Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଅଭିଶାପ
ଅଭିଶାପ
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Others

3 Minutes   7.3K    15


Content Ranking

ସକାଳୁ ଝୁମ୍ପୁଡ଼ି ଭିତରୁ ଅଖାଟାକୁ ଆଡ଼େଇ ବାହାରକୁ ଆସି ମୁଣ୍ଡଉପର ଆକାଶକୁ ଚାହିଁଲା ଝିଅଟି୤ ମେଘର ଚିହ୍ନ ବର୍ଣ୍ଣ ନାହିଁ୤ ଏକଦମ୍‌ ସଫା ଆକାଶ୤ ଭିତରେ ଛିଣ୍ଡା କତରାରେ ପଡ଼ି ରୋଗୀଣା ମା’ ତା’ର ମନା କରୁଥିଲା ଏକା ଯିବାକୁ, ମାନିଲାନି ତା’ କଥା, ବାହାରି ଆସିଲା୤ ଦଶ ପାଞ୍ଚ ଯାହା ତ ହେଲେ ମିଳିଯିବ୤ ଘରେ ବସି କରିବ କ’ଣ ?

ବର୍ଷାଟା ଏମିତି ହଠାତ୍‌ ବର୍ଷିଯିବ ବୋଲି ତ ଆଦୌ ଜାଣି ନଥିଲା ଝିଅଟି୤ କ’ଣ କରିବ ଭାବୁ ଭାବୁ ବ୍ୟସ୍ତହୋଇ ସାମ୍‌ନା ଘର ଗେଟ୍‌ଖୋଲି ପୋର୍ଟିକୋକୁ ପଶିଗଲା୤ ବଡ଼ ଗାଡ଼ି, ଗାଡ଼ି କଡ଼ରେ ଛୋଟ ସୁନ୍ଦର ଧଳା ଭାଲୁଆ ଗୁଲୁଗୁଲିଆ କୁକୁରଟେ ବନ୍ଧା୤ ଜାକିଜୁକି, ଡରିମରି ଠିଆ ହୋଇଥାଏ ଝିଅଟି ସାଙ୍କୁଡ଼ି ହୋଇ ଗୋଟିଏ କଣକୁ୤ ପୁରୁଣା ପତଳା ଲୁଗାଟା ଭିତରୁ ସ୍ପଷ୍ଟ ଫୁଟି ଉଠୁଛି ତା’ ଦେହର ଉଚ୍ଚା ନୀଚା, ଅଙ୍କାବଙ୍କା ଭୂଗୋଳ୤ ଓଦା ଲୁଗାକୁ ଚିପୁଡ଼ି ଦେହରେ ଭଲ କରି ଗୋଡ଼େଇବାର ଅସଫଳ ପ୍ରୟାସ କରୁଥାଏ ସେ୤ ମୁହଁରେ ବର୍ଷାର ଟୋପା ଟୋପା ପାଣି ସଜଫୁଟା ଫୁଲ ଉପରେ ସକାଳ କାକରର ଭ୍ରମ ସୃଷ୍ଟି କରୁଥିଲା୤ ଆଲୁରା ଅସଜଡ଼ା ମୁହଁ ଉପରକୁ ଝୁଲି ପଡ଼ିଥିବା ଚୂର୍ଣ୍ଣ କୁନ୍ତଳରେ ଲାଗିଥିବା ବିନ୍ଦୁ ବିନ୍ଦୁ ବର୍ଷା ରୂପା ଚୁମ୍‌କି ପରି ଦିଶୁଥିଲା୤ ଭିକାରୁଣୀ ଦେହରେ ବି ଏତେ ସୌନ୍ଦର୍ଯ୍ୟ୤ ସେ ସୌନ୍ଦର୍ଯ୍ୟ ଗରିବ ପାଇଁ ତ ଅଭିଶାପ୤

