ABADHOOT PANDA

Children Stories

3  

ABADHOOT PANDA

Children Stories

ପରୀ ମାଉସୀ

ପରୀ ମାଉସୀ

4 mins
212


              

   ମାଘମାସର ବାଘ ଶୀତ l ଆଈ ନାତୁଣୀ ଘରେ ଖଟ ଉପରେ କମଳ ଘୋଡ଼େଇ ହୋଇ ଉଷୁମ ଟାଣୁ ଥାଆନ୍ତି l ଆଈମା ନିଘୋଡ଼ ନିଦରେ ଶୋଇ ଘୁଙ୍ଗୁଡ଼ି ମାରୁଥାନ୍ତି l କିନ୍ତୁ ନାତୁଣୀ ସୁମି ସ୍ୱପ୍ନ ଦୁନିଆରେ ବୁଡ଼ି ଯାଇଥାଏ l ସୁମି ଦେଖିଲା ଘର କାନ୍ଥ କୋଣରେ ଜଣେ ସୁନ୍ଦରୀ ଯୁବତୀ ବସି କଣ ସବୁ ଲେଖି ଚାଲିଛନ୍ତି l

ତାଙ୍କର ଚାରୋଟି ଡେଣା ଅଛି l ଆଉ ତାଙ୍କର ମନମୁନ ଲେଖା ଉପରେ ରହିଛି l ତାଙ୍କ ଦେହରୁ ବାହାରୁଥିବା ଆଲୋକରେ ସେ ଲେଖି ଚାଲିଥାନ୍ତି l

   କୌତୁହଳି ସୁମି ପଚାରିଲା,, " ତୁମେ କିଏ? ଆମ ଘରେ ଏତେ ରାତିରେ ଆସି କଣ ଲେଖୁଛ? " ଯୁବତୀ ଉତ୍ତର ଦେଲେ, "ମୁଁ ଜଣେ ପରୀ l ସ୍ୱର୍ଗରାଜ୍ୟ ମୋ ଘର l ଆମ ରାଜା ଇନ୍ଦ୍ର ଦେବ ମୋତେ ପୃଥିବୀକୁ ପଠାଇଛନ୍ତି l ଘର ଘର ବୁଲି ସମସ୍ତଙ୍କ ପାପ ପୂଣ୍ୟ କେତେ ସବୁ ଏଇ ଭୁଜପତ୍ର କାଗଜରେ ଟିପି ନେବି l ଆଜି ତୋ ଆଈ ବିଷୟରେ ଲେଖୁଛି l ମୁଁ ତ ମୋ କଥା କହିଲି, ତୁ ତ ତୋ କଥା କିଛି କହିଲୁନି l" ସୁମି କହିଲା," ମୋ ନା ସୁମି l ଗାଁ ସ୍କୁଲରେ ଚତୁର୍ଥ ଶ୍ରେଣୀରେ ପାଠ ପଢ଼ୁଛି l ଏଇଟା ମୋ ମାମୁଁ ଘର l ବଡ଼ ଦିନ ଛୁଟିରେ ବୁଲିଆସିଛି l ଆଈଙ୍କ ଗପ ଶୁଣି ଶୁଣି ଶୋଇ ପଡ଼ି ଥିଲି l ଆଚ୍ଛା ପରୀ ମାଉସୀ ତୁମ ଖାତାରେ ମୋ ନାଆଁଟା ଟିକେ ଲେଖିଦିଅନ୍ତେନି l ଖୁବ ଭଲ ହୁଅନ୍ତା l"

