STORYMIRROR

Prasanta Beuria

Others

4.0  

Prasanta Beuria

Others

ସେଡିଷ୍ଟ (Sadist)

ସେଡିଷ୍ଟ (Sadist)

5 mins
59


ଅଭିଧାନିକ ଅର୍ଥରେ - ଯେଉଁ ବ୍ୟକ୍ତି ଅନ୍ୟ ବ୍ୟକ୍ତିକୁ ପୀଡା କିମ୍ବା ଅପମାନ ପହୁଞ୍ଚାଇ ଯୌନ ସନ୍ତୁଷ୍ଟି ଲାଭ କରେ ତାହାକୁ ସେଡିଷ୍ଟ୍ କୁହାଯାଏ। ଏହିପରି ବିକୃତ ମନସ୍ତତ୍ୱକୁ ମଧ୍ୟ 'ସେଡିଷ୍ଟିକ୍ ଚିନ୍ତାଧାରା' କୁହାଯାଏ । ଅଷ୍ଟାଦଶ ଶତାବ୍ଦୀରେ ଫ୍ରାନ୍ସର ମାରକୁଇସ୍ ଡି ସେଡ୍ ନାମକ ଜଣେ ବ୍ୟକ୍ତିଙ୍କ ନାମ ଅନୁସାରେ ସେଡିଷ୍ଟ୍ ଶବ୍ଦର ଉତ୍ପତ୍ତି ହୋଇଅଛି । ସେଡ୍ ଥିଲେ ଆଧୁନିକ ଯୌନ ବିକୃତିର ଅଗ୍ରଣୀ ନେତା । ବିକୃତ ଯୌନାଚାର , ଧର୍ଷଣ , କ୍ରୁରତା ଓ ହତ୍ୟାରେ ସେଡ୍ ଙ୍କ ଉପନ୍ୟାସ ପରିପୂର୍ଣ୍ଣ । ଚାବୁକ୍ ବା ପାଞ୍ଚଣରେ ଉଲଗ୍ନ ଯୁବତୀକୁ ପ୍ରହାର କରିବା ଓ ତା'ଠାରୁ ପ୍ରହାର ଖାଇବା ପ୍ରକ୍ରିୟାରେ ଯୌନ ଉନ୍ମାଦନା ଲାଭ କରିବାର, ମାର୍ଗ ପ୍ରଦର୍ଶକ ଭାବେ ସେଡ୍ ବିଖ୍ୟାତ । 


ଆରିଷ୍ଟୋଟଲ୍ କହିଥିଲେ - "ପୁରୁଷ ଅପେକ୍ଷା ନାରୀର ପିଞ୍ଜରା ହାଡ଼ ସଂଖ୍ୟା କମ୍ ।" ବାଇବେଲ୍ ର ଏହି ଆଡ଼ାମ୍ - ଇଭ୍ କାହାଣୀ ସତ୍ୟ ହୋଇଥାଇ ପାରେ ! ବୋଧହୁଏ ପୁରୁଷକୁ ପ୍ରଥମେ ଗଢି ସାରିଲା ପରେ, ବିଧାତା ନାରୀକୁ ଗଢିଲା ବେଳେ ହାଡ଼ ନିଅଣ୍ଟ ପଡିଯିବାରୁ, ଗୋଟିଏ ହାଡ଼ କମାଇ ଦେଇ ପାରିଥାନ୍ତି । ସେହି ଆରିଷ୍ଟୋଟଲିୟ ହାଡଟି କେଉଁ ଗୋଟିକ, ତାହା ଆପଣ ନିଶ୍ଚିତ ଅନୁମାନ କରି ପାରୁଥିବେ । ଅନ୍ୟ ପ୍ରାଣୀଙ୍କ ପରି ମଣିଷର କେବଳ ଯୌନ କ୍ଷୁଧା ନଥାଏ । ମଣିଷ ଚାହେଁ ଯୌନ ସଙ୍ଗମରେ ବିଳାସ । ନାରୀର କମନୀୟ , ନମନୀୟ ଶରୀରର ସୁଯୋଗ ନେଇ , କଳ୍ପନା ଓ ଅଭିଜ୍ଞତାର ବିନିଯୋଗ କରି ମଣିଷ ଆବିଷ୍କାର କରିଛି ଚଉଷଠି ପ୍ରକାର ବନ୍ଧ । ମଣିଷ ବ୍ୟତୀତ ଅନ୍ୟ କୌଣସି ପ୍ରାଣୀକୁ ଏକ ବ୍ୟତୀତ ଦ୍ଵିତୀୟ ବନ୍ଧ ଜଣା ନାହିଁ ।

