Quotes New

Audio

Forum

Read

Contests


Write

Sign in
Wohoo!,
Dear user,
ସ୍ମୃତି ଓ ଅନୁଭୂତି
ସ୍ମୃତି ଓ ଅନୁଭୂତି
★★★★★

© ଓଡ଼ିଆ ଗଳ୍ପ ଓ କବିତା - ୨

Others

4 Minutes   7.4K    13


Content Ranking

ସ୍ମୃତି ଓ ଅନୁଭୂତି

ସାସ୍ୱତି ସାମଲ

ଆଜି ପବିତ୍ର ଅକ୍ଷୟ ତୃତୀୟା ଦିବସ ରେ ମୁଁ ମୋ ଆରାଧ୍ୟ ଶ୍ରୀ ଶ୍ରୀ ଜଗନ୍ନାଥଙ୍କ ପାଦ ତଳେ ଶତ ଶତ ପ୍ରଣାମ ଜଣେଇ ନିଜ ଜୀବନର ଏକ ଅବିସ୍ମରଣୀୟ ସ୍ମୃତିକୁ ଗଳ୍ପ ମାଧ୍ୟମରେ ପରିପ୍ରକାଶ କରୁଛି ।

ଘଟଣା ଟି ୨୦୧୭ ଜାନୁଆରୀ ମାସ ର କଥା, ଶୀତ ଦିନ ଛୁଟି ରେ ଆମେ ସପରିବାର କେରଳ ବୁଲିବାକୁ ଯାଇଥାଉ ଦିଲ୍ଲୀରୁ କୋଚି ପହଂଚିବା ପରେ ପ୍ରଥମେ କୋଚିନ୍, ତାପରେ ମୁନ୍ନାର, ଅଲ୍ଲେପି, କୋଭଲମ୍, ଥିରୁବନ୍ଦପୁରମ୍ ଓ ଶେଷରେ କନ୍ୟାକୁମାରୀ ଦର୍ଶନ ସହିତ ଆମର ଦଶ ଦିନ ର ଭ୍ରମଣ ଶେଷ ହେବ । ପଛରେ ଅସୁବିଧା ନହୁଏ ସେଥିପାଇଁ କେଉଁଠି କେତେ ଦିନ ରହିବା, କେଉଁ କେଉଁ ସ୍ଥାନ ଦର୍ଶନ କରିବା ସବୁକିଛି ର ବିବରଣୀ ଆମେ ପ୍ରଥମରୁ ପ୍ରସ୍ତୁତ କରିସାରିଥିଲୁ । କୋଚିର ଦୁର୍ଗ, ମୁନ୍ନାର ରେ ଚା ବଗିଚା ଓ ସେଠାକାର ପ୍ରାକୃତିକ ଶୋଭା, ଅଲ୍ଲେପି ରେ ହାଉସବୋଟ୍ ରେ ରହିବା, କୋବଲାମ୍ ସମୁଦ୍ରକୂଳ ଓ ଥିରୁବନ୍ଦପୁରମ୍ ର ପ୍ରସିଦ୍ଧ ପଦ୍ମନାଭସ୍ୱାମୀ ସହିତ ଅନେକ ମନ୍ଦିର ଦର୍ଶନ କରି ସାରି ଭାବିଲି ସତରେ କେତେ ସୁନ୍ଦର କେରଳ, “God’s own country” ନାମ ଟି ଦିଆଯିବା ପଛରେ ଯଥାର୍ଥତା ଅଛି ।

ପୂର୍ବରୁ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆମକୁ ଶେଷ ଦିନ ଥିରୁବନ୍ଦପୁରମ୍ ରୁ କନ୍ୟାକୁମାରୀ ଯାଇ ସେଠାର ସମସ୍ତ ସ୍ଥାନ ବୁଲି ସାରିବା ପରେ ସେହି ଦିନ ପ୍ରତ୍ୟାବର୍ତନ କରିବାକୁ ଥିଲା, କାରଣ ତା’ପର ଦିନ ସକାଳୁ ବିମାନ ଯୋଗେ ଦିଲ୍ଲୀ ଫେରିବାକୁ ହେବ ।

