କିଏ ଜିତିଲାରେ ଧରମା
କିଏ ଜିତିଲାରେ ଧରମା
ବଲଟି ଆକାଶରେ, ବ୍ୟାଟ୍ସମାନ ଦଉଡି ଦଉଡି କଲାଣି ତିନି ରନ,ଜିତିବାକୁ ଗୋଟିଏ ରନ ଅଛି ବାକି,ଫିଲ୍ଡର ବଲର ପଛେ ପଛେ..,କ୍ୟାଚ ଧରିଲେ ଆଉଟ କରିବ ଓ ଜିତିବା ସୁନିଶ୍ଚିତ,ନ ଧରିପାରିଲେ ବ୍ୟାଟିଂ ଟିମ ହେବ ବିଜୟୀ । ସମସ୍ତେ ନିର୍ବାକ୍... ଫଳାଫଳର ଅପେକ୍ଷାରେ ।
ଦାସିଆ ନାତି ଧରମାକୁ ଉତ୍କଣ୍ଠାରେ ପଚାରିଲା,କିଏ ଜିତିଲାରେ ଧରମା?ଇଣ୍ଡିଆ ନା ଇଂଲଣ୍ଡ ?
ସେଦିନ ଥିଲା ବିଶ୍ୱକପର ନିର୍ଣ୍ଣାୟକ ଫାଇନାଲ ମ୍ୟାଚ । ବିଶ୍ୱ ଅନେଇ ବସିଛି ଉପଭୋଗ କରିବ ଦୁଇ ଶକିଶାଳୀ ଟିମର କରାମତି ସେଇ ଜନାରଣ୍ୟ ପରିବେଷ୍ଟିତ ଷ୍ଟାଡିୟମ ମଇଦାନରେ । ଜଣେ କ୍ରିକେଟର ଜନ୍ମଦାତା ଦେଶର ରଥି ମହାରଥୀ,ଆଉ ଜଣେ ବିଶ୍ୱବିଖ୍ୟାତ କ୍ରୀଡ଼ାବିତଙ୍କର ଖଣିଖଚିତ ଦେଶର ସ୍ୱାଭିମାନ ଖେଳାଳୀ । ସେପଟେ ବାଜୁଛି ଇଂଲଣ୍ଡର ବୀରବାଦ୍ୟ ସୁମଧୁର ଜାତୀୟ ସଙ୍ଗୀତ,ସେପଟେ ପୁଣ୍ୟମୟୀ ଭାରତବର୍ଷର ହୃତ୍ କମ୍ପିତ ମର୍ମସ୍ପର୍ଶୀ ଜାତୀୟ ସଙ୍ଗୀତ ଜନ ଗଣ ମନ । ଫର ଫର ହୋଇ ଉଡୁଛି ଦୁଇ ଦେଶର ଜାତୀୟ ପତାକା । ତ୍ରିରଙ୍ଗା ପତାକା ତଳେ ସତେ ଯେମିତି ସିଂହ ମାନେ କରୁଛନ୍ତି ବଜ୍ର ଶପଥ । ଏସମସ୍ତ ଦୃଶ୍ୟକୁ ଉପଭୋଗ କରୁଥାନ୍ତି ହଜାର ହଜାର ଦର୍ଶକଙ୍କ ମେଳରେ ଥିବା ଧରମା ଓ ତା ଜେଜେ ଦାସିଆ । ଆନନ୍ଦରେ ଦାସିଆର ପାକୁଆ ପାଟିରୁ ଉଚ୍ଛୁଳ ହସ ବିଜୁଳି ପରି ଚକ୍ ଚକ୍ କରୁଥିଲା । ଅଶୀ ବର୍ଷର ବୁଢା ଦାସିଆ,ଆସିଛି ନାତି ସାଙ୍ଗରେ ଉପଭୋଗ କରିବ ବିଶ୍ୱକପ ଫାଇନାଲ । ଧରମା ଆଜି ବହୁତ ଖୁସି,ଯେତିକି ବିଶ୍ୱକପ ପାଇଁ ସେତିକି ତା ଜେଜେ ପାଇଁ ।
କାଲି ପରି ଲାଗୁଛି ଟିକିଏ କ୍ରିକେଟ ଖେଳ ସେ ଯଦି ଟିଭିରେ ଦେଖୁଥିଲା, ସେ ରାଗି କହୁଥିଲେ, କି ଖେଳ ଦେଖୁଛୁ ବେ,ଗୋଟେ କାଠ ପଟାକୁ ଏ ବଲ । ଛି ଛି ଛି । ଆବେ ନିଜ କାମ କଲେ ଆମକୁ ଆନନ୍ଦ ମିଳିବ,ଏ କାଠ ଫାଳିଆ ପିଟା ଖେଳରେ କି ରସ ଅଛି?
