ଆହତ ଅପରାହ୍ନ
ଆହତ ଅପରାହ୍ନ
ଡାଃ ଜଗତବଂଧୁ ମହାପାତ୍ର
(“କବିତା ବନିତା, କବି ତା’ର ପିତା”, କବିତା ହେଉଛି, କବିର ମାନସ କନ୍ୟା I
ଅଧା ଜଳା ଶବ, ମୃତ୍ୟୁର କୋଳାହଳ ଦେଖ,
ଜୀବନ ଜଳୁଛି, ଏଠି ଶାଣିତ ନିଆଁରେ,
ରକ୍ତ ନଦୀ ସନ୍ତରଣ କରେ କବି, ଆଖିର ଲୁହରେ )
ନାମଟି ତାହାର ମଧୁବନ
ବାରିପଦାର ସେ ତପୋବନ
ସୁବାସିତ ବାସ ଚହଟାଇ ଦିଏ
ଧୂପ, ଦୀପ, ଫୁଲ, ଚନ୍ଦନ II (୧) II
ସୁଲଳିତ ସୁରେ ପ୍ରାର୍ଥନା ଶୁଭୁଛି
ପୁଲକିତ ହୁଏ ତନୁ ମନ
ଗୁରୁ ଉପାଧ୍ୟାୟୀ ଗାନକରେ ଭକ୍ତ
ଜୟ ଗୁରୁ ଜୟ ଗୁରୁ ମନ୍ତ୍ର II (୨) II
ଜଗତ ଗୁରୁ ସେ ନିଗମାନନ୍ଦ ଯେ
କୋଟି ଭକ୍ତଙ୍କର ପ୍ରାଣ ସିନ୍ଧୁ
ମଧୁବନ ପୀଠେ ଆନନ୍ଦେ ଉତ୍ସଳେ
ସମାଗମ କେତେ ଭକ୍ତ ବିନ୍ଦୁ II (୩) II
ଫେବୃୟାରୀ ମାସ ତେଇଶି ତାରିଖ
ସନ ଉଣେଇଶ ସତାନବେ
ଆନନ୍ଦେ ଅଧିରେ ହୋଇ ଉଠୁଥିଲେ
ସମବେତ ଭକ୍ତ ସର୍ବେ II (୪) II
ବିଧିର ବିଧାନ କେ କରିବ ଆନ
କାଳଚକ୍ର ଘୁରେ ଘନ ଘନ
ଅଗ୍ନି ଦେବତାଙ୍କ କୋପରେ ସେ ଦିନ
କ୍ଷଣକେ ଜଳିଲା ମଧୁବନ II (୫) II
ନିମିଷେ ବହିଲା ଦୁଃଖଦ ପବନ
ବେଦନାର ତୀବ୍ର ଘୂର୍ଣ୍ଣିବାତ୍ୟା
ମା କୋଳୁ ପୁତ୍ରକୁ, ପତ୍ନୀଠୁ ପତିକୁ
ଛଡାଇ ନେଲା ସେ କ୍ରୂର ନିଆଁ II (୬) II
ଭାଇ ଠାରୁ ଭାଇ , ଭାଇଠୁ ଭଉଣୀ
ବଂଧୁ ଠାରୁ ବଂଧୁ ହଜିଗଲା
ଅଶ୍ରୁଳ ନୟନ ଲୋତକ ଧାରାରେ
ମଧୁବନେ ଅବା ବନ୍ୟା ହେଲା II (୭) II
ବୁକୁଫଟା କାନ୍ଦ ବିକଳ ଚିତ୍କାରେ
ବାରିପଦା ମାଟି ଥରିଗଲା
ନିମିଷକ ମଧ୍ୟେ କୁଢ କୁଢ ଶବ
ମଧୁବନେ ମଧ୍ୟେ ଗଦା ହେଲା II (୮) II
ଧର୍ମଦଣ୍ଡ ତଳେ ଆଶ୍ରୟ ନେଇ ବି
କାଳ କୋପାନଳୁ ନ ବର୍ତ୍ତିଲେ
କେଉଁ ଦୋଷେ ଅବା ଏପରି ଘଟିଲା
କେହି ଜଣେ ଜାଣି ନ ପାରିଲେ II (୯) II
ଗଣ ଶବଦାହ ବାରୁଣୀ ଘାଟରେ
କରୁଣ ସ୍ମୃତିକୁ ସାଇତିଲା
ସାରା ଓଡିଶାର କୋଟି ଜନ ମନେ
ଅଜଣା ଆତଙ୍କ ଭରିଦେଲା II (୧୦) II
ଭୁଲିନାହିଁ କେହି ଭୁଲି ପାରିବେନି
ସେଇ ଅଶୁଭ ଅପରାହ୍ନ
ପ୍ରଭୁଙ୍କ ପାଖରେ ପ୍ରାର୍ଥନା ଏତିକି
ନ ଆସୁ କେବେ ସେ ଅଶୁଭ ଲଗ୍ନ II (୧୧) II
(ପରମାରାଧ୍ୟତମ ଶ୍ରୀ ଶ୍ରୀ ଠାକୁର ପରମହଂସ ଶ୍ରୀମତ ସ୍ଵାମୀ ନିଗମାନନ୍ଦ ସରସ୍ଵତୀ ଦେବଙ୍କ ଚରଣ କମଳରେ)
ଗ୍ରାମ - ଅଠରାଙ୍ଗ, ପୋଷ୍ଟ - ଗଡ଼ମାଣୀତୀର,