ପ୍ରାଚୀନଗ୍ରନ୍ଥରେ ଲିଙ୍ଗପରିବର୍ତ୍ତନ ଓ ଉଭୟଲିଙ୍ଗୀ ଚରିତ୍ର
ପ୍ରାଚୀନଗ୍ରନ୍ଥରେ ଲିଙ୍ଗପରିବର୍ତ୍ତନ ଓ ଉଭୟଲିଙ୍ଗୀ ଚରିତ୍ର


ପୁରାଣ ଓ ପ୍ରାଚୀନ ଗ୍ରନ୍ଥରେ ଲିଙ୍ଗ ପରିବର୍ତ୍ତନ, ପର ଲିଙ୍ଗୀ, ଉଭୟ ଲିଙ୍ଗୀ, ତୃତୀୟ ଲିଙ୍ଗୀ ଓ ସମଲିଙ୍ଗୀ ଯୌନ ବାବଦରେ ବହୁ ରୋଚକ ତଥ୍ୟ ଦେଖିବାକୁ ମିଳେ । କେତେକ ରାଜାଙ୍କର ଲିଙ୍ଗ ପରିବର୍ତ୍ତନ ହୋଇ, ନାରୀ ହିସାବରେ ଗର୍ଭବତୀ ହୋଇ ସନ୍ତାନ ଜନ୍ମ ହୋଇଥିବାର ବର୍ଣ୍ଣନା ଅଛି । କେତେକ ସମ୍ରାଟ ଶାପଗ୍ରସ୍ତ ହୋଇ ଲିଙ୍ଗ ପରିବର୍ତ୍ତନ ହୋଇଯିବାର ଦୃଷ୍ଟାନ୍ତ ମିଳେ । ଆଉ କେତେକ ପୂର୍ବ ଜନ୍ମର ଶତ୍ରୁକୁ ହତ୍ୟା କରିବା ଉଦ୍ଦେଶ୍ୟରେ ପରବର୍ତ୍ତୀ ଜନ୍ମରେ ତୃତୀୟ ଲିଙ୍ଗୀ ହିସାବରେ ଜନ୍ମ ନେଇଛନ୍ତି । ସମଲିଙ୍ଗୀ ପ୍ରେମରେ ଅନ୍ଧ ହୋଇ କେତେକ ଲିଙ୍ଗ ପରିବର୍ତ୍ତନ କରିଛନ୍ତି । ଆଉ କେତେକ ଉଭୟ ଲିଙ୍ଗୀ ହୋଇ, ନିଜ ସନ୍ତାନର ଉଭୟ ମାତା ଓ ପିତା ରୂପେ ଜୀବନ ବିତାଇଛନ୍ତି । ସମଲିଙ୍ଗୀ ଯୌନକ୍ରିଡାରୁ ସନ୍ତାନ ଉତ୍ପର୍ଣ୍ଣ ହେବାର ତଥ୍ୟ ମଧ୍ୟ ଦେଖିବାକୁ ମିଳେ । ଏହିପରି ବହୁତ ଅବିଶ୍ୱାସନୀୟ ରୋଚକ ତଥ୍ୟ ପୁରାଣ ଓ ପ୍ରାଚୀନ ଗ୍ରନ୍ଥରେ ଦେଖିବାକୁ ମିଳେ । ସେଥିମଧ୍ୟରୁ କେତେକ ପ୍ରମୁଖ କାହାଣୀ ମାନଙ୍କର ସମ୍ୟକ ବିବରଣୀକୁ ଏକତ୍ର ସଂକଳନ କରିବା ଉଦ୍ଦେଶ୍ୟରେ ଏହି ଲେଖା । ପୌରାଣିକ ତଥ୍ୟ ସମ୍ମିଳିତ ପ୍ରାଚୀନ ଗ୍ରନ୍ଥର ଏହି ରୋଚକ କାହାଣୀ ଗୁଡିକ ପାଠକଙ୍କୁ ନିଶ୍ଚିତ ଆନନ୍ଦ ପ୍ରଦାନ କରିବ ।
୧. ସୁଦ୍ୟୁମ୍ନ ଓ ଇଲା :- ବୈବସ୍ୱତ ମନୁ (ଶ୍ରାଦ୍ଧଦେବ) ଦୀର୍ଘଦିନ ଧରି ଅପୁତ୍ରିକ ଥିଲେ । ତେଣୁ ସେ ଋଷି ବଶିଷ୍ଠଙ୍କୁ ଏକ ପୁତ୍ରେଷ୍ଟି ଯଜ୍ଞ କରିବାକୁ ଅନୁରୋଧ କଲେ । ଋଷି ବଶିଷ୍ଠ ରାଜାଙ୍କର ପୁତ୍ରଲାଭ ନିମନ୍ତେ ମିତ୍ର ଓ ବରୁଣଙ୍କୁ ସନ୍ତୁଷ୍ଟ କରିବା ଉଦ୍ଦେଶ୍ୟରେ ଏକ ଯଜ୍ଞର ଆୟୋଜନ କଲେ । କିନ୍ତୁ, ମନୁଙ୍କ ସ୍ତ୍ରୀ 'ଶ୍ରଦ୍ଧା' , ପୁତ୍ର ବଦଳରେ କନ୍ୟା ସନ୍ତାନଟିଏ ଚାହୁଁଥିଲେ । ତେଣୁ ସେ ଗୁପ୍ତରେ ଏ ବାବଦରେ ଯାଜ୍ଞିକ ହୋତାଙ୍କୁ କହିଲେ । ରାଣୀଙ୍କ ଅନୁରୋଧ ରକ୍ଷା କରିବାକୁ ଯାଇ ୠତ୍ଵିକ ହୋତା ଯଜ୍ଞର ପୂର୍ଣ୍ଣାହୁତି ଦେଲା ବେଳେ, ମନ୍ତ୍ରର ଉଚ୍ଚାରଣ ବଦଳାଇଦେଲେ । ଯଦ୍ୱାରା ରାଣୀ 'ଇଲା' ନାମ୍ନୀ କନ୍ୟା ପ୍ରାପ୍ତ ହେଲେ ।
ବୈଦିକ ମନ୍ତ୍ରର ଏହି ବିପରୀତ ପରିଣାମ ଦେଖି ରାଜା ମନୁ ବିବ୍ରତ ହୋଇ ଏହି ବାବଦରେ ଋଷି ବଶିଷ୍ଠଙ୍କୁ କହିଲେ । ଋଷି ବଶିଷ୍ଠ ଧ୍ୟାନ ଦ୍ୱାରା ଋତ୍ଵିକ ହୋତାର ଷଡଯନ୍ତ୍ର ବାବଦରେ ଜାଣି ପାରିଲେ । ରାଜାଙ୍କ ଅନୁରୋଧ କ୍ରମେ, ବଶିଷ୍ଠ ପୁନଶ୍ଚ ବିଷ୍ଣୁଙ୍କୁ ଆରାଧନା କରି କନ୍ୟା ଶିଶୁ 'ଇଲା'ଙ୍କ ଲିଙ୍ଗ ପରିବର୍ତ୍ତନ କରି ଏକ ସୁନ୍ଦର ରାଜକୁମାର 'ସୁଦ୍ୟୁମ୍ନ'ରେ ପରିଣତ କରିଦେଲେ ।
କାଳକ୍ରମେ ସୁଦ୍ୟୁମ୍ନ ବଡ଼ ହୋଇ ରାଜକୁମାର ହେଲେ । ଦିନେ ରାଜକୁମାର ସୁଦ୍ୟୁମ୍ନ ନିଜ ପାତ୍ରମନ୍ତ୍ରୀଙ୍କ ସହ ମୃଗୟା ଉଦ୍ଦେଶ୍ୟରେ ଅରଣ୍ୟକୁ ଯାଇଥିଲେ । ଏକ ମୃଗଣୀର ପାଶ୍ଚାତ୍ ଧାବନ କରିବାକୁ ଯାଇ ଯୁବରାଜ ମେରୁ ପର୍ବତ ନିକଟସ୍ଥ ସୁକୁମାର ଜଙ୍ଗଲରେ ପ୍ରବେଶ କରିଗଲେ। ସେଇ ଜଙ୍ଗଲରେ ମହାଦେବ, ପାର୍ବତୀଙ୍କ ସହ ପ୍ରଣୟରେ ଲିପ୍ତ ରହିଥିବାରୁ, ତାଙ୍କ ଆଦେଶ ବଳରେ ବୃକ୍ଷଲତା ଠାରୁ ଆରମ୍ଭ କରି ସମସ୍ତ ଜୀବଜନ୍ତୁ ନାରୀ ରୂପଧାରୀ ଥିଲେ । ତେଣୁ ସେଇ ଜଙ୍ଗଲରେ ପ୍ରବେଶ ମାତ୍ରକେ , ସୁଦ୍ୟୁମ୍ନଙ୍କ ସହ ତାଙ୍କର ସମସ୍ତ ପାତ୍ରମନ୍ତ୍ରୀ ନାରୀ ରୂପରେ ରୂପାନ୍ତରିତ ହୋଇଗଲେ ।
ନିଜକୁ ନାରୀ ରୂପେ ଦେଖି ସୁଦ୍ୟୁମ୍ନ ହତଚକିତ ହୋଇଗଲେ । ଜନ୍ମ ସମୟର ଇଲାଙ୍କ ଶରୀର ବର୍ତ୍ତମାନ ପୁନଶ୍ଚ ଫେରିଆସିଲା ସୁଦ୍ୟୁମ୍ନଙ୍କ ଦେହକୁ । ପୁନଶ୍ଚ ଲିଙ୍ଗ ପରିବର୍ତ୍ତନ ପରେ, ସେ ଏକ ଅତ୍ୟନ୍ତ ସୁନ୍ଦରୀ ରମଣୀରେ ପରିବର୍ତ୍ତନ ହୋଇ ସାରିଥିଲେ । ତାଙ୍କର ରୂପ ଲାବଣ୍ୟରେ ମୋହିତ ହୋଇ ଚନ୍ଦ୍ରଙ୍କ ପୁତ୍ର 'ବୁଧ' ତାଙ୍କୁ ପ୍ରଣୟ ନିବେଦନ କଲେ । ଅନ୍ୟନୋପାୟ ହୋଇ ସୁଦ୍ୟୁମ୍ନରୁ ପରିବର୍ତ୍ତିତ ହୋଇଥିବା ଇଲା, ବୁଧଙ୍କ ପ୍ରେମ ନିବେଦନକୁ ଗ୍ରହଣ କଲେ । ବୁଧଙ୍କ ଔରସରୁ ଇଲାଙ୍କ ଗର୍ଭରୁ 'ପୁରୁରବା' ନାମ୍ନୀ ପୁତ୍ର ଜନ୍ମ ନେଲା । ଏହି ପୁରୁରବା ଥିଲେ ଚନ୍ଦ୍ର ବଂଶର ପ୍ରଥମ ରାଜା ଏବଂ ପାଣ୍ଡଵ ଓ କୌରଵ ମାନଙ୍କ ପୂର୍ବଜ ।
ଚନ୍ଦ୍ର ପୁତ୍ର ବୁଧଙ୍କ ଜନ୍ମ ବାବଦରେ ମଧ୍ୟ ଏକ ସୁନ୍ଦର କାହାଣୀ ଅଛି । କୁହାଯାଏ 'ତାରା' ଦେବଗୁରୁ ବୃହସ୍ପତିଙ୍କ ପତ୍ନୀ ଥିଲେ । ଚନ୍ଦ୍ର , ନିଜ ଗୁରୁ ପତ୍ନୀଙ୍କ ପ୍ରେମରେ ଅନ୍ଧ ହୋଇ ତାଙ୍କୁ ଅପହରଣ କରିନେଇଥିଲେ । ବୃହସ୍ପତି ସେଥିପାଇଁ ଚନ୍ଦ୍ରଙ୍କ ସହ ଯୁଦ୍ଧ କରିବାକୁ ପ୍ରସ୍ତୁତ ହେଲେ। ଶେଷରେ ବ୍ରହ୍ମା ସେମାନଙ୍କ କଳହରେ ମଧ୍ୟସ୍ଥତା କରି ଚନ୍ଦ୍ରଙ୍କ ଠାରୁ ତାରାଙ୍କୁ ଆଣି ଦେଵଗୁରୁଙ୍କୁ ପ୍ରଦାନ କଲେ । ସେହି ସମୟରେ ତାରା ଗର୍ଭବତୀ ଥିଲେ ଓ କିଛି ଦିନ ପରେ ଏକ ପୁତ୍ର ସନ୍ତାନ ଜନ୍ମ କଲେ ଏବଂ ଏହା ଚନ୍ଦ୍ରଙ୍କ ଔରସରୁ ଜନ୍ମ ନେଇଅଛି ବୋଲି ସ୍ୱୀକାର କଲେ । ଚନ୍ଦ୍ର ସେଇ ବୁଧ ନାମଧାରୀ ଶିଶୁକୁ ନିଜର ପୁତ୍ର ରୂପେ ଗ୍ରହଣ କରିଥିଲେ ।
ଏପଟେ , ସୁଦ୍ୟୁମ୍ନଙ୍କ ଏହି ଦୟନୀୟ ଅବସ୍ଥା ଦେଖି ଗୁରୁ ବଶିଷ୍ଠ ଶିବଙ୍କୁ ଆରାଧନା କଲେ । ତାଙ୍କ ଆରାଧନାରେ ପ୍ରୀତ ହୋଇ ଶିବ କହିଲେ, - ସୁଦ୍ୟୁମ୍ନ ଏକ ମାସ ନାରୀ ହୋଇ ରହିବେ ଏବଂ ଏକ ମାସ ପୁରୁଷ ହୋଇ ରହିବେ । ତଦନୁଯାୟୀ ସୁଦ୍ୟୁମ୍ନ ପୁରୁଷ ହୋଇ ଉତ୍କଳ , ଗୟା ଓ ବିନୀତଶ୍ଵ ନାମରେ ତିନୋଟି ପୁତ୍ର ସନ୍ତାନ ଲାଭ କରିଥିଲେ । ଏବଂ ନାରୀ ରୂପରେ ଇଲା ହୋଇ, ପୁରୁରବା ନାମ୍ନୀ ପୁତ୍ର ସନ୍ତାନ ଲାଭ କରିଥିଲେ । ଲିଙ୍ଗ ପରିବର୍ତ୍ତନ ହୋଇ, ନରରୁ ନାରୀ ହୋଇ ସନ୍ତାନ ଉତ୍ପର୍ଣ୍ଣ କରିବାର ଏକ ଉଦାହରଣ ପ୍ରାଚୀନ ଗ୍ରଂଥରେ ଦେଖିବାକୁ ମିଳେ।
