ଓଲାପୁରୀର କାହାଣୀ
ଓଲାପୁରୀର କାହାଣୀ
ବହୁତ ଦିନ ତଳର କଥା, ଓଲାପୁରୀ ବୋଲି ଗୋଟିଏ ଗ୍ରାମ ଥାଏ । ସେହି ଗାଁ ର ଲୋକ ମାନେ ଥିଲେ ବହୁତ ବୋକା । ରମେଶ ବୋଲି ଗୋଟିଏ ଲୋକ ତା' ବୋଉ ସହିତ ସେହି ଗ୍ରାମରେ ବାସକରୁଥାଏ । ରମେଶ ବହୁତ ଗରିବ ଥିବାରୁ ନିତିଦିନ ମୂଲ ଲାଗି ମାଆ ପୁଅ ନିଜର ଗୁଜୁରାଣ ମେଣ୍ଟାଇଥାନ୍ତି । ଏକଦା ଗୋଟିଏ ଭଣ୍ଡ ନିଜକୁ ଜୋତିଷ କହି ଗାଁ କୁ ଆସିଥାଏ ।ପ୍ରାୟସମସ୍ତେ ଯାଇ ନିଜ ନିଜ ଆଶା ଅକାଂକ୍ଷା ବିଷୟରେ ପଚାରୁଥାନ୍ତି । ରମେଶ ବି ତା ନିକଟକୁ ଯାଇ ନିଜ ହାତ ଦେଖାଇ ତା ମୃତ୍ଯୁ କାଳ ବିଷୟରେ ପଚାରିଲା । ଭଣ୍ଡ ଜଣଙ୍କୁ ତ କିଛି ଜଣାନାହିଁ ଗାଁଉଲି ରମେଶକୁ ଭଣ୍ଡେଇବା ପାଇଁ କହିଲା ଯେଉଁଦିନ ତୁମେ ଆକାଶରେ ଦୁଇଟି ଜହ୍ନ ଦେଖିବ ସେହିଦିନ ତୁମର ମୃତ୍ଯୁହେବ । ଏହା କହି ନିଜ ଦକ୍ଷିଣା ରଖିଲା ।
ଏହା ଶୁଣି ବିଚରା ରମେଶ ଘରକୁ ଗଲା ସେ ତ ଗାଁଉଲି ମୂର୍ଖଟା କାହୁଁବା ଜାଣିବ ଆକାଶରେ ଦୁଇଟି ଜହ୍ନ ନଥାଏ ବୋଲି । ଘରେ ଯାଇ ପହଂଚିଲା । ତା ବୃତ୍ତିକରି ପେଟପୋଷୁଥାଏ । ସବୁବେଳେ ରାତିରେ ଆକାଶକୁ ଚାହୁଁଥାଏ ଆଜି ଆଉ ଦୁଇଟି ଜହ୍ନ ଆକାଶରେ ନାହିଁ ତ ।
ଏମିତି କିଛିଦିନ ଗଡିଗଲା । ହଠାତ୍ ଝଡପବନ ଆସିଲା । ରମେଶର ଚାଳରୁ କିଛି ନଡା ଉଡିଯାଇ ଗୋଟିଏ କଣା ହୋଇଗଲା । ଗରିବଲୋକ ସାଙ୍ଗେସାଙ୍ଗେ ନଡା ବି କଉଠୁ ଆଣିବ ଛପରକରିବ କିଛି ଦିନ କଟିଗଲା । ଏକଦା ସନ୍ଧ୍ୟାରେ ରମେଶ ଘରଭିତରେ ଶୋଇଥାଏ । ଦେଖିଲା ସେହି ଚାଳ କଣା ବାଟରେ ଜହ୍ନ ଦେଖାଯାଉଛି । ଆଉ ବିଳମ୍ବ ନକରି ରମେଶ ତା ବୋଉ କୁ ପଚାରିଲା "ବୋଉ ଦେଖିଲୁ ଦେଖିଲୁ ବାହାରେ ଗୋଟିଏ ଜହ୍ନ ଦେଖାଯାଉଛି କି ?" ତା ବୋଉ କହିଲା ହଁ , ହଠାତ୍ ସେ ନିଜେ ଘରୁ ବାହାରି ବାହାରକୁ ଆସି ଦେଖିଲା ବାହାରେ ଜହ୍ନ ଦେଖାଯାଉଛି ପୁଣି ଘରେ ଯାଇ ଦେଖିଲା ଜହ୍ନ ଦେଖାଯାଉଛି । ଏଥର ସେ ନିଶ୍ଚିନ୍ତ ହୋଇଗଲା ଯେ , ଆଜି ହେଉଛି ତା ଜୀବନର ଶେଷ ଦିବସ କାରଣ ଅାଜି ସେ ଦିଟା ଜହ୍ନ ଦେଖିଛି ।