କଥାରେ ଅଛି - ପଶୁ ବଂଚିବା ପାଇଁ ଖାଏ , ମଣିଷ ଖାଇବା ପାଇଁ ବଂଚେ । ଯଦିଓ ଉଭୟଙ୍କର ଯୌନ କାମନା ଅଛି , ମଣିଷ ତା'ର ଯୌନ ଲାଳସାକୁ ସୁନ୍ଦର ଓ ରୁଚିପୂର୍ଣ୍ଣ କରେ । ପଶୁର ସେକ୍ସ , ତା'ର ପ୍ରବୃତ୍ତି ଚାଳିତ । ମଣିଷର ସେକ୍ସ, ତା'ର ବିଳାସ । ବିଳାସର ଉପାୟ ପୁଣି ନିଅଣ୍ଟ ପଡ଼ିଯାଏ । ତେଣୁ ସେ ଆବିଷ୍କାର କରିଛି ସେକ୍ସର ଅନେକ ବିକୃତି । ଉଲଗ୍ନ ନାରୀକୁ ନିର୍ମମ ଭାବରେ ପ୍ରହାର କରିବା ମଧ୍ୟ କେତେକଙ୍କ ପାଇଁ ହୋଇଯାଏ ନାରୀ ସମ୍ଭୋଗର ଗୋଟିଏ ମାର୍ଗ ।   


ଆଧୁନିକ ଯୁଗ ଆରମ୍ଭ ପର୍ଯ୍ୟନ୍ତ ପୃଥିବୀର ଅଧିକାଂଶ ଦେଶରେ ବ୍ରହ୍ମଚାରୀର ଉଚ୍ଚ ସମ୍ମାନ ଥିଲା । ଅଧିକାଂଶ ଧର୍ମରେ ସେକ୍ସ ନିନ୍ଦିତ । କେବଳ ସନ୍ତାନ ଜାତ କରିବା ଉଦ୍ଦେଶ୍ୟ ବ୍ୟତୀତ ସ୍ୱାମୀ-ସ୍ତ୍ରୀର ମିଳନ ପାପ ବୋଲି ପରିଗଣିତ ହୋଉଥିଲା । ଯୌନ ବ୍ୟାପାରରେ ଏହି କପଟତା , କୃତ୍ରିମତା ଓ ଅଜ୍ଞାନ ଯୁଗ ଯୁଗ ଧରି ଚାଲିବା ହେତୁ , ଆଧୁନିକ ଯୁଗରେ ଭୟଙ୍କର ଯୌନ ବିକୃତି ପ୍ରକାଶ ପାଇଲା ।

 


ପରପୀଡନ ରତି (sadism) ମଧ୍ୟ ଏକ ଯୌନ ବିକୃତି । ଏହାର ଜନକ ଥିଲେ ଅଷ୍ଟାଦଶ ଶତାବ୍ଦୀରେ ଫ୍ରାନ୍ସରେ ଜନ୍ମିତ ଡୋନାଟିଏନ୍ ଆଲଫୋନସୋ ଫ୍ରାଙ୍କୋଇସ୍ ଓରଫ୍ ମାରକୁଇସ୍ ଡି ସେଡ୍ । ସେଡ୍ ନାମକ ଏହି ବ୍ୟକ୍ତିଙ୍କ(୧୭୪୦-୧୮୧୪) ନାମ ଅନୁସାରେ 'ସେଡିଷ୍ଟ୍' (sadist) ଶବ୍ଦର ଉତ୍ପତ୍ତି ହୋଇଅଛି । ସେଡ୍ ଙ୍କ ରମଣ ରୁଚିର ଗୋଟିଏ ଦୃଷ୍ଟାନ୍ତ –

