୍ତ ଲାଳସା କଲ ପ୍ରକଟିତ
ପଞ୍ଚନ୍ଦ୍ରିୟର ଆଘାତେ
ଭୃତ୍ୟ ଭାଵଧରି ହେଲି ଉପବିତ
ରଖ ଇଚ୍ଛା ଯେଉଁ ମତେ ।।୩।।
କ୍ରୀଡ଼ା ନୁହେଁ ଯୁଦ୍ଧ ମନେ ବିଚାରିଣ
ପରାଜୟ ସ୍ବୀକାରୁଛି
କୋଳରେ ଧରିବ ହେଲେ ଶେଷ ରଣ
ପୂର୍ବୁ ଶରଣ ପଶୁଛି ।।୪।।
ମଦନ ମାରୁଛି ପୁଷ୍ପ ବାଣ ପ୍ରିୟେ
ତୋ ତନୁକୁ ଗୁଣେ ଧରି
ଇଙ୍ଗିତରେ ଦଗ୍ଧ ପିଣ୍ଡ ପ୍ରାଣ ହୁଏ
ଆପେ ନିଜକୁ ପାଶୋରି ।।୫।।
ରତୀ ଆପ ଜାଳେ ବଢ଼ାଏ ଉତ୍ତାପ
ଖୋଜେ ସ୍ପର୍ଶ ଶୀତଳତା
ଆଲିଙ୍ଗନ କର ମନୁ ତେଜି କୋପ
ଘେରି ରହୁ ନୀରବତା ।।୬।।
ଶବ୍ଦ ଭାବ ବେନି କ୍ରିୟାରେ ପ୍ରକାଶ
ବିଳମ୍ବ ନକର ଆଉ
ଅନଳେ ପତଙ୍ଗ ନାହିଁ ଅବଶୋଷ
ଦଗ୍ଧରେ ଜୀବନ ଯାଉ ।।୭।।
କାମିନୀ ନିର୍ଦୟ ବହିଲେ ମନର
କେ ବା ସଞ୍ଚିବାକୁ ସଖ୍ୟ
ଧର୍ମରାଜ ହେଲେ ଶରଣୁ ଉଦ୍ଧାର
ଶରଣେ ହୋଇଲେ ରକ୍ଷ ।।୮।।
ଲାଜକୁଳୀ ଲତା ଶାଉଁଳା ବନୀତା
ସମ ନ ହୁଅ କାତର
ଅଙ୍ଗେ ଅଙ୍ଗ ଦିଅ ତନୁ ସୁଲଳିତା
ବେଳ ହେଉଛି ଉଛୁର ।।୯।।
ଆସନ ଆଶାରୁ ହୁଅଗୋ ବିରତ
ଧୈର୍ଯ୍ୟ ବନ୍ଧ ଟାଣ କର
ଅଧିରେ ଅଧର ହୁଏ ପ୍ରକମ୍ପିତ
ସ୍ପର୍ଶ କରାଅ ସତ୍ୱର ।।୧୦।।
ପ୍ରେମ ମଧୁରସ ଆସ୍ଵାଦନ ଦିଅ
ଦେହରେ ଜଡ଼ାଅ ଦେହ
ଦୁଇ ଭାବ ତେଜି ମନେ ହେଜ ଏକ
ବଚନ ଓଷ୍ଠେ ନକୁହ ।।୧୧।।
ଉନ୍ମୁକ୍ତ କବରୀ ଡାକେ ହାତଠାରି
ବାସ୍ନା ବିଭୋର କଲାଣି
ମଦ ମତ୍ତେ ମନ ହେଉଅଛି ଘାରି
ଦୂରତା ସହି ହୁଏନି ।।୧୨।।
ନିମ୍ନ ମୁଖି ଚକ୍ଷୁ ଉର୍ଦ୍ଧ୍ୱେ କ୍ଷେପି ବାରେ
ଜାଳିଦିଅ ଖର ଶ୍ବାସେ
ପବନେ ପବନ ମିଶି ଏକ ସୁରେ
ମଜ୍ଜିବେ ପୀରତି ରସେ ।।୧୩।।
ଯୁଗେ ଯୁଗେ ଯତୀ ଦାସ କାମିନୀର
କଥା ଅନ୍ୟଥା ନୁହଁଇ
କେଉଁଭାବେ ମୁହିଁ ହୋଇବି ବାହାର
ଏଥକୁ ସମର୍ଥ ହୋଇ ।।୧୪।।
ଆସ ପ୍ରିୟେ ଧିରେ ଅଙ୍କେ ବସ ବାରେ
ଯାଚି ଦେବି ମୋ ସଞ୍ଚିତ
ତୋଲାଗି ସାଇତା ସମର୍ପିବି ତୋରେ
ଘେନି ଆପେ ହୁଅ ତୃପ୍ତ ।।୧୫।।
ସଞ୍ଚିତ ହରାଇ ହେବି ପଛେ ନିସ୍ୱ
ଧୈର୍ଯ୍ୟ ନାହିଁ ଧରିବାକୁ
ମନୁତେଜ ରୋଷ ମେଣ୍ଟୁ ତୋର ଶୋଷ
ଜାଣି ବରୁଛି ମୃତ୍ୟୁକୁ ।।୧୬।।
।।ଶରଣ ମାତେ।।