   " ନାଇଁ ଝିଅ ଏଇଟା କେବଳ ବଡ଼ମାନଙ୍କ ପାଇଁ l ତୁମ ପରି ଛୋଟ ପିଲା ଯେତେବେଳେ ବଡ଼ ହୋଇ ବୁଢ଼ା ବୁଢ଼ୀ ହେବ ସେତେବେଳେ ମୁଁ ଲେଖିଦେବି l " ପୁଣି ସୁମି ପଚାରିଲା, "ତୁମେ କଣ ଏତେ ବର୍ଷ ବଞ୍ଚିବ?" ପରୀ ଜଣକ ଲେଖା ବନ୍ଦ କରି ସୁମିକୁ ଚାହିଁ କହିଲେ, " ତୁ ଏ ସବୁ କଥାରେ ଜମା ମୁଣ୍ଡ ପୁରାନି l ପାଠ ପଢ଼ାରେ ମନ ଦେ l ଖେଳ କସରତ ପହଁରା ଶିଖ୍, ସବୁଦିନେ ରାତିରେ ଶୋଇବା ଆଗରୁ ଗାଈ କ୍ଷୀର ପି, ସକାଳୁ ଉଠି ଗଜାବୁଟ ମୁଗ ସିଝା ଅଣ୍ଡା ଖା l ତାକତ ବଢ଼ିବ l ପାଠ ସାଙ୍ଗକୁ ଶାଠ ଶିଖ୍ l ନହେଲେ ଆଜିକାଲି ଦୁନିଆଁରେ ହାରିଯିବୁ l ଛୋଟ ବେଳୁ ଅଭ୍ୟାସ କଲେ ବଡ଼ ବେଳେ ଆରାମ ଲାଗିବ l ତୁ ଆଜି ଛୋଟ ପିଲା l କାଲି ବଡ଼ ହେବୁ l କେତେ ଲୋକଙ୍କ ସାଙ୍ଗରେ ମିଶିବୁ l ସବୁ ଲୋକ ସମାନ ନୁହନ୍ତି l ସେମାନଙ୍କ ଭିତରେ ବଦମାସ ଲୋକ ବି ଅଛନ୍ତି l ତୁମ ବୟସର ଆଉ ତୁମଠାରୁ ବୟସ୍କା କୁମାରୀ ଝିଅମାନଙ୍କୁ ଚୋରି କରି ବା ଜବରଦସ୍ତି ଟେକି ନେଇ ଧନୀଲୋକଙ୍କୁ ବିକିଦେଉଛନ୍ତି ଆଉ ଖରାପ କାମରେ ଲଗାଉଛନ୍ତି l " କଥା ନ ସରୁଣୁ ସୁମି ଆହୁରି କୌତୁହଳରେ ପ୍ରଶ୍ନ କଲା," କି ଖରାପ କାମ " ପରୀ ମାଉସୀ ଟିକେ ଚିଡ଼ି ଯାଇ କହିଲେ, " ଅବିକା ତୋର ବୟସ ହୋଇନି ବଡ଼ ହେଲେ ସବୁ ଆପେ ଆପେ ଜାଣିବୁ l ତୋ ସାଙ୍ଗରେ କଥା କହି ମୋ ଲେଖା ବନ୍ଦ ହୋଇ ଗଲା l ଆଛା ଟିକେ କହୁଛି ଶୁଣ" l

   "ଆଜିକୁ ହଜାର ବର୍ଷ ପୂର୍ବେ ତୁମ ଦେଶର ଲୋକମାନଙ୍କର ଚରିତ୍ର ସ୍ଵଭାଵ ଖୁବ ଭଲ ଥିଲା l ଅନ୍ୟ ଦେଶର ଲୋକମାନେ ସେମାନଙ୍କୁ ଦେବତାଙ୍କ ପରି ସମ୍ମାନ କରୁଥିଲେ l କିନ୍ତୁ ବର୍ତ୍ତମାନ ସେମାନେ ଗୁଣ ଆଉ କାମରେ ପଶୁ ଠାରୁ ବି ହୀନ ପାଲଟି ଗଲେଣି l ଝିଅ ଓ ସ୍ତ୍ରୀଲୋକମାନଙ୍କୁ ଜୋତା ଭଳିଆ ଭାବୁଛନ୍ତି l ବେଳେ ବେଳେ ତୋ ପରି ପିଲାମାନଙ୍କୁ ଜୀବନରୁ ମାରି ଦେଉଛନ୍ତି l ମୋ ପରି ଅନେକ ପରୀ ଆଉ ଦେବଦୂତ ତୁମ ପୃଥିବୀ ଉପରେ ବୁଲି ବୁଲି ସମସ୍ତଙ୍କ ହାଲଚାଲ ଟିପି ନେଇ ମହାରାଜ ଇନ୍ଦ୍ରଙ୍କୁ ଦେବେ l ତାପରେ ସେ ଯମ ରାଜଙ୍କୁ ଦେବେ l ସେଇ ବଦମାସ ଲୋକଗୁଡ଼ାକ ମଲା ପରେ ଯମ ରାଜ ସେମାନଙ୍କୁ ଦଣ୍ଡ ଦେବେ l ଆମେ ସମସ୍ତେ ଦେବତା ମଣିଷ ନୁହଁ l ଆମେ କେବେ ମରି ପାରିବୁନି l ଆମେ ଯୁଗ ଶେଷ ହେଲେବି ଯୁବକ ଯୁବତୀ l କାହିଁକି ନା ଆମେ ଅମୃତ ତିଆରି ଅମର ଲଡ଼ୁ ଖାଇଛୁ l ଆମର ଭୋକଶୋଷ ନାହିଁ l "