୧୮ ଅକ୍ଟୋବର ୧୭୬୩ରେ ସେଡ୍, ଜେନି ଟେଷ୍ଟର୍ଡ ନାମକ ଜଣେ ବେଶ୍ୟାକୁ ତାଙ୍କ ଘରକୁ ନେଇଯାଇ ଅକଥ୍ୟ ବିକୃତ ଯୌନ ନିର୍ଯାତନା ଦେଇଥିଲେ । ପରେ ସେହି ବେଶ୍ୟା ପୋଲିସ ନିକଟରେ ସେଡ୍ ଙ୍କ ଯୌନ ବିକୃତି ବାବଦରେ ବର୍ଣ୍ଣନା କରି ଅଭିଯୋଗ ଆଣିଥିଲା । ଉକ୍ତ ବେଶ୍ୟାଙ୍କ କହିବା ଅନୁଯାୟୀ , ସେଡ୍ ଯୀଶୁ ଓ ମେରିଙ୍କୁ ଅସଭ୍ୟ ଗାଳିଗୁଲଜ କରି କରି ହସ୍ତମୈଥୁନ କରୁଥିଲା । ତାଙ୍କୁ ଉଲଗ୍ନ କରି ଯୀଶୁଙ୍କ ଚିତ୍ର ଉପରେ ଚଲେଇଥିଲା । ଜେନି ଟେଷ୍ଟର୍ଡ ନାମକ ଉକ୍ତ ବେଶ୍ୟା ଆହୁରି ମଧ୍ୟ ପ୍ରକାଶ କରିଥିଲେ ଯେ , ସେଡ୍ ତାଙ୍କୁ ଏକ ଉତ୍ତପ୍ତ ଲୁହା ଚାବୁକ୍ ରେ ପିଟିବା ପାଇଁ ବାଧ୍ୟ କରିଥିଲା। ତାଙ୍କର ଏହି ଅଭିଯୋଗ ପରେ ପୋଲିସ ସେଡ୍ ଙ୍କୁ ଗିରଫ କରି ଜେଲକୁ ପଠାଇଦେଇଥିଲା । ପରେ ତାଙ୍କ ବାପାଙ୍କ ଅନୁରୋଧ କ୍ରମେ ରାଜା ପଞ୍ଚଦଶ ଲୁଇସ୍ ତାଙ୍କୁ ଜେଲରୁ ମୁକ୍ତ କରିଥିଲେ ।


ସେଡିୟ ରମଣ ରୁଚିର ଆଉ ଏକ ଦୃଷ୍ଟାନ୍ତ – 

୩ ଏପ୍ରିଲ ୧୭୬୮ , ଇଷ୍ଟର ସଂଡେ଼ ଦିନ ଏକ ୩୬ ବର୍ଷୀୟା ବିଧବା ଗରିବ ରମଣୀକୁ ସେଡ୍ ନିଜ ଘରକୁ ଡାକିଆଣିଲେ । ସେଡ୍ ଯୁବତୀକୁ ଉଲଗ୍ନ କରି ତାର ହାତ ପାଦ ବାନ୍ଧିଦେଲେ । ତାପରେ ଆରମ୍ଭ ହେଲା ଚାବୁକ୍ ମାଡ଼ । ସାହାଯ୍ୟ ପାଇଁ ଚିତ୍କାର କରିବାକୁ ଉପାୟ ନଥିଲା । ଛୁରୀ ଦେଖାଇ ସେଡ୍ ତାକୁ ଚୁପ୍ ରହିବାକୁ ବାଧ୍ୟ କଲେ । ଛୁରୀରେ ତା' ଦେହକୁ କାଟି , ସେଥିରେ ମହମ ତରଳେଇ ଢ଼ାଳିଲେ ସେଡ୍ । ଯୁବତୀକୁ କିଛି ସମୟର ଏହିପରି ଯନ୍ତ୍ରଣା ଦେଲାପରେ ସେଡ୍ ଯୌନ ଉତ୍ତେଜନାର ଚରମ ସୀମାରେ ପହଁଚିଲେ । ତାପରେ ଶାନ୍ତ ହୋଇ ଯୁବତୀର ବନ୍ଧନ ଖୋଲି ଦେଲେ । ବିଚାରି କୌଣସି ମତେ ଝରକା ପଟେ ଖସି ଯାଇ ଥାନାରେ ଯାଇ ଅଭିଯୋଗ କଲା । ସେଡ୍ ଙ୍କ ଶାଶୁ ମାଡାମ୍ ଡି ମୋଁଣ୍ଟ୍ରେଉଇଲ୍ ମୋଟା ଅଙ୍କର ଅର୍ଥ ଖର୍ଚ୍ଚ କରି ତାଙ୍କୁ ରକ୍ଷା କଲେ । ଥରେ ନୁହେଁ , ଅନେକଥର ଶାଶୁ ଜ୍ୱାଇଁଙ୍କୁ ରକ୍ଷା କରିଥିଲେ। କିନ୍ତୁ ସେଡ୍ ଶାଶୁଙ୍କୁ କୃତଜ୍ଞତା ଜଣାଇବା ପରିବର୍ତ୍ତେ ତାଙ୍କ ଶାଳୀକୁ ଅପହରଣ କରି ଭୃତ୍ୟ ଲାଟୋର ସହିତ ଇଟାଲୀ ପଳାଇଲେ ।


ଆଉ ଏକ ଦୃଷ୍ଟାନ୍ତ –

ଗୋଟିଏ କାଣ୍ଡ ଘଟାଇ ସେଡ୍ ତାଙ୍କ ଶାଳୀ ଆନେ ପ୍ରୋସ୍ପେରେଙ୍କ ସହ ଇଟାଲୀ ଚାଲିଗଲେ । ତାଙ୍କ ନିର୍ଦ୍ଦେଶ କ୍ରମେ ଭୃତ୍ୟ ଲାଟୋର ସାଥିରେ ଚାରି ଜଣ ବେଶ୍ୟାଙ୍କୁ ମଧ୍ୟ ନେଇଯାଇଥିଲେ । ନିଜର ବିକୃତ ଯୌନ ବିଳାସ ପାଇଁ ଜଣଙ୍କୁ ଚାବୁକରେ ପିଟି ସେଡ୍ ଆପଣାକୁ ଉତ୍ତେଜିତ କଲେ । ଦ୍ଵିତୀୟ ସହିତ ସ୍ୱାଭାବିକ ରମଣ କଲେ । ତୃତୀୟ ଜଣଙ୍କୁ ରମଣ କରୁଥିବା ବେଳେ ଲାଟୋର ତାଙ୍କୁ ସମଲିଙ୍ଗୀ ରତିକ୍ରିଡାରେ ଆପ୍ୟାୟିତ କରୁଥିଲେ । ଚତୁର୍ଥଙ୍କୁ ଲାଟୋର ରମଣ କଲା ଓ ସେଡ୍ ତାଙ୍କୁ ପ୍ରହାର କରୁଥିଲେ । ଚାରିଜଣଯାକ ଥାନାକୁ ଗଲେ କଣ ହେବ ଅନୁମାନ କରି ସେଡ୍ ଲୁଚି ଫ୍ରାନ୍ସକୁ ପଳାଇ ଆସିଲେ । ଫ୍ରାନ୍ସକୁ ଫେରି ପୁଣି ତାଙ୍କ ଲୀଳା ଆରମ୍ଭ କଲେ ସେଡ୍ । ଏଥର କିନ୍ତୁ ତାଙ୍କୁ ଶାଶୁଙ୍କ ସାହାଯ୍ୟ ମିଳିଲା ନାହିଁ । ସେଡ୍ ତେର ବର୍ଷ ଜେଲ ଗଲେ ।


