Bholanatha Bagarty

Others


4.3  

Bholanatha Bagarty

Others


ପରିସ୍ଥିତି

ପରିସ୍ଥିତି

4 mins 408 4 mins 408


ଚଞ୍ଚଳପୁରରେ ଗୋଟିଏ ଲୁହାଖଣି ବାହାରିଲା । ତେଣୁ ଦୂରଦୂରାନ୍ତରରୁ ଅନେକ ଲୋକସବୁ ବ୍ୟବସାୟ ସୂତ୍ରରେ ଆସି ସେଠାରେ ବସବାସ କଲେ । ସେମାନଙ୍କ ମଧ୍ୟରେ ରାମନାଥ ଅନ୍ୟତମ ଥିଲେ । ବହୁଲୋକ ଅନ୍ୟ ଆଡୁ ଆସି ବସବାସ କରିବାରୁ ଘର ଭଡାକୁ ମିଳୁ ନଥାଏ ।


        ରାମନାଥ ଚାରିଆଡେ ଘର ଖୋଜି ବୁଲି ବୁଲି, ତାଙ୍କ ଚପଲ ଛିଡିଗଲା । ଶେଷକୁ ସେ ଗୋଟିଏ ଘରର ସନ୍ଧାନ ପାଇଲେ । ଘରର ମାଲିକ ଗୁରୁନାଥଙ୍କର ସର୍ତ୍ତ ଥିଲା କି ଘରର ଭଡା ମାସକୁ ପାଞ୍ଚଶହ । ବର୍ଷଶେଷରେ ଘର ଖାଲି କରିବ । ରାମନାଥଙ୍କୁ ଏହି ସର୍ତ୍ତ ଆଦୌ ଭଲ ଲାଗିଲା ନାହିଁ । ଘରଭଡା ପ୍ରତ୍ୟେକ ମାସରେ ଦେବା ପରେ, ଘର ବର୍ଷକ ପରେ କାହିଁକି ଖାଲି କରିବେ ବୋଲି ସେ ମୋଟେ ବୁଝିପାରିଲେ ନାହିଁ ।


        ରାମନାଥ ଘର ମାଲିକଙ୍କୁ କହିଲେ, ଆମ ଗ୍ରାମରେ ମୋର ଦୁଇଟି ଘର ମୁଁ ଭଡା ଦେଇଛି, ହେଲେ ଏପରି ସର୍ତ୍ତ ତ କାହିଁ ଆମେ ରଖିନାହୁଁ । ଏବେ ଗୋଟିଏ କଥା କହନ୍ତୁ ବର୍ଷ ଶେଷରେ ମୁଁ ଘର ଖାଲି ନକଲେ ଆପଣ ମୋର କ’ଣ କରିବେ?


        ଗୁରୁନାଥ କହିଲେ ଆପଣ କାହିଁକି ରାଗୁଛନ୍ତି? ମୁଁ ଏବେ ସେକଥା କହି ପାରିବି ନାହିଁ । ମୋର ଘରର ଆବଶ୍ୟକତା କେବେ ମଧ୍ୟ ପଡିପାରେ । ମୋର ପରିବାର ବହୁତ ବଡ । ସହରରେ ମୋର ଝିଅଜ୍ୱାଇଁ ତାଙ୍କ ପିଲାପିଲି ନେଇ ଅଛନ୍ତି । ଯେକୌଣସି ସମୟରେ ସେମାନେ ଏଠାକୁ ଆସି ପାରନ୍ତି । ଜୁଆଇଁ ଏଠାରେ ରହିବାକୁ କହୁଥିଲେ । ଏବେ ଲେଖାଲେଖି ହୋଇଯାଉ । ଯଦି ତୁମେ ଘର ମାଡିବସି ରଖିବ ତେବେ ବର୍ଷକ ପରେ ମୁଁ ପ୍ରତିମାସରେ ତୁମଠାରୁ ଦୁଇହଜାର ଟଙ୍କା କଷି ନେବି ।


        ରାମନାଥ କହିଲେ, ଆପଣଙ୍କ କଥାରୁ ଯାହା ଜଣାଯାଉଛି ଆପଣଙ୍କ ଜ୍ୱାଇଁ ବର୍ଷକ ମଧ୍ୟରେ ଏଠାକୁ ଆସୁ ନାହାଁନ୍ତି । ଆସିବାର ଥିଲେ ଆପଣ ଏହାକୁ ମୋତେ ଭଡାକୁ କେବେବି ଦିଅନ୍ତେ ନାହିଁ । ଯଦି ବର୍ଷକ ପରେ ଆପଣଙ୍କର ଦରକାର ନହୁଏ ତେବେ ମୋତେ ଆଉ ଏ ଘର ଖାଲି କରିବାକୁ ପଡିବ ନାହିଁ । ଠିକ୍ ତ?