ଥିରୁବନ୍ଦପୁରମ୍ ରୁ କନ୍ୟାକୁମାରୀ ପ୍ରାୟ ୧୦୦ କିଲୋମିଟର ହେବ, ଗାଡ଼ିରେ ଗଲେ ୩ ଘଂଟା ଲାଗିବ । ଆମେ ସକାଳ ପ୍ରାୟ ସାତଟା ବେଳେ କନ୍ୟାକୁମାରୀ ଅଭିମୁଖେ ବାହାରିଲୁ । ବାଟରେ ଦୁଇ, ତିନି ଟି ସ୍ଥାନ ଦର୍ଶନ କରି ସେଠି ପହଂଚିଲା ବେଳକୁ ଘଂଟା ରେ ଗୋଟାଏ ବାଜିବା ଉପରେ, ସମସ୍ତଙ୍କୁ ଭୋକ ବି ଲାଗିଲାଣି, ଆଉ ଅଧିକ ସମୟ ନଷ୍ଟ ନ କରି ଆମେ ମାନେ ଜଲଦି ଜଲଦି ଅଳ୍ପ କିଛି ଖାଇ ଦେଇ ମୋଟର୍ ବୋଟ୍ ଯୋଗେ ବିବେକାନନ୍ଦଙ୍କ ସ୍ମାରକୀ ଦେଖିବାକୁ ଗଲୁ । ତିନି ସମୁଦ୍ର ମିଳନ ସ୍ଥଳ, ସ୍ମାରକୀ ଓ ଅନ୍ୟ ଦର୍ଶନୀୟ ସ୍ଥାନ ଦେଖିସାରିଲା ବେଳକୁ ସନ୍ଧ୍ୟା ସମୟ ନିକଟ ହେଲାଣି । ସେ ସ୍ଥାନ ର ଶାନ୍ତ ବାତାବରଣ ମନ ଭିତରେ ଏକ ଅପୂର୍ବ ଆନନ୍ଦ ସୃଷ୍ଟି କରୁଥାଏ, ଇଚ୍ଛା ହେଉଥାଏ ଆଉ କିଛି ସମୟ ରହି ପ୍ରକୃତି ର ଏହି ଅନୁପମ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବାକୁ କିନ୍ତୁ ନିରୁପାୟ ଆମକୁ ଏବେ ଥିରୁବନ୍ଦପୁରମ୍ ଫେରିବାକୁ ହେବ ।

