ଆଜିର ପାର୍ବଣ
ଆଜିର ପାର୍ବଣ
1 min
14.3K
ଋତୁ ଚକ୍ରରେ ଶରତ ଆସିଛି
ଖରା ବରଷାକୁ ପାର କରି
ଆକାଶେ ଆବୃତ ଧୂଆଁର ଚାଦର
ଭସା ମେଘ ଖେଳେ ଲୁଚକାଳି।।
ଦୀର୍ଘାୟିତ ହୁଏ ସହରର ଛାଇ
ମାରାଥନ୍ ଦୌଡ ମଣିଷର
ଅନାଦୃତ ଆଜି କାଶତଣ୍ଡୀ ଫୁଲ
ଆଶ୍ଵିନର ହୁଏ ଆବାହନ।।
ଆତଙ୍କରେ ଥାଏ ଗଙ୍ଗଶିଉଳି
ଶିଶିରରେ ଦେଖେ ନିଜ ରୂପ
ସମୟର ଏଠି ଉଗ୍ର ଶୃଙ୍ଗାର
କିଏ ବୁଝେ ତା ମୃଦୁ ମହକ ।।
ରୂପବତୀ ଜହ୍ନ ହୋଇଯାଏ ମ୍ଳାନ
ପ୍ରଗଳ୍ଭ ହୁଏନା ଆକାଶେ ତାରା
ପୂଜାର ମହକ ହରାଏ ଗୁରୁତ୍ଵ
ଅଲୋଡା ଧୂପ ଦୀପ ନୈବେଦ୍ୟ ।।
ଅତିରଞ୍ଜନର ନାମ ବିଜ୍ଞାପନ
ଆଲୋକର ଅନ୍ଧ ସଜ୍ଜା
ସୁଲଳିତ ନୁହେଁ ସ୍ବର ସଙ୍ଗୀତ
ପ୍ରଦୂଷଣ ଲଙ୍ଘେ ସୀମା।।
ପାର୍ବଣ ଆଜି ଆବେଗ ବିହୀନ
ସେଲ୍ ରେ ଲାଗେ ଉତ୍ସବ
ମୁହୂର୍ତ୍ତର ଏଠି ମୂଲଚାଲ୍ ହୁଏ
ଅନ୍ ଲାଇନ୍ ବିକେ ସ୍ଵପ୍ନ।।
ସୁଖ ଦୁଃଖ ଅଟେ ବସ୍ତୁ ଆପେକ୍ଷିକ
ସଂପଦରେ ମପା ହୁଅଇ ସମ୍ପର୍କ
ରୀତି ନୀତି ସବୁ ସମୟ ସମ୍ମତ
ବଦଳୁଥାଏ ପାର୍ବଣର ରୂପ।।