        ଗୁରୁନାଥ କହିଲେ ନିଶ୍ଚିତ ଭାବରେ ମୁଁ ଆପଣଙ୍କୁହିଁ ଦେବି, କିନ୍ତୁ ସେତେବେଳେ ନୂଆ ସର୍ତ୍ତ ସହିତ କାଗଜପତ୍ର କରି ନେବାକୁ ହେବ ।


        ସେହିଭଳି ଭାବରେ ଲେଖାପଢି ହୋଇଗଲା । ତା’ପରେ ରାମନାଥ ନିଜ ପରିବାର ଧରି ସେହି ଘରେ ପ୍ରାୟ ଏଗାରମାସ ପର୍ଯ୍ୟନ୍ତ ବେଶ୍ ଆରାମ୍ ରେ ରହିଲେ । ଗୁରୁନାଥ ଦିନେ ରାମନାଥଙ୍କୁ କହିଲେ, ଆପଣ ତ ପ୍ରତ୍ୟେକ ମାସରେ ନିଶ୍ଚିତ ଭାବରେ ନିର୍ଦ୍ଦିଷ୍ଟ ଦିନ ଭଡା ଦେଇ ଦେଉଛନ୍ତି । ଏଣୁ ମୁଁ ଆପଣଙ୍କ ଉପରେ ବହୁତ ଖୁସି । ରାମନାଥ କହିଲେ, ଏତେ ସୁନ୍ଦର ଘର ମୋତେ ରହିବାକୁ ମିଳିଲା, ଏହି କାରଣରୁ ମୁଁ ମଧ୍ୟ ବହୁତ ଖୁସି । ଏତେ ନିଜର ମନେ ହୁଏ ଯେ ଭାବେ ନିଜ ଗାଁ କଥା ଭୁଲି ଏଇଠି ସବୁଦିନ ପାଇଁ ରହିଯିବି ।


        ଏଭଳି କଥା ଶୁଣି ଗୁରୁନାଥ ହଠାତ୍ ଚମକି ଉଠିଲେ । ତା’ପରେ ସେ ଖୁବ୍ ବ୍ୟସ୍ତ ହୋଇ କହିଲେ, କ’ଣ କହୁଛନ୍ତି? ଆମ ସର୍ତ୍ତକଥା କ’ଣ ଭୁଲିଗଲେ କି?


        ରାମନାଥ ପଚାରିଲେ ନା, ନା, ଆପଣଙ୍କ ସର୍ତ୍ତ କଥା ତ ମୋର ସ୍ପଷ୍ଟଭାବେ ମନେ ଅଛି । ଆପଣଙ୍କ ଜୁଆଁଇ ଆସୁଛନ୍ତି କି? ମୋତେ ଘର ଖାଲି କରିବାକୁ ପଡିବ କି?


ଗୁରୁନାଥ ସ୍ପଷ୍ଟ ରୂପେ ବୁଝାଇ କହିଲେ ନା, ନା ସେପରି କିଛି ନୁହେଁ । ଆସନ୍ତା ମାସଠାରୁ ଘରଭଡା ଛଅଶହ ଟଙ୍କା ହେବ । ଆପଣ ଚାହିଁଲେ ନୂଆ ସର୍ତ୍ତ ନେଇ ଲେଖାଲେଖି କରିବା, ନହେଲେ ଘର ଖାଲି କରିବେ ।

ତାଙ୍କ କଥା ଶୁଣି ରାମନାଥଙ୍କ ମୁଣ୍ଡରେ ବଜ୍ରାଘାତ ହେଲା ପରି ଲାଗିଲା । କିଛି ସମୟ ପର୍ଯ୍ୟନ୍ତ ସେ ସ୍ତବ୍ଧ ହୋଇ ରହିଲେ । ତା’ପରେ ସେ କହିଲେ, ଏହା ତ ବଡ ଅନ୍ୟାୟ କଥା । ବର୍ଷକରେ ଶହେଟଙ୍କା ବଢିବ? ପଚିଶ୍ ଟଙ୍କା ବଢାନ୍ତୁ । ଅନ୍ତତଃ ଏତିକି ପ୍ରମାଣିତ ହେବ ଯେ ଦୁନିଆରେ ଏବେ ମଧ୍ୟ ବିବେକୀ ଲୋକ ଅଛନ୍ତି । ମୋ କଥା ଆପଣ ନ ମାନିଲେ ମୁଁ ମଧ୍ୟ କୌଣସି ବାଟେ ପଇସା କମାଇବି ।


