ମନେ ପଡେ ହେରlଗୌରୀ ସାହିରେ ହେରାପଞ୍ଚମୀ
ମନେ ପଡେ ହେରlଗୌରୀ ସାହିରେ ହେରାପଞ୍ଚମୀ
ସକlଳୁ ଉଠିଲା ପରେ ଫେସ୍ ବୁକ୍ ରେ ଦେଖିଲି ଆଜି ହେରା ପଞ୍ଚମୀ ବୋଲି l ମନଟା ପୁଣି ଆମ ପୁରୀ ରଥ ଯାତ୍ରା ସମୟକୁ ଉଡ଼ିଗଲା l ଆମ ସlହି ପାଖ ସାହିକୁ ହେରାଗୌରୀ ସାଇ ବୋଲି କୁହାଯାଏ l ସେଇଠି ମୋ ସାଙ୍ଗ ହେମଲତା ରହୁଥିଲା l ତାଙ୍କର ଓକିଲ ଘର l ତା ବାପା, ଜେଜେ ବାପା. ବଡ଼ ଭାଇ ସମସ୍ତେ ଓକିଲାତି ଚାକିରୀ କରୁଥିଲେ l ହେମଲତା ପାଞ୍ଚ ପୁଅରେ ଗୋଟିଏ ଝିଅ ହୋଇ ଥିବାରୁ ଟିକିଏ ଗେଲବସର ହୋଇ ବଢିଥିଲା l ତେବେ ମୋର ତାଙ୍କ ଘରକୁ ବହୁତ ଯିବା, ଆସିବା ଥିଲା l ଏକେତ ଓକିଲ ଘର ହୋଇ ଥିବାରୁ ତାଙ୍କ ଘରେ ସବୁ ବେଳେ ବିଭିନ୍ନ ପ୍ରକାର ଖାଇବା ଜିନିଷ ଆଉ ଫଳରେ ଭର୍ତି ହୋଇଥାଏ l ଗ୍ରାମୀଣ ମହକିଲ ମାନେ ସବୁବେଳେ ଗାଁରୁ କିଛି ନ କିଛି ଭଲ ଜିନିଷ ଆଣି ଓକିଲଙ୍କ ଘରେ ଦେଉ ଥିଲେ l ମୋର ଟିକିଏ ଖାଇବା ପ୍ରତି ଲୋଭ ଥିଲା l ଟେଣୁ ଅଙ୍କ ପଢିବା ନାଁ ରେ ସବୁବେଳେ ସେଠି ହାଜର ହୁଏ l
ଦ୍ଵିତୀୟ କାରଣ ହେଲା ହେମ୍ ର ପିଉସୀ ନାନୀଙ୍କ ସ୍ନେହ ଆଉ ଆଦର l ସବୁବେଳେ ବିନା ଜଳଖିଆ ଖୁଆଇ ସିଏ କେବେ ଆମକୁ ଛାଡ଼ନ୍ତିନି l ଗରମ ପରଟା, ବନ୍ଧା କୋବି ସାଙ୍ଗେ ମାଛ ମୁଣ୍ଡ , କାକରା ପିଠା , ଚୁଡା ଭଜା , ଚୀନା ବାଦାମ ଏଇପରି ଅନେକ ଜଳଖିଆ ତିଆରି କରି ଆମକୁ ନିଜ ହାତରେ ବାଢି ଦିଅନ୍ତି ଆଉ କହନ୍ତି ଖାଅ l ଶାଶୁ ଘରେ କିଏ ଜାଣେ କ'ଣ ଖାଇବ l ଏଇନେ ବାପ ଘର ଅଲିଅଳି ହୋଇ ଖାଇଦିଅ ଭଲ ମନ୍ଦ ସବୁ ଯାହା ମିଳୁଛି l ମୁଁ ଆଉ ହେମ ହସି କହୁ ହଁ ଆମେ କୋଉ ବାହା ହବୁକି ?
ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର କେତୋଟି କୌତୁକପୂର୍ଣ୍ଣ ଘଟଣl ରୁ ଗୋଟିଏ ହେଉଛି ‘ହେରାପଞ୍ଚମୀ’ l ହେରା’ର ଅର୍ଥ ଦେଖା । ରଥଯାତ୍ରାରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଯାଇଥିବା ଶ୍ରୀଜଗନ୍ନାଥଙ୍କୁ ଏହିଦିନ ଦେବୀ ଲକ୍ଷ୍ମୀ ‘ହେରିବାକୁ’ (ଦେଖିବାକୁ) ଯାଆନ୍ତି । ସେଇଥିପାଇଁ ଏହାର ନାମ ‘ହେରାଯାତ୍ରା’ । ରଥଯାତ୍ରାର ପଞ୍ଚମ ଦିନ ଏହି ନୀତି ହେଉଥିବାରୁ ଏହାର ନାମ ‘ହେରାପଞ୍ଚମୀ’ । କିନ୍ତୁ ପ୍ରକୃତରେ ଏହା ଆଷାଢ଼ ଶୁକ୍ଳ ଷଷ୍ଠୀ ତିଥିରେ ହୋଇଥାଏ ।
ମୋ ସାଙ୍ଗ ହେମଲତା ର ପିଉସୀ ନାନୀ ବାଲ୍ୟ ବିଧବା ଥିଲେ l ସିଏ ଆମକୁ ଅନେକ ଗପ କହୁଥିଲେ ଆଉ ଆମେ ତାଙ୍କ ସାଙ୍ଗରେ ସବୁ ବର୍ଷ ଗୁଣ୍ଡିଚା ଘରକୁ ଯାଇ ମହାଲକ୍ଷ୍ମୀ ଙ୍କର ହେରା ପଞ୍ଚମୀ ଯାତ୍ରା ଦେଖୁ l ନାନୀ କହନ୍ତି ଶ୍ରୀଜଗନ୍ନାଥ ଦାରୁବ୍ରହ୍ମ ହେଲେ ମଧ୍ୟ ତାଙ୍କର ଲୀଳାଖେଳା ଆମ ମଣିଷଙ୍କ ପରି । ତାଙ୍କର ଏହି ‘ମାନବୀୟ ଲୀଳା’ର ଗୋଟିଏ ନିଦର୍ଶନ ହେଉଛି ‘ହେରା ପଞ୍ଚମୀ’ । ଏହା ଶ୍ରୀଜଗନ୍ନାଥ ଓ ଦେବୀ ଲକ୍ଷ୍ମୀଙ୍କର ଏକ ‘ଦାମ୍ପତ୍ୟ-ଲୀଳା’ l ନାନୀ କହୁଥିଲେ ଜଗନ୍ନାଥ ଲକ୍ଷ୍ମୀ ଦେବୀ ଙ୍କୁ ସାଙ୍ଗରେ ନ ନେଇ ଭଉଣୀ ଶୁଭଦ୍ରା ଆଉ ବଡ଼ ଭାଇ ବଳଭଦ୍ରଙ୍କ ସଂଗେ ରଥରେ ଗୁଣ୍ଡିଚାଘରକୁ ଚାଲିଯିବା ପରେ ଦେବୀ ଲକ୍ଷ୍ମୀ ରାଗି ଗଲେ l ତାଙ୍କର ଏଇ ରାଗ ପ୍ରତିଫଳିତ ହୋଇଥାଏ ହେରା ଯାତ୍ରାରେ l
