Dr Suniti Devi

Others

2.0  

Dr Suniti Devi

Others

ମୋ ମାଟିର ମୋହ

ମୋ ମାଟିର ମୋହ

6 mins
7.4K


ଭାରତର ସୀମା ସରିସରି ଆସୁଥାଏ । ଆମର ଉତ୍କଣ୍ଠା ବଢିବଢି ଚାଲୁଥାଏ। ପିଞରା ବଦ୍ଧ ଗୁଡାଏ ପକ୍ଷୀ ଫଡ ଫଡ ହେଲା ପରି ଆମେ ଯାତ୍ରୀମାନେ ଟ୍ରେନ ଭିତରେ ବସି କଳରବ ସୃଷ୍ଟି କରୁଥାଉ । ପ୍ରତି ଶ୍ଵାସରେ,ଅନୁଭବରେ ଏକ ବିଚିତ୍ର ଆକର୍ଷଣ । ଆମେ ବିଦେଶ ବୁଲି ଆସିବୁ । ଅଥଚ ମୋ ଦେଶଟି କ’ଣ ଏ ପର୍ଯ୍ୟନ୍ତ ବୋଧହୁଏ କେହି କେହି ଅନୁଭବ କରି ନଥାଆନ୍ତି । ଦେଶର ସୂକ୍ଷ୍ମ ବୀଜଟି, ପ୍ରାଣକୁ ସଂଯୋଗ କରୁଥିବା ଆତ୍ମୀୟ ଭାବଟି ଜନ୍ମରୁ ଧିରେ ଧିରେ ଦେହ ଭିତରେ ଅଙ୍କୁରିତ ହେଇ ଯାଏ । ବୟସ ବଢିଲେ ମାଆ ପରି ଏକ ଅନୁଭବ ଦେଇ ଜୀବନ ଭିତରେ ଛପି ରହିଥାଏ । ଜୀବନ ଆରମ୍ଭ ହୁଏ ସେଇ ବୀଜରୁ ଆଉ ସରେ ସେଇ ମାଟିରେ । ସେଥିପାଇଁ ତ ବୀର ଯବାନର ମର ଦେହ ଫେରି ଆସେ ଏଇ ମାଟିକୁ । ବିଦେଶରେ ଶେଷ ନିଃଶ୍ଵାସ ତ୍ୟାଗ କଲେ ଫେରି ଆସେ ତା ନଶ୍ବର ଦେହ ଏ ମାଟିରେ ମାଟି ହେବା ପାଇଁ । ଆମ ଅସ୍ତିତ୍ଵକୁ ବିଦେଶ ଭୂମିରେ କିଏ ପ୍ରଶ୍ନ କଲେ ଆମେ ନିସଂକୋଚରେ ଦୁଇ ଓଠ ଚାପି ଉଚ୍ଚାରଣ କରୁ ମାତ୍ର ଗୋଟିଏ ଶବ୍ଦ ଭାରତୀୟ । ତାପରେ ସେଇ ମୁଁ ବୋଲାଉଥିବା ନାମହୀନ ସତ୍ତାଟି ଦୃପ୍ତ ହୁଏ,ମାତ୍ର ସେଇ ଶବ୍ଦଟିଏ ଉଚ୍ଚାରଣ କରୁକରୁ ଦେହ ଶୀହରିତ ହୁଏ । ଭାରତୀୟ ସତ୍ତାଟି ନିଜ ପରିଚୟକୁ ଆବୋରି ଧରି ଜଡାଇ ନିଏ । ବୋଧହୁଏ ଯାହା ହେଲେ ବି ଇତିହାସର କେତେ ଆବର୍ତ୍ତନ ବିବର୍ତ୍ତନ ଭିତରେ ମସ୍ତିଷ୍କର ସହସ୍ର ଦଳ ଭିତରୁ ଏବେ ବି ମୋ ଦେଶ ଭାରତବର୍ଷର ସତ୍ତାଟି ଲୋପ ହୋଇ ନାହିଁ ବରଂ ଆଚ୍ଛନ୍ନ କରି ରଖିଛି ଆମ ସଭିଁଙ୍କୁ ।ସେ ଯାହା ହେଉ ଟ୍ରେନ୍ ଯାତ୍ରା ଶେଷ ହେବା ପରେ ଆମେ ଯାତ୍ରୀଦଳ ଟାଙ୍ଗାରେ ପାର ହେଲୁ ଭାରତ ସୀମା । ଅସ୍ଥି କଙ୍କାଳ ଘୋଡା ଦେହରେ ଯୋଚା ଗାଡିର ଚାଳକ ଧୂଳିଧୂସରିତ ରାସ୍ତାରେ ଅଡାଇ ନେଉଥାଏ ଟାଙ୍ଗା ଗାଡି ଦ୍ରୁତ ବେଗରେ । ମଝିରେ ମଝିରେ ତା ହାଡୁଆ ପିଠିରେ ଟାଙ୍ଗା ଚାଳକର ପ୍ରହାର ସାଙ୍ଗକୁ ହାବଲେ,ହାବଲେ ଚିତ୍କାର । ମୋର ମନେହେଲା ଏ କ୍ରୀତଦାସର ପୃଥିବୀରେ ଅଙ୍କଲ ଟମ୍ସଠାରୁ ଆରମ୍ଭ କରି ରୂପ ନଗରୀର ରୂପସୀ ହେଉ ବା ଘର ଚାରିକାନ୍ଥ ଭିତରେ ବନ୍ଦିଥିବା ସ୍ତ୍ରୀଟିଏ ହେଉ ଚିରଦିନ କ୍ରୀତଦାସ ଜଞିରରେ ବନ୍ଧା । ତଥାପି ତା’ର ମୁକୁଳିବାର ପ୍ରଚେଷ୍ଟାରେ ଜାରି ରହିଥାଏ ଅହରହ । ଆଉ ଏ ପଶୁ ତ ଛାର । ତା’ର ଦେହ ବନ୍ଧା ପଡିଛି ମାଲିକ ପାଖରେ ମୁଠାଏ ଖାଦ୍ୟ ପାଇଁ ବୁଢା ଆନ୍ଥୋନି ହେବା ପର୍ଯ୍ୟନ୍ତ । ମରମ ଭେଦୀ ଏକ ଦୀର୍ଘ ଶ୍ଵାସ ବାହାରି ଆସିଲା ମୋର । ମୁଁ କହିଲି ମତ୍ ମାରୋ ଭାଇ! ଧିରେ ଚଲାଓ । କେଇଟା ଟଙ୍କାରେ ପେଟ ପୋଷୁଥିବା ଘୋଡ଼ା ଚାଳକ କଣ ବା କରନ୍ତା ଆଉ ! ଶେଷରେ ଆମେ ସବୁ ଅଟକି ଗଲୁ ଏକ ଚଳିଲା ଭଳି ହୋଟେଲ୍ ଆଗରେ । ସେଠାରେ ନିଜ ନିଜର ନିତ୍ୟକର୍ମ ସାରି କାଠମାଣ୍ଡୁ ଅଭିମୁଖେ ବାହାରି ଗଲୁ । ଏଥର ଆରମ୍ଭ ହେଲା ବସ୍ ଯାତ୍ରା । ଏଥର ଖରା ଛୁଟି ବିଦେଶ ବୋଇଲେ ନେପାଳ ବୁଲାରେ କଟିବ ଆଈ! ମୋ କାନରେ ଏକଥା ପଡିଲା । ଦେଖିଲି ଝିଅଟିଏ ଝର୍କା ନିକଟରେ ତା’ ମାଆ ଆଉ ଆଈ ନିକଟରେ ବସିଛି । ଏଇ ହେଲା ଆଈ ନାତୁଣୀଙ୍କ ଗଳ୍ପର ଶୁଭାରମ୍ଭ । ମୁଁ ଝରକା ବାହାରକୁ ଚାହିଁଲି । ଗଛମାନେ ପଛୁଆ ରାସ୍ତା କଡରେ ଧାଉଁଥାନ୍ତି ଆମ ବସ୍ ଆଗକୁ ଧାଇଁଲା ପରି । ଧୂଳିଧୂସରିତ ଆବୁଡାଖାବୁଡା ରାସ୍ତା । ସେଥିରେ ପୁଣି ଦୁଇ ଧାରରେ ସୁଉଚ୍ଚ ମାଟି ଗୋଡିର ପାହାଡ଼ । ମାଉଁ ପାଟି କରି ଉଠିଲା ହଠାତ୍ ଆଈ ! ମୁଁ ମିସ୍ କରୁଛି ଆଈ!

-ଆଲୋ କ’ଣ ମିସ୍ କରୁଛୁ? ତୋ ବାପାକୁ !ମୁଁ ବି ମିସ୍ କରୁଛି ଲୋ ନାତୁଣୀ !ତୋ ଅଜାକୁ!

-ଅଜା ତ ସ୍ଵର୍ଗରେ ଆଈ। ମୁଁ ଯାହାକୁ ମିସ୍ କରୁଛି ତୁ ତାକୁ ଆଉ ସମସ୍ତେ ମିସ୍ କରୁଛନ୍ତି ନା ନାଇଁ ମୁଁ କିନ୍ତୁ ଜାଣିନି।

-ମାନେ!

-ଆଲୋ ଆଈ ମୁଁ ମୋ ଭାରତ ମାଟି, ଆମ ଗାଁ, ତା’ର ସବୁଜ ଧାନ କ୍ଷେତ ସବୁ ସବୁ ସବୁ ମିସ୍ କରୁଛି।

ମୁଁ ମାଉଁ ବସିଥିବା ସିଟ୍ ପଛରେ ବସିଥିଲି । ଚମକି ପଡିଲି । ସତେ ତ ଏଇ ଛୋଟ ପିଲାଟି ଭିତରେ ଭରି ରହିଛି ଦେଶ ,ଗାଁକୁ ଭଲପାଇବାର ପ୍ରଚଣ୍ଡ ମୋହ । ତା ମନ ଗହନରେ ମୋ ଦେଶ ଭାରତବର୍ଷର ନିଛକ ମାନଚିତ୍ର ଗଭୀର ଭାବରେ ଆଙ୍କି ହେଇ ରହିଛି। ସେ ତୃଷ୍ଣା କେବେ ସରିବନି କି ମରିବନି ଯେମିତି। କେବଳ ସେ ତା କଅଁଳ ମନର ପୃଷ୍ଠାଏ ଖୋଲି ଦେଇ ମୋତେ ମୁଗ୍ଧ ଚକିତ କରିଦେଲା । ତା’ପରେ ମୁଁ ଖାଲି କାନ ଡେରି ରହିଲି ତା’ର ଅସ୍ମିତାକୁ ପ୍ରାଣ ଭରି ଉପଭୋଗ କରିବା ପାଇଁ । ଆମ ଦେଶରେ ଘୋଡାଗାଡି କାଇଁ ଅଛି ଲୋ ଆଈ ! ଏ ଲୋକଗୁଡା ଭାରି ନିର୍ଦ୍ଦୟ । ପଶୁଟାକୁ ବାଡେଇ ବାଡେଇ ଦୌଡାଉଛନ୍ତି । ମୋର ତ ଇଚ୍ଛା ହୋଉଥିଲା ତା’ ହାତରୁ ଚାବୁକ୍ ଟା ଆଣି ବହେ ପିଟନ୍ତି ଲୋକଟାକୁ।

-ଆଲୋ ନାତୁଣୀ ସେମାନେ ପରା ସେମିତି ପେଟ ପୋଷୁଛନ୍ତି । ଆମ ଧାନ ଜମିରୁ କଚଡା, ଧାନ ଆମ କାଳିଆ, କସରା ବଳଦ ଗାଡିରେ ବୋହିଲା ପରି ସେମାନେ ମଣିଷ ବୋହୁଛନ୍ତି।

-ଇଁହିଁ ଏ ରାସ୍ତାରେ କେତେ ଧୂଳି । ଖାଲି ଟ୍ରକ ଆଉ ଟ୍ରକ, ରାସ୍ତା କଡ ସାରା ଫ୍ୟାକ୍ଟ୍ରି । ଏ ଦେଶ ଭାରି ଗରିବ ନାଁ ଆଈ!

-ହେଇ ଥିବ । ଖଟିଖିଆ ବେଶି ଥିବେ । ଦେଖୁନୁ ଆମ ଦେଶ ଲୋକଙ୍କୁ ସରକାର ଟଙ୍କିକିଆ ଚାଉଳ ଦେବା ଦିନଠୁ ଲୋକେ ହଳ ଲଙ୍ଗଳ ଛାଡି ସାରିଲେଣି । ଅଳସୁଆମାନଙ୍କୁ ଆମ ସରକାର ତିଆରି କରୁଛନ୍ତି ପରା । ଏ ଦେଶରେ ସେଇଟା ନଥାଉ ଲୋ ନାତୁଣୀ । କାଠମାଣ୍ଡୁ ଆଡେ ଗାଡ଼ି ଦୌଡୁଥାଏ । ଚାରିଶହ କିଲୋମିଟର ବସ୍ ରେ ଯାତ୍ରା । କେହି ଢୁଳାଉଥାଏ ତ କିଏ ଖାଇବା ଜିନିଷ ପାକୁଳି କରୁଥାଏ । କିନ୍ତୁ ଆଈ ନାତୁଣୀର ଗଳ୍ପର ଅନ୍ତ ନଥାଏ । ଝିଅଟି ବସରୁ ଦେଖୁଥିବା ରାସ୍ତା ଦୁଇ ଧାରର ଚଳନ୍ତା ଦୃଶ୍ୟ ସହିତ ଆମ ଦେଶକୁ ତୁଳନା କରୁଥାଏ । ତା’ ଭାବେ ବେଗର କଳକଳ ଛନ୍ଦ ଚପଳ ଝରଣାଟି ମୋତେ ଛୁଇଁ ସେଇ ବନ୍ଧୁର ପଥରେ ଧକ୍କା ଖାଉଥାଏ ଯେମିତି । ଦୁଇପଟେ ମାଟି ଆଉ ଗୋଡିର ପାହାଡ଼ । ମାଉଁ କହିଲା,ଏକି ପାହାଡ ଲୋ ଆଈ ! ପଥର କାଇଁ ବରଷା ଆସିଲେ ସବୁ ଧୋଇଦେଇ ରାସ୍ତାରେ ଗଦେଇ ଦେଉଥିବ ଲୋ । ରାତି ଆକାଶକୁ ଚାହିଁଲି ମୁଁ । ଭେଳାଭେଳା ମେଘ ସାଙ୍ଗକୁ ଘଡ଼ଘଡି,ପବନ । ତାପରେ ନିର୍ଧୁମ ବର୍ଷା । ଆମ କାଠମାଣ୍ଡୁ ରାସ୍ତା ବଦଳି ଗଲା । ବାଟରେ ଯଥା ସମ୍ଭବ ବିଶ୍ରାମ ଓ ରାତ୍ରି ଭୋଜନ ସାରି ଆମେ ଆସି ଏଭେରେଷ୍ଟ ଅଞ୍ଚଳର ଏକ ସହରରେ ରହିଲୁ । ମୁଁ ଡିନର୍ ନେଲାବେଳେ ମାଉଁ ନିକଟରେ ବସିପଡିଲି । ପଚାରିଲି ମାଉଁ! ତମେ ଏବେ ତମ ଭାରତକୁ କେତେ ପଛରେ ଛାଡି ଆସିଛ । ମନେ ପଡୁଛି କି ? ସେ ସଙ୍ଗେସଙ୍ଗେ ଉତ୍ତର ଦେଲା ଯୋଉ ଦେଶରେ ମୋ ବୋଉ ଅଛି,ଅଧା ଜହ୍ନ ଅଧା ଅନ୍ଧାରର ଅଗଣା ଅଛି,ଅଛି ଆମ ଧାନ ବିଲ,ପାହାଡ,ନଈ ଆଉ ଆମ ଜଗନ୍ନାଥ ତାକୁ ଭୁଲିବି କେମିତି ମାଉସୀ । ମୁଁ ଯେମିତି ଭଲପାଇବାର ନିଦ୍ରାହୀନ ରାତିଟିଏରେ ଭାରତବର୍ଷର ଛାଇଟିକୁ ଦେଖି ପାରୁଥିଲି ଦୁଇ ଛୋଟଛୋଟ ନିଷ୍ପାପ ପଲକ ଭିତରେ । ସକାଳୁ ସକାଳୁ କାଠମାଣ୍ଡୁର ଦ୍ଵିତୀୟ ବୃହତ୍ତମ ସହର ପୋଖରାର ଦର୍ଶନୀୟ ସ୍ଥାନ ସବୁ ବୁଲି ଦେଖିଲାବେଳେ ମୋତେ ମାଉଁ ପ୍ରଶ୍ନ ପଚାରି ପଚାରି ହାଲିଆ କରି ଦେଉଥିଲା । ବିନ୍ଧ୍ୟବାସିନୀ ଦେବୀ,ରାମ ସୀତା ମନ୍ଦିର, ହନୁମାନଙ୍କ ମୂର୍ତ୍ତି,ଦେବୀ ପ୍ରପାତ,ତାଳବରାହୀ ମନ୍ଦିର,ଗୁର୍ଖା ମିଉଜିୟମ,ଫେଓ୍ୟା ଲେକ୍, ଗୁପ୍ତେଶ୍ବର ଗୁମ୍ଫା ଇତ୍ୟାଦି ବୁଲିବୁଲି ମୁଁ ପଛେ ଥକି ଗଲି ହେଲେ ମାଉଁ ଥକି ନଥାଏ । ସବୁ ଦେଖିବା ପରେ କହିଲା ନେପାଳ ବି ଏକ ହିନ୍ଦୁ ଦେଶ ଆମ ପରି,ଆମର ପଡୋଶୀ ବନ୍ଧୁ । ମୁଁ କହିଲି ମାଉଁ ତୁମେ ଜାଣ ଏଠିକା ନେପାଳ ରାଜା ଆମ ପ୍ରଭୁ ଜଗନ୍ନାଥଙ୍କର ଜଣେ ବଡ଼ ଭକ୍ତ ସେବକ । ସେ ଶ୍ରୀମନ୍ଦିରକୁ ଗଲେ ପାଲିଙ୍କି ଚଢି ବିଜେ ହବାର ଅଧିକାର ଅଛି ପରା! ଯଦି ମହାରାଜାଙ୍କ ସହ ରାଣୀ ଆସନ୍ତି ଦୁହେଁ ପାଲିଙ୍କିରେ ଆସନ୍ତି।

ସତେ ନା । ପୁଣି ଜାଣିଛ ମାଉଁ ନେପାଳୀ ଭାଷା ଆମ ସଂସ୍କୃତ ଭାଷା ପରି ଦେବନାଗରୀ ଲିପିରେ ଲିଖିତ । ଏଠି ଯୋଉ ଭୈରବ ମନ୍ଦିର ତାଳ ବରାହୀ ନାମରେ ଅଛନ୍ତି ଯାହା ତୁମେ ଦେଖିଲ ତାହାଙ୍କୁ କେବଳ ଓଡିଶାରେ ଆମର ଘଣ୍ଟ କର୍ଣ୍ଣ ଭୈରବ ବୋଲି କହନ୍ତି । ଏକା ପୂଜା। ହିନ୍ଦୁ ରାଜ୍ୟ ବୋଲି ତ ଏଠି ବି ବୌଦ୍ଧ ଆଉ ଶୈବ ଧର୍ମ ଦେଖିବାକୁ ମିଳେ। ତା’ହେଲେ ଏଠି ଜଗନ୍ନାଥଙ୍କ ମନ୍ଦିର ନାଇଁ କାଇଁ କି!

-ତାଙ୍କ ଅବତାର ତ ଅଛନ୍ତି । ତମେ ଦଶ ଅବତାରଙ୍କ ନାଁ ଜାଣିଛ?

-ହଁ! କହିବି! ସେମାନେ ହେଲେ ମୀନ,କଚ୍ଛପ,ବରାହ,ନୃସିଂହ,ବାମନ,ପର୍ଶୁରାମ,ରାମ,ହଳଧର,ବୁଦ୍ଧ ଆଉ କଳ୍କି । ଓ! ବୁଝିଲି ଏଠି ବୁଦ୍ଧ ମନ୍ଦିର ଅଛିନା! ମୁଁ ହଁ କଲି । ସେ କହିଲା ମାଉସୀ ଏଠି ଏମାନଙ୍କ ଠାକୁର ଠାକୁରାଣୀ ଆମର ପରି । ପିଲାଟିର ପ୍ରଜ୍ଞା ଶକ୍ତିକୁ ମାନିବାକୁ ପଡିବ । ଦେବୀ ପ୍ରପାତରେ ସୁନ୍ଦର ଲୁହାର ସରୁଆ ପୋଲ ଦେଇ ଗଙ୍ଗା ବୋହିଯାଉଥାଏ । ସେଠିକା ଲୋକେ ଏହାକୁ ଦୁଧଗଙ୍ଗା କହନ୍ତି । ପାଣି ଠିକ୍ ଦୁଧପରି ଧଳା ଆଉ ଶୀତଳ । ହିମାଳୟରୁ ପାହାଡ଼ ଖୋଲ ଦେଇ ବରଫ ତରଳି ଝରଣା ପରି ବହି ଆସୁଛି । ବୁଦ୍ଧ ଖୋଲ ତ ଆମ କୋରାପୁଟ ଜିଲ୍ଲାର ଗୁମ୍ଫା ପରି । ଆଉ ଗୁର୍ଖା ମିଉଜିୟମରେ ଗୁର୍ଖା ରେଜିମେଣ୍ଟର ଅସ୍ତ୍ରଶସ୍ତ୍ର ସୁରକ୍ଷିତ ହୋଇ ରହିଛି । ମାଉଁ ସେଠି ସାମ୍ନାରେ ଥୁଆ ହୋଇଥିବା ତୋପ ନିକଟରେ ଫଟୋ ଉଠାଇଲା । କହିଲା ମାଉସୀ ଇଂରେଜମାନେ ଏଇମିତି ତୋପ ସାହାଯ୍ୟରେ ଆମ ଦେଶର ବହୁତ ଗଡ଼କୁ ଧ୍ଵଂସ କରିଦେଇଛନ୍ତି ନାଁ । ଏବେ ପରି ସେତେବେଳେ ଯଦି ଆମର ଭାରତରେ ଯଦି ବୋମା ଥାଆନ୍ତା ନା ଆଉ ଆମକୁ ଅହିଂସା ଯୁଦ୍ଧ କରିବାକୁ ପଡି ନଥାଆନ୍ତା । ସୁବାସ ଵୋଷ ଗୋଟେ ବୋମାରେ ସମସ୍ତଙ୍କୁ ସଫା କରି ଦେଇ ଥାଆନ୍ତେ । କି ଜିଜ୍ଞାସା ଝିଅଟିର । ମୁଁ ପଚାରିଲି ଏସବୁ କୋଉଠୁ ଜାଣିଲ ତୁମେ ମାଉଁ । କହିଲା ଆମ ପାଠ ବହିରୁ! ଗୋଲାପର ମାତ୍ର କଢିଟିଏ ସେ । ଅଥଚ ତାର ମନୋମୟ ସତ୍ତା ଭିତରେ କି ପ୍ରଚଣ୍ଡ ଆଉ ଗଭୀର ଉପଲବ୍ଧି! ନିଜ ଭିତରର ସେଇ ଚେତନାଟି ତ ତାର ପ୍ରାଣ । ଆମେ ରାଜମହଲ ବୁଲି ଆସିଲୁ । ମାଉଁ ସବୁ ଦେଖିଦେଖି କହିଲା,ମାଉସୀ ସତରେ ଏ ବହୁତ ଗରିବ ରାଜା । ଆମ ଦେଶର ରାଜାମାନେ ଯେମିତି ଶକ୍ତିଶାଳୀ ପରାକ୍ରମୀ ଥିଲେ ସେମିତି ଧନୀ ବି ଥିଲେ । ନାଁ ଲୋ ମାଉଁ ସେମିତି ତୁଳନା କଲେ ହେବ ନାହିଁ । କେତେ ରାଜା ଶୋଷଣ ବି କରୁଥିଲେ । ମାଉଁ କହିଲା,ମାଉସୀ ମୁଁ ପାରଳା ରଜାଙ୍କ ଉଆସ ଦେଖିଛି । ତା ତୁଳନାରେ ତ ଏ ଉଆସ କିଛି ନୁହେଁ । ସନ୍ଧ୍ୟାରେ ବସି ଆମେ ଉଠାଇଥିବା ଫଟୋ ସବୁ ଦେଖିଲୁ । ପୋଖରାର ସନ୍ଧ୍ୟାର ଦୃଶ୍ୟ ଅତ୍ୟନ୍ତ ମନୋରମ । ସନ୍ଧ୍ୟାରେ ଏଭେରେଷ୍ଟ ଗାଁ ବୁଲି ଆସିଲୁ । କେହି କେହି ଦୂରରୁ କାଞ୍ଚନଜଙ୍ଗା ଦେଖି ବରଫ ମାଡ ଖାଇ ଫେରିଲେ । ସକାଳୁ ତା’ପରଦିନ ମନ କାମନା ଦେବୀଙ୍କୁ ଦର୍ଶନ । ସାତ ସାତଟା ସୁଉଚ୍ଚ ପାହାଡ଼ ଡେଇଁ ଦୋଳାରେ ବସି ବିଜୁଳି ଶକ୍ତି ଭିଡୁଥିବା ରସି ସାହାଯ୍ୟରେ ପାହାଡ଼ ତୀଖରେ ଥିବା ସ୍ଥାନରେ ପହଞ୍ଚିଲୁ। ଖୁବ୍ ଚମତ୍କାର ସେ ଦୃଶ୍ୟ । ଲକ୍ଷ ଲକ୍ଷ ଭକ୍ତଙ୍କ ସମାବେଶ । ଧାଡିରେ ଦର୍ଶନ କରିବାକୁ ଦୁଇ ତିନି ଘଣ୍ଟା ବିତିଗଲା । ଆମ ଓଡିଶାରେ ଦେବୀମାନଙ୍କ ନିକଟରେ ମନ କାମନା ପୂର୍ଣ୍ଣ ଉପଲକ୍ଷେ ପଶୁପକ୍ଷୀଙ୍କୁ ବଳି ଦେଲା ପରି ଏଠାରେ ମଧ୍ୟ ବଳି ଦିଆଯାଉଥାଏ । ମାଉଁ ଡ଼ରି ଯାଇ କାନ୍ଦି ପକାଇଲା । କହିଲା ଏମିତି ବଳିଦେବାକୁ ଏଠିକା ରାଜା ବନ୍ଦ କରିଦେଇଥିଲେ ଆଜି ଏମିତି ଦେଖିବାକୁ ପଡିନଥାନ୍ତା ମାଉସୀ । ଆମେ ପ୍ରଭୁ ପଶୁପତିନାଥଙ୍କୁ ତା’ ପରଦିନ ସକାଳେ ଦର୍ଶନ କଲୁ । ପବିତ୍ର ବାଗମତୀ ନଦୀ କୂଳରେ ଲିଚ୍ଛବି ବଂଶର ରାଜା ସୁପୁଷ୍ପଦେବଙ୍କ ଦ୍ଵାରା ପ୍ରତିଷ୍ଠିତ ଏଇ ମନ୍ଦିର ଦ୍ଵାଦଶ ଜ୍ୟୋତିର୍ଲିଙ୍ଗଙ୍କର ମସ୍ତକ ସଦୃଶ ପ୍ରବାଦ ଅଛି ବାଗମତୀ ତୀରବର୍ତ୍ତୀ ଘନ ବନରାଜିର ସୌନ୍ଦର୍ଯ୍ୟରେ ଏକଦା ପ୍ରଭୁ କୈଳାଶ ନିବାସୀ ଶଙ୍କର ଓ ମାତା ପାର୍ବତୀ ମୁଗ୍ଧ ହୋଇ ମୃଗ ଓ ମୃଗୁଣୀ ରୂପ ଧାରଣ କରି ଆନନ୍ଦ ମନରେ ବିଚରଣ କରିବାକୁ ଲାଗିଲେ । ଦେବତାମାନେ ସେମାନଙ୍କୁ ଖୋଜିଖୋଜି ଏହି ବନରେ ଉପସ୍ଥିତ ହୁଅନ୍ତେ ପ୍ରଭୁ ଶଙ୍କର ଓ ମାତା ପାର୍ବତୀ ସ୍ଵରୂପରେ ପ୍ରକାଶିତ ହୋଇଲେ । ସେଠାରେ ନିଜେ ସ୍ଵଇଚ୍ଛାରେ ପ୍ରଭୁ ପଶୁମାନଙ୍କର ନାଥ ଭାବରେ ପଶୁପତିନାଥ ବୋଲାଇଲେ । ମାଉଁ ଏକଥା ଶୁଣି କହିଲା,ମାଉସୀ ଏତ ଆମ ଠାକୁର ଠାକୁରାଣୀଙ୍କ କଥା ପରି ଲାଗୁଛି । ମୁଁ କହିଲି ,ଏଠି ବି ଶିବରାତ୍ରି ପାଳନ ହୁଏ ମାଉଁ । ତେବେ ବହୁ ସ୍ଥାନ ଏହିପରି କାଠମାଣ୍ଡୁରେ ବୁଲି ଉପଭୋଗ କଲା ପରେ ଫେରିବା ଦିନ ମାଉଁ କହିଲା,ବିଦାୟ ନେପାଳ, ଓ୍ଵେଲକମ୍ ଟୁ ଇଣ୍ଡିଆ । ବାଟ ସାରା ସେ ମୋତେ ପ୍ରଶ୍ନ ପଚାରି ପଚାରି ଅଥୟ କରିଦେଉଥାଏ । ଶେଷରେ ତାଠୁ ମୁଁ ବିଦାୟ ନେଲି । ଦେଶକୁ ଭଲପାଇବାର ମହକ ସେ ମୋତେ ଦେଇଗଲା । ନିଜ ଦେଶର ସତରେ ଏକ ଅନନ୍ୟ ସୁଗନ୍ଧ ଅଛି । ମୋ ଦେଶକୁ ଭଲପାଇବାର ଆତ୍ମବିଶ୍ଵାସ ଟିକକ ପ୍ରକୃତରେ ଜୀବନର ସାରାଂଶ । ମାଉଁ ଦେଶ ପାଇଁ ନିବେଦିତ ହେବାର ମତୁଆଲା ଢ଼ଙ୍ଗ ଟିକକ ତାର ଦେଶ ପାଇଁ ପ୍ରବଣତା । ନହେଲେ ବିଦେଶୀ ମାଟିରେ ମୋ ଦେଶର ମାଟିର ବାସ୍ନାକୁ ଅଣ୍ଡାଳି ହୁଅନ୍ତା କାହିଁକି!

ସୁନୀତି


Rate this content
Log in