Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ଡିଭାଇଡରରେ ଜୀବନ
ଡିଭାଇଡରରେ ଜୀବନ
★★★★★

© Rajib Gopal Swain

Others

4 Minutes   7.4K    13


Content Ranking

ମୋର ତା' ସହିତ କୌଣସି ପୂର୍ବାପର ସମ୍ପର୍କ ନଥିଲା । ଏମିତି ଚିହ୍ନା ଜଣା ବି ନୁହେଁ । 

ମୁଁ ତାକୁ କି ସେ ମୋତେ ଛୁଇଁ ପାରୁନଥାଉଁ ।

ତଥାପି ସେ ମୋତେ ବିବ୍ରତ କରି ଚାଲିଥିଲା। ମୁଁ ହେଉଥିଲି ଅଥୟ । 

ଏ ବିବ୍ରତ ବୋଧ ମୋର ନିତାନ୍ତ ଏକାନ୍ତ ଓ ଅନୁଗତ ଥିଲେ । ମୁଁ ଏମାନଙ୍କୁ ନେଇ କେଉଁ କାଳରୁ ଘୁରି ଆସୁଥିଲି । ବୋଧ ହୁଏ ମୋ ସଜ୍ଞାନରେ ଯେବେଠୁଁ ମୁଁ ...ମୁଁ.. ହୋଇ ଯାଇଥିଲି ...ମୋ ସହିତ ଏହି ବିଚଳିତ ହେବାଟା ଲାଖି ଯାଇଥିଲା ।

xx xx xx xx xx xx xx xx

ଦି'ଭାଗ ରାସ୍ତା । ମଝିରେ ରୋଡ୍ ଡିଭାଇଡର୍ । 

ଭିନ୍ନ ଦିଗକୁ ଅନେକ ଲକ୍ଷ୍ୟସ୍ଥଳ ପାଇଁ ଅବିରତ ଯାତ୍ରାରତ ଜୀବନ । ସମସ୍ତେ ନିଜ ନିଜ ଭାବନାରେ, କାର୍ଯ୍ୟରେ ଗତିଶୀଳ ।

ସମସ୍ତେ ବ୍ୟସ୍ତ । 

ଲୋକ ଟିକୁ ସେଇ ଡିଭାଇଡରରେ ବେଶ୍ କେଇଦିନ ହେବ ମୁଁ ଦେଖୁଥିଲି ।

କେତେବେଳେ ଆକାଶ ଦିଗକୁ ମୁହଁକରି ଏକ ଅଦ୍ଭୁତ ଆଶ୍ଚର୍ଯ୍ୟ ଚାହାଣୀର ସହିତ ତ..... କେତେବେଳେ ମୁହଁ ମାଡି ଭୂମିକୁ ନିବିଡ଼ ଆଶ୍ଲେଷରେ ବାନ୍ଧି ପକେଇବାର ମୁଦ୍ରାରେ ....

ସେ' ସେମିତି ହିଁ ପଡି ରହୁଥିଲା । 

କଦବା କ୍ଵଚିତ୍ ଆଣ୍ଠୁ ସନ୍ଧିରେ ମୁହଁ ଗୁଞ୍ଜି, ପୃଥିବୀକୁ ନିଜ ଭିତରେ ଖୋଜିବା ପରି ରହୁଥାଏ ।

ତା'ର ନିର୍ଲିପ୍ତ ଚାହାଣୀରେ ନଭଶ୍ଚୁମ୍ବି ପ୍ରଶ୍ନର ସମର ସଜ୍ଜା ଥିଲା ପରି ମୁଁ ହେଉଥିଲି ବିବ୍ରତ । 

ଏଇ କେତେଦିନ ହେବ ତାକୁ ମୁଁ ସେଇ ରେଲୱେ ଓଭର ବ୍ରିଜ୍ ଉପରେ ଥିବା ରୋଡ୍ ଡିଭାଇଡରରେ ଦେଖୁଥିଲି ।

ସେ ଆଗରୁ ପୃଥିବୀର କୋଉ କୋଣରେ ଥିଲା, ତାହା ଜଣା ନଥିଲା। ହେଲେ ଏଇ ଲୋକଟା କେଇଟା ଦିନରେ ମୋ ଭାବନା ରାଜ୍ୟ ରେ ଆଲୋଡନ ସୃଷ୍ଟି କରିଚାଲିଥାଏ ।