ପ୍ରାୟ ଦିନ ଚାରିଟା ବେଳକୁ ବଡ଼ ଦାଣ୍ଡରେ ଲକ୍ଷ୍ମୀ ଠାକୁରାଣୀଙ୍କୁ ନେଇ ମହାଜନ ସେବକ ମାନେ ଗୁଣ୍ଡିଚା ଘର ଆଡକୁ ପ୍ରସ୍ଥାନ କରନ୍ତି l ସାଙ୍ଗରେ ମୋହନ ଚୁର୍ଣ (କର୍ପୁର -ଚନ୍ଦନ) ନେଇଥାନ୍ତି l ଏହି ମୋହନଚୂର୍ଣ୍ଣ ପ୍ରୟୋଗ କରିବା ଦ୍ୱାରା ପ୍ରଭୁ ଲକ୍ଷ୍ମୀଙ୍କ ଆଡ଼କୁ ଆକର୍ଷିତ ହେବେ ବୋଲି ମା ବିମଳା ଠାକୁରାଣୀ କହି ଥିଲେ l ବିମାନବଡ଼ୁ ସେବକ ତାଙ୍କୁ ଆଡ଼ମ୍ବରପୂର୍ଣ୍ଣ ଘଣ୍ଟ, ବାଜା ଓ କାହାଳୀ ଆଦି ସହିତ ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ଥିବା ନନ୍ଦିଘୋଷ ରଥ ନିକଟକୁ ନେଇ ଯାଆନ୍ତି l ସେଇ ବିମାନରେ ବସି ରହି ଥିବା ବେଳେ ଜଗନ୍ନାଥଙ୍କ ପକ୍ଷରୁ ପତିମହାପାତ୍ର ତାଙ୍କର ବନ୍ଦାପନା କରନ୍ତି l ତାପରେ ଦେବୀ ସେହି ବିମାନରେ ଥାଇ ମୋହନ ଚୁର୍ଣ ଜଗନ୍ନାଥଙ୍କ ଉପରକୁ ନିକ୍ଷେପ କରନ୍ତି ଆଉ ଜଗନ୍ନାଥ ତାଙ୍କୁ ପ୍ରତିଶୃତି ଦିଅନ୍ତି ଯେ ସିଏ ତିନି ଦିନ ଭିତରେ ଶ୍ରୀ ମନ୍ଦିର କୁ ଫେରି ଆସିବେ l ଏଇ ସମୟ ସନ୍ଧ୍ୟା ବେଳ ସମୟ l ସେତେବେଳକୁ ସଂଧ୍ୟାଧୂପର ସମୟ ହୋଇଯାଇଥିବାରୁ ‘ଟେରା’ (କନାର ଏକ ଆବରଣ) ପଡ଼ିଯାଏ ଏବଂ ଦେବୀ ଲକ୍ଷ୍ମୀ ଶ୍ରୀଜଗନ୍ନାଥଙ୍କର ଶ୍ରୀମୁଖକୁ ଆଉ ଅଧିକ ସମୟ ଦର୍ଶନ କରିପାରନ୍ତି ନାହିଁ । ସେଥିରେ ସେ ରାଗି
ଯାଆନ୍ତି ଆଉ ଫେରିବା ବାଟରେ ନନ୍ଦିଘୋଷ ରଥକୁ ଯାଇ ସେଥିରୁ କାଠ ଖଣ୍ଡେ ଦୁଇ ଖଣ୍ଡ ଭାଙ୍ଗିଦେଇ ଚାଲି ଯାଆନ୍ତି l ମୁଁ ଆଉ ହେମଲତା ନାନୀଙ୍କୁ ପଚାରୁ ତାହାଲେ ରଥ ଭାଙ୍ଗିଦେଲେ ରଥରୁ ଲୋକେ ପଡି ଯିବେନି ? ନାନୀ ହସି କହନ୍ତି ନାଇଁ ଟିକିଏ ଭାଙ୍ଗି ଦିଆ ଯାଏ ଦେଖେଇବାକୁ ଅନୁରାଗ ମିଶା ରାଗ l
ବାଟରେ ଆସିଲା ବେଳେ ବହୁତ ଲଙ୍କା ଆମ୍ବ ବଗିଚା ପଡେ l ଭିତରକୁ ଯାଇ ଯିଏ ଯେତେ ଲଙ୍କl ଆମ୍ବ ତୋଳି ନେଇ ପାରିବ l କେବଳ ଅଣl ଟିଏ ପଡେ ଦର୍ଶନୀ ଖର୍ଚ୍ଚ l ମୁଁ ଆଉ ହେମ ଦୁଇ ଜଣ ଯାକ ଯାଇ ଅନେକ ଲଙ୍କାଆମ୍ବ ଆମ ଅଣ୍ଟିରେ ପୁରାଉ l ନାନୀ ବାହାରେ ଆମପାଇଁ ଅପେକ୍ଷା କରି ଥାଆନ୍ତି l ତେବେବି ଆମେ ଲଙ୍କା ଆମ୍ବ ତୋଳି ଚାଲିଥାଉ l ହଳଦିଆ ମିଶା ସବୁଜ ରଙ୍ଗର ଆମ୍ବ ଆଉ ମଞ୍ଜି ତା ମୂଳରେ ଦେଖି ଭାରି ଖୁସି ଲାଗୁଥିଲା l ତାପରେ ବାହାରୁ ନାନୀ ଡାକ ପକେଇଲେ ଆରେ ସେତିକି ହେଉ l ଆମେ ଦୌଡ଼ି , ଦଉଡି ଆସି ନାନୀଙ୍କ ସାମ୍ନାରେ ହାଜର ହେଲୁ l ବାଟ ଯାକ ପାଚିଲା ହଳଦିଆ ଲଙ୍କା ଆମ୍ବ ଖାଇ ଚାଲିଥାଉ l ହଠାତ ଆଉ ବାଜା ବା ପେଁ କାଳି ଶୁଣl ଯାଏନି କିନ୍ତୁ ଲୋକ ସବୁ ଥାଆନ୍ତି l ଆମେ ପଚାରିଲୁ ନାନୀଙ୍କୁ କାହିଁକି ବାଜା ଵାଲା ମାନେ ବାଜା ବଯଉ ନହାନ୍ତି l ଆଗକୁ ଯାଇ ନାନୀ ଧୀର ସ୍ୱରରେ କହିଲେ ଫେରିବା ବେଳେ ଲକ୍ଷ୍ମୀ ବିନା ଘଣ୍ଟ, ବାଜା, କାହାଳୀରେ, ହେରାଗୋହିରୀ ସାହି ବାଟ ଦେଇ ଫେରନ୍ତି । ଯେହେତୁ ସିଏ ରଥ ଭାଙ୍ଗି ଦେଇଛନ୍ତି ରାଗରେ l “ଏହି କାର୍ଯ୍ୟ (ରଥକାଠ ଭାଙ୍ଗିବା କାର୍ଯ୍ୟ) ଠିକ୍ ହେଲାନାହିଁ ବୋଲି ବୋଧହୁଏ ଜଗଜ୍ଜନନୀଙ୍କର ଅନୁତାପ ହୁଏ । ତେଣୁ ସିଏ ବଡ଼ ଦଣ୍ଡ ପଟେ ନଯାଇ ହେରା ଗୋହିରି ସାହି ବାଟ ଦେଇ ଲୁଚିଲା ପରି ବିନା ଘଂଟ , ବାଜା ଆଉ କାହାଳୀରେ ମନ୍ଦିର କୁ ଫେରନ୍ତି l
ଲକ୍ଷ୍ମୀଙ୍କ ରାଗିଵା ଭଳି ଥରେ ମୁଁ ବି ରାଗି ଯାଇ ଥିଲି ଘରେ ବାହାଘର ପରେ ମୋର ସ୍ୱାମୀ ସୁଧାଂଶୁ ଙ୍କ ଉପରେ l ସୁଧାଂଶୁ ଆମ ବାହାଘର ପୂର୍ବରୁ ବହୁତ ଫୋଟ ନେଉଥିଲେ l ସେତେବେଳେ ବହୁତ ଅଳ୍ପ ଲୋକଙ୍କର କ୍ୟାମେରା ଥିଲା l ତେଣୁ ଆମ ଆତ୍ମୀୟସ୍ୱଜନ ବା ବନ୍ଧୁ ଯାହାର ବାହାଘର ହୁଏ ସେମାନେ ସୁଧାଂଶୁଙ୍କୁ ଡାକୁଥିଲେ ଫୋଟୋ ନେବା ପାଇଁ l ସେ ଫୋଟକୁ ସମସ୍ତେ ବଡ଼ ଯତ୍ନରେ ସଜାଇ ରଖି ଥାଆନ୍ତି l ସେ ସମସ୍ତଙ୍କର ସୁନ୍ଦର ଫୋଟ ଦେଖି ମୋର