୨. ପୂରୁରବା ଓ ଉର୍ବଶୀ :- କାଳିଦାସଙ୍କ ନାଟକ 'ବିକ୍ରମୋର୍ବଶୀ'ରେ ପୁରୁରବା ଓ ଉର୍ବଶୀଙ୍କ ସମ୍ପର୍କକୁ ନେଇ ଏକ ସୁନ୍ଦର କାହାଣୀ ଅଛି । ବୃହସ୍ପତିଙ୍କ ସ୍ତ୍ରୀ ତାରାଙ୍କ ଗର୍ଭରୁ ବୁଧ ଜନ୍ମ ହୋଇଥିଲେ । ବୁଧଙ୍କର ବିବାହ ଇଲାଙ୍କ (ସୁଦ୍ୟୁମ୍ନଙ୍କ ନାରୀ ରୂପ ) ସହ ହୋଇଥିଲା ଏବଂ ଇଲାଙ୍କ ଗର୍ଭରୁ ପୁରୁରବା ଜନ୍ମ ନେଇଥିଲେ । ସୁଦ୍ୟୁମ୍ନଙ୍କ ରାଜ୍ୟତ୍ୟାଗ ପରେ, ଯୁବରାଜ ପୁରୁରବା ପ୍ରତିଷ୍ଠାନପୁରର ସିଂହାସନ ଆରୋହଣ କରିଥିଲେ। ଦେବତାଙ୍କ ଅଭିଶାପରୁ ସ୍ୱର୍ଗର ନର୍ତ୍ତକୀ ଉର୍ବଶୀ ଭୂଲୋକରେ ଜନ୍ମ ନେଇଥିଲେ । ପରମ ସୁନ୍ଦରୀ ଉର୍ବଶୀଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ତାଙ୍କୁ ବିବାହ କରିବାକୁ ପୂରୁରବା ଅନୁରୋଧ କଲେ । ଉର୍ବଶୀ ତିନୋଟି ସର୍ତ୍ତରେ ତାଙ୍କୁ ବିବାହ କରିବା ପାଇଁ କହିଲେ । ପ୍ରଥମ ସର୍ତ୍ତ - ପୁରୁରବାଙ୍କୁ ଉର୍ବଶୀ କେବେହେଲେ ନଗ୍ନ ଅବସ୍ଥାରେ ଦେଖିବେ ନାହିଁ । ଦ୍ଵିତୀୟ ସର୍ତ୍ତ - ଉର୍ବଶୀ କାମଶକ୍ତ ନହେଲେ ପୁରୁରବା ତାଙ୍କୁ ସଙ୍ଗମ କରିବେ ନାହିଁ । ତୃତୀୟ ସର୍ତ୍ତ - ଉର୍ବଶୀଙ୍କ ପଲଙ୍କ ପାଖରେ ସର୍ବଦା ଦୁଇଟି ମେଣ୍ଢା ବନ୍ଧା ହୋଇ ରହିବେ । ଉର୍ବଶୀଙ୍କ ସମସ୍ତ ସର୍ତ୍ତ ମାନିନେଇ ପୁରୁରବା ତାଙ୍କୁ ବିବାହ କରି ସୁନ୍ଦର ବୈବାହିକ ଜୀବନ ବିତାଇଲେ ।
ଦିନେ ରାତିରେ ଉର୍ବଶୀଙ୍କ ଶାପ ମୋଚନ ଲାଗି ଜଣେ ଗନ୍ଧର୍ବ ଆସି ରାଜା ଓ ଉର୍ବଶୀ ଶୋଇଥିବା ବେଳେ, ବନ୍ଧା ହୋଇଥିବା ମେଣ୍ଢା ଦୁଇଟିକୁ ଫିଟାଇ ନେଇଗଲେ । ରାଜା ନିଦରୁ ଉଠି ମେଣ୍ଢାକୁ ଆଣିବାକୁ ଗନ୍ଧର୍ବ ପଛରେ ଦୌଡିଲାବେଳେ, ଅସାଵଧାନତା ବଶତଃ ତାଙ୍କ ଦେହରୁ ବସ୍ତ୍ର ଖସିଗଲା । ପୁରୁରବା ସମ୍ପୂର୍ଣ୍ଣ ନଗ୍ନ ହୋଇଗଲେ । ସେତିକିବେଳେ ତାଙ୍କର ନଗ୍ନ ଶରୀର ଉର୍ବଶୀଙ୍କ ଦୃଷ୍ଟିଗୋଚର ହେଲା । ସର୍ତ୍ତ ଅନୁସାରେ, ଉର୍ବଶୀ ପୁରୁରବାଙ୍କୁ ଛାଡି ସ୍ୱର୍ଗକୁ ଚାଲିଗଲେ ।
ରାଜା ବହୁ ବିଳାପ କରି ଉର୍ବଶୀଙ୍କୁ ଖୋଜିଲେ । ଭ୍ରମଣ କରୁଥିଲା ବେଳେ ଦିନେ ରାଜା କୁରୁକ୍ଷେତ୍ର ନିକଟରେ ଉର୍ବଶୀଙ୍କୁ ଦେଖିଲେ। ଉର୍ବଶୀ ରାଜାଙ୍କ ଔରସରୁ ପୁତ୍ର ଲାଭ କରିଥିବାର ପ୍ରକାଶ କଲେ । ପୁରୁରବାଙ୍କ ଅନୁରୋଧ କ୍ରମେ ଉର୍ବଶୀ ରାଜାଙ୍କ ରାଜପ୍ରାସାଦରେ ଗୋଟିଏ ରାତ୍ରି ନିଜ ପୁତ୍ରସହ ବିତାଇ ପୁଣି ସ୍ୱର୍ଗକୁ ଫେରିଗଲେ । ମହାଭାରତର ଶାନ୍ତନୁ ଓ ଗଙ୍ଗାଙ୍କ ବିବାହ ପରି ପୁରୁରବା ଓ ଉର୍ବଶୀଙ୍କ 'ସର୍ତ୍ତମୂଳକ ବିବାହ' ପ୍ରଥା ପ୍ରାଚୀନ ଗ୍ରଂଥରେ ଦେଖିବାକୁ ମିଳେ ।
୩. ସ୍ଥୁଣାକର୍ଣ୍ଣ ଓ ଶିଖଣ୍ଡିନୀ :- ମହାଭାରତରେ ଶିଖଣ୍ଡୀଙ୍କୁ ନପୁଂସକ ଭାବରେ ଚିତ୍ରିତ କରା ଯାଇଅଛି । କଥିତ ଅଛି ଅପରାଜେୟ ପିତାମହ ଭୀଷ୍ମଙ୍କୁ ପରାସ୍ତ କରିବା ପାଇଁ ନପୁଂସକ ଶିଖଣ୍ଡୀଙ୍କୁ ସମ୍ମୁଖରେ ରଖି ଅର୍ଜୁନ ଯୁଦ୍ଧ କରିଥିଲେ । ନପୁଂସକ ଶିଖଣ୍ଡୀକୁ ଦେଖି ଭୀଷ୍ମ ଅସ୍ତ୍ରତ୍ୟାଗ କରିଦେଲେ ଏବଂ ସେହି ସୁଯୋଗରେ ଅର୍ଜୁନ ତାଙ୍କୁ ମହାଭାରତ ଯୁଦ୍ଧର ଦଶମ ଦିନ ଶରାଘାତ କରି ଆହତ କରିଦେଲେ । ପରେ ଶରଶଯ୍ୟାରେ ଶୋଇରହି ଯୁଦ୍ଧ ଶେଷ ହେଲାପରେ ଭୀଷ୍ମ ପ୍ରାଣତ୍ୟାଗ କରିଥିଲେ । ଏହିପରି ଶିଖଣ୍ଡୀ ଭୀଷ୍ମଙ୍କ ମୃତ୍ୟର ପ୍ରମୁଖ କାରଣ ହୋଇଥିଲେ ।
ମହାଭାରତ ଅନୁସାରେ ଅମ୍ବା ପୂର୍ବଜନ୍ମରେ କାଶୀ ରାଜାଙ୍କ ଦୁହିତା ଥିଲେ । ସେ ସୌଭ ଦେଶର ରାଜକୁମାର ଶଲ୍ଵଙ୍କୁ ପ୍ରେମ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ସ୍ଵୟମ୍ବର ସଭାରେ ଭୀଷ୍ମ ଅମ୍ବାଙ୍କ ସହ ତାଙ୍କ ଦୁଇ ଭଉଣୀ ଅମ୍ବିକା ଏବଂ ଅମ୍ବାଳିକଙ୍କୁ ଅପହରଣ କରି ନେଇଆସିଲେ। ଭୀଷ୍ମ ତାଙ୍କ ଭାଇ ବିଚିତ୍ରବୀର୍ଯ୍ୟଙ୍କ ସହ ସେମାନଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ , ଅମ୍ବା ପୂର୍ବରୁ ଶଲ୍ଵଙ୍କୁ ପ୍ରେମ କରୁଥିବାରୁ ଏହି ବିବାହରେ ରାଜି ହେଲେ ନାହିଁ । ତେଣୁ, ସେ ଭୀଷ୍ମଙ୍କୁ ବିବାହ କରିବାକୁ ଅନୁରୋଧ କଲେ । ଆଜନ୍ମ ବ୍ରହ୍ମଚାରୀ ରହିବାକୁ ପ୍ରତିଜ୍ଞା କରିଥିବା ଭୀଷ୍ମ, ତାଙ୍କର ନିବେଦନକୁ ପ୍ରତ୍ୟାଖାନ କଲେ । ତେଣୁ ସେ ପରବର୍ତ୍ତୀ ଜୀବନରେ ଭିଷ୍ମଙ୍କ ଏହି ଅନ୍ୟାୟ ପାଇଁ ତାଙ୍କ ଠାରୁ ପ୍ରତିଶୋଧ ନେବାପାଇଁ ସଂକଳ୍ପ କରି ଆତ୍ମହତ୍ୟା କରିଦେଲେ ।
ପରଜନ୍ମରେ ଅମ୍ବା , ଦ୍ରୁପୁଦ ରାଜାଙ୍କ କନ୍ୟା ସନ୍ତାନ ରୂପେ ଜନ୍ମ ନେଇଥିଲେ । ପାଞ୍ଚାଳ ରାଜ୍ୟର ରାଜା ଦ୍ରୁପୁଦ ପୁତ୍ରପ୍ରାପ୍ତି ନିମନ୍ତେ ଶିବଙ୍କୁ ଆରାଧନା କରୁଥିଲେ । ଶିବ ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ତାଙ୍କୁ ବର ଦେଇଥିଲେ ଯେ ତାଙ୍କର ଏକ କନ୍ୟା ସନ୍ତାନ ଜାତ ହେବ ଏବଂ ପରବର୍ତ୍ତୀ କାଳରେ ସେହି କନ୍ୟା, ଏକ ପୁତ୍ର ରୂପେ ରୂପାନ୍ତରିତ ହୋଇଯିବ । ରାଜା ଏହି କଥା ତାଙ୍କ ରାଣୀଙ୍କୁ କହିଲେ । ଯଥାସମୟରେ, ପୂର୍ବ ଜନ୍ମର ଅମ୍ବା, ଦ୍ରୁପୁଦ ରାଜାଙ୍କ ଔରସରୁ 'ଶିଖଣ୍ଡିନୀ' ନାମକ କନ୍ୟା ରୂପେ ଜନ୍ମ ନେଲେ । ଶିବଙ୍କ ଆଶ୍ରୀବାଦରୁ ପ୍ରାପ୍ତ କନ୍ୟା ଶିଖଣ୍ଡିନୀକୁ ରାଜା ଦ୍ରୁପୁଦ ପୁତ୍ର ରୂପରେ ପାଳନ କଲେ । ସର୍ବଦା ପୁରୁଷ ପୋଷାକ ପରିଧାନ କରୁଥିବା ତାଙ୍କ କନ୍ୟା ଏକ ଛାତ୍ର ହିସାବରେ ଦ୍ରୋଣଙ୍କ ଠାରୁ ମଧ୍ୟ ଧନୁର୍ବିଦ୍ୟା ପ୍ରାପ୍ତ କରିଥିଲେ ।
ପୁରୁଷ ରୂପୀ କନ୍ୟା ଶିଖଣ୍ଡିନୀକୁ , ରାଜା ଦ୍ରୁପୁଦ ଦଶର୍ଣ୍ଣୀ ରାଜ୍ୟର ରାଜା ହିରଣ୍ୟବର୍ମନଙ୍କ କନ୍ୟା ହିରଣ୍ୟବର୍ଣ୍ଣୀଙ୍କ ସହିତ ବିବାହ କରାଇଦେଲେ । ବିବାହ ପରେ କନ୍ୟା ଜାଣିପାରିଲା ତାଙ୍କ ସ୍ୱାମୀ ଜଣେ ପୁରୁଷ ନୁହେଁ ନାରୀ । ଏହି କଥା ରାଜା ହିରଣ୍ୟବର୍ମନଙ୍କ କର୍ଣ୍ଣଗୋଚର ହେଲା । ରାଜା ଦ୍ରୁପୁଦଙ୍କ ଦ୍ୱାରା କରା ଯାଇଥିବା ଏହି ଅପମାନର ପ୍ରତିଶୋଧ ନେବା ପାଇଁ ପାଞ୍ଚାଳ ଦେଶ ଆକ୍ରମଣ କରିବାକୁ ବାହାରିଲେ । ତେଣୁ, ଦୁଃଖ ଓ ଭୟଭୀତ ହୋଇ ଶିଖଣ୍ଡିନୀ ନିକଟସ୍ଥ ଅରଣ୍ୟକୁ ଚାଲିଗଲେ ।
ପାଞ୍ଚାଳ ରାଜ୍ୟର ସୀମାରେ ଅବସ୍ଥିତ ଅରଣ୍ୟରେ ସ୍ଥୁଣାକର୍ଣ୍ଣ ନାମକ ଯକ୍ଷ ରହୁଥିଲେ । ସେ ଶିଖଣ୍ଡିନୀକୁ ଅରଣ୍ୟରେ ରୋଦନ କରୁଥିବାର ଦେଖିଲେ । ତାଙ୍କ ବାବଦରେ ସବୁ କଥା ଜାଣିଲା ପରେ , ଯକ୍ଷ ତାଙ୍କ ପ୍ରାର୍ଥନାରେ ସନ୍ତୁଷ୍ଟ ହୋଇ ନିଜର ପୌରଷତ୍ୱ ଶିଖଣ୍ଡିନୀକୁ ପ୍ରଦାନ କରି ତାଙ୍କ ଠାରୁ ନାରୀତ୍ୱ ଗ୍ରହଣ କଲେ । ଏହାପରେ ଶିଖଣ୍ଡିନୀ ପୁରୁଷ ରୂପ ପାଇ ଶିଖଣ୍ଡୀରେ ପରିଣତ ହୋଇଗଲେ । ରାଜ୍ୟକୁ ଫେରି ସେ ନିଜର ପୌରଷତ୍ୱର ପ୍ରମାଣ ରାଜା ହିରଣ୍ୟବର୍ମନଙ୍କ ବୈଦ୍ୟ ଆଗରେ ଦେଲେ , ଯଦ୍ୱାରା ତାଙ୍କର ପୁନର୍ବାର ବୈବାହିକ ଜୀବନ ଶାନ୍ତିପୂର୍ଣ୍ଣ ଭାବରେ ଆରମ୍ଭ ହେଲା । ସମୟକ୍ରମେ, ତାଙ୍କ ଔରସରୁ କ୍ଷାତ୍ରଦେବ ନାମକ ପୁତ୍ର ଜନ୍ମ ନେଇଥିଲା । ଦ୍ରୌପଦୀଙ୍କ ଭ୍ରାତା ଶିଖଣ୍ଡୀ ମହାଭାରତରେ ପାଣ୍ଡଵ ମାନଙ୍କ ସପକ୍ଷରେ ଯୁଦ୍ଧ କରି ଅଶ୍ଵତଥାମାଙ୍କ ଦ୍ୱାରା ନିହତ ହୋଇଥିଲେ । ପ୍ରାଚୀନ ଶାସ୍ତ୍ରରେ ବର୍ଣ୍ଣିତ, ଲିଙ୍ଗ ପରିବର୍ତ୍ତନର ଏହା ଅନ୍ୟ ଏକ ରୋଚକ ଉଦାହରଣ ।
୪. ସୋମବତ ଓ ସୁମେଧ :- ଯକ୍ଷ ସ୍ଥୁଣାକର୍ଣ୍ଣ ଶିଖଣ୍ଡୀଙ୍କୁ ପୌରଷତ୍ୱ ପ୍ରଦାନ କରି ସାରିଲା ପରେ ଏକ ନାରୀ ରୂପେ ଜୀବନ ନିର୍ବାହ କଲେ। ଦିନେ ଯକ୍ଷରାଜା କୁବେର, ସ୍ଥୁଣାକର୍ଣ୍ଣଙ୍କ ରାଜ୍ୟକୁ ଆସିଥିଲେ । ନାରୀ ରୂପ ପାଇ ସାରିଥିବାରୁ ସ୍ଥୁଣାକର୍ଣ୍ଣ, କୁବେରଙ୍କୁ ଲଜ୍ଜା ପରବଶ ହୋଇ ସାକ୍ଷାତ କଲେ ନାହିଁ । ଏ ବାବଦରେ କୁବେର ଜାଣିପାରି କ୍ରୋଧାନ୍ୱିତ ହୋଇ ଅଭିଶାପ ଦେଲେ , ସ୍ଥୁଣାକର୍ଣ୍ଣ ମୃତ୍ୟୁ ପର୍ଯ୍ୟନ୍ତ ନାରୀ ହୋଇ ରହିବେ । ପରେ ସ୍ଥୁଣାକର୍ଣ୍ଣଙ୍କ ପ୍ରାର୍ଥନାରେ ସେ କହିଲେ , ଯଦି କୌଣସି ପୁରୁଷ ସ୍ୱଇଚ୍ଛାରେ ନିଜର ପୌରଷତ୍ୱ ପ୍ରଦାନ କରି ତାଙ୍କର ନାରୀତ୍ୱ ନେବାକୁ ଇଛା ପ୍ରକାଶ କରିବ, ତେବେ ସେ ତାଙ୍କର ପୁରୁଷତ୍ୱ ଫେରି ପାଇବେ ।
ବିଦର୍ଭ ରାଜ୍ୟ ନିକଟବର୍ତ୍ତୀ ତାରିଣୀପୁର ନଗରରେ ସୁମେଧ ଏବଂ ସୋମବତ ନାମକ ଦୁଇଜଣ ସମବୟସ୍କ ପୁରୁଷ ପରସ୍ପରକୁ ବହୁତ ଭଲ ପାଉଥିଲେ । ପିଲାଟି ଦିନରୁ ପିତାମାତାଙ୍କୁ ହରାଇ ଉଭୟେ ଅନାଥ ହୋଇଥିଲେ । ରାଜା ଯୁବନାଶ୍ୱ ଓ ରାଣୀ ସୀମନ୍ତିନୀଙ୍କ ଠାରୁ ଗୋଦାନ ଗ୍ରହଣ କରିବା ନିମନ୍ତେ ସେମାନେ ଛଦ୍ମ ବେଶରେ ଏକ ଯୁଗଳ ବ୍ରାହ୍ମଣ ଦମ୍ପତି ବେଶରେ ଯାଇଥିଲେ। କିନ୍ତୁ, ରାଜ୍ୟର ଦଣ୍ଡନାୟକଙ୍କ ଦ୍ୱାରା ତାଙ୍କ ଛଦ୍ମଵେଶ ଧରା ପଡିଗଲା । ସେମାନଙ୍କୁ ବନ୍ଦୀ କରାଯାଇ ବିଚାର ପାଇଁ ନିଆଗଲା । ନାରୀ ବେଶ ସାଜିଥିବା ସୋମବତ, ସୁମେଧଙ୍କୁ କହିଲେ ମୁଁ ଯଦି ପ୍ରକୃତରେ ଜଣେ ନାରୀ ହୋଇଯାନ୍ତି , ତେବେ ମୁଁ ତୁମକୁ ବିବାହ କରିଥାନ୍ତି ଓ ଆମେ ଏହି ରାଜଦଣ୍ଡରୁ ମୁକ୍ତି ପାଇଯାଆନ୍ତେ। ସୋମବତଙ୍କ ନାରୀ ହେବାପାଇଁ କାମନାକୁ ଲକ୍ଷ୍ୟ କରି ସ୍ଥୁଣାକର୍ଣ୍ଣ ତାଙ୍କ ନିକଟରେ ଉପସ୍ଥିତ ହେଲେ । ସୋମବତ ନିଜର ପୁରୁଷତ୍ୱ ସ୍ଥୁଣାକର୍ଣ୍ଣଙ୍କୁ ପ୍ରଦାନ କରିବାକୁ ସମ୍ମତି ପ୍ରଦାନ କଲେ । ଏହାପରେ ସ୍ଥୁଣାକର୍ଣ୍ଣ ନିଜର ନାରୀତ୍ୱ ସୋମବତଙ୍କୁ ପ୍ରଦାନ କରି ନିଜର ପୁରୁଷ ରୂପ ଫେରି ପାଇଲେ । ଏବଂ ନାରୀ ରୂପ ଗ୍ରହଣ କରି ସୋମବତ ନିଜକୁ ସୋମବତୀ ରୂପେ ପରିଚୟ ଦେଲେ । ସୋମବତୀ ଓ ସୁମେଧ ଏକ ଦମ୍ପତି ଭାବରେ ରାଜଦଣ୍ଡରୁ ମୁକ୍ତି ପାଇଗଲେ ଏବଂ ଉଭୟେ ପରସ୍ପରକୁ ବିବାହ କଲେ । ଏହା ମଧ୍ୟ ଲିଙ୍ଗ ପରିବର୍ତ୍ତନ ହୋଇଥିବାର ଆଉ ଏକ ଉଦାହରଣ ।
୫. ଉଭୟଲିଙ୍ଗୀ ଭଙ୍ଗସ୍ୱଣ :- ମହାଭାରତର ଅନୁଶାସନ ପର୍ବରେ ଯେତେବେଳେ ଯୁଧିଷ୍ଠିର , ଭୀଷ୍ମଙ୍କୁ ପ୍ରଶ୍ନ କଲେ - ରତିକ୍ରିଡାରେ କିଏ ଅଧିକ ଆନନ୍ଦ ପାଏ ? - ପୁରୁଷ ନା ସ୍ତ୍ରୀ ? ଉତ୍ତରରେ ଭୀଷ୍ମ , ସ୍ତ୍ରୀ କାମକ୍ରୀଡାରେ ଅଧିକ ସୁଖ ପାଏ ବୋଲି କହିବା ସଂଗେ ସଂଗେ ଯୁଧିଷ୍ଟିରଙ୍କ ଶଙ୍କା ଦୂର କରିବା ପାଇଁ ରାଜା ଭଙ୍ଗସ୍ୱଣଙ୍କ କଥା କହିଛନ୍ତି । ପ୍ରାଚୀନ କାଳରେ ଭଙ୍ଗସ୍ୱଣ ନାମ୍ନୀ ଜଣେ ଧାର୍ମିକ ରାଜା ଥିଲେ । ପୁତ୍ରପ୍ରାପ୍ତି ନିମନ୍ତେ ସେ ଥରେ ଅଗ୍ନିସ୍ତୁତ ଯଜ୍ଞ କରିଥିଲେ, ଯେଉଁଥିରେ ସେ ଦେବରାଜ ଇନ୍ଦ୍ରଙ୍କୁ ଆହୁତି ପ୍ରଦାନ କରିନଥିଲେ । ଏଥିପାଇଁ ଇନ୍ଦ୍ର ତାଙ୍କ ଉପରେ କ୍ରୋଧିତ ହେଲେ ଏବଂ ତାଙ୍କୁ ଦଣ୍ଡିତ କରିବାକୁ ଯୋଜନା କଲେ । ଯଜ୍ଞ ପରେ ରାଜା ଭଙ୍ଗସ୍ୱଣ ଶତପୁତ୍ରର ଜନକ ହେଲେ ।
ଦିନେ ରାଜା ଭଙ୍ଗସ୍ୱଣ ଶିକାରକୁ ଯାଇଥିଲେ । ଶିକାର ଉଦ୍ଦେଶ୍ୟରେ ଏଣେ ତେଣେ ବୁଲୁବୁଲୁ ରାଜା ତୃଷିତ ହୋଇଗଲେ । ଅରଣ୍ୟ ମଧ୍ୟରେ ଏକ ପୁଷ୍କରଣୀ ଦେଖି ରାଜା ତୃଷା ମେଣ୍ଟାଇବା ସହିତ ସ୍ନାନ କରିବା ଉଦ୍ଦେଶ୍ୟରେ ପୁଷ୍କରଣୀ ମଧ୍ୟକୁ ପ୍ରବେଶ କଲେ । ସ୍ନାନ କରିବା ପରେ ରାଜା ନିଜକୁ ଏକ ନାରୀ ରୂପରେ ପରିବର୍ତ୍ତନ ହୋଇଯିବାର ଦେଖି ଆଶ୍ଚର୍ଯ୍ୟାନ୍ଵିତ ହୋଇଗଲେ । ଦୁଃଖରେ ରାଜା ନିଜ ପୁତ୍ର ମାନଙ୍କୁ ଡାକି ସେମାନଙ୍କୁ ରାଜ୍ୟଭାର ଅର୍ପଣ କରି ଜଙ୍ଗଲକୁ ଫେରିଗଲେ ।
ପୁରୁଷରୁ ସ୍ତ୍ରୀ ହୋଇଥିବା ରାଜା ଭଙ୍ଗସ୍ୱଣ ପରେ ଅରଣ୍ୟରେ ବସବାସ କରୁଥିବା ଜଣେ ଋଷିଙ୍କୁ ବିବାହ କଲେ ଏବଂ ଋଷିଙ୍କ ଔରସରୁ ଶତପୁତ୍ରର ମାତା ହେଲେ । ଏପଟେ ପୁରୁଣା କ୍ରୋଧର ପ୍ରତିଶୋଧ ନେବାକୁ ଯାଇ ଦେବରାଜ ଇନ୍ଦ୍ର ରାଜାଙ୍କ ପୁତ୍ର ଓ ଋଷିଙ୍କ ପୁତ୍ର ମଧ୍ୟରେ କଳହ ସୃଷ୍ଟି କରାଇଦେଲେ । ପରେ ପରେ କଳହରୁ ଯୁଦ୍ଧର ସୂତ୍ରପାତ ହେଲା ଓ ଉଭୟ ପକ୍ଷର ସମସ୍ତ ପୁତ୍ର ମୃତ୍ୟୁ ଲାଭ କଲେ । ଏଥିରେ ନାରୀ ରୂପଧାରୀ ରାଜା ଭଙ୍ଗସ୍ୱଣ ବିକଳ କ୍ରନ୍ଦନ କଲେ ।
