ଶୂନ୍ୟତାରୁ ପୂର୍ଣ୍ଣତା
ଶୂନ୍ୟତାରୁ ପୂର୍ଣ୍ଣତା
ସାରା ଜଗତକୁ ଯେଉଁ ରୂପ ମୋହିତ କରି ରଖିଛି , ଯାହାର ରୂପକାନ୍ତିରେ ଭକ୍ତ ପାଗଳ ପ୍ରାୟ । ସେହି ହେଉଛନ୍ତି ମୋ ପ୍ରଭୁ ଜଗନ୍ନାଥ । ତାଙ୍କର ରୂପ ବର୍ଣ୍ଣନା କିପରି କରିବା ? ବିଚିତ୍ର ରୂପ । କଳା ମୁହଁ, ଚକା ଆଖି, ହାତ ନାହିଁ କି ପାଦ ନାହିଁ । ଏପରି ରୂପ ଦେଖି ପୁଣି ଆମେ କେତେ ଆନନ୍ଦ । ପ୍ରଭୁଙ୍କ ଠାରୁ ଆଉ କିଏ ସୁନ୍ଦର ଅଛି ଯେ ! ତାଙ୍କର ସୁନ୍ଦର ରୂପରେ ଦେଖି ଭକ୍ତକୁ ଅମୃତ ମିଳିଯାଏ ଓ ସେଥିରେ ମୋହିତ ହୋଇଯାଏ । କେବଳ ପ୍ରଭୁଙ୍କ ଦର୍ଶନ ମାତ୍ରକେ ମୃତବତ୍ ଥିବା ଭକ୍ତିଭାବ ଅମୃତ ସ୍ପର୍ଶ ପାଇ ଜାଗି ଉଠେ । ଆଉ ଯଦି ଆମେ ତାର ନାମ ଗାଇବା, ଗୁଣଗାନ କରିବା ଓ ଗୀତ ବୋଲିବା ତାହାଲେ ଏହି ଜୀବନ ସାଗରରେ ସୁଧାରସର ଧାରା ବୋହିବାରେ ଲାଗିବ । ପ୍ରଭୁ କଣ କେବଳ ଆମମାନଙ୍କର ପ୍ରିୟ । ତାନୁହେଁ, ସବୁ ଦେବତାମାନଙ୍କର ପ୍ରିୟ ଠାକୁର ହେଉଛନ୍ତି ପ୍ରଭୁ ଜଗନ୍ନାଥ । ସବୁ ଲୋକରେ ଜୟ ଜଗନ୍ନାଥ ଧ୍ୱନୀ ସୃଷ୍ଟି ହେଉଛି ଓ ପ୍ରତିଧ୍ୱନୀ ମଧ୍ୟ ହେଉଛି । କାରଣ ସେ ହିଁ କେବଳ ନିତ୍ୟ ଓ ନିରାକାର । ସୃଷ୍ଟି ପୂର୍ବରୁ ତାଙ୍କର ଅସ୍ତିତ୍ୱ ରହିଆସିଛି । ତାଙ୍କର ଅସ୍ତିତ୍ୱରୁ ନିର୍ମିତ ହୋଇଛି ସୃଷ୍ଟି । ସଂସାର ଭିତରେ ସମସ୍ତଙ୍କର ପ୍ରିୟ ହେଉଛନ୍ତି ମହାପ୍ରଭୁ । ସଂସାର ଭିତରେ ଆମ ସହ ରହିଛନ୍ତି । ଆମ ସହ ସୁଖଦଃଖ ଭୋଗୁଛନ୍ତି । ସେ କାହା ପାଇଁ ପ୍ରିୟ ଠାକୁର ତ ଆଉ କାହା ପାଇଁ ପ୍ରିୟ ସଖା । ଆଉ କିଏ ବାପ
ା ବୋଲି ସମ୍ଭୋଧନ କରୁଛି ତ ଆଉ କିଏ ତାଙ୍କୁ ଭାଇ ବୋଲି ଡାକୁଛି । ଏଭଳି ଲୋକ ଯାହାର ପ୍ରିୟ ହୋଇଯାଏ, ପୂରା ଦୁନିଆଟା ତାକୁ ପ୍ରିୟ ହିଁ ଲାଗିବ । ଭକ୍ତର ପ୍ରେମ ଆଗରେ ସେ ପରାଧିନ ଓ ପରାହତ । ଭକ୍ତର ଭକ୍ତି ଆଗରେ ମହାବାହୁ ଦୁର୍ବଳ । କିନ୍ତୁ ଭକ୍ତ ତାଙ୍କ ନାମ ନେଇ ସବଳ ହୋଇଯାଉଛି । ସେ ହେଉଛନ୍ତି ପତିତପାବନ । ଅର୍ଥାତ୍ ଭକ୍ତି ଭାବ ନଥିବା ଭକ୍ତମାନଙ୍କ ମଧ୍ୟରେ ପବିତ୍ର ଭାବ ସୃଷ୍ଟିକାରୀ । ତାଙ୍କର ମହିମାକୁ ମାପିବା ପାଇଁ ମାପଦଣ୍ଡ ନାହିଁ । ଅମୃତମୟ ଇଶ୍ୱର ଭକ୍ତ ପାଇଁ ଅମୃତର ସାଗର ଖୋଲି ଦେଇଛନ୍ତି । କାରଣ ଭକ୍ତ ଯେତିକି ଭଲ ପାଏ, ସେ ବି ଭକ୍ତକୁ ସେତିକି ଭଲ ପାଇଥାନ୍ତି । ତେଣୁ ପ୍ରଭୁ ଜଗନ୍ନାଥଙ୍କ ବିନା ଏହି ସଂସାର ମହାଶୂନ୍ୟ ବୋଲି ଲାଗେ । ଯଦି ହୃଦୟରେ ଆମେ ପୂର୍ଣ୍ଣ ଅର୍ଥାତ୍ ପ୍ରଭୁଙ୍କ ପୂର୍ଣ୍ଣତାକୁ ଅନୁଭବ ନକଲେ, ଆମକୁ ଯାହା ଦେଖାଯାଏ ତାହା ମଧ୍ୟ ଶୂନ୍ୟ । ଆମକୁ ସବୁ ମିଳିଗଲେ ମଧ୍ୟ ସବୁ ଶୂନ୍ୟ ଭଳି ହିଁ ଅନୁଭବ ହୁଏ । ଶୂନ୍ୟତାକୁ ପୂର୍ଣ୍ଣତାରେ ଭରିବା ପାଇଁ ହରିଗୀତ, ଜଗନ୍ନାଥଙ୍କ ନାମ ଭଜନ ଓ କୀର୍ତନର ଆବଶ୍ୟକତା ରହିଛି । ଅର୍ଥାତ୍ ଆମେ ପ୍ରଭୁଙ୍କ ଠାରେ ଧ୍ୟାନ ରଖି ତାଙ୍କର ଅସ୍ତିତ୍ୱକୁ ଅନୁଭବ ଓ ଦର୍ଶନ କରିବାକୁ ଅଭ୍ୟାସ କରିପାରିଲେ ସବୁ କ୍ଷେତ୍ରରେ ସଫଳତା ଓ ଆନନ୍ଦ ଅନୁଭୂତି ମିଳିବ । ପ୍ରଭୁ ଆମକୁ ସବୁ ପ୍ରକାର ଶକ୍ତି ଦେଇଛନ୍ତି । ଆମେ ତାହାକୁ ଅନୁଭବ କରି ଶିଖିବା ଦରକାର ।