   ସୁମି ପରୀ ମାଉସୀଙ୍କ କଥାକୁ ମନ ଧ୍ୟାନ ଦେଇ ଶୁଣୁଥାଏ l ମନରେ ତା'ର ଅସଂଖ୍ୟ ପ୍ରଶ୍ନ l ତଥାପି ନିଜର ପିଲା ମନରେ କହିଲା, " ମାଉସୀ ସ୍ୱର୍ଗ ରାଜ୍ୟ ବୁଲି ଯିବାକୁ ମୋର ଭାରି ମନ ହେଲାଣି l ମୋତେ ତୁମ ସାଙ୍ଗରେ ନେଇ ଯାଅ l " ନାଇଁ ସୁମି ମଣିଷମାନଙ୍କ ପାଇଁ ସେଠାକୁ ଯିବା ମନା l କେବଳ ମଲାପରେ ସେମାନଙ୍କ ଆତ୍ମା ଯିବ l ରାତି ବେଶୀ ହେଲାଣି ମୁଁ ଯାଉଛି" କହି ପରୀମାଉସୀ ଡେଣା ଫଡ଼ ଫଡ଼ କଲେ l ସୁମି ନିଜକୁ ସମ୍ଭାଳି ପାରିଲାନି, କାନ୍ଦି କାନ୍ଦି ମାଉସୀଙ୍କ ପାଦକୁ ଜାବୁଡ଼ି ଧରିଲା, କାରଣ ସେ ତାଙ୍କୁ ନିଜର ମାଉସୀ ପରି ଭାବି ନେଇଥିଲା l ସୁମିର କଇଁ କଇଁ କାନ୍ଦ ଓ ପରୀମାଉସୀ ମୋତେ ନେଇଯା ନେଇଯା ରଡ଼ିରେ ଆଈଙ୍କ ନିଦ ଭାଙ୍ଗି ଗଲା l " ଉଠିଯା ସୁମି l ଯା ମୁତିଆ, ଶୀତ ରାତିରେ ବେଶୀ ମୁତ ମାଡ଼େ, ଆଉ ମୁତ ପେଟରେ ରହିଲେ ପିଲାମାନେ ଖରାପ ସ୍ୱପ୍ନ ଦେଖନ୍ତି l ଯା ମୁତି ସାରି ଆଖିରେ ପାଣି ଛାଟି ଦେ l ଉପର ପଙ୍ଖା ସୁଇଚ ମାରିଦେ l ଟିକେ ବୁଲୁ ଭଲ ଲାଗିବ"l ଆଈ କଥା ସୁମି ମାନିଲା l ଆଈ ନାତୁଣୀ ଗାମୁଛାରେ ପୋଛି ପାଛି ହେଇ କମଳ ତଳେ ପଶି କୁଣ୍ଢା କୁଣ୍ଢି ହୋଇ ଶୋଇଗଲେ l ସୁମି ତାର ସ୍ୱପ୍ନର ପରୀ ମାଉସୀ କଥା ଫୁସ ଫୁସ କରି ଆଈ କାନରେ ବଖାଣିବାକୁ ଲାଗିଲା l ଜିରୋ ପାୱାର ବଲ ଜଳୁଥାଏ ଆଉ ପଙ୍ଖା ପବନରେ ନାଇଲନ ମଶାରୀ ଦୋହଲୁ ଥାଏ l କମଳ ଭିତରୁ ଆଈମାଆଙ୍କର ପାକୁଆ ପାଟିର ହୁଁ ହୁଁ ଶବ୍ଦ ଶୁଭୁଥାଏ l

       


    

    

    

     

     



Rate this content
Log in