ସେହି ସମୟରେ ଇନ୍ଦ୍ର ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ, ରାଜା ତାଙ୍କୁ ଆହୁତି ଦେଇ ନଥିବାରୁ ଏହି ଦଣ୍ଡ ଭୋଗ କରୁଥିବାର କହିଲେ । ବ୍ୟଥିତ ମନରେ ରାଜା ଭଙ୍ଗସ୍ୱଣ, ଇନ୍ଦ୍ରଙ୍କ ସମ୍ମୁଖରେ ନତଜାନୁ ପୂର୍ବକ ନିଜର ଭୁଲ୍ ସ୍ୱୀକାର କଲେ । ଏହାପରେ ଇନ୍ଦ୍ର ପ୍ରୀତ ହୋଇ ରାଜାଙ୍କୁ ତାଙ୍କର ପୁରୁଷ ଅବସ୍ଥାରେ ଜନ୍ମ ହୋଇଥିବା ଶତପୁତ୍ରଙ୍କୁ ପୁନଶ୍ଚ ଜୀବନଦାନ କରେଇଦେବା ପାଇଁ କହିଲେ । କିନ୍ତୁ ରାଜା ଭଙ୍ଗସ୍ୱଣ ଇନ୍ଦ୍ରଙ୍କ ପ୍ରସ୍ତାବକୁ ପ୍ରତ୍ୟାଖାନ କରି, ସେ ନାରୀ ଅବସ୍ଥାରେ ଲାଭ କରିଥିବା ଶତପୁତ୍ରଙ୍କ ଜୀବନଦାନ କରିବାକୁ ନିବେଦନ କଲେ । ସେ କହିଲେ, ମାତା ହିସାବରେ ପୁତ୍ରମାନଙ୍କ ଠାରୁ ଲାଭ କରିଥିବା ସ୍ନେହ , ପିତା ହିସାବରେ ଲାଭ କରିଥିବା ସ୍ନେହ ଠାରୁ ଅଧିକ ଅଟେ । ତାଙ୍କ ଅନୁରୋଧ କ୍ରମେ ଇନ୍ଦ୍ର ଭଙ୍ଗସ୍ୱଣଙ୍କ ନାରୀତ୍ୱ ସମୟରେ ଲାଭ କରିଥିବା ସମସ୍ତ ପୁତ୍ରଙ୍କୁ ପୁନର୍ଜୀବିତ କରିଦେଲେ ।
ଏହାପରେ ଇନ୍ଦ୍ର ରାଜାଙ୍କୁ ପ୍ରଶ୍ନ କଲେ, ସେ ପୁନଶ୍ଚ ତାଙ୍କର ପୁରୁଷତ୍ୱ ଲାଭ କରିବାକୁ ଚାହାନ୍ତି କି ? ଉତ୍ତରରେ ରାଜା ମନା କରି କହିଲେ, ନାରୀ ହିସାବରେ ସେ ଯୌନକ୍ରୀଡ଼ାରେ ପୁରୁଷ ଅପେକ୍ଷା ଅଧିକ ଆନନ୍ଦ ଲାଭ କରୁଛନ୍ତି । ସୁତରାଂ, ସେ ନାରୀ ହୋଇ ରହିବାକୁ ଚାହାନ୍ତି । ଶେଷରେ , ଇନ୍ଦ୍ର ତାଙ୍କର ପୁରୁଷ ସମୟରେ ଜନ୍ମିତ ପୁତ୍ର ମାନଙ୍କୁ ମଧ୍ୟ ଜୀବନ ଦାନ କରି ଫେରିଗଲେ । ପ୍ରାଚୀନ ଶାସ୍ତ୍ରରେ ଭଙ୍ଗସ୍ୱଣଙ୍କ ଏହି କାହାଣୀ ଉଭୟଲିଙ୍ଗୀ ଚରିତ୍ରର ଏକ ଉଦାହରଣ ଅଟେ ।
୬. ଅରୁଣୀ ଓ ବାଳୀ ସୁଗ୍ରୀବଙ୍କ ଜନ୍ମ :- କଶ୍ୟପ ଋଷିଙ୍କର ଦୁଇଟି ପତ୍ନୀ ଥିଲେ - ବିନୀତା ଓ କଦ୍ରୁ । ପତ୍ନୀଙ୍କ ସେବାରେ ପ୍ରୀତ ହୋଇ, କଶ୍ୟପ ତାଙ୍କୁ ବର ମାଗିବାକୁ କହିଲେ । କଦ୍ରୁ ଏକ ସହସ୍ର ଦୀର୍ଘଦେହୀ ପୁତ୍ରର ଜନନୀ ହେବାକୁ ଚାହିଁଲେ ଏବଂ ବିନୀତା ଦୁଇ ଜଣ ଦିବ୍ୟଦେହୀ ପୁତ୍ର ଭିକ୍ଷା କଲେ । କଶ୍ୟପ କଦ୍ରୁଙ୍କୁ ଏକ ସହସ୍ର ଅଣ୍ଡା ଓ ବିନିତାଙ୍କୁ ଦୁଇଟି ଅଣ୍ଡା ଦେଇ ତପସ୍ୟା କରିବାକୁ ଚାଲିଗଲେ । କିଛି ଦିନ ପରେ କଦ୍ରୁ ପାଇଥିବା ଅଣ୍ଡା ଭିତରୁ ଏକ ସହସ୍ର ନାଗ ଜନ୍ମ ନେଲେ । କିନ୍ତୁ ବିନୀତା ପାଇଥିବା ଦୁଇଟି ଅଣ୍ଡା ଭିତରୁ ଦୀର୍ଘ ପାଞ୍ଚଶହ ବର୍ଷ ପର୍ଯ୍ୟନ୍ତ କୌଣସି ଶିଶୁ ଜନ୍ମ ନେଲେ ନାହିଁ । ବିନୀତା ବ୍ୟସ୍ତ ହୋଇ ଗୋଟିଏ ଅଣ୍ଡା ଭାଙ୍ଗିଦେଲେ ଏବଂ ସେଥିରୁ ଜନ୍ମ ନେଲେ ଏକ ଆଂଶିକ ବୃଦ୍ଧି ପାଇଥିବା ଭୃଣ । ଅସମୟରେ ତାଙ୍କ ମା' ଜନ୍ମ କରେଇ ଦେଇଥିବାରୁ ସେହି ଭୃଣ 'ଅରୁଣ' ତାଙ୍କ ମାଙ୍କୁ ଅଭିଶାପ ଦେଲେ କି ବିନୀତା, ପାଞ୍ଚ ଶହ ବର୍ଷ ଧରି କଦ୍ରୁଙ୍କର ଦାସୀ ହୋଇ ରହିବେ । ଏହା କହି ଅରୁଣ ଚାଲିଗଲେ ଏବଂ ପାଞ୍ଚ ଶହ ବର୍ଷ ପରେ ଅନ୍ୟ ଏକ ଅଣ୍ଡାରୁ 'ଗରୁଡ' ଜନ୍ମ ନେଲେ ଏବଂ ତାଙ୍କ ମାଙ୍କୁ କଦ୍ରୁଙ୍କର ଦାସତ୍ୱରୁ ମୁକ୍ତ କଲେ । ପରେ ଗରୁଡ ବିଷ୍ଣୁଙ୍କ ବାହାନ ହୋଇ ରହିଲେ । ବ୍ରହ୍ମାଙ୍କ ନିର୍ଦ୍ଦେଶରେ, ଅରୁଣ ସୂର୍ଯ୍ୟଦେବଙ୍କର ରଥର ସାରଥୀ ହୋଇ ରହିଲେ । କାଳକ୍ରମେ ଅରୁଣ ସ୍ୱେଣୀଙ୍କୁ ବିବାହ କରି ଦୁଇଟି ପୁତ୍ର ଲାଭ କରିଥିଲେ । ସେମାନେ ହେଲେ 'ସମ୍ପାତି' ଓ 'ଜଟାୟୁ'। ରାମାୟଣରେ, ରାବଣ ସୀତାଙ୍କୁ ଅପହରଣ କରି ଆକାଶ ମାର୍ଗରେ ନେଉଥିବା ବେଳେ, ଜଟାୟୁ ରାବଣ ସହ ଯୁଦ୍ଧ କରି ନିହତ ହୋଇଥିଲେ ।
ଏକଦା ଶୀଳାବତୀ ନାମ୍ନୀ ଜଣେ ସତୀ ନାରୀ ଏକ ଅଭିଶାପରୁ ମୁକ୍ତ ହେବା ପାଇଁ ନଗ୍ନ ରହି ଉଗ୍ର ତପସ୍ୟା କଲେ । ପରବର୍ତ୍ତୀ ଦିନ ସୂର୍ଯ୍ୟଦେବ ଉଦୟ ନହେବା ପାଇଁ ସେ ତପସ୍ୟା କରୁଥିଲେ । ତାଙ୍କ ଘୋର ତପସ୍ୟା ହେତୁ ସୂର୍ଯ୍ୟ ପରବର୍ତ୍ତୀ ଦିନ ଉଦୟ ହେଲେ ନାହିଁ । ତେଣୁ, ସୂର୍ଯ୍ୟଙ୍କ ସାରଥୀ ଅରୁଣଙ୍କୁ ଏକ ଦିନ ଛୁଟି ମିଳିଗଲା । ସେ ଛୁଟି କାଟିବାକୁ ସ୍ଵର୍ଗରେ ବିଶ୍ୱକର୍ମା ନିର୍ମାଣ କରିଥିବା ଅମରାବତୀ ଉଦ୍ୟାନକୁ ବୁଲିବାକୁ ଗଲେ । ଅମରାବତୀ ଉଦ୍ୟାନରେ ପହଞ୍ଚି ଅରୁଣ ଏକ ସୁନ୍ଦର ପୁଷ୍କରଣୀର କାଚକେନ୍ଦୁ ପରି ନିର୍ମଳ ଜଳ ଦେଖିବାକୁ ପାଇଲେ । ସେଥିରେ ନିଜର ପ୍ରତିବିମ୍ବିତ ଚେହେରା ଦେଖି ଜାଣି ପାରିଲେ ଯେ, ସେ ଏକ ନାରୀ ରୂପ ଧାରଣ କରି ନେଇଛନ୍ତି । ବ୍ୟତିବ୍ୟସ୍ତ ହୋଇ ସେ ଏହି ବାବଦରେ ବିଶ୍ୱକର୍ମାଙ୍କ ପାଖକୁ ଯାଉଥିଲେ । ବାଟରେ ଦେବରାଜ ଇନ୍ଦ୍ରଙ୍କ ନଜର ତାଙ୍କ ଉପରେ ପଡିଲା । ନରରୁ ନାରୀ ରୂପରେ ରୂପାନ୍ତରିତ ହୋଇଯାଇଥିବା ଅରୁଣୀଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଇନ୍ଦ୍ର ତାଙ୍କୁ ଥରେ ମାତ୍ର ରତି ନିବେଦନ କଲେ । ଇନ୍ଦ୍ର ଜାଣିଥିଲେ ଅମରବତୀ ଉଦ୍ୟାନରେ ଅଜଣା ପୁରୁଷ ପ୍ରାଣୀ ପ୍ରବେଶ କଲାମାତ୍ରେ ନାରୀ ରୂପରେ ରୂପାନ୍ତରିତ ହୋଇଯିବ । ଅରୁଣ ନିଜର ପୁରୁଷତ୍ୱ ଫେରି ପାଇବା ପାଇଁ, 'ଅରୁଣୀ' ରୂପରେ ଇନ୍ଦ୍ରଙ୍କ ଶଯ୍ୟାସଙ୍ଗିନୀ ହେଲେ। ତାଙ୍କର ଏହି ମିଳନରୁ ଜାତ ହେଲେ "ଵାଳୀ"। ଅନ୍ୟ କେତେକଙ୍କ ମତରେ ସଙ୍ଗମ ସମୟରେ ଉତେଜିତ ଇନ୍ଦ୍ରଙ୍କ ରେତ ଅରୁଣୀଙ୍କ ବାଳ (କେଶ) ଉପରେ ସ୍ଖଳିତ ହୋଇଥିଲା , ଯେଉଁଥିରୁ ଜନ୍ମ ନେଇଥିଲେ ଵାଳୀ ।
ଇନ୍ଦ୍ରଙ୍କ ସହିତ ରମଣ ପରେ ଅରୁଣ ନିଜର ପୁରୁଷ ରୂପ ଫେରି ପାଇଁ ସୂର୍ଯ୍ୟଙ୍କ ନିକଟରେ ପହଁଚିଲେ । ଅରୁଣଙ୍କ ବିଳମ୍ବର କାରଣ ବାବଦରେ ସୂର୍ଯ୍ୟ ତାଙ୍କୁ ପ୍ରଶ୍ନ କଲାପରେ, ସେ ସମସ୍ତ ବୃତାନ୍ତ ତାଙ୍କୁ ବର୍ଣ୍ଣନା କଲେ । ଅରୁଣଙ୍କ ଠାରୁ ସମସ୍ତ କଥା ଶୁଣି ସାରିଲା ପରେ, ସୂର୍ଯ୍ୟ ଥରେ ମାତ୍ର ଅରୁଣଙ୍କୁ ନାରୀରୂପୀ ଅରୁଣୀଙ୍କୁ ଦେଖିବାକୁ ଚାହିଁଲେ । ସୂର୍ଯ୍ୟଙ୍କ ଅନୁରୋଧ କ୍ରମେ ଅରୁଣ ପୁନର୍ବାର ନାରୀ ରୂପ ଧାରଣ କଲେ । ଅପରୂପ ସୌନ୍ଦର୍ଯ୍ୟମୟୀ ଅରୁଣୀଙ୍କୁ ଦେଖି ସୂର୍ଯ୍ୟ ମୋହିତ ହୋଇଗଲେ । ସେ ତାଙ୍କ ସହ ଥରେ ମାତ୍ର ରମଣ କରିବାକୁ ନିବେଦନ କଲେ ଯେଉଁଥିରେ ଅରୁଣୀ ରାଜିହେଲେ । ସୂର୍ଯ୍ୟଙ୍କ ସହ ମିଳନରୁ ଜାତ ହେଲେ "ସୁଗ୍ରୀବ"। କେତେକ କୁହନ୍ତି ସୂର୍ଯ୍ୟଙ୍କ ରେତ ଅରୁଣୀଙ୍କ ଗ୍ରୀବାରେ ସ୍ଖଳିତ ହୋଇଥିଲା ଓ ସେଥିରୁ ଜନ୍ମ ନେଇଥିଲେ ସୁଗ୍ରୀବ ।