ଦିନେ ସେ ଜୋର କରି ଜେଜେଙ୍କୁ ଯୁବକ ସଂଘ ଘରକୁ ନେଇ ଦେଖେଇଲା ଏ ଖେଳ । ଅବଶ୍ୟ କିଛି ସମୟ ବିରକ୍ତି ହେଲେ ସେ,ହେଲେ ତା ପରେ...ବାପ୍ ରେ ବାପ୍,ଛୋଟ ପିଲା ପ୍ରଶ୍ନ ପଚାରିଲା ପରି ପ୍ରଶ୍ନ ବାଣ । କି କୌତୁହଳ...କେତେ ପିଲା ଖେଳୁଛନ୍ତି,ଏ ପଡ଼ିଆଟା ଏମିତି କାହିଁକି,ମଝିରେ ଗୋଟେ କଣ ଚିକ୍କଣ ଜାଗା, ବାଡ଼ି ଗୁଡାକ କଣ ପୋତା ଯାଇଛି,ଏ ବଲକୁ କଣ ଏମିତି ପକାଉଛି,ଏ ଦିଟା ଟୋପି ପିନ୍ଧି ହାତକୁ ପାଳ ଭୁତ ପରି କଣ କରୁଛନ୍ତି,ବଲ ତଳେ ତ ଉପରେ ଏ କଣ ସବୁ? ଧରମା ଧୈର୍ଯ୍ୟର ସହ କହୁଥାଏ ଜେଜେ,ଏ ପଡିଆ ଟା ଅଣ୍ଡାକୃତି,ଆଉ ଏଥିରେ ପ୍ରତି ଟିମରେ ୧୧,୧୧ଜଣ ଖେଳନ୍ତି । ଗୋଟିଏ ଟିମ ବୋଲିଂ କରେ ଓ ଗୋଟିଏ କରେ ବ୍ୟାଟିଂ । ମଝିରେ ୨୨ଗଜର ପିଚ,ଦୁଇପଟେ ଷ୍ଟମ୍ପ ଉପରେ ବେଲ ରଖି ହୋଇଛି ଉଇକେଟ । ବଲ ବାଜି ଉଇକେଟ ଭାଙ୍ଗିଲେ ଆଉଟ । ବ୍ୟାଟରେ ବଲ ବାଜି ତଳେ ତଳେ ପଡିଆ ପାର ହେଲେ ଚଉକା ଓ ଉପରେ ଉପରେ ଗଲେ ଛକା । ଦୁଇ ଟୋପିବାଲା ହେଲେ ଅମ୍ପାୟାର । ସେମାନେ ଏ ଖେଳର ମାଷ୍ଟର । ଯାହା କହିବେ ତାହା ହିଁ ନିୟମ,ତାହା ହିଁ ଆଇନ । ବଲକୁ ସିଧା ନ ଫିଙ୍ଗି ହାତ ଘୁରାଇ ପକାଇଲେ ତାହା ହେଲା ବୋଲିଂ । ତା ପରେ ଜେଜେ ଏମିତି ମାତିଗଲେ ଯେ,ଯେତେବେଳେ ଖେଳ ହେଲେ ସେ ଡାକନ୍ତି ଧରମାକୁ । ଆନନ୍ଦରେ ନିଅନ୍ତି ମଜା । ସେଦିନ ଖେଳକୁ ଘୃଣା କରୁଥିବା ଲୋକ ଆଜି ବିଶ୍ୱକପ ଦେଖିବାକୁ ଏଠାରେ ଠିଆ । ଚମତ୍କାର କଥା ।
ଆଜି ଚାଲିଛି ବିଶ୍ବବିଜୟୀ ଭାରତ ସହ ଲଢୁଆ ଇଂରେଜ ବାହିନୀ । ଧୋନୀ, କୋହଲି,ଧାଵନ,ରୋହିତ ଆଦି ବିସ୍ଫୋରକ ବ୍ୟାଟ୍ସମ୍ୟାନ ଆଗରେ ଇଂଲଣ୍ଡର ଅଗ୍ନିବର୍ଷି ବୋଲର । ଦର୍ଶକ ଅବାକ୍,କିଏ ନେବ ବିଶ୍ୱକପ ? କିଏ ଜିତିବ ଅନନ୍ୟ ଇତିହାସ । ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି ବିପର୍ଯ୍ୟୟର ସାମ୍ନା କରି କରିଛି ୨୭୯ ରନ । ଜବାବରେ ଇଣ୍ଡିଆ ଖେଳୁଛି ଖାତିର ନ କରି । ହେଲେ ଦୁର୍ଭାଗ୍ୟ ରୋହିତ ଶର୍ମା ପରି ବ୍ୟାଟ୍ସମ୍ୟାନ ଆହତ ହୋଇ ଚାଲିଗଲେ ପାଭିଲିଆନ । ଆରମ୍ଭ ହେଲା ଇଣ୍ଡିଆର ଦୁରାବସ୍ଥା । ଗୋଟିକ ପରେ ଗୋଟିଏ ଆଉଟ । ଗୋଟିଏ ପଟେ ମଙ୍ଗ ସମ୍ଭାଳିଛନ୍ତି କ୍ରିକେଟ ଜଗତର ଯାଦୁଗର ଧୋନୀ ଆର ପଟରେ ପତନ ହିଁ ପତନ । ଅବାକ୍ ଦର୍ଶକ । ସେ ପଟେ ଦମ୍ଭ ଧରି ମଙ୍ଗ ସମ୍ଭାଳିଛନ୍ତି ହାର୍ଦ୍ଦିକ ପାଣ୍ଡିଆ । ଚାଂଚଲ୍ୟକର ଏ ମ୍ୟାଚ । ଆଜି ଧୋନୀଙ୍କର ହେଲିକ୍ୟାପ୍ଟର ସଟ୍ କୁ କେବଳ ଚାହିଁ ଚାହିଁ ମ୍ରିୟମାଣ ଇଂଲଣ୍ଡ ବାସୀ । ଶେଷ ଓଭର ଦରକାର ଚଉଦ ରନ । କ୍ରିଜରେ ମହେନ୍ଦ୍ର ସିଂ ଧୋନୀ । ଉତ୍ଫୁଲ୍ଲିତ ଦେଶବାସୀ,ଚାହିଁଛି ଅପେକ୍ଷା କରି ତ୍ରିରଙ୍ଗା ବିଜୟର ତାନକୁ । ପ୍ରଥମ ଦୁଇଟି ବଳରେ ଦୁଇ ଚଉକା ଓ ତୃତୀୟ ବଲରେ ଦୁଇ ରନ । ଚତୁର୍ଥ ଓ ପଞ୍ଚମ ବଲ ଡ଼ଟ ବଲ । ଶେଷ ବଳରେ ଆବଶ୍ୟକ ଚାରି ରନ । କ୍ରିଜରେ ଧୋନୀ,ଯାହାଙ୍କ ପାଖରେ ଅସାଧ୍ୟ କିଛି ନାହିଁ । ଭାରତୀୟଙ୍କ ହୃତ ସ୍ପନ୍ଦନ ବଢିଚାଲିଛି,ଇଂଲଣ୍ଡ ଡାକୁଛି ଯୀଶୁଙ୍କୁ,ପୁଣ୍ୟମୟୀ ଭାରତ ବର୍ଷର ଦାୟାଦ ଡାକୁଛନ୍ତି ଜଗତର ନାଥ ଜଗନ୍ନାଥଙ୍କୁ । ଶେଷ ବଳରେ ହୁଏତ ପରାଜୟ ନଚେତ ଇତିହାସ ରଚନା । ବିଜୁଳି ସମ ଆସୁଥିବା ବଲକୁ ନିର୍ଘାତ ପ୍ରହାର କରି ଧୋନୀ ଶୁନ୍ୟେ ଶୁନ୍ୟେ ଶୁନ୍ୟକୁ ଛାଡି ଦ୍ରୁତ ତିନିରନ କରି ସାରିଛନ୍ତି,ଫିଲ୍ଡର ଯାଉଛି ବଲ କ୍ୟାଚ କରିବାକୁ । କି ପରିସ୍ଥିତି ? କି ରୋମାଞ୍ଚକ ଦୃଶ୍ୟ ? କି ସ୍ପର୍ଶକାତର ମୁହୂର୍ତ୍ତ ? ଷ୍ଟାଡିୟମ ସ୍ତବ୍ଧ । ଦାସିଆ ଅସମ୍ଭାଳ । ଶୁଣୁଛି ଗୋଟିଏ ବଡ଼ କୋଳାହଳ । ସଙ୍ଗେ ସଙ୍ଗେ ଦର୍ଶକ ମାଡି ଗଲେ ଭିତରକୁ । ବାକଶକ୍ତି ବିହୀନ ପାଲଟିଛି ଧରମା । ଦାସିଆ କହିଲା ,କିଏ ଜିତିଲାରେ ଧରମା । ଏକ ପ୍ଲାଷ୍ଟିକ କଣ୍ଢେଉ ପରି ଜଳ ଜଳ ଚାହିଁଥାଏ ଧରମା । କେବଳ ଗୋଟିଏ ଦିଗକୁ ଆଙ୍ଗୁଳି ଦେଖାଇ ଦେଲା ଧରମା । ତାହା ଥିଲା ମୋ ପୁଣ୍ୟ ଗର୍ଭା ଭାରତବର୍ଷର ତ୍ରିରଙ୍ଗା ପତାକା ।