ତା ବୋଉକୁ କହିଲା ବୋଉ ଆଜି ମୋ ଜୀବନର ଶେଷ ଦିନ ମତେ ପଣ୍ଡିତେ କହିଥିଲେ । ତୁ ମୋ ପଛେ ପଛେ ଆସେ । ବୋଉ ତାର ଭାବିଲା କୁଆଡେ ଡାକୁଥିବ ବୁଡୀଲୋକଟା , ସେ ତା ପଛେ ପଛେ ଚାଲିଲା । ଯାଇ ପହଂଚିଲେ ଗାଁ ମଶାଣୀରେ । ପୁଅ ରମେଶ ସାଥିରେ କୋଦାଳଟିଏ ବି ନେଇଥାଏ । କହିଲା ବୋଉ ମୁଁ ତ ଏଇ କିଛି ସମୟ ମଧ୍ୟରେ ମରିଯିବି ଯଦି ସାହି କୁଟୁମ୍ବରେ କିଏ ଆସିଲେ ଶେଷକୃତ୍ୟ କରିବା ପାଇଁ ତାହେଲେ ତାଙ୍କୁ ପୁଣି ଖାଇବାକୁ ଦେବାପାଇଁ ପଡିବ ଶୀତଳ,ଦଶ ହାଣ୍ଡି,ଶୁଦ୍ଧି କ୍ରିୟା ଏମିତି ବହୁତ । ଆମ ପାଖରେ ତ ଏତେ ଧନ ନାହିଁ ଯେ ଆମେ ସାହି ସାରା ଲୋକଙ୍କୁ ଖାଇବାକୁ ଦେଇପାରିବା । ତା ବୋଉ କହିଲା " ତେବେ ତୁ କଣ କହୁଛୁ" ରମେଶ ଉତ୍ତରଦେଲା ମୁଁ ନିଜେ ଏବେ ଗାତଟିଏ ଖୋଳି ଦଉଛି ତା ଭିତରକୁ ପଶିଯିବି ତୁ ଖାଲି ମାଟି ଚଲେଇଦବୁ । ସେଇଆହିଁ ହେଲା ନିଜେ ଗାତ ଖୋଳି ପଶିଗଲା ତା ଭିତରକୁ ମୁଣ୍ଡଟା ବାହାରେ ଥାଏ ନହେଲେ ଆଉସବୁ ଅଙ୍ଗ ତା ବୋଉ ମାଟି ପକେଇ ଦେବାରୁ ପୋତିହୋଇଯାଇଥାଏ । ଶେଷରେ ତା ବୋଉକୁ କହିଲା "ଏଥର ତୁ ଯା ମୋ ସମୟ ହେଲେ ମୁଁ ମରିଯିବି , ଯାହାହେଲେ ତ ପଣ୍ଡିତର କହିଛନ୍ତି" । ମାଆ ତାର ମନ ଦୁଃଖରେ ଘରକୁ ଫେରିଲା । ପୁଅ ତାର ମରିଯାଇଛି ବୋଲି ସମସ୍ତଙ୍କୁ କହି ବହୁତ ମନ ଦୁଃଖକଲା ।
