କବିର ସ୍ତ୍ରୀ
କବିର ସ୍ତ୍ରୀ
କବିର ସ୍ତ୍ରୀ
ସପନ କୁମାର ଗିରି
କିଟିକିଟିଆ ଅନ୍ଧାରଟାରେ
ଛାତଉପରେ ଗୁମ୍ ହୋଇ ବସିଛ କାହିଁକି?
ବସି ବସି ତାରା ଗଣୁଛ?
ନା ଅଯଥାଟାରେ ଦୁନିଆଯାକର ଲୋକଙ୍କକଥା ଚିନ୍ତା କରୁଛ?
ବୁଝିଲ ! ତୁମେ କେଉଁ ଯୁଗପୁରୁଷ ନୁହେଁ ଯେ
ସମାଜଟାକୁ ତୁମ ଆଦର୍ଶର
ବାଲି, ଗୋଡ଼ି, ସିମେଣ୍ଟ ଦେଇ ଗଢି ତୋଳିବ ।
କେଉଁ ଅସିଆ କାଳରୁ ଶୁଣୁଛି
ବନ୍ଧୁକଠାରୁ କଲମର ତାକତ ବେଶୀ ବୋଲି ।
ହେଲେ କାହିଁ ?
କିଛି ନିରିହ କଲମ ଧରିବା ଆଗରୁ
ବନ୍ଧୁକର ବାରୁଦରେ 'ଲାଲ୍ ସଲାମ୍' ଡାକରେ
ରକ୍ତିମ କରି ପକଉଛନ୍ତି ନିଜନିଜ ଜୀବନକୁ ।
କାହିଁ ତାଙ୍କ ହାତରେ ତ କଲମଟିଏ
ଧରେଇ ପାରିନାହଁ ।
ତୁମେ ତ ସବୁବେଳେ କଲମଟିଏ, ଖାତାଟିଏ ଧରି
ବସିଥାଅ ଯେ
ପଥର କି କାଠଟାଏ ପରି ।
ଜାଣିନ ! ଦୁଇଦିନ ହେଲା ଘରେ ଖାଇବାକୁ ନାହିଁ ।
ସଞ୍ଜବେଳା ଭାଇକୁ ଫୋନ୍ କରିଥିଲି ଯେ
ଚାଉଳ ଆଉ ପରିବା ଦେଇଗଲା ।
କେତେଦିନ ଏମିତି ମାଗି ଚଳିବି ?
ତୁମର ତ ପେଟଚିନ୍ତା ନାହିଁ ।
ଟିକେ ମୁନ୍ନା ଆଉ ମୋ ପେଟ ଚିନ୍ତା କର ।
ଏଇ ଅନ୍ଧାରଟାରେ ଆଇନା
ତୁମର କି କାମରେ ଲାଗୁଛି ?
ଲୁଚି ଲୁଚି ନିଜକୁ ଦେଖିବାକୁ ଚେଷ୍ଟା କରୁଛ
ନା ଏ ବିଶାଳ ଆକାଶଟାକୁ ଛୋଟକରି ଦେଖୁଛ ।
ମୁୁଁ ସେତେବେଳୁ ଆସି ବକ୍ବକ୍ ହଉଛି ହେଲେ
ତୁମର ଲେଖା ବନ୍ଦ ହଉନି ।
ନିଆ ଲାଗୁ ତୁମ ଖାତା, କଲମରେ ।
ରାତି ସାଢେ ବାର ହେଲାଣି
ଚାଲ ଖାଇପିଇ ଶୋଇବ ।
ଆଉ ସକାଳୁ ଲେଖାଲେଖି ଛାଡି
ପେଟ ଚିନ୍ତାରେ ଯିବ ।
ଖବର୍ ଦାର୍ ଯେମିତି ମନେ ରହେ
କାନକାନ କରି କହି ଦଉଛି ।