ମୁଁ ତାକୁ ନେଇ ମନ ଭିତରେ କ୍ରିୟାଶୀଳ ହେଉଥିଲି ।

xx xx xx xx xx xx xx xx

ତୀବ୍ର ବେଗରେ ପରିବର୍ତ୍ତନ ହେଉଥିବା ଗୋଟେ ଦୁନିଆଁ ଭିତରେ ମୋ ଜୀବନ, ତା ନିଜସ୍ୱ ବେଗରେ ଧାଉଁ ଥାଏ ।

ଚାରି ପାଖରେ ବଦଳୁଥିବା ଚିତ୍ରର ପ୍ରଭାବ ବି ଥାଏ ମୋ ଉପରେ । 

ମୁଁ ଭାବେ ମୋ ଅଞ୍ଚଳ ଶିଳ୍ପ ସମୃଦ୍ଧ ଓ ଶିଳ୍ପାୟନରେ ବଢୁଥିବା ଅଜଣା ଜନସଂଖ୍ୟା ଭିତରୁ ଏଇ ମଣିଷଟା ବି ଗୋଟିଏ । ହୁଏତ ପାଗଳ ଟାଏ , କି ହୋଇପାରେ ଗୋଟେ ପଳାତକ କି ବିଦେଶୀ ଅପରାଧୀ ,ଯିଏ ଶୁଶ୍ରୁ ଓ କେଶ ବଢ଼ାଇ ନିଜର ନିଜସ୍ୱ ପରିଚୟକୁ ଗୋପନ ରଖିବା ପାଇଁ କରୁଥାଇ ପାରେ ଆପ୍ରାଣ ଉଦ୍ୟମ । କରୁଥାଇ ପାରେ ,ଗୋଟେ ପାଗଳର ଅଭିନୟ...!!

କିନ୍ତୁ ଗାଡ଼ିରେ ଗଲା ବେଳେ ତା ପ୍ରତି ମୋର ବ୍ୟଗ୍ରତା ବଢେ । ମୁଁ ତାକୁ ଖୋଜି ହୁଏ । ନଜରକୁ ନଆସିବା ଯାଏଁ ଭଲ ଲାଗେନା । 

ତାକୁ ଦେଖିବା ପରେ ହାଲୁକା ହୁଏ ମନ । ହେଇ ଯେମିତି ମୁଁ ତାକୁ ପଚାରୁଛି-ଖାଇଲୁଣି ? ତୁ ଭଲ ଅଛୁ ତ ? ଗତ କାଲି ବର୍ଷା ବେଳେ କୋଉଠି ଥିଲୁ ? ଖରା ଜୋର୍ ବେଳେ ଛାଇ ତଳକୁ ଯାଉଛୁ ତ !

ଭାବୁଥାଏ ଏଇ ଭଳି ଲୋକଙ୍କ ପାଇଁ ଆମ ଆରକ୍ଷୀ ବିଭାଗ, ପ୍ରଶାସନ ସଚେତନ ତ ! ଏମାନଙ୍କ ପରିସଂଖ୍ୟାନ କାହା ପାଖରେ ? 

କିନ୍ତୁ ଏହାର ଉତ୍ତର ମୋତେ ମିଳେ ନାହିଁ ।

xx xx xx xx xx xx xx xx

ସେଦିନ ଅଫିସରେ ଅଛି ହଠାତ୍ ଖବର ପାଇଲି , ପାଖରେ ଥିବା କାରଖାନା ଛକରେ ଗୋଟେ ଦୁର୍ଘଟଣା ଘଟିଛି ଓ ଜଣେ ମୃତ । ମୃତକର ପରିଚୟ ମିଳିନାହିଁ ।

