ABADHOOT PANDA

Others

3.3  

ABADHOOT PANDA

Others

ନିଜ ଅନୁଭୂତି( ସତ କଥା )

ନିଜ ଅନୁଭୂତି( ସତ କଥା )

4 mins
170


କଟକ ଜିଲ୍ଲାର ଚାରିବାଟିଆ ନିକଟରେ ଗୋଟିଏ ପୁରୁଣା ଗାଁ ଅଛି l ଗାଁ ନା ଜାଜଭୈରବ ନୁଆଁଗାଁ l ପ୍ରାୟ ଶହେ ବର୍ଷ ତଳେ ସେହି ଗାଁ ରେ ଏକ ଘଟଣା ଯାହା ଏବେ ସୁଦ୍ଧା ସ୍ଥାନୀୟ ବୟୋଜ୍ୟେଷ୍ଟ ବରିଷ୍ଠ ନାଗରିକମାନଙ୍କ ମନରେ କୌତୁହଳ ସୃଷ୍ଟି କରି ଚାଲିଛି l ଆମ ସମାଜରେ occult science ( black magic ) ଅର୍ଥାତ ଗୁଣି ଗାରେଡ଼ି ଉପରେ ଆମ ସ୍ବଦେଶୀୟ ଲୋକମାନଙ୍କର ଆଜି ପର୍ଯ୍ୟନ୍ତ ଵି ସମ୍ପୂର୍ଣ୍ଣ ଆସ୍ଥା ତୁଟିନି l ଆଦିବାସୀ ଓ ହରିଜନ ସମ୍ପ୍ରଦାୟର ବ୍ୟକ୍ତିଗଣ ସେତେବେଳେ ଅପେକ୍ଷା କୃତ ତନ୍ତ୍ର ମନ୍ତ୍ର ଯନ୍ତ୍ର ବିଦ୍ୟାରେ ବେଶୀ ପାରଙ୍ଗମ ଥିଲେ l ଆଲେଖ୍ୟ ଅଭିମୁଖୀ ବିଷୟଟି ଉକ୍ତ ତଥ୍ୟ ସମ୍ବଳିତ ଯାହା ଟାଙ୍ଗୀ ଚୌଦ୍ୱାର ବ୍ଲକର ଡାଳିଯୋଡ଼ା ପ୍ରଗଣାର ଏକ ପ୍ରାଚୀନ କିମ୍ବଦନ୍ତୀ l