ଗୁରୁନାଥ କହିଲେ, ମୋର ଯାହା କହିବାର ଥିଲା ତା ମୁଁ କହିଲି । ତା’ପରେ ଆପଣଙ୍କର ଯାହା ଇଚ୍ଛା । ଏତିକି କହି ସେଠାରୁ ସେ ଚାଲିଗଲେ ।

ଟିକିଏ ଦୂରରେ ରହି ରାମନାଥଙ୍କ ସ୍ତ୍ରୀ ସେହି ଦୁଇଜଣଙ୍କ କଥା ଶୁଣୁଥିଲେ । ସେ ରାମନାଥଙ୍କୁ କହିଲେ, କାହିଁକି ଖାଲିଟାରେ ଝଗଡା କରୁଛ? ଗ୍ରାମରେ ତ ଘର ଭଡାକୁ ଆଦୌ ମିଳୁ ନାହିଁ । ଏ ଘର ଛାଡିଲେ ଆମକୁ ଯାହା ଖାଲିଟାରେ ହଇରାଣ ହେବାକୁ ପଡିବ । ଯିଦି ଛାଡି ସେ ଯାହା କହୁଛନ୍ତି ସହଜରେ ତାହା ମାନିଯାଅ । ନୂଆ କାଗଜପତ୍ର କରିନିଅ ।


        ଗୁରୁନାଥ ଓ ରାମନାଥ ଦୁହେଁ ନିଜ ନିଜ କଥା ଉପରେ ଜୋର୍ ଦେଇ ଅଡିବସିଲେ । ବର୍ଷକରେ ଘର ନଛାଡିଲେ ମାସକୁ ଦୁଇ ହଜାରେ ଟଙ୍କା ଦଣ୍ଡ । ଏସବୁ କଥା ଆଲୋଚନା ହେଉ ହେଉ ଦୁଇମାସ ଗଲା ତେଣୁ ଚାରିହଜାର ଟଙ୍କା ଦଣ୍ଡ । କିନ୍ତୁ ଲେଖା ହେଲା ବେଳକୁ ମାସକର ଲେଖା ହେଲା । ରାମନାଥ ଆନନ୍ଦରେ ଦୁଇହଜାର ଓ ଛଅଶହ ଟଙ୍କା ଦେଲେ ।


ରାମନାଥଙ୍କ ସ୍ତ୍ରୀ କହିଲେ, ସେଇ କଥା ତ ଆଗରୁ କରିଥିଲେ ତୁମକୁ ଦୁଇହଜାର ଟଙ୍କା ଦେବାକୁ ପଡି ଥାଆନ୍ତା । ରାମନାଥ କହିଲେ, ତୁମେ ବୁଝି ନାହଁ । ଦୁଇମାସରେ ଚାରିହଜାର ଦେବା କଥା । ମୁଁ ଦୁଇହଜାର ଛଅଶହ ଦେଲି । ଆଉ ଚଉଦଶହ ମୋର ବଞ୍ଚିଗଲା । ଗୁରୁନାଥ ସେତକ ପଇସା ହରାଇ ମନେମନେ ସେ ଭାରି ଛଟପଟ ହେଉଥିବ । ମୁଁ ଜାଣି ଜାଣି ଏପରି କରିଛି । ତୁମେ ସେକଥା କ’ଣ ବୁଝିବ । ତୁମେ ତ ଜଣେ ଗ୍ରାମର ଝିଅ । ଲେଖାପଢା, ଘରଭଡା କଥା ବୁଝିବା ପରି ତୁମର ଏତେ ବୁଦ୍ଧି କୁଆଡୁ ଆସିବ? ମୁଁ ଯାହା କଲି ନା ସେଥିରେ ଗୁରୁନାଥ ଏମିତି ଚେକାଁଏ ପାଇବ ଯେ ଆଉ ଆସନ୍ତାବର୍ଷକୁ ଅଧିକ ପଇସାର ପ୍ରଶ୍ନ ଉଠାଇବ ନାହିଁ ।


ରାମନାଥଙ୍କ ସ୍ତ୍ରୀ ବୁଝି ପାରିଲେ ନାହିଁ ଯେ ତାଙ୍କ ସ୍ୱାମୀଙ୍କ ବୁଦ୍ଧିରେ ସେ ଏବେ ହସିବେ ନା କାନ୍ଦିବେ ।


Rate this content
Log in