ମୁଁ ଜଣେ ନାରୀ
ମୁଁ ଜଣେ ନାରୀ
ମୁଁ ଜଣେ ନାରୀ
ମୁଁ ଅନନ୍ୟା।
ଯେବେ ମୁଁ ଭୂମିଷ୍ଠ ହୁଏ
କିଏ ହସେ କିଏ ରୁଷେ
ମା ଓଠରେ ହସ ଖେଳେ
ଶୁଣି ମୋର କୁଆଁ କୁଆଁ କାନ୍ଦଣା ।
ମୁଁ ଯେବେ ପ୍ରଜାପତି ପରି
ଖେଳିଖେଳି ଉଡିବୁଲେ
ଝାଡିଦେଇ ସୂକ୍ଷ୍ମ ମୋର ଡେଣା
ପାରିଜାତ ବନର ଭ୍ରମ ତୋଳେ
ଘର, ଦାଣ୍ଡ, ଅଗଣା ।
ଷୋଳଟି ଫଗୁଣର ସ୍ପର୍ଶ ପରେ
ଲୋକେ କହନ୍ତି ମୁଁ ଏବେ ଯୌବନା
ମୋତେ ଏବେ ଦାଣ୍ଡରେ ଖେଳିବା ମନା
ମା କହେ ଧୂଳି ଖେଳ ଛାଡ଼ି
ଶିଖିଯା କିଛି କାମଦାମ, ସଣ୍ଠଣା।
ସାତକଳସ, ଆଠଦୀପ, ହୋମନିଆଁ
କୋଇଲିବୁଡ଼, ଦୁବ ଆମ୍ବଡ଼ାଳ
ଷୋଳ ଶୃଙ୍ଗାର ଆଉ ବାପାଙ୍କ
ଆଜୀବନ ଝାଳବୁହା ସଞ୍ଚୟର ଗହଣା
ନାନ୍ଦୀମୁଖୀ ଶ୍ରାଦ୍ଧ ଦେଇ ଚାଲିଯାଏ
ସାଜି ଆଉ କାହା ଘର ଅନ୍ନପୂର୍ଣ୍ଣା।
ଦୁହିତାର ଧର୍ମ ପାଳୁ ପାଳୁ
ଭୁଲି ଯାଏ ନିଜ ଠିକଣା
ଜୀବନ ଯୁଦ୍ଧରେ ମୁଁ ସାଜେ ବୀରାଙ୍ଗନା
କେବେକେବେ ସ୍ୱାମୀର ଖୁସି ପାଇଁ
ଅସୁସ୍ଥତା ସ୍ଵତ୍ତେ ସାଜିପାରେ ବାରାଙ୍ଗନା ।
କେବେ ଶାଶୁନଣନ୍ଦଙ୍କ ଗଞ୍ଜଣା
କେବେ ସମୟ ଆଉ ପରିସ୍ଥିତିର ତାଡନା
କେବେ ଜୀବନର ମୂର୍ମୂଷ ଯନ୍ତ୍ରଣା
ନିଜ ଲୁହ ନିଜେ ପିଇ ଲେଖିବାକୁ ହୁଏ
ସାଂସାରିକ ଜୀବନର ସୁଖ ରଚନା ।
ସନ୍ତାନର ଜନ୍ମ ପରେ ହିଁ
ମୋ ନାରୀ ଜନ୍ମ ହୁଏ ସମ୍ପୂର୍ଣା
ଏକା ସଙ୍ଗେ ପାଳି ପାରେ ମାତୃଧର୍ମ
ପତ୍ନୀ, ଦୁହିତା,କୂଳବଧୁ ଧର୍ମ।
ସାଜି ପାରେ ଧରିତ୍ରୀ ପରି ସର୍ବଂସହା।।
ନିଜ ପାଇଁ ମୋତେ ବଞ୍ଚିବା ମନା
ଜାତା, ଜାୟା, ଜନନୀ ହୋଇ
ହସି ହସି ବାଣ୍ଟି ଦିଏ ନିଜକୁ ସଭିଙ୍କ ପାଇଁ,
ଆଢ଼ୁଆଳେ ପୋଛିଚାଲେ ନିଜ ଅଶ୍ରୁ ବନ୍ୟା।
ନିଜ ଅସ୍ଥିତ୍ଵକୁ ଖୋଜି ହୁଏ ଆନମନା,
କିନ୍ତୁ, ନିଜକୁ ପାଇବାର ନଥାଏ ସମ୍ଭାବନା....।
ତଥାପି ମୁଁ ଜଣେ ନାରୀ
ମୁଁ ଅନନ୍ୟା
ପରିଶେଷରେ ଉଙ୍କିମାରେ ଏକ କାମନା
ସିନ୍ଥିରେ ସିନ୍ଦୂର,ମଥାରେ ଥିବ ଓଢଣା
ଚାଲିଯିବି ଶ୍ମଶାନକୁ
ବାଜୁଥିବ ଅହ୍ୟଡେଙ୍ଗୁରା ବାଜଣା ।