ନାରୀର ନିତମ୍ବ ଓ କୁଚରେ ଚାବୁକ ପ୍ରହାର ପୂର୍ବକ ଯୌନ କାମନା ଚରିତାର୍ଥ କରିବାର ଅଭିନବ ରତିକଳାର ନାମ ; ଏହାର ପ୍ରଧାନ ପ୍ରବକ୍ତା ସେଡ୍ ଙ୍କ ନାମାନୁସାରେ 'ସେଡ଼ିଜିମ୍' ରଖା ଯାଇଅଛି । କିନ୍ତୁ ଏପରି ବିକୃତି କାହିଁକି ? ଯୁଗ ଯୁଗ ଧରି 'ସେକ୍ସ ଘୃଣ୍ୟ, ନରକକୁ ପଥ' ବୋଲି ଗୁରୁମନ୍ତ୍ର କାନରେ ବାରମ୍ବାର ଫୁଙ୍କିବା ଦ୍ୱାରା ମଣିଷ ମନରେ ଏହି ବିକୃତି ସୃଷ୍ଟି ହୋଇ ଥାଇପାରେ। ଗୋଟିଏ ବିକୃତିରୁ ଆଉ ଗୋଟିଏ ବିକୃତି ହୁଏତ ସୃଷ୍ଟି ହୋଇଥାଇପାରେ । ନାରୀ ଯଦି କାମନାଗ୍ନି ସୃଷ୍ଟିର କାରଣ , ତେବେ ତ ତାକୁ ଚାବୁକ ମାରିବା ଦରକାର । ତତ୍ ସହିତ ମୁଁ ମଧ୍ୟ ସାଧୁ ନୁହେଁ , ଯେହେତୁ ମୁଁ ନାରୀ ପ୍ରତି ଆସକ୍ତ । ତେଣୁ ମୋର ମଧ୍ୟ ଚାବୁକ ମାଡ଼ ଖାଇବା ଉଚିତ । ସେଡ଼ିଜିମ୍ ଓ ମାସୋଚିଜିମ୍ ପଛରେ ଉପରୋକ୍ତ ଦୁଇଟି କାରଣ ରହିଥାଇପାରେ । ସେଡ୍ ଯେଉଁ ନାରୀକୁ ଉପଭୋଗ କରନ୍ତି ତାକୁ ଉଲଗ୍ନ କରି ଧର୍ମଗ୍ରନ୍ଥ ଓ ଈଶ୍ୱରଙ୍କ ପ୍ରତିମା ଉପରେ ଚଲାନ୍ତି । ଦୀର୍ଘ କାଳ ଧରି ମଣିଷକୁ ଛଳନା ଓ ମିଥ୍ୟା ଭିତରେ ବୁଡାଇ ରଖାଯାଇଥିଲା , ହୁଏତ ଅବଚେତନ ମନରେ ସେଡ୍ ତାର ପ୍ରତିଶୋଧ ନେବାକୁ ଚେଷ୍ଟା କରିଛନ୍ତି ।


ସର୍ବଦା ନୂତନ ଓ ଅସାଧାରଣ ଯୌନାନୁଭୂତି ସନ୍ଧାନରେ ଥିବା ସେଡ୍ ଙ୍କୁ ଥରେ ତେର ବର୍ଷ ଓ ଆଉଥରେ ଚଉଦ ବର୍ଷ ଏହିପରି ସତେଇଶ ବର୍ଷ ଜେଲରେ କଟିଥିଲା । କହିବାକୁ ଗଲେ ତାଙ୍କ ଜୀବନର ମୁଖ୍ୟଭାଗ ଜେଲରେ ବିତିଥିଲା । ତଥାବି , ସେ ଜେଲ ଭିତରେ ପ୍ରଚୁର ଲେଖିଛନ୍ତି । ତାଙ୍କର ପ୍ରଖ୍ୟାତ ପୁସ୍ତକ ମାନଙ୍କ ମଧ୍ୟରେ ଥିଲା - 120 days of Sodom, Philosophy in the bedroom , Justine , Juliette ପ୍ରମୁଖ । ସେଡ୍ ଙ୍କ ନିଜର ଯୌନ ଅଭିସାର ରୋମାଞ୍ଚକର ଓ ଅସ୍ୱାଭାବିକ । ବାସ୍ତବ ଜଗତରେ ଯାହା ଆଦୌ ସମ୍ଭବ ନୁହେଁ ସେହିପରି ଅସମ୍ଭବ ରତିବନ୍ଧନ , ନିଷିଦ୍ଧ ଯୌନସମ୍ପର୍କ ଓ ଅମାନୁଷିକ କ୍ରୁରତାରେ ଭରପୁର ତାଙ୍କ ଉପନ୍ୟାସ ।

