ପ୍ଲାଟଫର୍ମ ର ଶେଷ ବେଞ୍ଚ
ପ୍ଲାଟଫର୍ମ ର ଶେଷ ବେଞ୍ଚ
ଜୁନ୍ ମାସ ୨୦୨୦ ମସିହା, ଓଡ଼ିଶାର କଟକ ଜିଲ୍ଲାରେ ଅସହ୍ୟ ଗରମ ଥାଏ। ସନ୍ଧ୍ୟା ପାଞ୍ଚଟା ହେଲାପରେ ଟିକେ ଥଣ୍ଡା ପବନ ପାଇବାକୁ ହେଲେ ବାହାରକୁ ଯିବାକୁ ମନ ହୁଏ। କଟକ ଜିଲ୍ଲାର ଗୋପାଳପୁର ବାଲିକୁଦା ସ୍ଥିତ SBM ହସ୍ପିଟାଲ୍ ରୁ ବାହାରି ସ୍ଥାନ ଖୋଜି ଖୋଜି ମିଳିଲା ବାଲିକୁଦା ଷ୍ଟେସନ୍ ରେ ଥିବା ପ୍ଲାଟଫର୍ମ ର ଶେଷ ବେଞ୍ଚ୍। କାହିଁକି କେଜାଣି ମୋତେ ଲାଗିଲା ଏଇଟି ମୋ ପାଇଁ ଭଲ ଜାଗା । ସେହି ବେଞ୍ଚକୁ ଦେଖି ଲାଗୁଥିଲା ଯେପରି ସେ ବହୁତ ଦିନରୁ ମୋତେ ଅପେକ୍ଷା କରିଛି ମୋ ସହିତ କିଛି କଥା ହେବ ବୋଲି।
ଆଜିକୁ ଛଅ ଦିନ ହେଇଗଲା, ନା ନିଦ ହେଉଛି ଭଲ ଭାବରେ ନା ରହି ହେଉଛି । ମନରେ ଅସୁମାରୀ ପ୍ରଶ୍ନ ଉଙ୍କି ମାରୁଛି କଣ ହେବ ବାପାଙ୍କର, କର୍କଟ ରୋଗର ଶେଷ ଷ୍ଟେଜର ଅସ୍ତ୍ର ପ୍ରଚାର ହେଇଛି। ଆମେବି କଣ କରିପାରିବା ଭଗବାନଙ୍କ ହାତେ ଡୋରି ଛାଡ଼ିଦେଇଛୁ। କେତେ ସମୟ ଆଉ ଗୋଟାଏ ସ୍ଥାନରେ ରହିହେବ, ମାଆକୁ କହିଦେଇ କିଛି ସମୟ ପାଇଁ ବାହାରକୁ ଚାଲି ଆସେ। ସେହି ପାଖାପାଖି ଅଞ୍ଚଳରେ କୌଣସି ଏମିତି ସ୍ଥାନ ନାହିଁ ତେଣୁ ମୋର ସାହାରା ହେଲା ଶେଷ ବେଞ୍ଚ। ବସି ବସି ବହୁ କଥା ମନେ ପଡ଼ିଯାଏ ଓ ବହୁତ ଚିନ୍ତିତ ହେଉଥାଏ।
ଯେତେବେଳେ ମୋ ସାମନା ପଟୁ ଯାତ୍ରୀବାହି ଟ୍ରେନ୍ ଚାଲିଯାଉଥଲା, ଏମିତି ଲାଗୁଥିଲା କି ଗୋଟାଏ ଇଞ୍ଜିନ କିନ୍ତୁ ତା ପଛ ବଗି ଗୁଡ଼ିକରେ ଥିବା ସମସ୍ତେ ଲୋକୋ ପାଇଲଟ୍ ସହିତ ଅଛନ୍ତି। ବାପାଙ୍କ କଥା ମନେପଡିଲା ବାପା ଯେବେ ଏକୁଟିଆ ଥିଲେ ତାଙ୍କ ପରିବାର ଲୋକେ ତାଙ୍କୁ ସହାୟକ ହେଉଥିଲେ, ଯେବେ ଡବଲ ଇଞ୍ଜିନ ଯୋଡ଼ି ହେଲେ ତାପରେ ମାଲ୍ ବୋଝେଇ ଟ୍ରେନ ଭଳି ହେଇଗଲେ । ସ୍ତ୍ରୀ ପିଲା ଛୁଆ ପାଇଁ ଉଦ୍ୟମ କରୁକରୁ ଗୋଟେ ଗୋଟେ ବଗି ଗଣିଲା ପରି ବୟସ ମଧ୍ୟ ଲୁଚି ଯାଉଥିଲା। କୋଉ ବଗି କେତେ ପରିମାଣ ରେ ବୋଝ ବହନ କରି ଆଗକୁ ବଢ଼ିବାରେ ସକ୍ଷମ ହେଉଛି ସେହି ପ୍ରକାର ବାପାଙ୍କ ବୟସ ରେ ମଧ୍ୟ ଦେଖା ଦେଇଛି। ଟ୍ରେନ୍ ର ବଗି ଗୁଡ଼ିକ ଗଣିଲା ବେଳେ ଯେମିତି ଲାଗୁଥିଲା କି ବାପାଙ୍କ ବୟସ ସରି ସରି ଗଲାଣି ବୋଧେ, କୋଉ ଟ୍ରେନ ୬୦, କୋଉଠି ୭୦ ତ ଆଉ କେଉଁଠି ତା ଠାରୁ ବି ଉର୍ଦ୍ଧ୍ବ, କିଛି ଭାବିବା ପୂର୍ବରୁ ମୋ ଆଖି ଆଗରୁ ଭୁଷୁଡି ଯାଉଥିଲା ବାପାଙ୍କ ସ୍ବପ୍ନ ବାଲିଘର ପରି। ଏମିତି କି ବାପାଙ୍କ ବୟସ ୬୪ ତେବେ କୋଉ ଟ୍ରେନ୍ ସହ ସମକକ୍ଷ ମୁଁ ଜାଣି ପାରୁ ନ ଥିଲି କାରଣ ଡାକ୍ତରଙ୍କ କହିବା ଅନୁଯାୟୀ କେତେ ମାସ କି କେତେ ବର୍ଷ କିଛି ଗେରେଣ୍ଟି ନାହିଁ। ଯେତେବେଳେ ମାଲଗାଡ଼ିର ଶେଷ ବଗିକୁ ଦେଖୁଥଲି କବର୍ ଭଳି ଲାଗୁଥିଲା ମନେ ହେଉଥିଲା କି ଜୀବନର ଶେଷ ଏଇଠି । ସେଇଠୁ ଦେଖୁଥଲେ ତା ପଛେ କେହି ନାହିଁ । ଶେଷ ବଗିର ଗାର୍ଡକୁ ଦେଖିଲେ ଲାଗୁଥିଲା ବାପା ଠିଆ ହୋଇ ଭାବୁଛନ୍ତି କି ମୁଁ ମୋ ଜୀବନରେ ଯେତିକି କର୍ମ କରିଥିଲି ତାକୁ ଏ ମାଲ୍ ଗାଡ଼ିରେ ବୋଝେଇ କରି ନେଇ ଯାଉଛି, ମୋ ସହ ଆଉ କେହି ନାହିଁ।
ମୁଁ ବେଞ୍ଚ୍ ରୁ ଠିଆ ହେଇ ହାତ ବଢ଼ାଇ ଦେଇଛି କିଛି ଦୂର ଚାଲିଗଲା ପରେ ମାଲ୍ ଗାଡ଼ିଟି, ମୁଁ ମୋର ହାଲକା ଆୱାଜ୍ ରେ ଡାକ ଛାଡ଼ୁଛି ବାପା ବାପା କୁଆଡେ଼ ଯାଉଛ ? ଏତିକି କହି କଣ୍ଠ ରୁଦ୍ଧ ହୋଇଯାଇ ଥିଲା।