ବିନା ଭାଷାରେ ହୃଦୟର ସମ୍ପର୍କ ଲୁସି ସାଙ୍ଗେ
ବିନା ଭାଷାରେ ହୃଦୟର ସମ୍ପର୍କ ଲୁସି ସାଙ୍ଗେ
ଅନେକ ବର୍ଷ ବିତିଗଲାଣି l
ସେଣ୍ଟ ମେରୀ ମାନର୍ ନରସିଂ ହୋମର କୋଠରୀ ନମ୍ବର - ତିନି ନର୍ଥ ବାଲେସ୍ ଫିଲାଡେଲ୍ଫିଆ, ଲୁସିକୁ ନେଇ ମୋର ସ୍ମୃତି ଭାରି କୁହୁଡ଼ିଆ l ମନେ ହୁଏ ଯେମିତି ଗୋଟିଏ ସ୍ବପ୍ନ l ନା ଦୁଃସ୍ୱପ୍ନ ? ସମୟ ସେ ଦୁଃଖଦ ସ୍ମୃତିର ଦlଢୁଆ ଧାରକୁ ଧୀରେ, ଧୀରେ କଁଅଳ କରି ଦେଲାଣି l ତଥାପି ସେ ଦୁର୍ବଳିଆ ଶିରାଳ ହାତର ସ୍ପର୍ଶ, ସେ ଘନ, ଘନ ନିଃଶ୍ୱାସ ପ୍ରଶ୍ୱାସର ବେଗ ଏଯାବତ ମୋ ସ୍ମୃତିରେ ସେମିତି ସଜୀଵ ଅଛି, ଯେମିତି ମୋ ଜନ୍ମଭୂମି ପୁରୀ, ଓଡ଼ିଶାର ସମୁଦ୍ରକୂଳିଆ ପବନର ସ୍ପର୍ଶ l ସେ ପଵନ ପରି ଲୁସିର ସ୍ମୃତି ମଧ୍ୟ ମୋତେ ବାର ବାର ଶିହରିତ କରିଥାଏ l ସେଣ୍ଟ ମେରୀ ନର୍ସିଙ୍ଗ ହୋମ୍ ରେ ଭର୍ତି ହେଵା ବେଳକୁ ଲୁସି ଭୟଙ୍କର କ୍ୟାନ୍ସର ରୋଗରେ ପୀଡିତ ହୋଇଥାଏ l ଏହି ବ୍ୟାଧି ତାର ଦୁର୍ବଳ ମୁଖମଣ୍ଡଳ ଏବଂ ଶେତା ପଡିଆସିଥିବା ଚର୍ମ ମାଧ୍ୟମରେ ସର୍ତକ ଘଣ୍ଟି ବଜାଇବା ଆରମ୍ଭ କରିଦେଇଥିଲା l
ମୁଁ ଯେତେବେଲେ ଦିନବେଳା କର୍ମରତ ନର୍ସମାନଙ୍କ ସହ ମିଶି ରୋଗୀମାନଙ୍କୁ ଦେଖି ରିପୋର୍ଟ ଲେଖିବା ପାଇଁ ଗଲି ସେତେବେଳେ ଲୁସିର୍ ଉଚ୍ଚ ନିଃଶ୍ୱାସ ପ୍ରଶ୍ୱାସ ଲକ୍ଷକରି ରୋଗୀ ତାଲିକାରେ ତା ନମ୍ବର ପାଖରେ ଗୋଟିଏ ନାଲିଆ ଟ୍ୟାଗ୍ ଲଗାଇଦେଲି l ଏତିକିବେଳେ ନର୍ସ କ୍ୟାରୋଲ୍ ମତେ କହିଲା," ଚନ୍ଦ୍ରl, ଯେ କୌଣସି ମୁହୂର୍ତ୍ତ ଲୁସି ପାଇଁ ଅନ୍ତିମ ମୁହୂର୍ତ୍ତ ହୋଇପାରେ l ମୁଁ ନିଜକୁ ଶୁଣିଲା ପରି ଅସ୍ପଷ୍ଟ ସ୍ୱରରେ କହିଲି, ହୁଏତ୍ ମୋରି ସିଫ୍ଟରେ କାରଣ ଏଇ କେତୋଟି ମାସ ମଧ୍ୟରେ ମୁଁ ତା ସହିତ ଏକ ପ୍ରକାର ସମ୍ପର୍କ ସ୍ଥାପନ କରିସାରିଛି l ମୁଁ ଘରକୁ ଫୋନ୍ କରି ଜଣାଇଦେଲି ଯେ ମୋର ଫେରିବା ପାଇଁ ଡେରି ହୋଇପାରେ l ଏହା ପରେ ରିପୋର୍ଟ ପ୍ରସ୍ତୁତ କରି ସାରି ନର୍ସିଙ୍ଗ ସହକାରୀ ରାମୋନାକୁ ଡାକି କହିଲି ଯେ ଲୁସି ଉପରେ ଯତ୍ନଶୀଳ ଦୃଷ୍ଟି ରଖ ଏବଂ ମତେ ତାର ସ୍ୱାସ୍ଥ୍ୟ ବିଷୟରେ ସୂଚନା ଦେବ l କାରଣ ମୋର କାମ ଅନ୍ୟ ରୋଗୀମାନଙ୍କୁ ଦେଖିବା ଥିଲା l ଆଉ ସେମାନଙ୍କ ନିକଟକୁ ଯିବା ଆବଶ୍ୟକ ଥିଲା l ସେମାନଙ୍କ ଚିକିତ୍ସା ଏବଂ ଯତ୍ନ ନେବା ଦରକାର ଥିଲା l
ଲୁସିର ଯତ୍ନ ନେବା ଆଦୌ ସହଜ ନଥିଲା l କାରଣ ସେ ଇଂରାଜୀ ଭାଷା ବୁଝି ପାରୁନଥିଲା l ତେଣୁ ତାକୁ ଗାଧୁଆପାଧୁଆ କରିଦେବା ଏବଂ ଖୁଆଇବା ପରି କାମ ସବୁ କରିବା ସମୟରେ ଆମେମାନେ ଜଟିଳ ପରିସ୍ଥିତି ରେ ପଡିଯାଇଥିଲୁ l ମୋର ପୁରା ଭଲ ଭାବରେ ମନେ ଅଛି l ଅଳ୍ପ କେତୋଟି ସପ୍ତାହ ତଳେ ତାର ନୁଖୁରା କେଶସବୁକୁ କୁଣ୍ଡାଇ ଦେବା ପାଇଁ ମୋର କାହିଁକି କେଜାଣି ବହୁତ ଇଛା ହେଲା l ସବୁଥର ପରି ସେ ମୁଣ୍ଡ ହଲାଇବାକୁ ଆରମ୍ଭ କଲା ମାନେ ନାହିଁ ....ନାହିଁ ....l ହଠାତ ମୋ ମନକୁ ଗୋଟିଏ ବିଚାର ଆସିଲା l ମୁଁ ଭାବିଲି କିଛି କରିବାପାଇଁ ଚେଷ୍ଟା କରିବି l ଚଉକିଟିକୁ ଟାଣି ନେଇ ତାର ବହୁତ ନିକଟରେ ବସି ପଡିଲି ଏବଂ ତା ସହିତ ମୋ ମାତୃଭାଷା ଓଡ଼ିଆରେ କଥାହେଲି l ମୁଁ ମୋ ମାଆଙ୍କୁ କିପରି ମନେପକାଏ ଏବଂ ତାକୁ ମିସ୍ କରେ ସେଇ କଥା କହିଲି l ଯଦି ସେ ଜୀବିତ ଥାଆନ୍ତେ ତାହେଲେ ମୁଁ ତାଙ୍କର ଯତ୍ନ ନେବା ସମ୍ଭବପର ହୋଇପାରିଥାନ୍ତା l ମୁଁ ଗୋଟିଏ ବାକ୍ୟ କହିସାରିବା ପରେ ଲୁସି ହସିଦିଏ ଏବଂ ମୋ ହାତରେ ଥିବା ପାନୀଆଟିକୁ ଧୀରେ ଆଘାତଦିଏ l ମୁଁ ଯେତେବେଳେ ହାତରେ