ମୋ ଅଫିସରୁ ସେଇ ଛକଟା ବେଶି ହେଲେ ଦୁଇ କିଲୋମିଟର ଦୂର। ପ୍ରତିଦିନ ମୁଁ ସେଇ ଛକ ପାର ହୋଇ ରେଲୱେ ଓଭର ବ୍ରିଜ ଉପର ଦେଇ ଆସେ । ଆଉ ଆସିଲା ଗଲାରେ ସେଇଠି ହିଁ ତଥା କଥିତ ଅଜଣା ଲୋକଟି ସହିତ ଦେଖା ହୁଏ । 

ମନଟା ମୋଟେ ଭଲ ଲାଗିଲା ନାହିଁ । ସେଇ ଲୋକଟିର ଛବି ଆଖି ଆଗରେ ନାଚିଗଲା । ସେଇ ମୃତକ, ଏଇ ଲୋକ ନୁହେଁ ତ ?

ଯାହା ବିଷୟରେ କିଛି ହେଲେ ବି ଜାଣି ନାହିଁ । ଯେ, ମୋର କେହି ନୁହେଁ । ମୁଁ ଯାହା ସହିତ ଆଦୌ କଥା ବି ହୋଇନି , ସେମିତି ଏକ ଲୋକ ପାଇଁ ମନରେ ଏ'ଆନ୍ଦୋଳନ କାହିଁକି ବୁଝିବା ପାଇଁ ବେଳ ନଥିଲା । 

ଲୋକଟି ନିଜ ଜ୍ଞାତି ପରିଜନଠୁଁ ଦୂର ଏକ ଅଜଣା ଜାଗା ରେ ମରିଗଲା , କେହି ଜାଣି ପାରିଲେନି । ମୁଖାଗ୍ନିର ମୋହ, ମୋକ୍ଷ ହେବାର ଆଶା ତାକୁ କେମିତି ଗ୍ରାସିଲାନି କେଜାଣି ? ତା ଭାଗ୍ୟରେ ନାହିଁ ଏ'ମୁଖାଗ୍ନି, ମୋକ୍ଷ ପାଇଁ ତାର ସମସ୍ତ ରାସ୍ତା ଅବରୁଦ୍ଧ !

ଗାଡି ଛାଡି ମୋଟର ସାଇକେଲରେ ଦୌଡ଼ୁ ଥିଲି ମୁଁ ....।

xx xx xx xx xx xx xx xx

ଦୁର୍ଘଟଣା ଗୁଡାକ ମୁଁ ଦେଖି ପାରେନି । ଲୋକ ଗୁଡାକର ଅଙ୍ଗହୀନ ଦେହ ମୋତେ ବ୍ୟଥିତ କରାଏ । 

ଏମିତି ବି କୌଣସି ବିକଳାଙ୍ଗ ଦେଖିଲେ ବିକଳ ହେଉଥାଏ ମୋ ମନ । 

ମୋ ଭିତରେ ଭିତରେ କିଏ ଯେମିତି ଅଥୟପଣରେ କାନ୍ଦୁଥାଏ , ବିଚଳିତ କରୁଥାଏ ମୋତେ।

ଦୁର୍ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲି । କିଛି ସମୟ ଆଗରୁ ସ୍ପଟଟିକୁ ଘେରି ସାରିଥିଲା ପୋଲିସ । ତଥାପି ଦୁଇ ପାଖରେ ଯାନ ବାହାନର ଭିଡ଼ ଲାଗି ରହିଥିଲା । ବାଇକ୍ ହୋଇ ନଥିଲେ ମୁଁ ଏଠି ସହଜରେ ପହଞ୍ଚି ପାରି ନଥାନ୍ତି ।

ଦେଖିବାର ଧୈର୍ଯ୍ୟ ନଥିଲା ମୋର । କେମିତି ଜାଣିବି ଲୋକଟି କିଏ ? ଏ ସେହି ଲୋକ ନା ଅନ୍ୟ କେହି ? 

ଗୋଟିଏ ପ୍ରତିଷ୍ଠିତ ଦୈନିକର ଆଞ୍ଚଳିକ ସମ୍ବାଦଦାତାଙ୍କ ସହିତ ଦେଖା ହେଲା -ପଚାରିଲି ଲୋକଟି କିଏ ଜଣା ପଡ଼ିଲା ?

-ହଁ ଏବେ ଏବେ ଜାଣିଲୁ । 

ବ୍ୟଗ୍ର ହୋଇ ପଚାରିଲି -କିଏ ? କୋଉଠି ତା ଘର ?

-ସେ ଏଇ କାରଖାନାରେ ଠିକା ଶ୍ରମିକ ଥିଲା । ତା ଠିକାଦାର ଶବ ଚିହ୍ନଟ କରି ସାରିଲାଣି । ଘର ଛତିଶଗଡ଼ରେ ...। ବର୍ଷେ ହେବ ଆସିଥିଲା । କମ୍ପାନୀ ଆଧାର କାର୍ଡ ବାଧ୍ୟତାମୂଳକ କଲା ପରେ ,ଗୋଟେ ଫେକ୍ ଆଧାର ଦେଇ କାମରେ ଲାଗିଥିଲା । ସେଥିପାଇଁ ଶବ ଚିହ୍ନଟରେ ବିଳମ୍ବ ହେଲା । ଏଇ ବଜାରରେ ତ ଫେକ୍ ବନୁଛି....

ସାମ୍ବାଦିକ ବନ୍ଧୁ ଆଉରି ଅନେକ କଥା କହୁଥିଲେ । ବ୍ୟସ୍ତତାର ବାହାନା ନେଇ ସେଠୁ ବାହାରିଲି । ତାଙ୍କର ପଛ ଆଡକୁ କିଛି କଥା ବେଳେ ମୁଁ ଅନ୍ୟମନସ୍କ ହୋଇ ସାରିଥାଏ ।

-ଲୋକଟା ତାହେଲେ ବଞ୍ଚିଛି । 

ଗୋଟେ ଆପଣାର ପଣ ମୋତେ ଆବୋରି ପକାଉଥାଏ । 

ଖାଇବାବେଳ ଗଡି ଗଲାଣି । ଗୋଟେ ବିସ୍କୁଟ ଖିଆ ଯାଇପାରେ । ପାଟିରେ ଗୋଟିଏ ୟୁନିବିକ୍ ପକାଇ । ଚା' ଟିକେ ପିଇଲି ।

ଅଫିସ୍ ମୁହାଁ ବୁଲିଲା ବାଇକ୍ । କେମିତି ଗୋଟିଏ ଅଜବ ଖୁସି ଖୁସି ଭାବ । ମନ ଭିତରେ ଅପୂର୍ବ ସଙ୍ଗୀତ । 

ରେଲୱେ ଓଭର ବ୍ରିଜ୍ ପାରି ହେବା ପରେ ,ଯେଉଁଠି ଡିଭାଇଡର୍ ସରିଛି, ସେଇଠି ରାସ୍ତା କଡ଼ ଆମ୍ବ ଗଛ ମୂଳେ ଦେଖିଲି ଲୋକଟି ବସିଛି । ଆଉ ଉପରକୁ ଚାହିଁ ଏକ ଅନିର୍ବଚନୀୟ ଆନନ୍ଦରେ ହସୁଛି ।

ମୋ ଖୁସିଟା ବାହାରକୁ ବାହାରି ଆସିଲା । ସତେ ଯେମିତି ମୁଁ ଡିଭାଇଡର୍ ଉପରେ ଠିଆ ହୋଇଛି । ମୋ ମୁଣ୍ଡ ଭିତରେ କିଛି ନାହିଁ , ଅଛି ତ ଖାଲି ଆନନ୍ଦ ଆଉ ଆନନ୍ଦ ହିଁ ଅଛି। 

--ରାଜୀବ ଗୋପାଳ ସ୍ବାଇଁ

ମାତୃକୁଟୀର, କୁରୁଣ୍ଟି,ମେରାମଣ୍ଡଳୀ, ଢେ଼ଙ୍କାନାଳ-୭୫୯୧୨୧

ସମ୍ପର୍କ ଯାତ୍ରାରତ ବ୍ୟଗ୍ରତା

Rate the content


Originality
Flow
Language
Cover design

Comments

Post

Some text some message..