ମେହେନ୍ଦି......
ମେହେନ୍ଦି......
ଆଦିତ୍ୟର ଭଉଣୀ ସୋନାଲିର ବାହାଘର ଥାଏ । ଘରଟି ବନ୍ଧୁବାନ୍ଧବଙ୍କ ଦ୍ଵାରା ପୁରି ଉଠିଥାଏ । ରାତି ପାହିଲେ ବାହାଘର । ଗଲା ତିନି ମାସରୁ ବଜାର ସଉଦା ଚାଲିଛି । ଟିକେ ହେଲେ ଶାନ୍ତିରେ ନିଶ୍ଵାସ ନେଇ ପାରିନି ଆଦିତ୍ୟ । କେମିତିବା ନବ ? ଭଉଣୀ ବାହାଘରଟି । ପୁଣି ନିଜର ଗୋଟିଏ ମାତ୍ର । ବାହାଘରରେ ଯେମିତି କୌଣସି ତୃଟି ବିଚ୍ୟୁତି ନ ରହିଯାଉ ସବୁ ଟିକିନିକି କରି ବୁଝୁଥାଏ । ଭଉଣୀକୁ କୌଣସି ଜିନିଷ ଦେବାରେ ସେ ହେଳା କରିନି । ଅହରହ ଦିନ ରାତି ଖଟି ଚାଲିଛି । ବରପକ୍ଷରୁ ଯେମିତି କୌଣସି ଅଭିଯୋଗ ନ ମିଳେ ସେଥିପାଇଁ ନିଜର ଅତି ବିଶ୍ଵସ୍ତ ସାଙ୍ଗ ଦୁଇଜଣଙ୍କୁ ସେମାନଙ୍କ ଭଲମନ୍ଦ ବୁଝିବା ପାଇଁ ଦାୟିତ୍ଵ ଦେଇଛି।
ଆଜି ମେହେନ୍ଦି ଆଉ ସଙ୍ଗୀତ କାର୍ଯ୍ୟକ୍ରମ । ଆମ ଓଡ଼ିଆ ସଂସ୍କୃତି ପରମ୍ପରାରେ ନାହିଁ ସିନା ହେଲେ ସହରରେ ବଢ଼ିଥିବା ଆଜିର ଯୁବପୀଢ଼ିଙ୍କୁ କିଏ ବା କହିବ ? ବାହାଘର ହେବାକୁ ଥିବା ସହରର ସବୁଠୁ ଦାମୀ ଆଉ ବଡ଼ ମଣ୍ଡପରେ ସୋନାଲିର ମେହେନ୍ଦି ଲଗା ଆଉ ନୃତ୍ୟ ସଂଙ୍ଗୀତର ଆୟୋଜନ ହେଇଥାଏ । ସେଥିପାଇଁ ଅନେକ ଦିନ ଧରି ସୋନାଲିର ସାଙ୍ଗମାନେ ନିଜକୁ ପ୍ରସ୍ତୁତ କରିଥାଆନ୍ତି ।
ରାତି ଦଶଟା । କାର୍ଯ୍ୟକ୍ରମ ସରିଗଲାଣି । ଦୂରଦୂରାନ୍ତରୁ ଆସିଥିବା ସାଙ୍ଗସାଥୀମାନେ ପଳେଇଲେଣି । ଆଦିତ୍ୟ କାର୍ ନେଇକି ଯାଇଥାଏ ସୋନାଲି ଆଉ କିଛି ରହିଯାଇଥିବା ବନ୍ଧୁବାନ୍ଧବଙ୍କ ଝିଅମାନଙ୍କୁ ଆଣିବା ପାଇଁ । କାର୍ ର ଡ୍ରାଇଭର ସିଟ୍ ରେ ବସିଥିବା ଆଦିତ୍ୟ ପାଖକୁ ଆସି ସୋନାଲି କହେ - " ତୁ କଥା ଦେଇଥିଲୁ ସଂଧ୍ୟା ଭାଉଜ ଆସିବେ । ଆଉ ସେ ପ୍ରଥମେ ମୋ ହାତରେ ମେହେନ୍ଦି ଲଗେଇବେ । ହେଲେ ତୁ ତାଙ୍କୁ ଆଣିଲୁନି କି ତାଙ୍କ ସହ ମୋର କଥା ବି କରେଇଲୁନି । ତାଙ୍କ ନମ୍ବର ଯେତେ ଲଗେଇଲେ ବି ସ୍ଵିଚ୍ ଅଫ୍ ଦେଖେଇଲା । କ'ଣ ହେଇଛି ତୁ କିଛି କହୁନୁ କାହିଁକି ? ହଉ ନ କହ । କାଲି ଆସନ୍ତୁ ତାଙ୍କ କଥା ବୁଝୁଛି । " ଏତିକି କହି ସେ କାହା ଡାକରେ ସେଠୁ ପଳାଏ । ଆଦିତ୍ୟ ସୋନାଲିର ଯିବା ବାଟକୁ ସେମିତି ଚାହିଁ ରହିଥାଏ ନିରୁତ୍ତର ସାଜି । କେମିତି ବା ସେ କହିବ ଯେ ଯଉ ସଂଧ୍ୟା ଭାଉଜକୁ ଅପେକ୍ଷା କରିଥିଲା ଯେ ସେ ତା' ହାତରେ ଆସି ମେହେନ୍ଦି ଲଗେଇବ ବୋଲି ଆଜି ସେହି ସଂଧ୍ୟା ଭାଉଜ ନିଜ ହାତରେ ଆଉ କାହା ନା'ର ମେହେନ୍ଦି ଲଗେଇ ବାହା ହଉଛି ।