ଵାଳୀ ଓ ସୁଗ୍ରୀବଙ୍କ ଜନ୍ମ ପରେ ଅରୁଣୀ, ଶିଶୁ ଦ୍ଵୟଙ୍କୁ ଲାଳନ ପାଳନ ନିମନ୍ତେ ଅହଲ୍ୟାଙ୍କୁ ଦେଇଥିଲେ । ଅହଲ୍ୟାଙ୍କ ପତି ଗୌତମ ମୁନି ବାଳକ ଦ୍ଵୟଙ୍କ ଚପଳତାରେ ବ୍ୟତିବ୍ୟସ୍ତ ହୋଇ ଅଭିଶାପ ଦେଲେ, ଯଦ୍ୱାରା ଉଭୟେ ବାନର ହୋଇଗଲେ । ପରେ କିଷ୍କିନ୍ଦାର ବାନର ରାଜା 'ରୀକ୍ଷରାଜ' ଅପୁତ୍ରିକ ଥିବାରୁ ଵାଳୀ ଓ ସୁଗ୍ରୀବଙ୍କୁ ପୁତ୍ର ରୂପେ ଲାଳନ ପାଳନ କରିଥିଲେ । ପ୍ରାଚୀନ ଗ୍ରନ୍ଥରେ , ଲିଙ୍ଗ ପରିବର୍ତ୍ତନ କରି ସନ୍ତାନ ଉତ୍ପର୍ଣ୍ଣ କରିବାର ଆଉ ଏକ ଉଦାହରଣ ହେଲା ଅରୁଣୀ ଉପାଖ୍ୟାନ ।
୭. ଗର୍ଭବତୀ ରାଜା ଯୁବନଶ୍ଵ ଓ ମାନ୍ଧାତାଙ୍କ ଜନ୍ମ :- ପ୍ରାଚୀନ ବଲ୍ଲଭୀ ରାଜ୍ୟରେ ତୁରୁବଶୁ ବଂଶର ରାଜା ଚନ୍ଦ୍ରସେଣା ରାଜତ୍ୱ କରୁଥିଲେ । ତାଙ୍କର ପୁତ୍ର ଥିଲେ ପୃଥଳଶ୍ୱ । ପୃଥଳଶ୍ୱ ତାଙ୍କ ପୁତ୍ର ପ୍ରସେନଜିତଙ୍କ ବିବାହ ଅବନ୍ତୀର ରାଜକୁମାରୀ ଶୀଳାବତୀଙ୍କ ସହିତ କରାଇଥିଲେ । ଶୀଳାବତୀ ଗର୍ଭବତୀ ଥିଲାବେଳେ ପ୍ରସେନଜିତଙ୍କ ମୃତ୍ୟୁ ହୋଇଯାଇଥିଲା । ପୃଥଳଶ୍ୱ ମଧ୍ୟ ବାନପ୍ରସ୍ଥ ଧର୍ମ ଗ୍ରହଣ କରି ରାଜ୍ୟଛାଡି ଅରଣ୍ୟରେ ରହୁଥିଲେ । ତେଣୁ ବିଧବା ରାଣୀ ଶୀଳାବତୀ ବଲ୍ଲଭୀ ରାଜ୍ୟର ଶାସନଭାର ଗ୍ରହଣ କରିଥିଲେ । କିଛି ମାସ ଅତିକ୍ରାନ୍ତେ ରାଣୀଙ୍କର ଯୁବନଶ୍ଵ ନାମକ ପୁତ୍ର ଲାଭ ହେଲା । ଯୁବନଶ୍ଵ ସାବାଳକ ହେଲା ପର୍ଯ୍ୟନ୍ତ ରାଣୀ ରାଜକାର୍ଯ୍ୟ ତୁଲାଇଲେ । ଏହାପରେ ରାଣୀ ଶୀଳାବତୀ, ପୁତ୍ର ଯୁବନଶ୍ଵର ବିବାହ ଉଡ୍ର ଦେଶର ରାଜକୁମାରୀ ସୀମନ୍ତିନୀ ସହ କରାଇଥିଲେ । କିନ୍ତୁ ପ୍ରଥମ ସ୍ତ୍ରୀ ଠାରୁ ସନ୍ତାନ ଲାଭ ନ ହେବାରୁ ଯୁବନଶ୍ଵ ଭଙ୍ଗ ଦେଶର ରାଜକୁମାରୀ ପୁଲୋମିଙ୍କୁ ବିବାହ କଲେ । ଦ୍ଵିତୀୟ ସ୍ତ୍ରୀଙ୍କ ଠାରୁ ମଧ୍ୟ ସନ୍ତାନ ଲାଭ ନହେବାରୁ ଯୁବନଶ୍ଵ ତୃତୀୟ ପତ୍ନୀ ହିସାବରେ ଏକ କୁମ୍ଭାରର କନ୍ୟା କେଶିନୀଙ୍କୁ ବିବାହ କରିଥିଲେ ।
ଏହିପରି ତିନି ତିନୋଟି ପତ୍ନୀଙ୍କୁ ବିବାହ କରି ମଧ୍ୟ ରାଜା ଯୁବନଶ୍ଵଙ୍କ ଦୀର୍ଘଦିନ ଧରି ସନ୍ତାନ ଲାଭ ହେଲା ନାହିଁ । ତେଣୁ ମାଣ୍ଡବ୍ୟ ଋଷିଙ୍କ ପରାମର୍ଶ କ୍ରମେ ପୁତ୍ରପ୍ରାପ୍ତି ନିମନ୍ତେ ରାଜା ଏକ ଯଜ୍ଞ କରିବାକୁ ସିଦ୍ଧଯୋଗୀ ଯଯ ଓ ଉପୟଜଙ୍କୁ ଆମନ୍ତ୍ରଣ କଲେ । ସିଦ୍ଧଯୋଗୀ ଦ୍ଵୟ ବିଶାଳ ଯଜ୍ଞ କରି ଏକ ଅଭିମନ୍ତ୍ରିତ ଜଳ ରାଣୀଙ୍କୁ ପିଇବାକୁ ଦେବାକୁ କହି ଚାଲିଗଲେ । କିନ୍ତୁ, ରାଜା ରାତ୍ରିରେ ତୃଷା ଅନୁଭବ କରିବାରୁ ଭୁଲବଶତଃ ସେଇ ଅଭିମନ୍ତ୍ରିତ ଜଳକୁ ପିଇଦେଲେ । ରାଣୀଙ୍କୁ ଗର୍ଭବତୀ କରାଇବା ପାଇଁ ସେଇ ଅଭିମନ୍ତ୍ରିତ ଜଳକୁ ରାଜା ପାନ କଲାପରେ ନିଜେ ସ୍ୱୟଂ ଗର୍ଭବତୀ ହୋଇଗଲେ । ସମୟକ୍ରମେ ରାଜାଙ୍କ ଅସ୍ତ୍ରୋପଚାର କରି ବୈଦ୍ୟ ଅସଙ୍ଗ ଏକ ପୁତ୍ର ସନ୍ତାନ ଜନ୍ମ କରାଇଲେ । ମାନ୍ଧାତା ନାମ୍ନୀ ଏହି ପୁତ୍ର ବହୁ ରାଜ୍ୟ ଜୟକରି ଭାରତବର୍ଷର ଜଣେ ଶକ୍ତିଶାଳୀ ସମ୍ରାଟ ହୋଇଥିଲେ । ମାନ୍ଧାତାଙ୍କ ବିବାହ ଶିଖଣ୍ଡୀଙ୍କ କନ୍ୟା ଅମ୍ବା ସହ ହୋଇଥିଲା । ମାନ୍ଧାତାଙ୍କ ଜନ୍ମ ପରେ ରାଜା ଯୁବନଶ୍ଵଙ୍କ ଔରସରୁ ତାଙ୍କ ପତ୍ନୀ ପୁଲୋମୀଙ୍କ ଗର୍ଭରୁ ଜୟନ୍ତ ନାମକ ଆଉ ଏକ ପୁତ୍ର ଜନ୍ମ ନେଇଥିଲେ । ପ୍ରାଚୀନ ଶାସ୍ତ୍ରରେ ଜଣେ ପୁରୁଷ ପୁତ୍ର ପ୍ରସବ କରିବା ପରି ଏକ ବିରଳ ଚରିତ୍ର ଥିଲେ ଯୁବନଶ୍ଵ । ଏବଂ ଉଭୟ ଲିଙ୍ଗୀ ପରି ନିଜ ସ୍ତ୍ରୀର ଗର୍ଭରୁ ତାଙ୍କ ଔରସରୁ ମଧ୍ୟ ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା ।
୮. ମୋହିନୀ ଓ ଆୟପା :- ଦେବତା ଓ ଦାନଵ ମାନଙ୍କ ଦ୍ୱାରା ସମୁଦ୍ର ମନ୍ଥନରୁ ଅମୃତ ମିଳିଥିଲା । ଅମରତ୍ୱ ପ୍ରାପ୍ତି ପାଇଁ ସେଇ ଅମୃତକୁ ଉଭୟେ ନିଜ ଅକ୍ତିଆରକୁ ନେବା ପାଇଁ କଳହ କଲେ । ଶେଷରେ ବିଷ୍ଣୁ, 'ମୋହିନୀ' ନାମକ ନାରୀ ରୂପ ଧାରଣ କରି ଏହି ଅମୃତକୁ ଦେବତା ଓ ଦାନଵ ମାନଙ୍କ ମଧ୍ୟରେ ବଣ୍ଟନ କରିବାର ଦାୟିତ୍ୱ ନେଲେ । ଅତ୍ୟନ୍ତ ସୁନ୍ଦରୀ ମୋହିନୀ ନିଜ ରୂପ ଲାବଣ୍ୟରେ ଅସୁର ମାନଙ୍କୁ ମୋହିତ କରାଇ ସମସ୍ତ ଅମୃତ ଦେବତା ମାନଙ୍କୁ ପ୍ରଦାନ କରିଦେଲେ । ଫଳ ସ୍ୱରୂପ ଦେବତା ମାନେ ଅମର ହୋଇଗଲେ ।
ଅମୃତ ବଣ୍ଟନ ପରେ ମୋହିନୀଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ଶିବ ତାଙ୍କୁ ରମଣ କରିବାକୁ ଚାହିଁଲେ । ଶିବ ଓ ମୋହିନୀଙ୍କ ମିଳନରୁ 'ଶାସ୍ତା' ନାମକ ପୁତ୍ର ଜନ୍ମ ନେଇଥିଲା । ଦକ୍ଷିଣ ଭାରତର ପ୍ରାଚୀନ ଗ୍ରଂଥ ଅନୁସାରେ , ଶିବ ଓ ମୋହିନୀଙ୍କ ମିଳନରୁ 'ଆୟପା' ଜନ୍ମ ନେଇଥିଲେ । ତାଙ୍କର ଅନ୍ୟ ନାମ 'ହରିହର ପୁତ୍ର'। ଏବେ ଦକ୍ଷିଣ ଭାରତରେ ଆୟପାଙ୍କ ବହୁତ ମନ୍ଦିର ଦେଖିବାକୁ ମିଳେ ।
ପ୍ରାଚୀନ ଗ୍ରନ୍ଥରେ ବିଷ୍ଣୁ ଦୁଇ ଥର ମୋହିନୀ ରୂପେ ନାରୀ ରୂପ ଗ୍ରହଣ କରିଥିଲେ । ଅମୃତ ବଣ୍ଟନ ବ୍ୟତୀତ, ଭସ୍ମାସୁରକୁ ବଧ କରିବାକୁ ମଧ୍ୟ ମୋହିନୀ ରୂପ ଗ୍ରହଣ କରିଥିଲେ । ପୁରାଣ ଅନୁସାରେ କଠୋର ତପସ୍ୟା କରି ଭସ୍ମାସୁର ଶିବଙ୍କ ଠାରୁ ବର ପାଇଥିଲା ଯେ , ସିଏ ଯାହା ମସ୍ତକରେ ନିଜର ହସ୍ତ ରଖିଦେବ, ସେ ଭସ୍ମ ହୋଇଯିବ । ବରପ୍ରାପ୍ତି ପରେ , ଭସ୍ମାସୁର ପ୍ରଥମେ ଶିବଙ୍କ ମସ୍ତକରେ ଏହାକୁ ପରୀକ୍ଷା କରିବାକୁ ଚାହିଁଲା । ଭୟଭୀତ ହୋଇ ଶିବ, ବିଷ୍ଣୁଙ୍କ ପାଖରେ ପହଁଚିଲେ । ଶିବଙ୍କୁ ରକ୍ଷା କରିବା ନିମନ୍ତେ ମୋହିନୀ ରୂପରେ ଏକ ନାରୀ ହୋଇ ଭସ୍ମାସୁର ନିକଟକୁ ଗଲେ । ଭସ୍ମାସୁର ମୋହିନୀଙ୍କ ରୂପରେ ମୁଗ୍ଧ ହୋଇ ତାଙ୍କୁ ବିବାହ କରିବାକୁ ଚାହିଁଲା । ମୋହିନୀ, କଥା ମାଧୁର୍ଯ୍ୟରେ ଭସ୍ମାସୁରକୁ ତା' ନିଜ ମସ୍ତକ ଉପରେ ହସ୍ତ ରଖିବାକୁ କହିଲେ । ଭସ୍ମାସୁର ନିଜ ମସ୍ତକ ଉପରେ ହସ୍ତ ରଖିବା ସଂଗେ ସଂଗେ ଭସ୍ମ ହୋଇଗଲା।
ବ୍ରହ୍ମାଣ୍ଡ ପୁରାଣ ଅନୁସାରେ , ଭସ୍ମାସୁରର ନିଧନ ପରେ , ଶିବ ପାର୍ବତୀଙ୍କ ସହ ବିଷ୍ଣୁଙ୍କ ପାଖକୁ ଗଲେ । ସେଠାରେ ଶିବ ଆଉଥରେ ମୋହିନୀ ରୂପ ନେବା ପାଇଁ ବିଷ୍ଣୁଙ୍କୁ ଅନୁରୋଧ କଲେ । ବିଷ୍ଣୁ ପୁନଶ୍ଚ ମୋହିନୀ ରୂପ ଧାରଣ କଲାପରେ , ସେହି ରୂପ ଦର୍ଶନ କରି ଶିବ କାମୋତ୍ତେଜିତ ହୋଇ ତାଙ୍କ ପଛରେ ଗୋଡ଼ାଇଲେ । ଲଜ୍ଜାରେ ମୋହିନୀ ନିଜ ମୁଖ ଢାଙ୍କିଦେଲେ ଓ ଶିବ ମୋହିନୀଙ୍କ ହାତ ଧରି ଆଲିଙ୍ଗନ କଲେ । ପ୍ରବଳ ଉତ୍ତେଜନାରେ ଶିବଙ୍କ ରେତ ସ୍ଖଳନ ହୋଇ ଭୂମିରେ ପଡିଲା ଏବଂ ସେଥିରୁ ମହା-ଶାସ୍ତା ଜନ୍ମ ନେଲେ । ଯିଏ ପରବର୍ତ୍ତୀ କାଳରେ କେରଳରେ ଆୟପା ଓ ତାମିଲରେ ଆୟାନର ରୂପେ ପରିଚିତ ହେଲେ ।
ମାଲାୟାଲାମ ଶାସ୍ତ୍ର ଅନୁସାରେ ଆୟପା, ପାଣ୍ଡ୍ୟ ରାଜ୍ୟର ଜଣେ ପ୍ରମୁଖ ରାଜା ଥିଲେ । ପାଣ୍ଡ୍ୟା ରାଜ୍ୟର ରାଜା ପାଣ୍ଡଳମ ଜଙ୍ଗଲରେ ଶିଶୁ ଆୟପାଙ୍କୁ ପାଇ ତାଙ୍କର ଲାଳନ ପାଳନ କରିଥିଲେ । ସେ ତାଙ୍କ ନାମ ଦେଇଥିଲେ ମଣିକଣ୍ଠ । ବାର ବର୍ଷ ହେଲା ପରେ ରାଜା ତାଙ୍କୁ ପରବର୍ତ୍ତୀ ରାଜା ରୂପେ ଅଭିଷିକ୍ତ କରିବାକୁ ଚାହିଁଲେ । କିନ୍ତୁ ରାଣୀ ନିଜ ପୁତ୍ରକୁ ରାଜା କରିବା ଉଦେଶ୍ୟରେ ମଣୀକଣ୍ଠଙ୍କ ଶକ୍ତି ଓ ସାମର୍ଥ୍ୟ ପରୀକ୍ଷା କରିବାକୁ ଚାହିଁଲେ । ରାଣୀ ଅସୁସ୍ଥତାର ଛଳନା କରି କହିଲେ, କେବଳ ବାଘୁଣୀର ଦୁଗ୍ଧ ପାନ କଲେ ସେ ଆରୋଗ୍ୟ ଲାଭ କରିବେ। ଏଥିପାଇଁ ମଣୀକଣ୍ଠ ଜଙ୍ଗଲକୁ ବାଘୁଣୀର କ୍ଷୀର ଆଣିବାକୁ ଗଲେ । ସେ ଅରଣ୍ୟରେ ରାକ୍ଷସୀ 'ମହିଷୀ'କୁ ନିହତ କରି, ଏକ ବାଘୁଣୀ ପିଠିରେ ବସି ରାଜପ୍ରସାଦକୁ ପ୍ରତ୍ୟାବର୍ତ୍ତନ କଲେ । ଏହାପରେ ମଣୀକଣ୍ଠଙ୍କ ଶକ୍ତି ଓ ସାମର୍ଥ୍ୟରେ ସନ୍ତୁଷ୍ଟ ହୋଇ ଉଭୟେ ରାଜା ଓ ରାଣୀ ତାଙ୍କୁ ପରବର୍ତ୍ତୀ ରାଜା ରୂପେ ଘୋଷଣା କଲେ । ସିଂହାସନ ଆରୋହଣ ପରେ ମଣୀକଣ୍ଠ ନିଜକୁ ଆୟାପନ ରୂପେ ପରିଚିତ ହେଲେ । ପ୍ରାଚୀନ ପୁରାଣ ଶାସ୍ତ୍ରରେ ବିଷ୍ଣୁଙ୍କ ନାରୀ ରୂପ ଧାରଣ ଓ ଶିବଙ୍କ ସହ ତାଙ୍କର ମିଳନକୁ, ଲିଙ୍ଗ ପରିବର୍ତ୍ତନର ଏକ ଉଦାହରଣ ରୂପେ ଧରି ନିଆଯାଇପାରେ ।
୯. କୃଷ୍ଣଙ୍କ ନାରୀ ରୂପ ଓ ଇରାବନ୍ତ :- ତାମିଲ ମହାଭାରତରେ ଇରାବନ୍ତ(ଅରାବାନ , ଇରାବନ)ଙ୍କ ଏକ ସୁନ୍ଦର ଉପାଖ୍ୟାନର ବର୍ଣ୍ଣନା ଅଛି। ନାଗକନ୍ୟା ଉଲ୍ଲୁପୀ ଓ ଅର୍ଜୁନଙ୍କ ମିଳନରୁ 'ଇରାବନ' ଜନ୍ମ ନେଇଥିଲେ । ତାମିଲୀ କୁତ୍ୱନ୍ତର ସମ୍ପ୍ରଦାୟର ପୂଜାରେ ଇରାବନ ଏକ ପ୍ରମୁଖ ଦେବତା । ସେହି ଦେବତାଙ୍କ ନାମ ଅନୁସାରେ ଦକ୍ଷିଣ ଭାରତର ହିଞ୍ଜଡ଼ା ମାନଙ୍କୁ ‘ଅରାବାନୀ’ କୁହାଯାଏ । ହିଞ୍ଜଡ଼ା ମାନେ ତାଙ୍କ ଆରାଧ୍ୟ ଦେବତା ଅରାବାନଙ୍କୁ ବର୍ଷରେ ଥରେ ବିବାହ କରନ୍ତି । ସଂସ୍କୃତ ମହାଭାରତ ଅନୁସାରେ ଇରାବନ ପାଣ୍ଡଵ ପକ୍ଷରୁ ଯୁଦ୍ଧ କରି ଋଷିଶୃଙ୍ଗ୍ୟଙ୍କ ପୁତ୍ର ଅଳମ୍ବୁଷଙ୍କ ଦ୍ୱାରା ଯୁଦ୍ଧର ଅଷ୍ଟମ ଦିନ ନିହତ ହୋଇଥିଲେ ।
କିନ୍ତୁ ତାମିଲ ମହାଭାରତରେ ଭିନ୍ନ ତଥ୍ୟ ଦର୍ଶାଯାଇଅଛି । ସେହି ଗ୍ରନ୍ଥ ଅନୁଯାୟୀ ମହାଭାରତ ଯୁଦ୍ଧରେ ବିଜୟ ପ୍ରାପ୍ତି ପାଇଁ ଯୁଦ୍ଧ ଆରମ୍ଭ ପୂର୍ବରୁ ମା' କାଳୀଙ୍କ ନିକଟରେ ଏକ ନରବଳୀ (କାଳପ୍ପଲି) ଦେବା ପାଇଁ ପାଣ୍ଡଵ ମାନେ ସ୍ଥିର କଲେ । ସ୍ୱଇଚ୍ଛାରେ ନରବଳୀ ପାଇଁ ଇରାବନ ରାଜି ହୋଇଗଲେ । କିନ୍ତୁ ନରବଳୀ ପାଇଁ ବିବାହିତ ପୁରୁଷ ଆବଶ୍ୟକ ଥିଲା ଏବଂ ଇରାବନ ବିବାହ କରି ନଥିଲେ । ଗୋଟିଏ ଦିନ ପାଇଁ ଇରାବନଙ୍କୁ ବିବାହ କରି ପରଦିନ ବିଧବା ହେବା ପାଇଁ କୌଣସି ନାରୀ ରାଜି ହେଲେ ନାହିଁ । ତେଣୁ ସ୍ୱୟଂ କୃଷ୍ଣ 'ମୋହିନୀ' ନାମ୍ନୀ ନାରୀ ରୂପ ଧାରଣ କରି ଇରାବନଙ୍କୁ ବିବାହ କଲେ ଏବଂ ତାଙ୍କ ସହ ଏକ ରାତ୍ରି ସ୍ତ୍ରୀ ପରି ବିତାଇଲେ । ପରଦିନ ଅର୍ଦ୍ଧରାତ୍ରିରେ ଇରାବନ ସ୍ୱୟଂ ନିଜ ମସ୍ତକକୁ ଖଡ୍ଗରେ ଛେଦନ କରି କାଳୀ ମା'ଙ୍କ ଚରଣରେ ଅର୍ପଣ କରିଥିଲେ । ଉକ୍ତ ମହାଭାରତ ଗ୍ରଂଥରେ ଉଲ୍ଲେଖ ଅଛି ପରଦିନ ପ୍ରତ୍ୟୁଷରେ ମୋହିନୀ ରୂପଧାରୀ କୃଷ୍ଣ ବିଧବା ବେଶ ଧାରଣ କରି ଦୀର୍ଘ ସମୟ ଧରି ରୋଦନ କରିଥିଲେ । ମୋହିନୀ ରୂପରେ କୃଷ୍ଣଙ୍କ ଇରାବନ ସହ ବିବାହ ମଧ୍ୟ ଲିଙ୍ଗ ପରିବର୍ତ୍ତନର ଅନ୍ୟ ଏକ ଉଦାହରଣ ।
୧୦. ଦୁଇଟି ନାରୀର ମିଳନରୁ ଜାତ ଭଗିରଥ :- ଇକ୍ଷ୍ୱାକୁ ବଂଶର ରାଜା ସାଗର ଏକ ଅଶ୍ୱମେଧ ଯଜ୍ଞ କରୁଥିଲେ । ଇର୍ଷା ପରାୟଣ ହୋଇ ଦେବରାଜ ଇନ୍ଦ୍ର ଯଜ୍ଞର ଅଶ୍ୱକୁ ଚୋରାଇ ନେଇ କପିଳ ମୁନିଙ୍କ ଆଶ୍ରମରେ ବାନ୍ଧି ଦେଲେ । ରାଜାଙ୍କ ପୁତ୍ରମାନେ ଅଶ୍ୱକୁ ଖୋଜି ଖୋଜି କପିଳ ମୁନିଙ୍କ ଆଶ୍ରମରେ ଦେଖି ଭାବିଲେ ଋଷି ଅଶ୍ୱକୁ ଚୋରାଇ ଆଣିଛନ୍ତି । ତେଣୁ ସେମାନେ ଋଷିଙ୍କୁ ନିନ୍ଦା କରିବାକୁ କୋଳାହଳ କଲେ। ସେତେବେଳେ କପିଳ ମୁନି ତପସ୍ୟାରତ ଥିଲେ । କୋଳାହଳରେ ତାଙ୍କ ତପସ୍ୟା ଭଙ୍ଗ ହେବାରୁ , ସେ ଅଭିଶାପ ଦେଲେ, ଯଦ୍ୱାରା ସାଗରଙ୍କ ସମସ୍ତ ଷାଠିଏ ହଜାର ପୁତ୍ର ଭସ୍ମ ହୋଇଗଲେ ।
ଋଷିଙ୍କ ଅଭିଶାପରେ ରାଜାଙ୍କ ପୁତ୍ର ଦିଲ୍ଲୀପଙ୍କର ମଧ୍ୟ ମୃତ୍ୟୁ ହୋଇଗଲା । ବଂଶବୃଦ୍ଧି ପାଇଁ ବୃଦ୍ଧ ରାଜାଙ୍କ କୌଣସି ପୁତ୍ର ରହିଲେ ନାହିଁ । ରାଜା ଶିବଙ୍କୁ ଆରାଧନା କଲେ । ବଙ୍ଗଳା କୃତିବାସ ରାମାୟଣ ଅନୁସାରେ ଶିବ, ସାଗରଙ୍କ ତପସ୍ୟାରେ ପ୍ରୀତ ହେଲେ । ଶିବଙ୍କ ନିର୍ଦ୍ଦେଶରେ, ଦିଲ୍ଲୀପଙ୍କ ଦୁଇଜଣ ବିଧବା ରାଣୀ ପରସ୍ପର ମଧ୍ୟରେ ସମଲିଙ୍ଗୀ ଯୌନ କ୍ରୀଡ଼ା କଲେ । ଦୁଇ ରାଣୀଙ୍କ ମଧ୍ୟରେ ସେଇ ରତିକ୍ରିଡାରୁ ଏକ ମାଂସ ପିଣ୍ଡୁଳା ଜନ୍ମ ନେଲା । ପରେ ଋଷି ଅଷ୍ଟବକ୍ର ସେହି ମାଂସ ପିଣ୍ଡୁଳାକୁ ଏକ ସୁନ୍ଦର ବାଳକରେ ପରିବର୍ତ୍ତନ କରିଦେଲେ । ସେହି ବାଳକ ହିଁ ଭଗିରଥ । ଦୁଇଟି ଭଗର(ସ୍ତ୍ରୀ ଯୌନାଙ୍ଗର) ମିଳନରୁ ଜାତ ହୋଇଥିବାରୁ ତାଙ୍କ ନାମ ଭଗିରଥ । ଭାଵନନ୍ଦଙ୍କ 'ହରିବଂଶ' , ମୁକୁନ୍ଦରାମ ଚକ୍ରବର୍ତ୍ତୀଙ୍କ 'କବିକଙ୍କଣଚଣ୍ଡୀ' ଏବଂ ଅଦ୍ଭୁତାଚାର୍ଯ୍ୟଙ୍କ ଦ୍ୱାରା ଲିଖିତ ରାମାୟଣରେ ଭଗିରଥଙ୍କ ଜନ୍ମବୃତ୍ତାନ୍ତ ବାବଦରେ ମଧ୍ୟ ଏହିପରି ବର୍ଣ୍ଣନା ଅଛି ।
କପିଳ ମୁନିଙ୍କ ଅଭିଶାପରେ ଭସ୍ମ ହୋଇଯାଇଥିବା ପୂର୍ବଜ ମାନଙ୍କ ଆତ୍ମାର ମୋକ୍ଷ ପ୍ରାପ୍ତି ନିମନ୍ତେ ଭଗିରଥ କଠୋର ତପସ୍ୟା କରି ସ୍ୱର୍ଗରୁ ଗଙ୍ଗାକୁ ପୃଥିବୀ ପୃଷ୍ଠକୁ ଆଣିବାରେ ସକ୍ଷମ ହୋଇଥିଲେ । ପବିତ୍ର ଗଙ୍ଗାର ଜଳ ପ୍ରବାହରେ ତାଙ୍କ ପୂର୍ବଜ ମାନଙ୍କର ଭସ୍ମ ଉପରେ ପ୍ରବାହିତ ହୋଇଗଲା ପରେ, ସେମାନଙ୍କ ଆତ୍ମା ମୋକ୍ଷ ଲାଭ କରିଥିଲା । ଭଗିରଥଙ୍କ ନାମ ଅନୁସାରେ ଗଙ୍ଗାଙ୍କର ଅନ୍ୟ ଏକ ନାମ ଭାଗିରଥି ଅଟେ। ପ୍ରାଚୀନ ସାହିତ୍ୟରେ ସମଲିଙ୍ଗୀ ଯୌନ କ୍ରୀଡାର ଏକ ଉଦାହରଣ ଥିଲା ଭଗିରଥଙ୍କ ଜନ୍ମ ବୃତ୍ତାନ୍ତ ।