ସେଠାରୁ ଫେରିଲା ପରେ ସ୍ୱାମୀ କହିଲେ “ଶୀଘ୍ର ଚାଲ, ଗାଡ଼ି ରେ ପୁଣି ତିନି ଚାରି ଘଂଟା ଲାଗିବ । ପହଂଚୁ ପହଂଚୁ ବୋଧେ ରାତି ବାରଟା ବାଜିବ । ମୋ ମନ ଥାଏ ସମୁଦ୍ର କୂଳ ସ୍ଥିତ ମା’ କନ୍ୟାକୁମାରୀ କୁ ଦର୍ଶନ କରିବାକୁ । ଆସିଲା ବେଳେ ମନ୍ଦିର ବନ୍ଦ ଥିଲା ସେଥିପାଇଁ ଯାଇ ହଲାନି । ଏବେ ମା’ଙ୍କ ଦର୍ଶନ ନିମନ୍ତେ ଶ୍ରଦ୍ଧାଳୁ ମାନଙ୍କ ଧାଡ଼ି ଲାଗିଛି । କିନ୍ତୁ କାଳେ ଫେରିବା ପାଇଁ ବିଳମ୍ବ ହେବ ସେ କଥା ଭାବି ମୁହଁ ଖୋଲି କିଛି କହି ପାରୁନଥାଏ । ସେ ତ ଜଗତର ମା’ । ତାଙ୍କ ସନ୍ତାନର ମନ କଥା କୁ ସେ କେମିତି ବୁଝି ନ ପାରିବେ । ହଠାତ୍ ସ୍ୱାମୀ କହିଲେ, “ତମେ ଆସିଲାବେଳେ ମନ୍ଦିର ଯିବା ପାଇଁ କହୁଥିଲ ନା ଗୋଟେ କାମ କର ପୁଅ ଓ ମୁଁ ବାହାରେ ଅଛୁ ତମେ ଭିତରକୁ ଯାଇ ଜଲଦି ମା’ଙ୍କ ଦର୍ଶନ କରି ଆସ । ମୁଁ କହିଲି “ ତମେ ଯିବନି, ମୁଁ ଏକୁଟିଆ ଯିବି ।” ସେ କହିଲେ “ପରିସ୍ଥିତି ବୁଝିବାକୁ ଚେଷ୍ଟା କର ସମସ୍ତେ ଗଲେ ଆମକୁ ମୋବାଇଲ, ଚପଲ୍, ବ୍ୟାଗ୍ ପ୍ରଭୃତିକୁ କେଉଁଠି ରଖିବାକୁ ହେବ ସେଥିପାଇଁ ସମୟ ଦରକାର, ତମେ ଏକା ଗଲେ ଜଲଦି ଆସିପାରିବ ।” ଆଉ କିଛି ନକହି ମୁଁ ଅତିଶୀଘ୍ର ଚାଲି ଚାଲି ଯାଇ ଦେଖିଲି ଦୁଇଟି ଧାଡ଼ି ଲାଗିଛି ଗୋଟେ ଛୋଟ ଅନ୍ୟଟି ବଡ଼, ଜଲିଦିରେ କାହାକୁ କିଛି ନ ପଚାରି ଛୋଟ ଧାଡ଼ିରେ ଛିଡ଼ା ହୋଇଗଲି । କିଛି ସମୟ ପରେ ଧୀରେ ଧୀରେ ଧାଡ଼ିଟି ଆଗକୁ ବଢ଼ି ଚାଲିଲା । କିନ୍ତୁ ମା’ଙ୍କ ମୁଖ୍ୟ ମନ୍ଦିର ଆଉ ଅଳ୍ପ ବାଟ ଅଛି ଦେଖିଲି ଜଣେ ପଣ୍ଡିତ ଏକ ରସିଦ୍ ବହି ଧରି ବସିଛନ୍ତି । ଆଗପଛ ଲୋକଙ୍କୁ ପଚାରି ଜାଣିଲି ମୁଁ ଯେଉଁ ଧାଡ଼ିରେ ଛିଡ଼ା ହୋଇଛି ସେଇଟା V.I.P ଧାଡ଼ି, ପଚାଶ ଟଙ୍କା ର ରସିଦ୍ କାଟି ଭକ୍ତମାନେ ମା’ଙ୍କ ଦର୍ଶନ ନିକଟରୁ ଓ ଜଲଦି କରିପାରିବେ । ଅନ୍ୟଟି ସାଧାରଣ ଧାଡ଼ି ରସିଦ୍ କାଟିବାକୁ ପଡ଼ିବ ନାହିଁ । ସେତେବେଳେ ମୁଁ ମୋ ପର୍ସ, ମୋବାଇଲ ସବୁ ବାହାରେ ରଖି ଆସିଥିବା କଥା ମନେ ପଡ଼ିଲା । ଜଲିଦିରେ କେବଳ ଦଶଟଙ୍କା ହାତରେ ଧରି ପଳାଇ ଆସିଛି । ଏବେ ମୁଁ କ’ଣ କରିବି, ଧାଡ଼ିରେ ବହୁତ ଆଗକୁ ଆସି ସାରିଲିଣି, ଫୋନ୍ ବି ପାଖରେ ନାହିଁ ଯେ ସ୍ୱାମୀଙ୍କୁ ଜଣେଇ ପାରିବି । ବର୍ତ୍ତମାନ ମୋ ପାଖରେ ଦୁଇଟି ବିକଳ୍ପ ଅଛି, ପ୍ରଥମଟିରେ ପଛକୁ ଫେରି ବାହାରୁ ଟଙ୍କା ଆଣି ପୁଣି ଆରମ୍ଭରୁ ଧାଡ଼ିରେ ଛିଡ଼ା ହେବି ନଚେତ ଏ ଧାଡ଼ିରୁ ବାହାରି ଯାଇ ସାଧାରଣ ଧାଡ଼ିରେ ଦର୍ଶନ ନିମନ୍ତେ ଛିଡ଼ା ହେବି । ସମୟ ଅଭାବରୁ ଉଭୟ କ୍ଷେତ୍ର ରେ ମାଙ୍କ ଦର୍ଶନ ମିଳିବା ଅସମ୍ଭବ ପ୍ରାୟ ମୋତେ ଲାଗୁଥାଏ । ଏହା ଭିତରେ ମୋ କିଛି ଆଗରେ ଥିବା ଦୁଇ ଜଣ ଦମ୍ପତିଙ୍କୁ ପଣ୍ଡିତ ଜଣକ ଫେରାଇ ସାରିଲେଣି । ପଚାରି ବୁଝିଲି ସେମାନେ ବି ମୋ ପରି ବାହାରେ ପର୍ସ ଛାଡ଼ି ଆସିଛନ୍ତି । ଏହା ଦେଖି କେତେକ ଶ୍ରଦ୍ଧାଳୁ ଅନ୍ୟ ଧାଡ଼ି କୁ ଚାଲିଗଲେଣି, ଭାବିଲି ଯାହା ହବାର ଥିବ ଦେଖାଯିବ ସେଇ ମା ହିଁ ଭରଷା । ଯଦି ନଛାଡ଼ିବେ ବିନା ଦର୍ଶନ ରେ ଫେରିଯିବି, ଯାହା ମା’ର ଇଚ୍ଛା ଏମିତି ଭାବୁ ଭାବୁ ମୋ ପାଳି ଆସିଗଲା ମୁଁ ଚୁପଚାପ୍ ମା’ଙ୍କୁ ଡାକି ଦଶଟଙ୍କା ପଣ୍ଡିତଙ୍କ ହାତକୁ ବଢ଼େଇ ଦେଲି । ଅତି ଆଶ୍ଚର୍ଯ୍ୟର କଥା ସେ ମୋତେ କିଛି ନ କହି ମୋ ହାତକୁ ରସିଦ୍ ସହ ମା’ଙ୍କର ଗୋଟେ ଫଟୋ ଓ ସିନ୍ଦୁର ପ୍ୟାକେଟ୍ ଟିଏ ବଢ଼େଇ ଦେଇ ଆଗକୁ ଯିବାକୁ ଠାରି ଦେଲେ । ମୁଁ ଅତି ଖୁସି ରେ ଆଉ ପଛକୁ ନ ଦେଖି ମୁଖ୍ୟ ମନ୍ଦିର ଭିତରକୁ ପଶିଗଲି । ମା’ଙ୍କ ଦର୍ଶନ ସାରି ଫେରିବା ବେଳେ ଭାବୁଥାଏ, ଏପରି କିପରି ସମ୍ଭବ ହେଲା । ଏ କି ଅପୂର୍ବ ଲୀଳା ମା’ର । ତା ସନ୍ତାନ ମାନଙ୍କ ପାଇଁ ତା ମନରେ କେତେ ସ୍ନେହ କେତେ ମମତା, ଆଖିରୁ ଦୁଇ ଧାର ଲୁହ ଗଡ଼ି ଆସିଲା । ସ୍ୱାମୀ ପଚାରିଲେ “କଣ ହେଲା, ଶୀଘ୍ର ଚାଲ ରାସ୍ତା ଉପରେ ଗାଡ଼ି ବେଶି ସମୟ ଛିଡ଼ା ହୋଇ ପାରିବିନି । ଅଳ୍ପ ସମୟ ପରେ ଆମେ କନ୍ୟାକୁମାରୀ ଛାଡ଼ି ଥିରୁବନ୍ଦପୁରମ୍ ଅଭିମୁଖେ ଯାତ୍ରା କଲୁ ମାତ୍ର ଏହି ଅଲୌକିକ ଘଟଣା ଟି ମୋ ପାଇଁ ଏକ ଅବିସ୍ମରଣୀୟ ସ୍ମୃତି ହୋଇ ରହିଗଲା ।


ଅକ୍ଷୟ ପ୍ରାକୃତିକ ଉପଭୋଗ

Rate the content


Originality
Flow
Language
Cover design

Comments

Post

Some text some message..