ରେ ତାର କେଶରାଶିକୁ ସାଉଁଳାଇ ଦେଇ ତାକୁ ଯନ୍ତ୍ରଣାରୁ ଉପଶମ ମିଳିବ ବୋଲି ଭାବେ, ସେ ତା ମୁଣ୍ଡକୁ ଧୀରେ ଧୀରେ ହଲାଉଥାଏ l ଆଉ ସେତେବେଳେ ମୋର କେଜାଣି କାହିଁକି ମନେହୁଏ ଯେ ମୁଁ ମୋ ମାଆ ସହିତ ଅଛି ଆଉ କେବେ ଦେଖିପାରିନଥବା, ଛୁଇଁପାରିନଥିବା ତାଆରି କେଶଗୁଡିକୁ ଯତ୍ନରେ କୁଣ୍ଡାଇ ଦେଉଛି l ସେହି ମୁହୂର୍ତ୍ତରୁ ସେ ହୋଇଗଲା ମୋର ରୋଗୀ l ଯେତେ ଥର ମୁଁ ସେଇ ରୁମ୍ ଭିତରକୁ ଯାଏ, ମୋରି ପ୍ରିୟ ମାତୃଭାଷା ଅର୍ଥାତ ଓଡ଼ିଆରେ ତା ସହିତ ନିଶ୍ଚିତ କଥା ହୁଏ l ଯେତେ କାର୍ଯ୍ୟବ୍ୟସ୍ତ ଥିଲେ ହେଁ ତା ବିଛଣା ପାଖକୁ ଯାଇ ଓଡ଼ିଆରେ କଥା ହେବାପରେ ସେ ମୋ ସ୍ନେହର ପ୍ରତିଦାନରେ ତାର ପାଣ୍ଡୁର ପଡିଆସିଥିବା କଁଅଳିଆ ମୁଖରେ ଧୀରେ ମଧୁର ହସର ରେଖା ଆଙ୍କିଦିଏ l ମୋର ଶରୀରର ସ୍ପର୍ଶ ଏବଂ ମାତୃଭାଷାରେ ଆଦର ଅଭିବ୍ୟକ୍ତ କରିବାର ଶୈଳୀ ଆମ ଦୁହିଁଙ୍କ ମଧ୍ୟରେ ଅନାବିଳ ଯୋଗାଯୋଗ ସ୍ଥାପନ କରିବା ନିମନ୍ତେ ସହାୟକ ହେଲା l ପ୍ରେମ କୌଣସି ଭାଷା ଆବଶ୍ୟକ କରେ ନାହିଁ l ଜଣେ ସେବିକା ଭାବରେ ନିର୍ମଳ ହୃଦୟରେ ଲୁସିର ଶାରୀରିକ ଯନ୍ତ୍ରଣାର ଉପଶମ ନିମନ୍ତେ ମୁଁ ବ୍ୟାକୁଳ ଥିଲି l ମୋର ସ୍ପର୍ଶ ଓ ଭାଷା ମୋ ମନର ଭାବନାକୁ ତା ପାଖରେ ପହଞ୍ଚାଇପାରୁଥିଲା l
ଧୀରେ ଧୀରେ ସମୟ କଟିଯାଉଥାଏ l କିନ୍ତୁ ଲୁସିର ଶରୀରେ ରୋଗର ପ୍ରଭାବ ବଢି ଚାଲିଥାଏ l ମୁଁ ଦେଖିଲି ଯେ ତାର ଅବସ୍ଥାରେ ଦ୍ରୁତ ଅବନଟି ଘଟୁଛି l ତାର ମୁଖଭଙ୍ଗୀ କ୍ରମଶଃ ଏକାଗ୍ରତାର ସ୍ଥିରତାରୁ ଭୟର କମ୍ପନ ଆଡ଼କୁ ଗତି କରୁଛି l ତାର ଯନ୍ତ୍ରଣା ଲାଘବ କରିବା ନିମନ୍ତେ ଏତେ ପରିମାଣରେ ନିଶା ଔଷଧ ଓ ଇଞ୍ଜେକ୍ସନ ଦିଆଯାଉଥାଏ ଯେ ସେ ଜାଗ୍ରତ ହେବା ମଧ୍ୟ ଆଉ ସମ୍ଭବପର ହେଉ ନଥାଏ l ଆମେ ମାନେ ନିଷ୍ପତ୍ତି ନେଲୁ ଯେ ତାକୁ ପୁନର୍ଜୀବିତ କରିବା ନିମନ୍ତେ ଆଉ ପ୍ରୟାସ କରିବା ଉଚିତ ହେବ ନାହିଁ l ଏଇ ପ୍ରକାର ନିଷ୍ପତ୍ତିକୁ ଚିକିଚ୍ଛା ବିଜ୍ଞାନର ଭାଷାରେ DNR କୁହାଯାଏ l ଅର୍ଥାତ “do not resuscitate”. ମୁଁ ତାର ସେହି ଯନ୍ତ୍ରଣlକ୍ତ ମୁଖଟିକୁ ଗଭୀର ଭାବରେ ନିରୀକ୍ଷଣ କଲି ଏବଂ ତାକୁ କୋମଳ କଣ୍ଠରେ କହିଲି " ଆଦୌ ବ୍ୟସ୍ତ ହୁଅନି l ମୁଁ କିଛି ସମୟ ଭିତରେ ତମ ପାଖକୁ ଆସୁଛି, ଆମେ ଏକାଠି ବସିବା ଆଉ କଥା ହୋଇପାରିବା l " ମୁଁ ନିଶ୍ଚିତ ନୁହେଁ ଯେ ସେ ମୋ କଥା ଶୁଣିପାରିଥିବ ବୋଲି କିନ୍ତୁ ତାର ଭୟାତୁର ଆଖି ଦୁଇଟି ମତେ ଏକଲୟରେ ଚାହିଁ ରହିଥିଲା ଆଉ ସେ ଆଖି ଯେମିତି ମତେ କହୁଥିଲା ଯେ ହଁ, ଶୀଘ୍ର, ଶୀଘ୍ର ଆସିଯାଅ l ନର୍ସିଙ୍ଗ ତାଲିମ ନେବା ସମୟରେ ଆମମାନଙ୍କୁ ଶିକ୍ଷା ଦିଆଯାଇଥିବା ଯେ ଯେତେବେଳେ କୌଣସି ରୋଗୀଙ୍କର ଅନ୍ତିମ ସମୟ ଆସିଯାଇଛି ବୋଲି ତୁମେ ଜାଣିପାରିବ ଏବଂ ତାଙ୍କ ପରିବାରର ସଦସ୍ୟ ପାଖରେ ନଥିବେ ସେତେବେଳେ ତୁମେ ତାଙ୍କ ବିଛଣା ପାଖରେ ବସିରହିବା ଏକାନ୍ତ କରଣୀୟ ଧର୍ମ l ଲୁସିର ପରିବାରର ସଦସ୍ୟ ତାଙ୍କ ପାଖରେ ନଥିଲେ l କେହି ଜଣେ ଦୂର ସମ୍ପର୍କୀୟ ପୁତୁରା ତାଙ୍କୁ କେବେ କେମିତି ଛୁଟି ଦିନମାନଙ୍କରେ ଦେଖା କରିବାକୁ ଆସନ୍ତି l ମୁଁ ଜାଣିପାରିଲି ଯେ ଲୁସି ଜୀବନରେ ସେହି ଶେଷ ମୁହୂର୍ତ୍ତ ଅଳପ ସମୟର ବ୍ୟବଧାନ ପରେ ଆସିଯିବ l ମୋର ସହକର୍ମୀମାନଙ୍କୁ କହିଲି. "ତୁମେମାନେ ଅନ୍ୟସବୁ ରୋଗୀମାନଙ୍କର ଯତ୍ନ ନିଅ ଏବଂ ମୋତେ ଲୁସି ପାଖରେ ଛାଡିଦିଅ l " ଅନ୍ତଃଦୃଷ୍ଟିରେ ଯାହା ଅନୁଭବ କରୁଥିଲି ତାହା ସତ ହେଲା l ଲୁସି ମୋ ହାତକୁ ଦୃଢ଼ ଭାବରେ ଜାବୁଡି ଧରି ଥାଆନ୍ତି l ଆମେ ଦୁଇଜଣ ଅପଲକ ନୟନ ରେ ପରସ୍ପରକୁ ଚାହିଁ ରହିଥାଉ l ଅତ୍ୟନ୍ତ ଶାନ୍ତ ଓ ସଧୀର ସ୍ୱରରେ ମୁଁ କହିଲି, ଟିକିଏ ବିଶ୍ରାନ୍ତି ନିଅ l ଆଉ ଲଢ଼ିବା ପାଇଁ ଚେଷ୍ଟା କରନି l" ଏବେ ତୁମକୁ ନିଶା ଇଞ୍ଜେକସନ ଦେଉଛି l ଏହାପରେ ଆଉ କଷ୍ଟ ଅନୁଭବ କରିବ ନାହିଁ l " ମୁଁ ଏଇଠି ତମରି ପାଖରେ ଅଛି l " ଏତିକି ହିଁ ଥିଲା ମୋର ଶେଷ ବାକ୍ୟ l କେଇଟି ମିନିଟ୍ ବ୍ୟବଧାନ ପରେ ତାଙ୍କର ଶ୍ୱାସକ୍ରିୟା ଅତ୍ୟଧିକ ଅସ୍ଵାଭାବିକ ହେବାକୁ ଲାଗିଲା ଏବଂ ସେ ଯେପରି ପ୍ରକମ୍ପିତ ନିଃଶ୍ୱାସର ପ୍ରବାହ ସମୟରେ ଅମ୍ଳଜାନ ପାଇଁ ଛାଟିପିଟି ହେଉଥିଲେ l ମୁଁ ପୁଣିଥରେ ଧୀରେ ଧୀରେ କହିଲି, ମୁଁ ତୁମପାଖରେ ଅଛି ଲୁସି l ତମେ ଏକୁଟିଆ ନାହଁ l " ତାଙ୍କ କଳା ଓଠର ଗୋଟିଏ କୋଣରେ ଚେନାଏ ହସ ଫୁଟିଉଠିଲା l କେଇଟି ମୁହୂର୍ତ୍ତ ପୂର୍ବରୁ ସେ ମୋ ଆଡ଼କୁ ଅନାଇ ରହିଥିଲେ, ତାଙ୍କର ଆଖି ଖୋଲାଥିଲା l କିନ୍ତୁ ତାହା ଧୀରେ ଧୀରେ ମୁଦି ହେଇଗଲା l ମୁଁ ବିଛଣା ଧାରକୁ ଉଠିଯାଇ ଝରକା ଖୋଲିଦେଲି l କାରଣ ତାଙ୍କର ଆତ୍ମା ସେଇ ଖୋଲା ଝରକା ଦେଇ ସ୍ୱର୍ଗକୁ ଗତି କରିବ l ଏମିତି କରିବାର କାରଣ ହେଉଛି ଆମର ହିନ୍ଦୁ ପୁରାଣରେ ଏପରି କରିବା ନିମନ୍ତେ ନିର୍ଦ୍ଦେଶ ରହିଛି l ଯାହା କେବେ କୋଉଠି ପଢି ଥିଲି l ସେ ନିଶ୍ଚୟ ଶାନ୍ତିରେ ଅଛନ୍ତି l