ସେତେବେଳେ ଶବର ଜନଜାତିର କତିପୟ ପରିବାର ଉକ୍ତ ଯାଜଭୈରବ ନୂଆଗାଁରେ ଅବସ୍ଥାନ କରୁଥିଲେ l ଚାଷ କର୍ମ, ଗାଁ ଲୋକଙ୍କୁ ସମୟ ଉପଯୋଗୀ ସାହାଯ୍ୟ, ଶିକାର କରିବା ଇତ୍ୟାଦି ସେମାନଙ୍କ ଜୀବିକା ଥିଲା l ସେହି ପରିବାର ଗୁଡ଼ିକ ମଧ୍ୟରୁ ଗୋଟିଏ ପରିବାରର ଗୃହସ୍ଥ ନିଜ ପରିବାରର ଭରଣ ପୋଷଣ ପାଇଁ ପ୍ରାୟ ଶିକାର ଉପରେ ମାତ୍ରାଧିକ ଗୁରୁତ୍ୱ ଦେଉଥିଲେ l ଆଉ ସେ ଜଣେ ସୁଦକ୍ଷ ଯାନ୍ତ୍ରିକ ଥିଲେ ଓ ମନ୍ତ୍ର ସାଧନାରେ ସିଦ୍ଧି ଲାଭ କରିଥିଲେ l ଶିକାର କରିବା ଉଦ୍ଦେଶ୍ୟରେ ସେଇ ସିଦ୍ଧ ମନ୍ତ୍ରକୁ ବିନିଯୋଗ କରୁଥିଲେ l ଦିନେ ସକାଳୁ ହଠାତ ଦେଖିବାକୁ ମିଳିଲା ଯେ ତାଙ୍କ ଘର ଦୁଆରମୁହଁ ସାମ୍ନାରେ ଏକ ମୃତ ମହାବଳ ବାଘ ପଡ଼ି ରହିଥିଲା l ସହର ତଳି ଗାଁରେ ବଣୁଆ ବାଘର ଶବକୁ ଦେଖି ସମସ୍ତେ ଚକିତ ହୋଇ ପଡ଼ିଲେ l ତୁଣ୍ଡ ବାଇଦ ସହସ୍ର କୋଶ l କ୍ରମେ କ୍ରମେ ଲୋକଙ୍କ ଭିଡ଼ ଉକ୍ତ ଶବରଙ୍କ ଘର ଅଗଣାରେ ଜମିଗଲା l ଆଳୁ ଖୋଳୁ ଖୋଳୁ ମହାଦେବ ବାହାରିଲା ପରି ସମସ୍ତଙ୍କ ସନ୍ଦେହ ଦୃଷ୍ଟି ତାଙ୍କ ସ୍ତ୍ରୀଙ୍କ ଉପରେ ପଡ଼ିଲା l ସେତେବେଳେର ଗାଁ ପରିମଳ l ଶବରୁଣୀଙ୍କ ପାଖରେ ଆଉ ଜଣେ ଅଚିହ୍ନା ଯୁବକଙ୍କ ଉପସ୍ଥିତି ଗାଁ ବାଲାଙ୍କ ସନ୍ଦେହ ଆହୁରି ବଢ଼ାଇ ଦେଲା l ଗାଁର ଚୌକିଆ, ମୁଖିଆ, ଟାଙ୍ଗୀ ଥାନାରୁ ଇନସ୍ପେକଟର ( ସେତେବେଳେ ଟାଙ୍ଗୀ ଚୌଦ୍ୱାର ଅଞ୍ଚଳର ଥାନା ଟାଙ୍ଗୀରେ ଥିଲା, ଚୌଦ୍ୱାରରେ ନଥିଲା ) ଯାଇଁ ଶବରଙ୍କ ଘରେ ପହଞ୍ଚିଲେ l ଖୋଳ ତାଡ଼ ହେବାରୁ ଶବରୁଣୀଙ୍କ ପାଟିରୁ ସତ କଥାଟା ବାହାରି ପଡ଼ିଲା l