 

ଉନବିଂଶ ଶତାବ୍ଦୀର ମଧ୍ୟଭାଗରେ ବିଶିଷ୍ଟ ଚିକିତ୍ସାବିଜ୍ଞାନୀ ତଥା ମନୋବିଜ୍ଞାନୀ କ୍ରାଫ୍ଟ ଏବିଙ୍ଗ ତାଙ୍କ ଗ୍ରନ୍ଥରେ ପ୍ରଥମେ 'ସେଡ଼ିଜିମ୍' ଓ 'ମାସୋଚିଜିମ୍' ଶବ୍ଦ ଦ୍ୱୟ ବ୍ୟବହାର କରିଥିଲେ । ଏବିଙ୍ଗ ତାଙ୍କ ପୁସ୍ତକରେ ଲେଖିଛନ୍ତି , ଗୋଟିଏ ଶ୍ରେଣୀର ବିକାରଗ୍ରସ୍ତ ପୁରୁଷ ନୂଆ ଜୋତା ପିନ୍ଧିଥିବା ବେଶ୍ୟାକୁ ଘୋଡ଼ାଗୁହ ଉପରେ ଚାଲିବାକୁ ନିର୍ଦ୍ଦେଶ ଦିଅନ୍ତି । ତାପରେ ଜୋତାକୁ ନିଜେ ଚାଟିଚୁଟି ସଫା କରନ୍ତି । ଏପରି ବିକାରଗ୍ରସ୍ତ ମଣିଷ ରୁଗ୍‌ଣ ଯୌନ ଧାରଣାର ଶିକାର ହୋଇଥାନ୍ତି । ଚିକିତ୍ସା ଦ୍ୱାରା ତାହାକୁ ଭଲ କରିବା ନିହାତି ଆବଶ୍ୟକ । କିନ୍ତୁ , ବଟ୍ରାଣ୍ଡ ରସେଲ୍ ତାଙ୍କର Marriage and Morals ପୁସ୍ତକରେ ଲେଖିଛନ୍ତି - ଯୁଗ ଯୁଗ ଧରି ନାରୀ ପୁରୁଷର ମନୋରଞ୍ଜନ ପାଇଁ ଦେହଦାନ କରୁଥିବାରୁ ଓ ରମଣକୁ ଅଧିକ ଆମୋଦଦାୟକ କରିବା ଦିଗରେ ବୁଦ୍ଧି ଖଟାଇ ନଥିବାରୁ ସମୁଦାୟ ନାରୀ ଜାତିର ସନ୍ତୋଷଜନକ ବିକାଶ ହୋଇପାରି ନାହିଁ । ଆମକୁ ଲାଗେ ପର୍ଣ୍ଣୋଗ୍ରାଫି ଓ ରୋମାଣ୍ଟିସିଜିମ୍ ମଧ୍ୟରେ ଆକାଶ ପାତାଳ ପ୍ରଭେଦ । ସେମାନେ କିନ୍ତୁ ଘନିଷ୍ଠ । ଉଭୟେ କଳ୍ପନାରୁ ଜାତ । ରୋମାଣ୍ଟିସିଜିମ୍ ରେ ସେକ୍ସ ସୂକ୍ଷ୍ମ ଓ ମାର୍ଜିତ ଭାବରେ ନିହିତ । ପର୍ଣ୍ଣୋଗ୍ରାଫିରେ ସେକ୍ସ ସ୍ଥୁଳ । ଗୋଟାଏ ରୁଟିନ୍ ରେ ପରିଣତ ହୋଇଥିବା ନରନାରୀଙ୍କର ଯୌନ ସମ୍ପର୍କକୁ ଭାଙ୍ଗିବାକୁ ଚେଷ୍ଟା କରିଥିବା ତଥାକଥିତ ବିକୃତମନା ସେଡିଷ୍ଟ୍ ଙ୍କର ଅବଦାନକୁ ଅସ୍ୱୀକାର କରାଯାଇ ହେବନି ।


Rate this content
Log in