ରମେଶ ସେମିତି ମାଟି ତଳେ ପୋତି ହୋଇ ରହିଥାଏ । ସମୟ ଗଡି ଚାଲିଥାଏ ସେ କିନ୍ତୁ ଯମଙ୍କୁ ଅପେକ୍ଷା କରିଥାଏ । ଏମିତି ମଧ୍ୟରାତ୍ରି ହୋଇଗଲା । କିଛି ଚୋର ପାଖ ଗାଁର ଜଣେ ଧନୀ ବଣିକ ଘରୁ ଚୋରି କରିବାପାଇଁ ନାନା ପ୍ରକାର ମନ୍ତ୍ରଣା ପ୍ରସ୍ତୁତ କରୁଥାନ୍ତି । ସବୁ କଥା ଶୁଣୁଥାଏ ରମେଶ । ଶେଷରେ ସବୁ ଶୁଣି କହିଲା ମୁଁ ବି ତୁମ ମାନଙ୍କ ସହିତ ଯିବି । ହଠାତ୍ ଏପରି ଶବ୍ଦ ଶୁଣି ଚୋର ମାନେ ଭାବିଲେ ମଶାଣୀରେ ବୋଧହୁଏ ଭୂତ ବାହାରିଲା ସେଥିପାଇଁ ସେମାନେ ଦୌଡିବାକୁ ଲାଗିଲେ , ମାତ୍ର ରମେଶ ତାଙ୍କୁ ପୁଣି ଡାକିଲା କହିଲା ଭୟ କରନାହିଁ ମୁଁ କୌଣସି ଆତ୍ମା ନୁହେଁ । ଏପରି ଅଭୟ ବାଣୀ ଶୁଣି ସେମାନେ ଫେରିଆସି ଦେଖିଲେ ।
ରମେଶକୁ ଚୋରମାନେ ପ୍ରଥମେ ତାଙ୍କ ଏପରି ଅବସ୍ଥାର କାରଣ ପଚାରିଲେ । ରମେଶ ସେ ଜ୍ୟୋତିଷ ଆଉ ଦୁଇଟି ଜହ୍ନ ଆଦି ସମସ୍ତ କଥା ବିସ୍ତାରିତ ଭାବେ ବର୍ଣ୍ଣନାକରି କହିଲା । ଚୋର ମାନେ ଏହା ଶୁଣି ତାକୁ ବୁଝାଇଦେଲେ ଯେ ଦୁଇଟି ଜହ୍ନ କେବେ ନଥାଏ ଏବଂ ସେ ଭଣ୍ଡ ଜ୍ୟୋତିଷ ତାକୁ ବୋକାବନେଇଛି ବୋଲି କହିଲେ । ପୁଣି ଭାବିଲେ ଏ ତ ବୋକା ଟା ୟାକୁ ଯଦି ନେଇକି ଚୋରି କରିବାକୁ ଯିବୁ ତାହେଲେ କିଛି ଅସୁବିଧା ନାହିଁ । ତାକୁ ଘର ଭିତରକୁ ପଠେଇ ଦେଇ ଆମେ ବାହାରେ ଥାଇ ସବୁ ଧନ ନେଇଯିବୁ ଆଉ ଯଦି ଧରାପଡିଲା ତାହେଲେ ସେ ତ ଧରାପଡିବ ଆମର କଣ ଅଛି ।
ଏମିତି ସବୁ କଥା ବିଚାର କରି ଚୋର ମାନେ ରମେଶକୁ ନିଜ ସାଙ୍ଗରେ ନେଇ ଚୋରି କରିବାକୁ ଗଲେ । ସେମାନେ ଆଗରୁ ଠାବ କରିଥିବା ଅନୁସାରେ ସିନ୍ଦୁକ ଥିବା ଘରକୁ ଏକ ଗୁପ୍ତ ଦ୍ୱାରଦେଇ ରମେଶକୁ ପଠେଇଲେ । ରମେଶ ବିଚରା ନିରୀହ ଟା ସେ ବା କାଇଁ ଏତେ ଗୁମର କଥା ଜାଣିବ । କିନ୍ତୁ କଥାରେ ଅଛି " ଯେ ପାଂଚେ ପର ର ମନ୍ଦ , ତା ମନ୍ଦ ପାଂଚନ୍ତି ଗୋବିନ୍ଦ " । ବାଟରେ ଯାଉଯାଉ ସେଠାରେ ଥିବା ଏକ ଢୋଲରେ ଭୁଲବଶତଃ ରମେଶର ହାତ ବାଜିଗଲା । ଢୋଲର ଶବ୍ଦ ରମେଶ ମନକୁ ବେଶ୍ ମାନିଲା ତେଣୁ ସେ ପୁଣି ଥରେ ଢୋଲକୁ ବାଡେଇବାକୁ ଲାଗିଲା । ତାକୁ ବହୁତ ଆନନ୍ଦ ମିଳୁଥାଏ ।
