samarpita panda

Children Stories Tragedy Others

3  

samarpita panda

Children Stories Tragedy Others

ରେଳଧାରଣାର ଖେଳ

ରେଳଧାରଣାର ଖେଳ

2 mins
30


"ରାନୀ, ତୋତେ କେତେ ଥର ମନା କରିଛି ମା ସେ ରେଳଧାରଣା ଉପରେ ଖେଳିବୁନି ବୋଲି । ତୋର ଯଦି କିଛି ହେଇଯିବ ମୁଁ କେମିତି ବଂଚିବିରେ । ମୋ କଥା ମାନେ ମା ସେ ରେଳ ଲାଇନକୁ ଆଉ ଯିବୁନି ତୁ ।" "ଓହୋ ବାପା" ସ୍ନେହଭରା କଣ୍ଠରେ ରାନୀ କହିଲା- "ମୋର କାଇଁ କଣ ହବ ଯେ । ତା ଛଡା ରେଳଗାଡ଼ି ପରା ତୁମରି ସଂକେତ ଅନୁସାରେ ଚାଲେ । ତୁମେ ପତାକା ନ ଦେଖାଇବା ଯାଏଁ ରେଳ ଯାଏ ନା ଆସେ କହିଲ । ମୁଁ ଖେଳିଲାବେଳେ ତୁମରି ସଂକେତ ଦେଖି ଖେଳେ ପରା । ତୁମେ ଯେବେ ଯାଏଁ ପତାକା ଦେଖାଉଥିବ ମୁଁ ରେଳକୁ ଡରିବି କାଇଁ ଯେ? " କଣ କହିବେ ସ୍ଥିର ନକରିପାରି ରାନୀକୁ କୋଳକୁ ଟାଣିନେଲେ ଗୋବିନ୍ଦ । ପିଲାଦିନୁ ମା କୁ ହରାଇଥିବା ଏଇ ଆଠ ବର୍ଷର ଝିଅ ରାନୀ ଆଜି କ୍ୟାନ୍ସରରେ ପୀଡିତ । ସେଥିପାଇଁ ଗୋବିନ୍ଦ ତାର ସବୁ ଅଳିକୁ ଚୁପଚାପ ସହି ଯାଆନ୍ତି । ତା ଭାଗ୍ୟରେ ଯେ କଣ ଲେଖି ବିଧାତା ତାକୁ ପଠାଇଛନ୍ତି ଭାବି ଭାବି ଭଗବାନଙ୍କୁ ଦୋଷ ଦିଅନ୍ତି ସେ । ଚାକିରିରୁ ପାଉଥିବା ଦି ପଇସା ସବୁ ରାନୀର ଚିକିତ୍ସାରେ ଲଗେଇଦେଇଛନ୍ତି । ତଥାପି ଡାକ୍ତର କୁହନ୍ତି ବଞ୍ଚିବାର ଆଶା କ୍ଷୀଣ । ସ୍ତ୍ରୀ ଚାଲିଗଲା ପରେ ବାକି ଜୀବନଟା ଏଇ ଝିଅର ମୁହଁକୁ ଚାହିଁ ଚାହିଁ କଟେଇବେ ଭାବୁଥିଲେ । ମାତ୍ର ମହାମାରୀ କ୍ୟାନ୍ସରଟା ତାଙ୍କର ସବୁ ସ୍ୱପ୍ନକୁ ଭାଙ୍ଗି ଚୁରମାର କରିଦେଲା । ଘର ଚାରି ବଖରାରୁ ଆଜି ଝୁମ୍ପୁଡି ଚାଳିଆ ।


କାମକୁ ଯିବାର ସମୟ ହୋଇନାହିଁ । ଟିକେ ବିଶ୍ରାମ ନେଇ ସଂକେତ ଘରକୁ ବାହାରିଯିବି । ସବୁଦିନ ପରି ରାନୀ ଖେଳୁଛି ରେଳଧାରଣା ଉପରେ । ହଠାତ ସ୍ୱପ୍ନରେ ଦେଖନ୍ତି ଗୋବିନ୍ଦ ଡାକ୍ତର କହୁଛନ୍ତି ରାନୀ ଠିକ ହୋଇଯିବ । ଚିନ୍ତା କରିବାର ଆଉ କୌଣସି ବିଷୟ ନାହିଁ । ନୂଆ ଔଷଧଟି ରାନୀ ଦେହରେ କାମ କରିଯାଇଛି । ଏପରି ଏକା ସୁନ୍ଦର ସ୍ବପ୍ନକୁ ଅଧାରୁ ଭାଙ୍ଗିପାରିଲେ ନାହିଁ ଗୋବିନ୍ଦ । ଏମିତି ଭାବୁ ଭାବୁ ତାଙ୍କର ଆଖି କେତେବଳେ ଲାଗିଯାଇଛି ଧ୍ୟାନ ନାହିଁ । ରାନୀ ହସି ହସି ଦୌଡ଼ି ଆସୁଛି ତାଙ୍କ ପାଖକୁ । ମାତ୍ର ଏ କଣ ଶୁଣିବାକୁ ପାଇଲେ ସେ ରାନୀର ଏକ ବିକଳ ଚିତ୍କାର -" ବାପା..... !!" । ନିଦ ଭାଙ୍ଗିଗଲା ତାଙ୍କର । ମନେ ପଡିଲା ଯେ ତାଙ୍କୁ ପତାକା ଦେଖାଇବାର ଥିଲା । ବାହାରକୁ ଦୌଡ଼ି ଆସି ସେ ଦେଖିବାକୁ ପାଇଲେ ରେଳଧାରଣା ଉପରେ ରକ୍ତର ଛିଟା । ଛୁକଛୁକ କରି ଚାଲି ଯାଉଥିବା ରେଳଗାଡ଼ି ତାଙ୍କଠାରୁ ଛଡେଇ ନେଇଥିଲା ତାଙ୍କ ବଞ୍ଚିବାର କ୍ଷଣିକ ଆଶା ଟିକକକୁ.. 


Rate this content
Log in