STORYMIRROR

Dr Jagatabandhu Mohapatra

Others

5.0  

Dr Jagatabandhu Mohapatra

Others

ଅନ୍ଧାର

ଅନ୍ଧାର

1 min
27.6K


· ଡାକ୍ତର ଜଗତବଂଧୁ ମହାପାତ୍ର


ଭଲଲାଗେ, ଅନ୍ଧାରକୁ

ଆଲୋକର ମାୟା ଠାରୁ ଚାଲିଯିବାକୁ ଦୂରକୁ ଦୂରକୁ ବହୁଦୂରକୁ

ହଜ୍ଜିଯିବା, ମଜ୍ଜିଯିବା, ହଜାଇଦେବାକୁ ସ୍ଥିତି

ଅନ୍ଧାରର ପସରା ଧରି ଅନ୍ଧାରର ପରିଧିରେ

ଯେଉଁଠି ରମଣ ଠାରୁ ମରଣ ଯାଏ, ସବୁ ଏକାପରି


ଅନ୍ଧାରରେ ଶାନ୍ତି ଅଛି, ତୃପ୍ତି ଅଛି

ସତ୍ୟ, ଶିବ, ସୁନ୍ଦରର ସାନ୍ନିଧ୍ୟ ନିମିତ୍ତ

ଜୀବାତ୍ମା ସହିତ ପରମାତ୍ମାର ଏକାକାର ନିମନ୍ତେ

ସୃଷ୍ଟିର ଆରମ୍ଭ, ଆଲୋକ ପୂର୍ବରୁ ତ ଅନ୍ଧାର

ଅସ୍ପଷ୍ଟ ହେଲେ ବି ଚିରନ୍ତନ ସତ୍ୟ ସୁନ୍ଦର


ଆଲୋକରେ ସନ୍ତାପିତ ଆତ୍ମା

ଆଗ୍ନେୟଗର୍ଭୁ ଶତ ପ୍ରତିଧ୍ଵନି ଯାଏ, ଭୁଲୁଣ୍ଠିତ ହୋଇ

ସକାଳର କନକ କିରଣ ଶଯ୍ୟାରେ ବିଚ୍ଛୁରିତ ହେଲେ

ପୁଣି ଏକ ଦୟନୀୟ ଦୁଃଖଦ ଜୀବନ ଜଞ୍ଜାଳ

ଅକର୍ମଣ୍ୟ ହୋଇଯାଇଥାଏ, ରାତିର ସୁନେଲି ସପନ

ମୁଠା ମୁଠା ଶୂନ୍ୟତାର ଫୁଲ

ଗୁଚ୍ଛ ଗୁଚ୍ଛ ନିଃସଙ୍ଗତାର ବାତାବରଣ

ବୈଶାଖର କ୍ଳାନ୍ତ ଦାରୁଣ ନିଦାଘରେ

ଗୋଧୂଳିର ଆସନ୍ନ ସଂଧ୍ୟାର ବୁକୁଚିରି

ଅନ୍ଧାର ଯେବେ ଆସିଥାଏ, ରାତିର ରୂପନେଇ

ଶେଷ କରିବାକୁ , ଅବସନ୍ନ କ୍ଳାନ୍ତିର କବରୀ

ସେତେବେଳେ ଦିବସର କ୍ଳାନ୍ତି ସବୁ ଯାଏ, ଅପସରି


ମା', ଯେଉଁ ଅନ୍ଧକାର ଗର୍ଭରେ ଧରି ରଖିଥାଏ

ଦଶମାସ ଦଶଦିନ ତା'ର ରୁଦ୍ଧ କୋଠରୀରେ

ଧନ, ଜନ, ଗୋପ, ଲକ୍ଷ୍ମୀ କିଛି ତ ଲୋଡା ନଥାଏ

ନା ଦରକାର ଥାଏ, ଐଶ୍ଵର୍ଯ୍ୟ ନା ଅମରତ୍ଵ


ଆଲୋକର ଆକର୍ଷଣରେ

ପତଙ୍ଗର ତୃଷ୍ଣା ନେଇ ଦଗ୍ଧ ହେବା ଠାରୁ

ବରଂ ଭଲ

ଅନ୍ଧାରର ପ୍ରଶସ୍ତ ବକ୍ଷରେ ହଜିଯିବା

ଲୀନ ହୋଇଯିବା ଅନ୍ଧାରର ସାମ୍ରାଜ୍ୟରେ


ସବୁବେଳେ ଅଳି କରୁଥାଏ, ମା’ ପାଖେ

ଅନ୍ଧାର ଗର୍ଭରେ ପରମ ତୃପ୍ତି ପାଇଁ ମିଳନ୍ତା, କି ଟିକେ ବିଶ୍ରାମ

ସଂରକ୍ଷିତ ଅନ୍ଧାରରେ ଶାନ୍ତି ପାଇଁ ଥାନ୍ତା, କି ଟିକେ ଯାଗା

ଯେଉଁଠି ରହି ଭୁଲିହୁଅନ୍ତା, ଆଲୁଅର ଆକର୍ଷଣ



ଗ୍ରାମ - ଅଠରାଙ୍ଗ, ପୋଷ୍ଟ - ଗଡ଼ମାଣୀତୀର, ଭାୟା- ବେଗୁନିଆ, ଜିଲ୍ଲା – ଖୋର୍ଦ୍ଧା-୭୫୨୦୬୨

ମୋ-୭୮୫୩୯୪୮୮୯୫





Rate this content
Log in