ପୁଣି ସମୟ ବଢି ଚାଲିଲା l କିନ୍ତୁ ଲୁସିର ସ୍ମୃତି ସବୁଦିନ ପାଇଁ ମୋ ଭିତରେ ସେମିତି ସଜୀଵ ହୋଇ ରହିଗଲା l ଲୁସି ଆଉ ମୁଁ ଗୋଟିଏ ଭାଷାରେ କଥା ହେଇ ପାରିନଥିଲୁ କାରଣ ଆମ ଦୁଇଜଣଙ୍କର ଭାଷା ଅଲଗା ଥିଲା l ହେଲେ ଆମେ ପ୍ରେମର ବନ୍ଧନ ବାନ୍ଧି ହେଇ ଯାଇଥିଲୁ l ଏଇ ବିଷାଦ ବିଧୁର ସ୍ମୃତିଟି କଥା ମୁଁ ବହୁଥର ମୋର ସହକର୍ମୀମାନଙ୍କୁ ଶୁଣାଇଛି l ମୋର ମାଆ ନଥିଲେ ଏବଂ ଲୁସିଙ୍କର ସନ୍ତାନ ନଥିଲେ l ଗୋଟିଏ ମାତୃହୀନା ମାଆ ଆଉ ଜଣେ ସନ୍ତାନହୀନା ନାରୀ ନିଜ ନିଜର ଶୂନ୍ୟ ସ୍ଥାନକୁ ନେଇ ଗୋଟିଏ ପାରିବାରିକ ବନ୍ଧନରେ ଯୋଡି ହୋଇଯାଇ ଥିଲେ l ମୁଁ କେବେବି ସେ ହସକୁ ଭୁଲି ପାରିବି ନାହିଁ l ସେହି ଅପାଶୋରା ହସ ଆଉ ମୁଣ୍ଡ କୁଣ୍ଡାଇଦେବାର ସେ ଦୃଶ୍ୟ l କାରଣ ତାଙ୍କର କେଶ ସାଉଁଳେଇ ଦେବା ବେଳେ ମୋର ମନେ ହୁଏ ଯେମିତି ମୁଁ ମୋ ମାଆର କେଶର ଯତ୍ନ ନେଉଛି l ମୋର ସ୍ନେହର ପ୍ରତିଦାନ ସ୍ୱରୂପ ସେ ମୋତେ ତାଙ୍କର ଯତ୍ନ ନେବାର ସୁଯୋଗ ପ୍ରଦାନ କଲେ l ଏଇ ପୃଥିବୀକୁ ବିଦାୟ ଦେବା କିପରି ସହଜ ହୋଇ ପାରିବ ସେହି କାମଟିକୁ ହାଲୁକା କରିବାରେ ମୁଁ ତାଙ୍କର ସହାୟତା କରି ପାରିଲି l ଏବେ ଭାବୁଛି ମୁଁ ଆହୁରି ଅଧିକ କିଛି କରିପାରିଥାନ୍ତି l
"ତୁମେ ମୃତ୍ୟୁକୁ ନେଇ କେଉଁ ପ୍ରକାର ଅନୁଭବ ଗ୍ରହଣ କର ସେଥିପ୍ରତି ସମ୍ପୂର୍ଣ୍ଣ ଉଦାସୀନ ରହି ପରିବାରର ସଦସ୍ୟ ମାନଙ୍କ ଅନୁପସ୍ଥିତିରେ କୌଣସି ରୋଗୀ ମୃତ୍ୟୁ ବରଣ କରୁଥିବା ବେଳେ ସେବିକା ବୃତ୍ତିର ସର୍ବୋତ୍ତମ ତଥା ଗୁଣlଛକ ଶୁଶ୍ରୁଷା ପ୍ରଦାନ କରିବା l " ଏଇ ଉଦ୍ଧୃତାଂଶଟି ଥିଲା ମୋର ଶପଥ ପାଠ l ସେଇଦିନ ଗୁଏନେଡ୍ ମରସି କଲେଜରୁ ସ୍ନାତକ ଉପାଧି ଲାଭ କଲି ମୋର ବିଶେଷ ଗୌରବମୟ ପିନ୍ ଲଗାଇଦେବା କାଳରେ ଶିକ୍ଷ୍ୟନୁଷ୍ଠାନର ଅଧ୍ୟକ୍ଷଙ୍କ ସମ୍ମୁଖରେ ଏହି ଶପଥ କରିଥିଲି l ଲୁସି ଆଉ ମୁଁ ଗୋଟିଏ ସମ୍ପର୍କରେ ବାନ୍ଧି ହୋଇ ରହିଗଲୁ ସବୁଦିନ l
