ଅବୁଝା ପ୍ରିୟା
ଅବୁଝା ପ୍ରିୟା
1 min
6.7K
ଆଜି ତୁମେ କବିଟିଏ ହେଇଯାଅ,
ଆଉ ମୁଁ ତୁମ କବିତା।
କବିତାର ପ୍ରତ୍ୟେକ ଧାଡ଼ି ପରି,
ମୋ ଅଙ୍ଗର ପ୍ରତ୍ୟେକ ଇଲାକାକୁ,
ଗଭୀର ବାଖ୍ୟା କରିଚାଲ,
ଆଜି ମୁଁ ଖାଲି ଶୁଣିବି।।
ତୁମ ପାଇଁ ସାରା ଦିନ କଟିଯାଏ,
ସେ ସଂଧ୍ୟାକୁ ଅପେକ୍ଷା,
ରାତି କଟିଯାଏ,
ପୁଣି ସେ ସକାଳକୁ ଅପେକ୍ଷା।
ତୁମର ସେ ଛୋଟ
ସଂଦେଶକୁ ଅପେକ୍ଷା।
କୁହ, କିଛି ତ କୁହ,
ତମର ଏ କି ନିଷ୍ଠୁର ନିରବତା,
ଆଛା..ଆଜି ମୁଁ ତୁମକୁ
ଯମା ମାନିବିନି,
ବୈଶାଖର ନିଦାଘ ଖରାରେ ସିଝିବି,
ଶ୍ରାବଣର ମୂଷଳ ଧାରାରେ
ସର୍ବାଙ୍ଗକୁ ଭିଜେଇ ଦେବି,
ରାସ୍ତାର ଏକଦମ୍ ମଝିରେ ଚାଲିବି,
ଆଉ ଯେତେସବୁ ଭୁଲ୍, ସବୁ କରିବି।
ହଁ..ପୁରା ଖୁମାଣି କିଶୋରୀଟି ପରି
ଯେ ପର୍ଯ୍ୟନ୍ତ ନିଜେ ଆସି
ଆକଟ କରିନ,
ମୁଁ କିଛି ମାନିବିନି।।
ବାସ୍..ଏବେତ ଆସ,
ଏ ଶୋଷିଲା ଓଠରେ
ବର୍ଷା ହେଇ,
ଏ ଉଦାସ ଆଖିରେ
ବସନ୍ତ ହେଇ ଆସ।
ବାସ୍ ତମେ ଖାଲି ଆସ।।