୧୧. ଶିଖିଧ୍ୱଜ ଓ ମଦନିକା :- ବଶିଷ୍ଠ ରାମାୟଣରେ ରାଜା ଶିଖିଧ୍ୱଜ ଓ ରାଣୀ ଚୁଦଳାଙ୍କ ବାବଦରେ ଉଲ୍ଲେଖ ଅଛି । ପ୍ରାଚୀନ କାଳରେ ରାଜା ଶିଖିଧ୍ୱଜ ନାମରେ ଜଣେ ପ୍ରଗାଢ଼ ଜ୍ଞାନୀ ଓ ପ୍ରଜାନୁରାଗୀ ରାଜା ଥିଲେ । ତାଙ୍କର ରାଣୀ ମଧ୍ୟ ଜଣେ ବ୍ରହ୍ମଜ୍ଞାନୀ ଓ ବହୁତ ଐଶ୍ଵରିକ ଶକ୍ତିର ଅଧିକାରିଣୀ ଥିଲେ । ରାଣୀ ରାଜାଙ୍କ ସହ ବ୍ରହ୍ମଜ୍ଞାନ ସମ୍ବନ୍ଧରେ ଚର୍ଚ୍ଚ। କଲାବେଳେ ରାଜା ତାଙ୍କ କଥାକୁ ଗୁରୁତ୍ୱ ଦେଉନଥିଲେ । ରାଜାଙ୍କ ମତରେ ଜଣେ ନାରୀ କେବଳ ଆଦର୍ଶ ସ୍ତ୍ରୀ ହୋଇପାରିବ କିନ୍ତୁ ବ୍ରହ୍ମଜ୍ଞାନ ବାବଦରେ ଜ୍ଞାନ ଉପଦେଶ ଦେବାକୁ ଯୋଗ୍ୟା ହୋଇ ପାରିବନି । ଦିନେ ରାଜା ଆତ୍ମଜ୍ଞାନ ପ୍ରାପ୍ତି ଉଦ୍ଦେଶ୍ୟରେ ଚୁଦଳାଙ୍କ ହସ୍ତରେ ରାଜ୍ୟଭାର ଅର୍ପଣ କରି ଏକ ତପସ୍ୱୀ ପରି ଅରଣ୍ୟକୁ ଚାଲିଗଲେ। ରାଣୀ ଚୁଦଳା ରାଜାଙ୍କୁ ସାଂସାରିକ ଧର୍ମରେ ଥାଇ ମଧ୍ୟ ଜଣେ ବ୍ରହ୍ମଜ୍ଞାନର ଅଧିକାରୀ ହୋଇପାରିବ ବୋଲି ଯେତେ ବୁଝାଇଲେ ମଧ୍ୟ , ରାଜା କର୍ଣ୍ଣପାତ ନକରି ଅରଣ୍ୟକୁ ଚାଲିଗଲେ ।
ରାଜା ଚାଲିଗଲାପରେ କିଂକର୍ତ୍ୟବିମୂଢ ନହୋଇ ରାଜ୍ୟଭାର ମନ୍ତ୍ରୀଙ୍କୁ ପ୍ରଦାନ କରି ରାଣୀ ଚୁଦଳା ନିଜର ତନ୍ତ୍ର ଶକ୍ତି ବଳରେ ଜଣେ ଋଷି ରୂପ ଧାରଣ କଲେ । ଋଷି 'କୁମ୍ଭକ' ରୂପରେ ପରିଚିତ ହୋଇ, ସେ ରାଜା ଶିଖିଧ୍ୱଜଙ୍କ ସହିତ ଅରଣ୍ୟକୁ ଗଲେ । ଏବଂ ଅରଣ୍ୟ ପଥରେ ଏକ ସହଯାତ୍ରୀ ଋଷି ହିସାବରେ କୁମ୍ଭକ ରାଜାଙ୍କୁ ବ୍ରହ୍ମଜ୍ଞାନ ସମ୍ବନ୍ଧରେ ବହୁତ କଥା କହିଲେ । ଏକ ନାରୀ ହିସାବରେ 'ଚୁଦଳା' ଦେଉଥିବା ବ୍ରହ୍ମଜ୍ଞାନକୁ ଯେଉଁ ରାଜା ପ୍ରତ୍ୟାଖାନ କରୁଥିଲେ, ସେହି ରାଜା, ପୁରୁଷ ରୂପୀ 'କୁମ୍ଭକ'ଙ୍କ ଜ୍ଞାନକୁ ଆଦରର ସହିତ ଗ୍ରହଣ କଲେ । ଏହିପରି ବହୁଦିନ ଧରି ରାଣୀ, ରାଜାଙ୍କୁ ପୁରୁଷ ରୂପରେ ଜ୍ଞାନ ପ୍ରଦାନ କଲେ ।
ନିଜର ଲକ୍ଷ୍ୟ ପୁରାଣ ପାଇଁ , ଦିନେ କୁମ୍ଭକ ରାଜାଙ୍କୁ କହିଲେ- "ସେ ପୁରୁଷ ହୋଇ ମଧ୍ୟ ସ୍ୱଳ୍ପ ନାରୀ ସଦୃଶ ଦିଶୁଥିବାରୁ , ଦୁର୍ବାସା ଋଷି ଆକାଶପଥରେ ଯାଉଥିବାବେଳେ ତାଙ୍କୁ ଅଭିଶାପ ଦେଇଛନ୍ତି , ସେ ଦିନରେ ପୁରୁଷ ଓ ରାତିରେ ନାରୀ ହୋଇଯିବେ।" ଏହାପରେ କୁମ୍ଭକ ନିଜ ମନ୍ତ୍ର ଶକ୍ତି ବଳରେ ରାତିରେ ନାରୀ ହୋଇଗଲେ । 'ମଦନିକା' ନାମରେ ଜଣେ ନାରୀ ହୋଇଯିବା ପରେ, ସେ ରାଜା ଶିଖିଧ୍ୱଜଙ୍କ ସହ ଗୋଟିଏ କୁଟୀରରେ ରାତ୍ରିରେ ଶୟନ କଲେ । ରାଜା ମଧ୍ୟ ବିନା ଦ୍ଵିଧାରେ, ତାଙ୍କୁ ନିଜ ଶଯ୍ୟା ପାଖରେ ଶୟନ କରିବାକୁ ଅନୁମତି ଦେଲେ। କାରଣ, ସେ ଜାଣିଥିଲେ, ମଦନିକା ପ୍ରକୃତରେ ଜଣେ ପୁରୁଷ, ମାତ୍ର ଅଭିଶାପ ହେତୁ କେବଳ ରାତ୍ରିରେ ନାରୀ ରୂପରେ ପରିବର୍ତ୍ତନ ହୋଇଯାଉଛନ୍ତି । ଏହିପରି ବହୁଦିନ ଧରି ରାଣୀ ଚୁଦଳା ନିଜ ମନ୍ତ୍ରଶକ୍ତି ବଳରେ ଦିନରେ ପୁରୁଷ ରୂପରେ 'କୁମ୍ଭକ' ଏବଂ ରାତ୍ରିରେ ନାରୀ ରୂପରେ 'ମଦନିକା' ହୋଇ ରାଜା ଶିଖିଧ୍ୱଜଙ୍କ ପାଖରେ ରହିଲେ ।
ଏକ ରାତ୍ରିରେ ମଦନିକା ରାଜାଙ୍କୁ କହିଲେ , " ଯେହେତୁ ଆପଣ ସଂସାରୀ ଥିଲେ ଏବଂ ବିବାହିତ ଥିଲେ , ତେଣୁ ନାରୀ ରୂପରେ ମତେ ବତାନ୍ତୁ - କିପରି ପୁରୁଷ ସହିତ ସମ୍ଭୋଗ ବେଳେ ନାରୀ ସୁଖ ପାଏ । ମୁଁ ଏକ ନାରୀ ହୋଇ ରତିସୁଖ ଅନୁଭବ କରିବାକୁ ଚାହେଁ ।" ରାଜା ମଦନିକାଙ୍କ ସହ ରତିକ୍ରିଡ଼ା କଲେ । ଏହିପରି ଭାବରେ ରାଜା ଦିନରେ ବ୍ରହ୍ମଜ୍ଞାନଧାରୀ ସନ୍ୟାସୀ ଓ ରାତିରେ ଗୃହୀ ହୋଇ ରହିଲେ । ଦିନେ ମଦନିକା ନିଜ ଭୋଜବିଦ୍ୟା ବଳରେ ଅନ୍ୟ ଏକ ମାୟା ନାରୀ ସୃଷ୍ଟି କରି , ରାଜାଙ୍କ ପାଖକୁ ରାତ୍ରିରେ ଶୟନ ନିମନ୍ତେ ପଠାଇଲେ । କିନ୍ତୁ , ସେଇ ନାରୀର ଉପସ୍ଥିତିରେ ରାଜାଙ୍କ କୌଣସି ଚିତ୍ତଚାଞ୍ଚଲ୍ୟ ହେଲାନାହିଁ ।
ଏହାପରେ ଚୁଦଳା ରାଜାଙ୍କ ନିକଟରେ ଉପସ୍ଥିତ ହୋଇ ନିଜର ପରିଚୟ ଦେଇ କହିଲେ, ରାଜା ପ୍ରକୃତ ଆତ୍ମଜ୍ଞାନର ଅଧିକାରୀ ହୋଇ ପାରିଛନ୍ତି । ରାଜା ମଧ୍ୟ ଅନୁଭବ କଲେ ପ୍ରକୃତ ଜ୍ଞାନ ପ୍ରାପ୍ତି ପାଇବା ପାଇଁ ଜଣେ ସନ୍ୟାସ ହେବ ଅନାବଶ୍ୟକ । ଏବଂ ଜଣେ ନାରୀ ମଧ୍ୟ ଧର୍ମ ଓ ଜ୍ଞାନର ଅଧିକାରିଣୀ ହୋଇପାରିବ । ଏହାପରେ ରାଜା ନିଜ ରାଜ୍ୟକୁ ଫେରି ରାଜ୍ୟଭାର ଗ୍ରହଣ କଲେ ଏବଂ ବ୍ରହ୍ମଜ୍ଞାନର ସନ୍ଧାନ ମଧ୍ୟ ଜାରି ରଖିଲେ । ଚୁଦଳା ଓ ଶିଖିଧ୍ଵଜଙ୍କ ଏହି କାହାଣୀ ମଧ୍ୟ ପ୍ରାଚୀନ ଶାସ୍ତ୍ରରେ ଜ୍ଞାନ ପ୍ରାପ୍ତି ପାଇଁ ଲିଙ୍ଗ ପରିବର୍ତ୍ତନ କରିବାର ଏକ ଅନନ୍ୟ ଉଦାହରଣ ।
୧୨. ଅର୍ଜୁନ ରୁ ବୃହନ୍ନଳା :- ନାରାୟଣଙ୍କ ଊରୁରୁ ଜାତ ଊର୍ବଶୀ ଥିଲେ ଅସାମାନ୍ୟ ସୁନ୍ଦରୀ । ସ୍ୱର୍ଗର ପ୍ରମୁଖ ୨୬ ଜଣ ଅପ୍ସରାଙ୍କ ମଧ୍ୟରେ ସବୁଠାରୁ ସୁନ୍ଦରୀ ଥିଲେ ଊର୍ବଶୀ । ଦେବରାଜ ଇନ୍ଦ୍ରଙ୍କ ରାଜସଭାରେ ସେ ଥିଲେ ପ୍ରମୁଖ ନର୍ତ୍ତକୀ । ଚିତ୍ରସେନ ଗନ୍ଧର୍ବ ଠାରୁ ସଂଗୀତ ଓ ନୃତ୍ୟ ଶିକ୍ଷାଲାଭ କରିବା ପାଇଁ, ପିତା ଇନ୍ଦ୍ରଙ୍କ ଅନୁରୋଧ କ୍ରମେ ଅର୍ଜୁନ ସ୍ୱର୍ଗକୁ ଯାଇଥିଲେ । ଦିନେ ଊର୍ବଶୀ ଅର୍ଜୁନଙ୍କ ପୌରୁଷରେ ମୋହିତ ହୋଇ ତାଙ୍କୁ ପ୍ରେମ ନିବେଦନ କଲେ । କିନ୍ତୁ , ଯେହେତୁ ଊର୍ବଶୀ, ଅର୍ଜୁନଙ୍କ ପୂର୍ବଜ ପୁରୁରବାଙ୍କୁ ବିବାହ କରିଥିଲେ, ତେଣୁ ସେ ତାଙ୍କୁ ମାତା ବୋଲି ସମ୍ବୋଧନ କରି ତାଙ୍କ ପ୍ରଣୟକୁ ପ୍ରତ୍ୟାଖାନ କଲେ । କାମ ପୀଡିତା ଊର୍ବଶୀ କ୍ରୋଧିତ ହୋଇ ଅର୍ଜୁନଙ୍କୁ ବାକି ଜୀବନ ନପୁଂସକ ହୋଇଯାଆନ୍ତୁ ବୋଲି ଅଭିଶାପ ଦେଲେ । ଇନ୍ଦ୍ରଙ୍କ ହସ୍ତକ୍ଷେପ ପରେ, ସେ ଏହାର ଅବଧିକୁ ଏକ ବର୍ଷକୁ ହ୍ରାସ କରି ଦେଇଥିଲେ ।
ଏକାନ୍ତ ବନବାସ ସମୟରେ ପାଣ୍ଡଵ ଭ୍ରାତା ମାନଙ୍କୁ ଲୁକ୍କାୟିତ ଭାବରେ ଏକ ବର୍ଷ ବିତାଇବାକୁ ପଡିଥିଲା । ସେଇ ସମୟରେ ଊର୍ବଶୀଙ୍କ ଅଭିଶାପ ଅନୁସାରେ ଅର୍ଜୁନ 'ତୃତୀୟ ଲିଙ୍ଗୀ' ବା ନପୁଂସକକୁ ରୂପାନ୍ତରିତ ହୋଇ ଯାଇଥିଲେ । ବୃହନ୍ନଳା ନାମକ କିନ୍ନର ହୋଇ, ସେ ମତ୍ସ୍ୟ ଦେଶର ରାଜା ବିରାଟଙ୍କ କନ୍ୟା ଉତ୍ତରାକୁ ନୃତ୍ୟ ଓ ସଂଗୀତ ଶିକ୍ଷା ପ୍ରଦାନ କରିଥିଲେ । ବନବାସର ଅବଧି ଶେଷରେ, ପୁନଶ୍ଚ ପୁରୁଷତ୍ୱ ଲାଭକରି ଅର୍ଜୁନ ଉତ୍ତରାଙ୍କୁ ବିବାହ କରିଥିଲେ । ମହାଭାରତରେ ବର୍ଣ୍ଣିତ ଏହି କାହାଣୀ ସାମୟିକ ନପୁଂସକତା ତଥା ଲିଙ୍ଗ ପରିବର୍ତ୍ତନର ଏକ ଉଦାହରଣ ଅଟେ ।
୧୩ . ଅର୍ଜୁନ ରୁ ଅର୍ଜୁନୀ :- ଉର୍ବଶୀଙ୍କ ଅଭିଶାପରୁ ଏକ ବର୍ଷ ପାଇଁ ନପୁଂସକ ହୋଇଥିଲେ ଅର୍ଜୁନ । କିନ୍ତୁ, ପଦ୍ମ ପୁରାଣର ପାତାଳ ଖଣ୍ଡରେ ବର୍ଣ୍ଣିତ ଅଛି ଅର୍ଜୁନ ମଧ୍ୟ ଏକ ସମ୍ପୂର୍ଣ୍ଣ ନାରୀରେ ପରିଣତ ହୋଇଥିଲେ କିଛି ଦିନ ପାଇଁ । ପୁରୁଷ ଦେହଧାରୀ ଅର୍ଜୁନରୁ ପାଲଟି ଯାଇଥିଲେ ନାରୀ ଶରୀରଧାରୀ ଅର୍ଜୁନୀ । ଦିନେ ଯମୁନା କୂଳରେ ଅର୍ଜୁନ ତାଙ୍କ ସଖା ଶ୍ରୀକୃଷ୍ଣଙ୍କୁ ବୃନ୍ଦାବନରେ ତାଙ୍କର ରାସଲୀଳା ବାବଦରେ ବର୍ଣ୍ଣନା କରିବାକୁ ଅନୁରୋଧ କଲେ । ଶ୍ରୀକୃଷ୍ଣଙ୍କର ସେଇ ଅଦ୍ଭୁତ ରାସଲୀଳାର ପ୍ରସଙ୍ଗ ଶ୍ରବଣ କରି ଅର୍ଜୁନ ପୁଲ୍ଲକିତ ହୋଇ, ସଖାଙ୍କୁ ସେଇ ରାସଲୀଳାର ପ୍ରତ୍ୟକ୍ଷ ଅନୁଭବ ଦେବା ପାଇଁ ପ୍ରାର୍ଥନା କଲେ । ଶ୍ରୀକୃଷ୍ଣ କହିଲେ ସ୍ୱୟଂ ବ୍ରହ୍ମା ଓ ମହାଦେବ ମଧ୍ୟ ଏହାର ପ୍ରତ୍ୟକ୍ଷ ଅନୁଭବ ପାଇ ପାରିନାହାନ୍ତି । ରାସଲୀଳାର ପ୍ରତ୍ୟକ୍ଷ ରସ ଆସ୍ଵାଦନ କରିବା ପାଇଁ ଉପାୟ କେବଳ ତ୍ରିପୁରାସୁନ୍ଦରୀ ହିଁ ବତାଇ ପାରିବେ ।
ଶ୍ରୀକୃଷ୍ଣଙ୍କ ନିର୍ଦ୍ଦେଶରେ ଅର୍ଜୁନ ତ୍ରିପୁରା ସୁନ୍ଦରୀଙ୍କ ଆରାଧନା କଲେ । ପ୍ରକଟ ହୋଇ ତ୍ରିପୁରା ସୁନ୍ଦରୀ ତାଙ୍କୁ କହିଲେ , ଅଦ୍ଭୁତ ରାସଲୀଳାରେ ଶ୍ରୀକୃଷ୍ଣ ହିଁ ଏକମାତ୍ର ପୁରୁଷ ଓ ଅନ୍ୟ ସମସ୍ତେ ନାରୀ । ଏହି ଦିବ୍ୟ ଦୃଶ୍ୟର ପ୍ରତ୍ୟକ୍ଷ ଅନୁଭବ କରିବାକୁ ହେଲେ ଦର୍ଶକ ନାରୀ ପାଲଟି ଯିବ । ଅର୍ଜୁନ ସେହି ସର୍ତ୍ତରେ ରାଜି ହୋଇଗଲେ । ସେଥିପାଇଁ ତ୍ରିପୁରାସୁନ୍ଦରୀଙ୍କ ନିର୍ଦେଶରେ ଅର୍ଜୁନ କୁଳକୁଣ୍ଡ ହ୍ରଦରେ ସ୍ନାନ କଲେ । ସେହି ହ୍ରଦରେ ସ୍ନାନ ଉପରାନ୍ତେ ଅର୍ଜୁନ ନିଜକୁ ବୃନ୍ଦାବନରେ ଦେଖିବାକୁ ପାଇଲେ । ତାହା ସ୍ୱର୍ଗ ଠାରୁ ବି ଅଧିକ ରମଣୀୟ ଥିଲା । କୃଷ୍ଣ ଓ ଗୋପୀ ମାନଙ୍କ ମଧ୍ୟରେ ନିତ୍ୟରାସ ଚାଲୁଥିଲା । ସବୁକିଛି ସୁନ୍ଦର ଓ ଶାଶ୍ୱତ ଥିଲା।
ଜଣେ ସଖି ତାଙ୍କୁ ଦକ୍ଷିଣ ଦିଗରେ ଅବସ୍ଥିତ ଥିବା ଅନ୍ୟ ଏକ ହ୍ରଦରେ ସ୍ନାନ କରିବାକୁ କହିଲେ । ସ୍ନାନ ଉପରାନ୍ତେ ଅର୍ଜୁନ ଏକ ଅତ୍ୟନ୍ତ ସୁନ୍ଦରୀ ନାରୀରେ ପରିଣତ ହୋଇଗଲେ । ସ୍ମୁତି ପଟଳରୁ ସମସ୍ତ ଅତୀତ ଅଦୃଶ୍ୟ ହୋଇଯାଇ ସେ ନିଜକୁ 'ଅର୍ଜୁନୀ' ରୂପେ ପାଇଲେ । ଜିବାଦଶାରେ ପ୍ରଥମ ଥର ପାଇଁ ସେ ନିଜକୁ ଏପରି ଅବସ୍ଥାରେ ଅନୁଭବ କଲେ । ପ୍ରିୟମ୍ବଦା ନାମ ଜଣେ ସଖି ଅର୍ଜୁନୀଙ୍କୁ ପରିଚୟ ମାଗିବାରୁ ସେ କହିଲେ , ତାଙ୍କୁ ଜଣା ନାହିଁ ସେ ନିଜେ କିଏ । କାହାର ପତ୍ନୀ ସିଏ, କାହାର କନ୍ୟା ସିଏ , କାହିଁକି ଏଠାକୁ ଆସିଛନ୍ତି !
ପ୍ରିୟମ୍ବଦାଙ୍କ ନିର୍ଦ୍ଦେଶରେ ଏକ ମନ୍ତ୍ର ଉଚ୍ଚାରଣ ପରେ ରାଧାଙ୍କ ଉପସ୍ଥିତି ଦେଖିବାକୁ ପାଇଲେ ଅର୍ଜୁନୀ । ଏହାପରେ ରାଧା ତାଙ୍କୁ କୃଷ୍ଣଙ୍କର ବିଶେଷ ମନ୍ତ୍ର ଜପ କରିବାକୁ କହିଲେ । ମନ୍ତ୍ରଜପ ପରେ ଅର୍ଜୁନୀ , ରାଧାକୃଷ୍ଣଙ୍କର ଯୁଗଳ ମୂର୍ତ୍ତି ଦେଖିବାକୁ ପାଇଲେ । ଏହାପରେ ରାଧାଙ୍କ ନିର୍ଦ୍ଦେଶରେ ସଖି ସାରଦା ଅର୍ଜୁନୀଙ୍କୁ କୃଷ୍ଣଙ୍କ ପାଖକୁ ଆଣିଲେ । କୃଷ୍ଣ ଅର୍ଜୁନୀଙ୍କୁ ଆଲିଙ୍ଗନ କଲେ , ଯେଉଁଥିରୁ ସେ ଅସୀମ ଆନନ୍ଦ ଉପଲବ୍ଧି କଲେ । ଏହାପରେ , କୃଷ୍ଣଙ୍କ ନିର୍ଦ୍ଦେଶରେ , ସଖି ସାରଦା ତାଙ୍କୁ ପଶ୍ଚିମ ଦିଗରେ ଅବସ୍ତିତ ଏକ ହ୍ରଦରେ ସ୍ନାନ କରାଇବା ପରେ , ସେ ତାଙ୍କର ମୂଳ ପୁରୁଷ ଅର୍ଜୁନ ରୂପ ଫେରି ପାଇଲେ । ବୃନ୍ଦାବନ ଓ ରାସସ୍ଥଳୀ ମଧ୍ୟ ଅଦୃଶ୍ୟ ହୋଇଗଲା । ଏହିପରି କୃଷ୍ଣଙ୍କ ଦିବ୍ୟ ପ୍ରେମ ରୂପ ଦର୍ଶନ ନିମନ୍ତେ ଅର୍ଜୁନଙ୍କୁ ଥରେ ଲିଙ୍ଗ ପରିବର୍ତ୍ତନ କରାଇ ନାରୀରେ ପରିଣତ ହେବାକୁ ପଡିଥିଲା । ଉକ୍ତ ପଦ୍ମ ପୁରାଣରେ ମଧ୍ୟ ଏହିପରି ଶ୍ରୀକୃଷ୍ଣଙ୍କ ଦିବ୍ୟ ରାସଲୀଳାରେ ସମ୍ମିଳିତ ହେବ ପାଇଁ ଦେବର୍ଷି ନାରଦଙ୍କୁ ମଧ୍ୟ ନାରୀ ରୂପ ଆହରଣ କରିବାକୁ ପଡିଥିଲା ବୋଲି ଉଲ୍ଲେଖ ଅଛି ।
ଏହିପରି ଲିଙ୍ଗ ପରିବର୍ତ୍ତନର ଆହୁରି ଅନେକ ଦୃଷ୍ଟାନ୍ତ ଦେଖିବାକୁ ମିଳେ, ପୁରାତନ ଗ୍ରଂଥରେ । ମହାଦେବ ଜଣେ ନାରୀ ରୂପ ଧାରଣ କରି ତାଙ୍କର ଶିଷ୍ୟା ରତ୍ନାବତୀର ପୁତ୍ର ସନ୍ତାନ ପ୍ରସବ କରାଇବା , ହର୍ଷଙ୍କ ରଚିତ 'ରତ୍ନାବଳୀ' ନାଟକରେ ସାଗରିକା ଓ ଉଦୟନଙ୍କ ପ୍ରେମ କାହାଣୀ ହେଉ , ଗୁଜୁରାଟର କିନ୍ନର ମାନଙ୍କ ଦେବୀ ବହୁଚରଙ୍କ ଅସମ୍ପୂର୍ଣ୍ଣ ସ୍ୱାମୀଙ୍କ କାହାଣୀ ହେଉ ଅଥବା କେବେ ପୁରୁଷ ଦେଖି ନଥିବା ପ୍ରମିଳା ଓ ଅର୍ଜୁନଙ୍କ ପ୍ରେମ କାହାଣୀ ହେଉ , କିମ୍ବା ମଣିପୁରୀ କନ୍ୟା ଚିତ୍ରଙ୍ଗଦାଙ୍କ ସହ ମିଳନରୁ ବବ୍ରୁବାହନର ଜନ୍ମ ହେଉ ସବୁ କାହାଣୀରେ ଭରି ରହିଛି ରୋମାଞ୍ଚ ଓ ଆଶ୍ଚର୍ଯ୍ୟ । ମହାଦେବଙ୍କର ଅର୍ଦ୍ଧନାରୀଶ୍ୱର ରୂପରେ ଯେପରି ନାରୀ ଓ ପୁରୁଷର ଏକ ଅପୂର୍ବ ଯୁଗ୍ମ ଶରୀର ଦେଖିବାକୁ ମିଳେ । ସେହିପରି ହରହରି ରୂପରେ ଶିବ ଓ ବିଷ୍ଣୁଙ୍କ ଐକ ଶରୀରର ଦିବ୍ୟ ମୂର୍ତ୍ତି ଦେଖିବାକୁ ମିଳେ ।
ଏହିପରି ଲେଖି ବସିଲେ , ଏକ ବିରାଟ ଗ୍ରନ୍ଥ ହେବ । ପୁରାତନ ଗ୍ରନ୍ଥରେ ଉଲ୍ଲଖିତ ଏହି ତଥ୍ୟକୁ କେବଳ ମନୋରଞ୍ଜନ ନିମନ୍ତେ ଉତ୍ଥାପିତ କରାଯାଇଅଛି । ଆମ ପୂର୍ବସୂରୀ ତଥା ମହାନ ଚରିତ୍ର ମାନଙ୍କୁ ଅଶ୍ଳୀଳ ଚିତ୍ରଣ କରିବା ଏହି ଲେଖାର ଉଦ୍ଦେଶ୍ୟ ନୁହେଁ । ସେହିପରି ବିଷ୍ଣୁ ହୁଅନ୍ତୁ ବା ମହାଦେବ କିମ୍ବା କୃଷ୍ଣ ହୁଅନ୍ତୁ , ଏକ ମହତ ଉଦ୍ଦେଶ୍ୟ ନେଇ ଏହି ଲିଙ୍ଗ ପରିବର୍ତ୍ତନ କରିଥିବାର ବର୍ଣ୍ଣନା କରାଯାଇଅଛି । ନଚେତ୍, ଈଶ୍ୱରଙ୍କ ଲିଙ୍ଗ ଶରୀର କାହିଁ ? ସେ ତ ଅଲିଙ୍ଗୀ !