ଶବର ଉତ୍ତମ ତନ୍ତ୍ର ସାଧକଏବଂ ରୋଜଗାର କ୍ଷମ ଥିଲେ ମଧ୍ୟ ତାଙ୍କର ଦାମ୍ପତ୍ୟ ଜୀବନ ସୁଖ ମୟ ନଥିଲା l କାରଣ ସେ ନିଜ ପତ୍ନୀଙ୍କୁ ସେ ଉପଯୁକ୍ତ ଭାବେ ଦାମ୍ପତ୍ୟ ସୁଖ ପ୍ରଦାନ କରିବାରେ ଅକ୍ଷମ ଥିଲେ l ଅପର ପକ୍ଷରେ ଶବରୁଣୀ କର୍ମଠ ଓ ରୋଜଗାର କ୍ଷମ l ଶବର ମହାଶୟଙ୍କ ଅନ୍ୟାନ୍ୟ ଜୀବିକା ଅର୍ଜନ କର୍ମ ବ୍ୟତିରେକ ତନ୍ତ୍ର ମାଧ୍ୟମରେ ଜୀବିକା ଅର୍ଜନ କରିବାକୁ ଅଧିକ ପସନ୍ଦ କରୁଥିଲେ l ତେଣୁ ନିଜକୁ ଏକ ମହାବଳ ବାଘରେ ରୂପାନ୍ତରିତ କରି ମାସକେ ପ୍ରାୟ କୋଡ଼ିଏ ଦିନ ଡାଳିଯୋଡ଼ା ଜଙ୍ଗଲ ଭିତରେ ରହୁଥିଲେ l ଯେଉଁ ଦିନ ରାତିରେ ଘରକୁ ଫେରନ୍ତି ତାଙ୍କ ନିର୍ଦେଶ ଅନୁସାରେ ତାଙ୍କ ପତ୍ନୀ ମନ୍ତୁରା ହଳଦୀ ପାଣି ଛିଞ୍ଚି ଦେଲେ ପୁଣି ସେ ମଣିଷ ପାଲଟି ଯାଆନ୍ତି l ଶିକାର କରି ଆଣିଥିବା କୁଟ୍ରା ହରିଣ ସମ୍ବର ଇତ୍ୟାଦି ପତ୍ନୀଙ୍କ ଜିମା ଦେଇ ଖଟିଆ ଉପରେ ଶୋଇ ଯାଆନ୍ତି l କାରଣ ପ୍ରାୟ ଦଶ କିଲୋମିଟର ବାଟ ଶିକାରକୁ କାମୁଡ଼ି ଘୋଷାରି ଘୋଷାରି ଆଣିବା ଦ୍ଵାରା ସେ ଭୀଷଣ କ୍ଲାନ୍ତ ହୋଇ ପଡ଼ନ୍ତି ଓ ନିଜର ପତ୍ନୀଙ୍କୁ ଦାମ୍ପତ୍ୟ ସୁଖ ଦେଇ ପାରନ୍ତି ନାହିଁ l ସୁତରାଂ ବାଧ୍ୟ ହୋଇ ପ୍ରବୃତ୍ତି ତାଡ଼ନାରେ ସେ ଜଣେ ଉପପତି ବାଛି ଥିଲେ l ସ୍ୱାମୀଙ୍କ ଅନୁପସ୍ଥିତିରେ ସେ ଉପପତିଙ୍କ ମାଧ୍ୟମରେ ନିଜର କାମନାକୁ ଚରିତାର୍ଥ କରୁଥାନ୍ତି ଯାହା ବିଷୟରେ ସ୍ୱାମୀ ଅଜ୍ଞ ଥିଲେ l