ହଠାତ୍ ଏପରି ଶବ୍ଦ ଶୁଣି ଘରଲୋକ ସମସ୍ତେ ଉଠିଗଲେ ଆଉ ଯାଇ ରମେଶକୁ ଧରିନେଲେ । ମାତ୍ର ରମେଶ ତ କିଛି ଛନ୍ଦକପଟ ଜାଣିନି ତେଣୁ ସେ ସବୁ ସତକଥା କହିଦେଲା ଚୋରମାନେ ବାହାରେ ଅଛନ୍ତି ବୋଲି । ଲୋକମାନେ ଏକତ୍ରିତ ହୋଇ ଚୋରମାନଙ୍କୁ ଧରି ବହୁତ ଉତ୍ତମ ମଧ୍ୟମଦେଲେ ଗୋଟିଏ ଵି ତଳେ ପଡୁନଥାଏ ଯଦି ବି ଭୁଲରେ ତଳେ ପଡିଯାଉଥାଏ ତାକୁ ଗୋଟେଇ ସେମାନେ ପୁଣି ଚୋର ମାନଙ୍କ ପିଠିରେ ପୋଖରୀ ଖୋଳି ଦେଉଥାନ୍ତି । ପ୍ରାଣ ବିକଳରେ ସେମାନେ ନିଜର ଜୀବନ ବଂଚାଇ ଧାଇଁଲେ ।
ତା ପରେ ରମେଶକୁ ସବୁଲୋକ ବହୁତ ପ୍ରଶଂସା କଲେ । ତାକୁ ଉପହାର ସ୍ୱରୂପ କିଛି ଟଙ୍କା ମଧ୍ୟଦେଲେ । ରମେଶ ମନ କିନ୍ତୁ ଅଟକି ଥାଏ ସେହି ବାଦ୍ୟ ପାଖରେ । ସେ ତ ତା ନାଁ ଢୋଲ ବୋଲି ବି ଜାଣି ନଥିଲା । ବହୁତ ଅାଗ୍ରହର ସହିତ ରମେଶ ଶେଷରେ ପାଚାରିଲା " ଆଛା ସେହି ଯନ୍ତ୍ରଟି କ'ଣ ଯେଉଁଥିରେ ମୋ ହାତ ବାଜି ଏତେ ସୁନ୍ଦର ଆବାଜ୍ କଲା ?
ଲୋକମାନେ ତାକୁ ବୁଝେଇ କହିଲେ ଯେ ତାକୁ ଢୋଲ କୁହନ୍ତି । ପୁଣି ସେ କଣ ହୁଏ ବୋଲି ପଚାରିବାରୁ ସେମାନେ ତାକୁ କହିଲେ , ଏହା ଏକ ବାଦ୍ୟଯନ୍ତ୍ର ସଂଗୀତ ,ନୃତ୍ୟ ଏଥିରେ ବ୍ୟବହୃତ ହୁଏ । ଏହା ଦ୍ୱାରା ଆଖଡା ହୁଏ । ରମେଶକୁ ଜଣା ନଥିଲେ ଯେ ଆଖଡା କ'ଣ ତେଣୁ ସେ ଭାବିଲା ଆଖଡା ବୋଧେ ହାଟରେ ମିଳେ। ତେଣୁ ସେ ଆଉ କିଛି ନକହି ନମ୍ରତାର ସହିତ ସେହି ଢୋଲଟିକୁ ମାଗିଲା । ଲୋକମାନେ ମଧ୍ୟ ସାଧାରଣ ଲୋକଟିବୋଲି ତାକୁ ଢୋଲଟିକୁ ଦାନ କାରିଦେଲେ । ତାପରେ ରମେଶ ଘରକୁ ଫେରିଲା ।