ଭାରି ରାଗ ହୁଏ କାରଣ ମୋ ବାହାଘର ସମୟର ଫଟୋ ବେଶୀ ନଥିଲା l ସୁଧାଂଶୁ ନିଜେ ତ ବେଦିରେ ବସି ଥିଲେ l ଅନ୍ୟ କେହି ଫଟୋ ନେଇ ନଥିଲେ , ଯାହାଵା ନେଇ ଥିଲେ ସେ ସବୁ କିଛି ଭଲ ଆସି ନଥିଲା l ମୁଁ କିନ୍ତୁ ରାଗରେ ଦିନେ ସବୁ ଫଟୋ ଆଉ ତାର ନେଗେଟିଭ ଚିରି ଦେଲି l ଏବେ ଭାବୁଛି ଆମେ ଝିଅ ମାନେ ବେଳେ , ବେଳେ ଏମିତି ରାଗ କରୁ ମନଯୋଗ ପାଇବା ପାଇଁ , କଥା ଠିକ୍ ରେ ନବୁଝି l ସେଇଟା ତ ଆମ ଦେବୀ , ଦେବ ମାନଙ୍କ ବେଳରୁ ହୋଇ ଆସିଛି ‘ଦାମ୍ପତ୍ୟ-ଲୀଳା’ ଭାବେ l
ସମୁଦାୟ ଦୁଇ ତିନି ଥର ହେରା ପଞ୍ଚମୀ ଦେଖିବାର ମନେ ଅଛି l ଲଙ୍କା ଆମ୍ବ ଖାଇବା ଆଉ ଜାମାରେ କସ ଲାଗିବା ପୁରା ମନେ ଅଛି l ଲଙ୍କା ଆମ୍ବ ସେତେ ମିଠା ନହେଲେବି ଭଲ ଲାଗେ ଖାଇବାକୁ l ତା ଛଡା ସେ ଫଳର ମଞ୍ଜି ଆମେ ରାତିରେ ନିଆଁରେ ଜାଳି ତା ଭିତରୁ କାଜୁ ବାହାର କରି ଖାଉଥିଲୁ l ବହୁତ ମଜା ଆସୁଥିଲା ହେରା ପଞ୍ଚମୀ ଦିନ l କିଛି ଦିନ ପରେ ହେମର ନାନୀ ବେମାର ରେ ଏଇ ଦୁନିଆରୁ ଚାଲିଗଲେ l ମୁଁ ଆଉ ହେରା ପଞ୍ଚମୀ ଯାତ୍ରା ଦେଖିବାକୁ ବେଶି ଗଲିନି ନାନୀ ଚାଲିଗଲା ପରେ l ମୋର ଲଙ୍କାଆମ୍ବ କିଣି ଖାଇବା ବି ବନ୍ଦ ହୋଇଗଲା l ତେବେ ଆଜି ପୁଣି ସେଇ ପୁରୁଣା କଥା ମନେ ପଡିଗଲା l ମୋ ସାଙ୍ଗ ହେମର ନାନୀ ଆଉ କେତେ ଲୋକ ଆମକୁ ପିଲାଦିନେ କେତେ ଭଲ ପାଉଥିଲେ l କଥାରେ ଅଛି ପିଲାଟିଏ ପାଳିବା ପାଇଁ ଗୋଟିଏ ସାହିର ସମସ୍ତ ଲୋକମାନଙ୍କର ସାହାଯ୍ୟ ଆଉ ସହଯୋଗ ଦରକାର l ଆମ ମାନଙ୍କର ବଢିବା ସେମିତି ହୋଇଥିଲା l ତେଣୁ ଖୁସିରେ ଆମେ ବଡ଼ ହୋଇଗଲୁ l ଜଣା ପଡ଼ିଲାନି ମୋର ବୋଉ ନଥିବାର ଖାଲି ପଣ l ଆଜି କାଲିକାର ଦୁନିଆ ଅଲଗା l ସବୁଠି ମୁଁ ଆଉ ମୋର l