ସେଦିନ ଚୈତ୍ର ପୁର୍ଣିମା ଥିଲା l ରାତି ପ୍ରାୟ ଗୋଟାଏ ପାଖାପାଖି l ଗାଁ ଦାଣ୍ଡ ଶୂନଶାନ l ନିର୍ମଳ ଚନ୍ଦ୍ର କିରଣରେ ଶବର ମହାଶୟ ବ୍ୟାଘ୍ର ଶରୀରରେ ଶିକାର କାମୁଡ଼ି ଧରି ତାଙ୍କ ଘର ଦୁଆର ମୁହଁ ନିକଟରେ ଟିକେ ହାଁଟୁଳ ଛାଡ଼ି କବାଟକୁ ଧକ୍କା ମାରିଲେ l ମାତ୍ର ଠିକ ସେତିକିବେଳେ ତାଙ୍କର ଧର୍ମପତ୍ନୀ ନିଜର ଉପପତି ସହିତ ଖଟ ଉପରେ ସୁଖ ନିଦ୍ରାରେ ଲୀନ ଥିଲେ l ତେଣୁ ସ୍ୱାମୀଙ୍କ ଖଟକା ଶୁଣି ପାରି ନଥିଲେ l ତାନ୍ତ୍ରିକ ତତ୍ତ୍ୱ ଅନୁଯାୟୀ ସୂର୍ଯ୍ୟ ଉଦୟ ପରେ ତନ୍ତ୍ରର ପ୍ରଭାବ କାମ କରେନି l ଚାହୁଁ ଚାହୁଁ ଭୋର ହୋଇ ଗଲା l ଶବର ମହାଶୟ ଆଉ ନିଜ ରୂପ ଫେରି ପାଇଲେ ନାହିଁ l ସେହି ମହାବଳ ବାଘ ସାଜି ଦୁଆର ପାଖରେ ପଡ଼ି ରହିଲେ l ଶବରୁଣୀ କବାଟ ଖୋଲି ସ୍ୱାମୀ ବଦଳରେ ଏକ ମଲା ବାଘ ଓ ଏକ ମଲା ହରିଣ ପାଇଲେ l କ୍ରମେ କ୍ରମେ ଲୋକ ଭିଡ଼ ଜମିଲା l ଦୂର ଦୁରାନ୍ତରୁ ଲୋକମାନେ ବାଘ ଦେଖିବା ପାଇଁ ତାଙ୍କ ଘର ପାଖରେ ରୁଣ୍ଡ ହେଲେ l ପୋଲିସ ଜିପରେ ବାଘ ଓ ମୃତ ଶବରଙ୍କ ଶବ ବୁହା ହୋଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଖାଗଲା l ତାଙ୍କ ନିର୍ଦ୍ଦେଶ କ୍ରମେ ବାଘ ଛାଲ ଉତ୍ତରା ଗଲା ଏବଂ ମାନ୍ତ୍ରିକ ଶବରଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ବଡ଼ ଡାକ୍ତର ଖାନାକୁ ପଠାଗଲା l ଦୁଇଦିନ ପରେ ଶବ ବ୍ୟବଚ୍ଛେଦ ଶେଷ ହେଲା l ଅପରାଧର କୌଣସି ପ୍ରମାଣ ନମିଳିବାରୁ ଶବଟିର ଅନ୍ତିମ ସଂସ୍କାର ନିମିତ୍ତ ଅନୁମତି ପାଇ ଶବକୁ ପୋଲିସ ଭ୍ୟାନରେ ଟାଙ୍ଗୀ ଥାନାକୁ ଅଣା ଗଲା l ସେଠାରୁ ଇନ୍ସ୍ପେକଟର ମହାଶୟ ସବରୁଣୀଙ୍କୁ ଥାନା ହାଜତରୁ ମୁକୁଳାଇ ଏଫ ଏଇ ଆର ଖାରଜ କରିଦେଇ ତାଙ୍କ ମୃତ ସ୍ୱାମୀଙ୍କ ଶବ ସହିତ ତାଙ୍କ ଗାଁରେ ପହଞ୍ଚାଇ ଦେଲେ l ଶବରୁଣୀ ସ୍ୱାମୀଙ୍କ ଅନ୍ତିମ ସଂସ୍କାର ଶେଷ କରି ଆଜୀବନ ନିଜର ପୂର୍ବ କଥିତ ଉପପତି ସହିତ ସୁଖ ମୟ ଦାମ୍ପତ୍ୟ ଜୀବନ ବିତାଇଲେ l ଗାଁ ଲୋକ ମାନଙ୍କୁ ଘର କାମରେ ସାହାଯ୍ୟ କରି ପ୍ରଶଂସା ଭାଜନ ହୋଇ ପାରିଲେ l

[ ଉପରୋକ୍ତ କାହାଣୀଟି ମନାଗଢ଼ା ନୁହେଁ l ଯାଜ ଭୈରବ ନୁଆଁଗାଁ ନିବାସୀ ଜଣେ ଆମର ସମ୍ପର୍କୀୟ ଅଜା ( ଅଧୁନା ସେ ସ୍ବର୍ଗତ )ମତେ ଆଗ୍ରାହାଟ ଏମ ଇ ସ୍କୁଲରେ ପାଠ ପଢ଼ିବା ବେଳେ କହିଥିଲେ ଯେଉଁଟିକି ସତ୍ୟତା ମିଶ୍ରିତ ତୁଣ୍ଡ ବାଇଦ ଦ୍ୱାରା ପ୍ରରୋଦିତ ]

              



Rate this content
Log in