ଆଡେ ଗାଁରେ ରମେଶର ମରିବା ଖବର ସମସ୍ତେ ଜାଣିସାରିଥାନ୍ତି । ରମେଶ ଯେତେବେଳେ ଗାଁରେ ପହଂଚେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଗଲେ ତା ବୁଢୀ ମାଆଟା କିନ୍ତୁ ବହୁତ ଖୁସି କହିଲେ ନସରେ । ରମେଶ ବେକରେ ପଡିଥିବା ଅଦ୍ଭୁତ ଜିନିଷ ବିଷୟରେ ଗାଁଲୋକେ ତାକୁ ପଚାରିଲେ । ରମେଶ ସମସ୍ତଙ୍କୁ ବୁଝେଇ ଦେଲା ଆଉ ହାଟରୁ ଆଖଡା କିଣି ଆଣି ଗାଁ ରେ କରିବା ପାଇଁ କହିଲା । ଲୋକ ମାନେ ବହୁତ ଖୁସିହେଲେ । କହିଲେ ମଙ୍ଗଳ ବାର ଦିନ ହାଟ ବାରି ଅଛି ସେହିଦିନ ଆମେ ଆଖଡା କରିବା । ସମସ୍ତେ ସେଦିନ ସନ୍ଧ୍ୟାରେ ଶୀଘ୍ର କାମ ସାରିଦେବା ।
ଦିନ ଗଡି ମଙ୍ଗଳ ବାର ହେଲା ଗାଁରୁ କିଛି ଲୋକ ହାଟରୁ ଆଖଡା କିଣିବା ଉଦ୍ଦେଶ୍ୟରେ ଗଲେ । ବହୁତ ପଚାରି ପଚାରି ଗୋଟିଏ ଲୋକ ହାବୁଡରେ ପଡିଲେ ଲୋକଟି ବହୁତ ଚାଲାଖ୍ ଥିଲା । ତାକୁ ଯେତେବେଳେ ରମେଶ ପଚାରେ " ଭାଇ ଆଖଡା ମିଳିବ " ଲୋକଟି ଭାବିଲା ଏମାନେ ସତରେ ଓଲା ଗୁଡାକ ଦେବି ପାନେ , ସେ ବି ଗୋଟିଏ ମଦ୍ୟପ ଥିଲା ତେଣୁ ଭାବିଲା ଯାହାହଉ ମୋର ଗୋଟେ ଦିନ ଖର୍ଚ୍ଚ ହେଇଯିବ । ତାପରେ କହିଲା " ଆଖଡା କ'ଣ ମୁଁ ଏତେ ଆଣେ ଯିଏ ବହିନା ଦିଏ ତା ପାଇଁ ଆଣେ ତୁମେ ଗୋଟେ କାମ କର ଆଜି ବହିନା ଦେଇଯାଅ ଆର ପାଳି ଆସି ନେଇଯିବ ମୁଁ ଏଇଠି ବସିଥିବି " । ଗାଁ ଲୋକମାନେ ଭାବିଲେ ସତ ହେଇଥିବ ତେଣୁ ସେମାନେ ସେଇଆ ହିଁ କଲେ ।
ତାପରେ ପୁଣି ମଙ୍ଗଳବାର ହେଲା ହାଟକୁ ଗଲେ ଏପଟେ ସ୍ତ୍ରୀ-ଲୋକ ମାନେ କାମଧନ୍ଦା ସାରି ବସିଗଲେ ଆଖଡା ଶୁଣିବା ପାଇଁ । ଗାଁ ଲୋକ ଖୋଜି ଖୋଜି ସେହି ଲୋକ ପାଖରେ ପହଂଚିଲେ । ଲୋକଟି କ'ଣ କରିଥାଏ କିଛି ବାଘେରା ମହୁମାଛି ଗୋଟିଏ ମାଟି ଠେକି ଭିତରେ ପୁରେଇ ତା ମୁହଁ ବନ୍ଦକରି ଆଣିଥାଏ । ଗାଁ ଲୋକଙ୍କୁ ଦେଖି କହିଲା " ମୁଁ ପରା ତୁମ ମାନଙ୍କୁ ଅପେକ୍ଷା କରିଥିଲି ହଉ ଆସ ଆସ ନିଅ ।" ରମେଶ ପଚାରିଲା ୟାକୁ କେମିତି