ଦୋ’ ମହଲା ଘରର ତଳୁ ପକୁଡ଼ି ଆଉ ଚା’ ବାସ୍ନା ରହି ରହି ଆସୁଥିଲା୤ ଉପର ମହଲାରୁ କିଛି କାଚ ବୋତଲ, ଗିଲାସର ଟୁଂ ଟାଂ ଶବ୍ଦ ସାଙ୍ଗେ ବେଳେବେଳେ ହୋ ହୋ ତ ବେଳେବେଳେ ଖିଲ୍‌ଖିଲ୍‌ ହସର ଆୱାଜ୍‌ ବର୍ଷାର ଝୁମ୍‌ଝୁମ୍‌ ସ୍ବର ସହିତ କାନରେ ବାଜୁଥିଲା ଝିଅଟିର୤ ମଝିରେ ମଝିରେ କଷା ମାଂସର ବାସ୍ନା ତା’ର ପେଟର ଭୋକକୁ ଜିଭ ପର୍ଯ୍ୟନ୍ତ ଓଟାରି ଆଣୁଥିଲା୤

ଘରର ଚାକର ଗୋଟେ ପ୍ଲେଟ୍‌ରେ ପାଞ୍ଚ/ସାତ ଖଣ୍ଡ ମାଂସ ଆଣି କୁକୁର ମୁହଁ ପାଖରେ ଥୋଇଦେଇଗଲା୤ ଗଲାବେଳେ ତା’ ଆଖିର ନିରବ ପ୍ରଶ୍ନ ଉତ୍ତରେରେ ଝିଅଟି କହିଲା, “ବାବୁ ବର୍ଷା ଟିକେ କମିଗଲେ ଚାଲିଯିବି୤”

କୁକୁର ପ୍ଲେଟ୍‌ରେ ତଥାପି ରହିଯାଇଛି ଖଣ୍ଡେ ମାଂସ୤ ଆଉ ପେଟରେ ଜାଗା ନାହିଁ ନା ତା’ ଭୋକ ବୁଝିପାରି ଛାଡ଼ି ଦେଇଛି ? ପେଟର ଭୋକ ଦାଉ ସାଙ୍ଗକୁ ପାଟିର ଲୋଭକୁ ଲଗାମ୍‌ ଦେଇ ପାରିଲାନି ସେ୤ ହାତଟା ଥାଳି ପାଖକୁ ନଉ ନଉ କୁକୁର ଛୁଆଟା ଭାଉ ଭାଉ କମ୍ପେଇଲା୤ ପାଟି ଶୁଣି ବାହାରକୁ ଆସିଲେ ଘର ମାଲିକ, ମାଲିକାଣୀ, ମାଲିକଙ୍କ ଯୁବା ପୁଅ, ତା’ରି ବୟସର ଝିଅଟେ ଆଉ ଚାକର୤ ମାଲିକଙ୍କ ହାତରେ ନାଲିପାଣିର ସୁନ୍ଦର ଗିଲାସ୤ ରଙ୍ଗୀନ ପାଣିରୁ ଢୋକେ ପିଇଦେଇ ଝିଅଟି ଉପରେ ନଜର ପକେଇ ଓଠରେ ଜିଭ ବୁଲେଇ ଆଣି କହିଲେ, “ଡେଟଲ୍‌ ସାବୁନ୍‌ରେ ଗାଧୋଇ ସଫାଲୁଗା ଖଣ୍ଡେ ପିନ୍ଧେଇ ଦେଲେ ଘର କାମକୁ ଚଳିଯିବ୤”

ଯୁବା ପୁଅଟି ତା’ ହାତରେ ଥିବା ପ୍ଲେଟ୍‌ରୁ ପକୁଡ଼ି ଗଣ୍ଡାକ ଝିଅଟି ଆଞ୍ଜୁଳିରେ ଟେକି ଦଉ ଦଉ ଆଖି ପହଁରେଇ ଆଣୁଥିଲା ତା ଓଠ, ଓଠରୁ ଛାତି, ଛାତିରୁ ନାଭି ପୁଣି ତା’ ତଳକୁ….୤ ଚୁପ୍‌ ଚୁପ୍‌ କହୁଥିଲା ଖାଲି ଝିଅଟିକୁ ଶୁଭିବା ପରି, “ଯେତେବେଳେ ବର୍ଷା ହବ ସିଧା ଚାଲି ଆସିବୁ୤ ମୋ ଭାଗ ପକୁଡ଼ିତକ ଦେଇଦେବି ତତେ୤”

ଘରର ଝିଅଟି କେତେଟା ପୁରୁଣା ଜାମାପଟା, ଗୋଟେ ପୁରୁଣା ରେନ୍‌‌କୋଟ୍‌ ଆଉ ଗୋଟେ ଛତା ପଲିଥିନ୍‌ ବ୍ୟାଗ୍‌ଟିରେ ଭର୍ତ୍ତିକରି ବଢେଇ ଦେଇଥିଲା ଝିଅଟି ହାତକୁ୤ କହିଲା, “ଏଇଟା ନେଇଯାଆ୤ ଏଣିକି ବର୍ଷାରେ ଆଉ ୟା’ ତା’ ଘର ଭିତରେ ପଶିବା ଦରକାର ପଡ଼ିବନି୤” ମାଲିକାଣୀ ଅସନ୍ତୁଷ୍ଟ ଆଖିରେ ବିରକ୍ତି ମିଶା ସ୍ବରରେ କହିଲେ, “ଏଗୁଡ଼ାକ ଖାଲି ଏମାନଙ୍କର ବାହାନା୤ ଅସଲରେ ଓର ଉଣ୍ଡି ଏମିତି ବେଳରେ ବଡ଼ଲୋକଙ୍କ ଘର ଦେଖି ପଶିଯାଆନ୍ତି ମଣିଷଟେ କି ଜିନିଷଟେ ଚୋରେଇ ନବାକୁ୤ ଏଟାକୁ ଏଠୁ ଶୀଘ୍ର ବିଦା କର ଟଙ୍କେ ଦି’ଟଙ୍କା ଧରେଇ ଦେଇ୤”

ସବା ଶେଷକୁ ଚାକରଟା କହିଲା, “ଆ ମୋ ସଙ୍ଗେ ଏଇ ପଛପଟକୁ୤ ବଖରାଏ ଅଛି୤ ଯଦି ଚାହିଁବୁ, ଏଇଠି ସବୁଦିନ ରହିପାରିବୁ ନିର୍ଭୟରେ୤ ତାଲା ପକେଇ ରଖିବି ସମସ୍ତଙ୍କଠୁ ଲୁଚେଇ୤ ଆଉ ବାହାରକୁ ଯିବା ଦରକାର ପଡ଼ିବନି କି ଛିଣ୍ଡା ପୁରୁଣା ପିନ୍ଧି ଭିକ ମାଗିବୁନି୤” ଝିଅଟା ଯେମିତି ପଶି ଆସିଥିଲା ଗେଟ୍‌ଖୋଲି, ସେମିତି ବାହାରିଗଲା ନିରବରେ୤ ହାତରେ ଧରିଥିଲା ଖାଲି ଘରର ଝିଅଟି ଦେଇଥିବା ପଲିଥିନ୍‌ଟି୤ ବର୍ଷାର ଗତି ଆହୁରି ବଢ଼ି ଚାଲିଥିଲା, କିନ୍ତୁ ତା’ର ଖାତିର୍‌ ନଥିଲା ଆଉ ସେଥିକି୤ ଏ ଘରର ଛାତ ତଳ, ହତା ଭିତର ଅପେକ୍ଷା ରାସ୍ତା ଉପରର ବର୍ଷା ତା’ ପାଇଁ ବେଶି ନିରାପଦ ସ୍ଥାନ ସେ ଭାବୁଥିଲା ଚାଲୁ ଚାଲୁ୤

ଝୁମ୍ପୁଡ଼ି ଆକାଶ ଅସଫଳ

Rate the content


Originality
Flow
Language
Cover design

Comments

Post

Some text some message..