STORYMIRROR

ABADHOOT PANDA

Others

4  

ABADHOOT PANDA

Others

ମାତୃ କୃପା ( ମାଆ କଟକ ଚଣ୍ଡୀ )

ମାତୃ କୃପା ( ମାଆ କଟକ ଚଣ୍ଡୀ )

4 mins
241

ଆମ୍ଭର ସ୍ୱର୍ଗ ନିବାସୀ କକେଇ ଜଣେ ସୁଦକ୍ଷ ଆର୍ମି ଅଫିସର ଭାବେ ନିଜର ଚାକିରୀ ଜୀବନ ଆରମ୍ଭ କରିଥିଲେ l ତାପରେ ଓଡିଶା ସାମରିକ ପୋଲିସ ରାଉରକେଲାରେ ଯୋଗ ଦେଇଥିଲେ l ସେତେବେଳେ ଅବିବାହିତ ଥିଲେ l ସେ ଜଣେ ଅତି ସଂଯମୀ ଓ ଶାକ୍ତ ଥିଲେ l ମାତା ଦୁର୍ଗାଙ୍କ ପରମ ଭକ୍ତ ହିସାବରେ ସମଗ୍ର ପୋଲିସ ବିଭାଗରେ ସୁପରିଚିତ ଥିଲେ l ