ମନେ ପଡେ ମନ କଥା
ମନେ ପଡେ ମନ କଥା
ସଂସାରଟା ଗତିଶୀଳ, ପରିବର୍ତନଶୀଳ I କ୍ଷୁଦ୍ର ଶିଶୁଟିଏ କ୍ରମପରିବର୍ତ୍ତନରେ ମହାମାନବ I କ୍ଷୁଦ୍ର ବୀଜଟିଏ ସମୟର ବିବର୍ତ୍ତନରେ ମହାଦ୍ରୁମ I ବାଃ କି ବିଚିତ୍ରତା I ଆଜି ଯେ ରାଜେନ୍ଦ୍ରଆସନେ କାଲି ସେ ଫକୀର I ଯେ ପରିକି ମହାଦାନୀକର୍ଣ୍ଣ ରାଜା ହରିଶ୍ଚନ୍ଦ୍ର ଦିନେ ଶ୍ମସାନ ରକ୍ଷକ I ତ୍ରିଭୁବନର ମାଲିକ, ଅଯୋଧ୍ୟାର ରାଜା, ରଘୁବଂଶ ତିଳକ, ପୁରୁଷୋତ୍ତମ ଶ୍ରୀରାମ, ରାଜାଭିଷେକ ପୂର୍ବରୁ ହଠାତ ଚଉଦବର୍ଷ ପାଇଁ ବନବାସୀ I ଦିନ ପରେ ରାତି, ଦୁଃଖ ପରେ ସୁଖ, ଜୁଆର ପରେ ଭଟ୍ଟା ଏତ ପ୍ରକୃତିର ଖେଳ I ବିଧିର ବିଧାନ, ଅପୂର୍ବ ନିୟତିର ଗତି, ଏଡାଇବା ମର୍ତ୍ତରେ କାର ବା ଅଛି ଶକ୍ତି I
ଶୀର୍ଷକ ପ୍ରସଙ୍ଗରେ ମନେପଡେ ମୋ ପିଲାଦିନର ଗୋଟେ ଘଟଣା I ଷଷ୍ଠ ଶ୍ରେଣୀରେ ପଢ଼ୁଥିଲି, ଭଲ ବି ପଢ଼ୁଥିଲି I ସ୍କୁଲ ପାଠ ସାରି ଚାରିଟା ବେଳକୁ ସାଙ୍ଗସାଥୀଙ୍କ ମେଳରେ ଫୂଟବଲ ଖେଳିବାକୁ ଆମଗାଁ ଖେଳପଡିଆ କୁ ଯାଉ I ଛୋଟପଡ଼ିଆଟିଏ ହେଲେବି ଖୁବ ମନୋରମ ପରିବେଶରେ ପରିବେଷ୍ଟିତ I ଚାରିପଟରେ ବହୁତଗୁଡିଏ ନୂଆ ପୁରୁଣା ଆମ୍ବଗଛ, ଏକ ଛୋଟ ଜଙ୍ଗଲର ଭ୍ରମ ସୃଷ୍ଟି କରିଥାଏ I ପଡିଆର ପଶ୍ଚିମ ଦିଗକୁ ଲମ୍ବିଗଲେ କୁଳୁକୁଳୁ ନାଦରେ ପୂର୍ଣ୍ଣ ଗର୍ଭା 'କାଣୀ 'ନଦୀ କେଉଁ ଯୁଗରୁ ବହିଯାଇଛି I ନଦୀ ଆରପଟେ ଅନେକ ଗୁଡିଏ ଗାଁ ରହିଥିବାରୁ, ଲୋକମାନେ ଯାତାୟାତ କରିବାପାଇଁ ଆମରିଗାଁ ରେ ଏକ ଫେରିଘାଟ ରହିଥାଏ I ଦୂରଗାଁ ମୂଷାନନା ଏହି ଘାଟରେ ଡ଼ଙ୍ଗା ପକାଇ ଥାଏ. ମତେ ଡ଼ଙ୍ଗା ବୁହାଇବାକୁ ଭଲ ଲାଗେ I ତେଣୁ ବେଳେ ବେଳେ ଡ଼ଙ୍ଗା ବାହି ବାକୁ ଚାଲିଯାଏ, ପ୍ରଥମେ ପ୍ରଥମେ ଏଣେ ତେଣେ ଡ଼ଙ୍ଗା ଭାସିଯାଏ, ପୁଣି ଠିକଣା ଜାଗାକୁ ଚାଲିଆସେ I କାତ ଧରି ଏମିତି ଡ଼ଙ୍ଗା ଖେଳ ଭାରୀ ମଜାଲାଗେ I ଦିନପରେ ଦିନ ଏମିତି ଚାଲିଥାଏ, ମୋର ବି ଅଭ୍ୟାସ ହେଇଗଲାଣି I ଦିନେ ଆମେ ଖେଳୁଥାଉ I ମୁଁ ଗୋଲ ରକ୍ଷକ ଥାଏ I ମୋ ପଛପଟେ ନଦୀକୂଳରେ ଜଣେ ବୟସ୍କ ଲୋକ ବସିଥାନ୍ତି, ସନ୍ଧ୍ୟା ହେଇଆସୁଥାଏ I ଘାଟିଆ ମୂଷାନନା ନଦୀ ଆରପଟେ ଥାଆନ୍ତି I ବାଟେଇ ଲୋକଟି ବ୍ୟସ୍ତ ହେବାରୁ ମୁଁ ଗଲି ଏବଂ ଡ଼ଙ୍ଗା ବାହି ଆରପଟରେ ପହଂଚିଲି I ମୂଷାନନା କିଛିଗୋଟିଏ କାମକରୁଥିବାରୁ ଅଧଘଣ୍ଟାଏ ଡେରିହେଇଗଲା ଫେରିବାକୁ I ତାପରେ ଆମେ ଡଙ୍ଗାରେ ବସିଲୁ, ମୂଷାନନା ଡ଼ଙ୍ଗା ବୁହାଇଲେ I ମଝିନଦୀରେ ହଠାତ ଡ଼ଙ୍ଗା ଵାଲୀ ଚଢ଼ାରେ ଲାଗିଗଲା I ଏପଟ ସେପଟ କରି କାତ ମାରି ମାରି ଥକିଗଲେ ମୂଷାନନା, ଏମିତି ନଦୀ ମଝିଟା ସମ୍ପୂର୍ଣ ଶୁଖିଲା ପଡିଗଲା. ମୁଁ ବୁଝିଗଲିଯେ ଜୁଆର ଛାଡ଼ିଯାଇଛି I ଅର୍ଥାତ ଦୀର୍ଘ ଅଢେଇଘଣ୍ଟା ପରେ ଜୁଆର ପୁଣି ଆସିବ, ନଦୀ ଉଛୁଳିଲେ ଡ଼ଙ୍ଗା ଚାଲିବ I ଅନ୍ୟ କିଛି ଉପାୟ ନଥିବାରୁ ଡଙ୍ଗାରେ ବସିରହିଲୁ, ମତେ ଡର ଲାଗୁଥାଏ ସହଜେ ଶୀତଦିନ, ଦେହରେ ହାତକଟି ଗଞ୍ଜି ଛଡା ଆଉ କିଛି ନାହିଁ I ଡ଼ଙ୍ଗା ଭିତରେ ବସିଥାଏ, ଅନ୍ଧାର ହେଇଗଲା, ଗାଁ ମୁଣ୍ଡ ମଶାଣିରେ ବିଲୁଆମାନେ ସଞ୍ଜଘଡିଆ ବୋବାଳି ଛାଡିଲେ I ଆମ ଗାଁ ଶିବ ମନ୍ଦିରରୁ ଘଣ୍ଟ ଘଣ୍ଟା ଶୁଭିଲା I ଭୟରେ ଛାତି ଥରୁଥାଏ, ମତେ ଘରେ ନ ଦେଖି ବାପା ରାଗିବେ, ନିଶ୍ଚିନ୍ତ ମୁଁ ରାତିରେ ମାଡ sunithi ବାପା, ଜଣେ ଛୋଟ ବ୍ୟବସାୟୀ, I ଘରେ ଆମେ ଭାଇଭଉଣୀ ଓ ବାପା ବୋଉକୁ ନେଇ ଆଠ ଜଣ
ଅଳ୍ପ ରୋଜଗାରରେ ସମସ୍ତେ ଗାଁ ସ୍କୁଲ ରୁ ପାଠ ଛାଡିଲେ, ହେଲେ ବାପା ମତେ ପାଠ ପଢି ଭଲ ମଣିଷ ହେବାକୁ ବହୁତ ଚେଷ୍ଟା କରୁଥାଆନ୍ତି I
ଦୁଷ୍ଟାମୀ ନ ହେବାକୁ କହନ୍ତି, ଦୁଷ୍ଟ ପିଲାଙ୍କ ସଙ୍ଗ ନହେବାକୁ କହନ୍ତି, ମୋଟ ଉପରେ ମୋର ବାପା ବହୁତ ଯତ୍ନ ନିଅନ୍ତି I
କେହି ଜଣେ ଲଣ୍ଠନ ଧରି ଚାଲି ଚାଲି ଆସୁଥାନ୍ତି, ଆଉ ଜଣେ ଟ୍ରଚ ବତୀ ଏଣେ ତେଣେ ବୁଲାଇ ପକଉ ଥାଆନ୍ତି, I ବାପାଙ୍କ ପାଟି ଶୁଭିଲା, ମୂଷାନା ଜବାବ ଦେଲେ, ଘନ ଭାଇ ବେସ୍ତ ହୁଅନି, ପୁଅ ମୋ ପାଖରେ ଅଛି, ଏମିତି ତ ଅସୁବିଧା ହେଇଗଲା, ଛୁଆଟାର କିଛି ଦୋଷ ନାହିଁ I
ବାପା କୂଳରେ ବସିଲେ, ଏପଟେ ନଦୀରେ ଜୁଆର ପାଣି ବଢ଼ିବାରୁ ଡ଼ଙ୍ଗା ମଧ୍ୟ ଚାଲିଲା I କୁଳ ଯେତେ ନିକଟ ହେଉଥାଏ, ମୋ ମନ ସେତେ ଛାନିଆଁ ହେଉଥାଏ, କାରଣ ମୋ ବାପା ପୂର୍ବରୁ ମୋର ଛୋଟ ଛୋଟ ଭୁଲରେ ବହୁତ ତାଗିଦା କରନ୍ତି, ମାରନ୍ତି ମଧ୍ୟ, ପଛରେ ବୁଝାନ୍ତି, ଯେଉଁଠି ଡର ନାହିଁ, ସେଠି ଭକ୍ତି ନାହିଁ ତ କିଛିବି ନାହିଁ I କଣ କରିବି, ଜୀବନରେ ଆଉ ଏପରି କେବେ ଆଉ ଭୁଲ କରିବି ନାହିଁ, ହେ ମା ମାଳତୀ ମତେ ଥରୁଟେ କ୍ଷମା କର,, ମନେ ମନେ ଗାଁ ଠାକୁରାଣୀକୁ ଗୁହାରୀ ମିନତୀ କରୁଥାଏ, ଡ଼ଙ୍ଗା
କୂଳରେ ଲାଗିଲା, ମୋ ବାପା ଫକ କରି ଦଙ୍ଗାକୁ ଦେଇଲେ, ମତେ କୋଳେଇନେଲେ, ବହୁତ କାନ୍ଦି ପକେଇଲେ I ନଦୀ କୂଳରୁ କାନ୍ଧରେ ବସେଇ ଘରରାସ୍ତାରେ ଚାଲିଲେ I
ମୁଁ କାନ୍ଧରେ ବସିଥାଏ, ବାପା ମତେ ବୁଝାଉଥାନ୍ତି,
ଧନରେ!ଜୀବନରେ ଏମିତିକା ଭୁଲ କେବେ କରିବୁନି,, ଦେଖିଲୁତ !ଭରାନଦୀ କେମିତି ଶୁଖିଗଲା I ଯଦି ଏକୁଟିଆ ହେଇଥାନ୍ତୁ, କଣ କରିଥାନ୍ତୁ, ନଦୀ, ନିଆଁ, ପବନ ଏମିତି ବେଳେ ବେଳେ ଭୟଙ୍କର ରୂପ ଧାରଣ କରିଥାନ୍ତି I ନଦୀରେ ପାଣି ଛାଡିବା, ପୁଣି ବଢିବା, କୁ ଜୁଆର ଭଟା କହନ୍ତି I ଠିକ ସେହିପରି ମଣିଷ ଜୀବନରେ ବି ସୁଖ ଦୁଃଖର ଉତ୍ଥାନ ପତନ ଲାଗିଥାଏ I ନିଃଶ୍ୱ ଗରିବ ଲୋକଟିଏ ବହୁ କଷ୍ଟରେ ନିଜ କାମ କରୁକରୁ ବହୁତ ବଡ ଲୋକ ହେଇଯାଏ, ଗାଈ ଜଗିଥିବା କପିଲାଟା ରାଜା କପିଳେନ୍ଦ୍ର ଦେବ ହେଲାବେଳେ ମହାଦାନୀ ହରିଶ୍ଚନ୍ଦ୍ର ସବୁ ହରେଇ ଶ୍ମଶାଣି ରକ୍ଷକ ହେଇଥିଲେ I ତୁତ କାଶିଆ, କପିଳା କଥା ଶୁଣିଥିବୁ I ଆହୁରି ମଧ୍ୟ ବଡ ବଡ ଧନୀ ଧନ ଗର୍ବରେ ଅନ୍ଧ ହେଇ ଯାଆନ୍ତି I ଛୋଟ ବଡ ମଣିଷ ମାନନ୍ତିନି, ହିସାବନିକାସ କରି ଚଳି ପାରନ୍ତିନି I ଦେଖୁ ଦେଖୁ କିଛି ବର୍ଷ ଗାଡ଼ିଯାଏ,ଘରେ ଗଣ୍ଡେ ଖାଇବାକୁ ଭାତ ନଥାଏ, I ପାଖ ଗାଁର ବିଷ୍ଣୁ କୁବେର କଥା କହିଲେ I ପଟ୍ଟାମୁଣ୍ଡେଇ ଶୁଣ୍ଢୀ ମହାଜନ କଥା ବି କହିଲେ I
କହୁ କହୁ ଆମେ ଘରେ ପହଂଚିଯାଇଥିଲୁ I ବୋଉ ମତେ କୋଳେଇ ନେଇ କାନ୍ଦିଲା, କେତେ କଥା ବୁଝାଇଥିଲା Iଖାଇ ପିଇ ଶୋଇଲି I ହେଲେ କେବଳ ଭାବୁଥିଲି, ନଦୀରେ ଖାଲଜୁଆର ଭଟ୍ଟା ନଥାଏ ମଣିଷ ଜୀବନ ଏପରିକି ସାରା ସୃଷ୍ଟିରେ ସମସ୍ତଙ୍କ ପାଇଁ ଏପରି ଜୁଆର ଭଟ୍ଟା ଥାଏ,. ତେଣୁ ବେଳହୁଁ ସାବଧାନ ହେବାକୁ ପଡିବ I
