ପୂର୍ଣ୍ଣତା ପ୍ରାପ୍ତି
ପୂର୍ଣ୍ଣତା ପ୍ରାପ୍ତି
ଆମେ ସମସ୍ତେ ମଣିଷ, ମଣିଷ ହେଉଛି ଏକ ସାମାଜିକ ପ୍ରାଣୀ । ଯେତେବେଳେ ଏ ସୃଷ୍ଟି ଆରମ୍ଭ ହେଲା, ସେହି ସମୟରେ ଭଗବାନଙ୍କ ଦୟାରୁ ଛପନ କୋଟି ଜୀବର ଉତ୍ପତ୍ତି ହେଲା। ସମସ୍ତ ଜୀବ ଭିନ୍ନ ଭିନ୍ନ ପ୍ରବୃତ୍ତି ନେଇ ଜନ୍ମଗ୍ରହଣ କଲେ। ସମସ୍ତ ଜୀବଙ୍କ ମଧ୍ୟରୁ ମଣିଷକୁ ସୃଷ୍ଟିର ଶ୍ରେଷ୍ଠ ଜୀବର ମାନ୍ୟତା ଦିଆଗଲା, କାରଣ ମଣିଷ ହେଉଛି ଜଣେ ବିବେକିତ ପଶୁ। ମନୁଷ୍ଯ ତାର କର୍ମ କରିବା ପୂର୍ବରୁ ଠିକ୍ ଓ ଭୁଲର ବିଚ଼ାର କରି କାର୍ଯ୍ୟ କରିଥାଏ। କିନ୍ତୁ ଇତର ପ୍ରାଣୀମାନେ ଭାବପ୍ରବଣତାର ବଶବର୍ତ୍ତୀ ହୋଇ, ଜୀବନ ସଂଗ୍ରାମରେ ଲାଗି ପଡ଼ିଥାନ୍ତି, ତେଣୁ ମନୁଷ୍ୟକୁ ସୃଷ୍ଟିର ଶ୍ରେଷ୍ଠ ଜୀବ ଭାବରେ ଗ୍ରହଣ କରାଯାଏ। ମଣିଷ ପଚିଶ ପ୍ରବୃତ୍ତିକୁ ନେଇ ଜନ୍ମ ଲାଭ କରିଛି। ମାୟା, ମୋହ, କ୍ରୋଧ, ଲୋଭ, ହିଂସା ଏସବୁ ହେଉଛି ମଣିଷର ଏକ ଏକ ପ୍ରବୃତ୍ତି, ଏ ସବୁ ପ୍ରଵୃତ୍ତିକୁ ଗ୍ରହଣ କରି ହୋଇଛି ଏବଂ ନିଜର ମଙ୍ଗଳ ସକାଶେ ସମାଜ ଗଠନ କରିଛି। ମଣିଷ ପ୍ରଥମରୁ ଜଣେ ସୁଶିକ୍ଷିତ ସଭ୍ୟ ହୋଇ ନ ଥିଲା। ସେ ଆଦିମାନବ ରୂପରେ ବଣ ଜଙ୍ଗଲରେ ବାସ କରୁଥିଲା। କଞ୍ଚାମାଂସ ଖାଉଥିଲା, ଗଛର ବକ୍କଳ ପରିଧାନ କରୁଥିଲା କିନ୍ତୁ ସମୟ ପରିବର୍ତ୍ତନ କ୍ରମେ ମଣିଷ ଆଦିମାନବରୁ ଧିରେଧିରେ ସଭ୍ୟତା ଆଡ଼କୁ ଗତିକରି ଆଧୁନିକ ମଣିଷରେ ପରିବର୍ତ୍ତିତ ହୋଇଛି ଏବଂ ନୂତନତାକୁ ଗ୍ରହଣ କରିଛି।
ଲୋଭ ଦ୍ୱାରା ପ୍ରଭାବିତ ହୋଇ ସେ ତାର ବାସ୍ତବିକ ଜ୍ଞାନକୁ ଭୁଲି ଯାଇଛି ଏବଂ ଆରମ୍ଭ କରିଛି ସଂଘର୍ଷ। ମଣିଷ ଜୀବନ ହେଉଛି ଦୁଃଖପୂର୍ଣ୍ଣ ସଂଘର୍ଷମୟ ଜୀବନ। ଜୀବନର ପ୍ରତି ମୁହୂର୍ତ୍ତରେ ସେ ସଂଘର୍ଷ କରି ଚାଲିଥାଏ, ମଣିଷ ଦିନରାତି ଚବିଶ ଘଣ୍ଟା ସଂଘର୍ଷ କରିଥାଏ କିନ୍ତୁ ତାର ସଂଘର୍ଷର ପରିସମାପ୍ତି ଘଟି ନ ଥାଏ, କାରଣ ମଣିଷର ସଂଘର୍ଷ ସେତେବେଳେ ସମାପ୍ତ ହେବ, ଯେତେବେଳେ ସେ ଏ ଦେହ ଛାଡି ଚାଲିଯିବ। ତେଣୁ ସେ ସବୁବେଳେ ସବୁ ସମୟରେ ହସ-କାନ୍ଦ, ବାଦ-ବିବାଦ, ଆଶା-ନୈରାଶ୍ୟ, ସୁଖ-ଦୁଃଖ ଇତ୍ୟାଦି ପାଇଁ ସେ ସଂଘର୍ଷ କରେ। ଜୀବନର ଚଲାପଥରେ ଗତି କରୁକରୁ ବେଳେବେଳେ ସେ ଥକି ଯାଏ, ହେଲେ ତାର ସଂଘର୍ଷର ପୂର୍ଣ୍ଣତା ନ ଥାଏ, ତାର ଆଶା ପୂର୍ଣ୍ଣ ନହେଲେ ସେ ସଂଘର୍ଷ କରି ହାର ମାନିନେଇ ଥାଏ ଆଉ ସଂଘର୍ଷ କରିବାକୁ ଚେଷ୍ଟା କରି ନ ଥାଏ। ସେ ବାଟବଣା ହୋଇ ଭବିଷ୍ଯତ ସମୟକୁ ଦେଖି ପାରି ନ ଥାଏ, ଆଉ ସେ ଭୁଲି ଯାଏ ଯେ ପରିଶ୍ରମର ଫଳ କେବେ ମଧ୍ୟ ବ୍ୟର୍ଥ ହୁଏ ନାହିଁ। ପରିଶ୍ରମର ଫଳ ପାଇବାକୁ ହୁଏତ ଅନେକ ସମୟ ଲାଗିପାରେ କିନ୍ତୁ ତାର ପୂର୍ଣ୍ଣତା ନିଶ୍ଚିତ ଭାବରେ ରହିଥାଏ।
ସେହିପରି ଏକ ସଂକଟମୟ ପରିସ୍ଥିତିରେ ଗତି କରି କରି ଥକି ପଡିଛନ୍ତି ମଣିପୁର ଗ୍ରାମର ବିନୋଦ ଛତ୍ରିଆ। ସେ ତାଙ୍କର ପାରିବାରିକ ଜୀବନରେ ଅନେକ ସମସ୍ୟାର ସାମ୍ନା କରିଛନ୍ତି କିନ୍ତୁ ତାଙ୍କର ପରିଶ୍ରମର ଫଳ ତାଙ୍କୁ ମିଳିନାହିଁ, ତଥାପି ମଧ୍ୟ ସେ କେବେ ନିଜ ଜୀବନରେ ହାର ମାନି ନ ଥିଲେ କି କେବେ ନିଜକୁ ଦୁର୍ବଳ ମନେ କରି ନ ଥିଲେ ବରଂ ପାହାଚ ପାହାଚ ଚଢ଼ି ଅନେକ ସମସ୍ୟାର ସମାଧାନ କରି ପାରିଥିଲେ। ସେ ଯେତେବେଳେ ସପ୍ତମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ, ସେହି ସମୟରେ ତାଙ୍କ ମାତାଙ୍କ ମୃତ୍ୟୁ ହୋଇଥିଲା। ମାତୃ ବିୟୋଗ ପରେ ମଧ୍ୟ ସେ ଭାଙ୍ଗି ପଡ଼ି ନ ଥିଲେ। ଏହି ବିପଦ ସମୟରେ ମଧ୍ୟ ସପ୍ତମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। କିନ୍ତୁ ଦଶମ ଶ୍ରେଣୀରେ ପାଦଦେବା ସମୟରେ ଅର୍ଥ ଅଭାବରୁ ତାଙ୍କର ପାଠପଢାରେ ବ୍ୟାହତ ହେଲା। ତାଙ୍କର ସେହି ଅସହାୟ ସମୟରେ ସେହି ସ୍କୁଲର ପ୍ରଧାନ ଶିକ୍ଷକ ବୀରବର ସାହୁ ପଢାପ୍ରତି ଆଗ୍ରହୀ ଥିବା ଦେଖି ତାଙ୍କୁ ସାହାଯ୍ୟ କରିଥିଲେ।
ପ୍ରଧାନ ଶିକ୍ଷକଙ୍କ ସହାୟତା ଯୋଗୁଁ ଦଶମ ଶ୍ରେଣୀରେ ପ୍ରଥମ ନମ୍ୱର ରଖି ପାସ୍ କରି ମହାବିଦ୍ୟାଳୟରେ ନାମ ଲେଖାଇଲେ ଏବଂ ଅଧ୍ୟାପକ ଅଧ୍ୟାପିକାମାନଙ୍କ ସହାୟତା ଲାଭ କରି ମହାବିଦ୍ୟାଳୟରେ ମଧ୍ୟ ସେ ଉତ୍ତୀର୍ଣ୍ଣ ହୋଇଥିଲେ। ବିଭିନ୍ନ ଶିକ୍ଷାନୁଷ୍ଠାନର ସହଯୋଗରେ ସ୍ନାତକ ପରୀକ୍ଷାରେ ମଧ୍ୟମ ସ୍ଥାନ ରଖି ଉତ୍ତୀର୍ଣ୍ଣ ହେଲେ କିନ୍ତୁ ସ୍ନାତକୋତ୍ତର ଅଧ୍ୟୟନ ପାଇଁ ଏଣ୍ଟ୍ରାନ୍ସ ଦେଇ ଫେଲ ହୋଇଗଲେ, ସେତେବେଳେ ତାଙ୍କ ମନକୁ ବହୁତ କଷ୍ଟ ହେଲା। ସେ ପୁଣି ଚେ଼ଷ୍ଟା କଲେ କିନ୍ତୁ ବାରମ୍ୱାର ବିଫଳ ହେଲେ, ତାଙ୍କର ଏହି ବିଫଳତା ଯୋଗୁଁ ଗ୍ରାମର ଲୋକଙ୍କ ଠାରୁ ଅପମାନ, ଲାଞ୍ଚନାର ଶିକାର ହେଲେ। ଅନେକ ପରିଶ୍ରମ କରି ପୁଣିଥରେ ଏଣ୍ଟ୍ରାନ୍ସ ଦେଲେ,ସେହି ସମୟରେ ତାଙ୍କର ଭାଗ୍ଯର ପରିବର୍ତ୍ତନ ହେଲା ଏବଂ ସେ ସ୍ନାତକୋତ୍ତର ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ, ନାମ ଲେଖାଇ ଅଧ୍ୟୟନ କଲେ। ତାଙ୍କର ବାରମ୍ୱାର ପ୍ରଚେଷ୍ଟା ସତ୍ତ୍ବେ ପରିଶ୍ରମରେ ପୂର୍ଣ୍ଣତା ପ୍ରାପ୍ତି ହୋଇଛି, ତେଣୁ ସମୟ ଲାଗିପାରେ ପୂର୍ଣ୍ଣତା ପାଇବାରେ, ହେଲେ ଆମକୁ ସବୁବେଳେ ନିଜର କାର୍ଯ୍ୟ ଓ ଭାଗ୍ୟ ଉପରେ ରଖିବାକୁ ପଡ଼ିବ।