କଣ କରିବୁ ? ଲୋକଟି ବୁଝେଇ କହିଲା " ୟାକୁ ବାଟରେ ଖୋଲିବନି ଗାଁକୁ ନେଇ କବାଟ ଝରକା ବନ୍ଦକରି କିଛି ଲୋକ ଘରଭିତରେ ପଶିଯିବ ଯେଉଁମାନେ କି ଆଖଡା କରିବ । ବାହାର ପାଖରୁ କାହାକୁ କହିଦବ ଯେ କବାଟ ତାଲା ମାରି ଚାବି କୂଅ ଭିତରକୁ ଫୋପାଡିଦେବ । ତାପରେ ୟା ମୁହଁ ଖୋଲି ଦେବ ଆଖଡା ଆରମ୍ଭ ହୋଇଯିବ ।" ସମସ୍ତେ ଶୁଣି ସେଠାରୁ ଆସିଲେ ଗାଁରେ ପହଂଚିଲେ ସନ୍ଧ୍ୟା ହୋଇଯାଇଥାଏ । ସମସ୍ତେ ଅପେକ୍ଷା କରିଥାନ୍ତି । ରମେଶ ଆଉ ଗାଁର କିଛି ପୁରୁଷ ମାନେ ଢୋଲକୁ ନେଇ ଗୋଟେଘର ଭିତରକୁ ଗଲେ ଶୁଣିଥିବା କଥା ଅନୁସାରେ ସବୁ ଝରକା ବନ୍ଦକରିଦେଲେ । ବାହାରପାଖରୁ ତାଲା ମାରି ଚାବି କୂଅକୁ ଫୋପାଡିଦେବାପାଇଁ କହିଲେ । ତାପରେ ସେହି ଆଖଡା ଠେକିକୁ ଖୋଲି ଦେଲେ ।
ବାଘେରା ମହୁ ବନ୍ଦ ହୋଇଥିଲେ ଖୋଲିବା ମାତ୍ରେ କାହାରିକୁ ଛାଡିଲେ ନାହିଁ । ବିଚରା ଲୋକମାନେ ଚିତ୍କାର କରୁଥାନ୍ତି । ବାହାର ଲୋକ ଭାବୁଥାନ୍ତି ଆଖଡା ବୋଧେ ଆରମ୍ଭ ହୋଇଗଲାଣି । ଖୁସିରେ ତାଳି ମାରୁଥାନ୍ତି । ଗୋଟେ ଲୋକ ପ୍ରଥମେ ରଡିକଲା ଓଃ ତା ପୁଅ ସମସ୍ତଙ୍କୁ କହିଲା ଦେଖ ମୋ ବାପା କେତେ ଜୋରେ ଆଖଡା କରୁଛନ୍ତି । ଏମିତି ଚାଲିଥାଏ ଶେଷରେ ଲୋକମାନେ ଘରଭିତରେ ବେହୋସ ହୋଇଗଲେ ରାତି ବି ଅନେକ ହୋଇଯାଇଥାଏ । ସମସ୍ତେ ଭାବିଲେ ଆଖଡା ବୋଧେ ଏମାନଙ୍କୁ ଠାକୁରାଣୀ ପରି ଲାଗିଗଲାଣି । ତେଣୁ ରାତିରେ ବି କୂଅବୁଡାଳି ଆସିବନି ସକାଳ ହଉ ତାକୁ ଡାକି ଚାବି ବାହାରକରି କବାଟ ଖୋଲିବା। ସମସ୍ତେ ଶୋଇବାକୁ ଗଲେ ।
ପରଦିନ ସକାଳୁ ଯେତେବେଳେ କୂଅବୁଡାଳିକୁ ଡାକି ଚାବି ଆଣି ଘର ଖୋଲନ୍ତି ବିଚରା ଲୋକମାନେ ଆଉ ନଥାନ୍ତି । ସେମାନଙ୍କ ଶବରେ ମାଛି ବସିବା ଆରମ୍ଭକରିଦେଇଥିଲେ । ଚାରିଆଡେ ଶୋକର ଛାୟା ଖେଳିଗଲା ।
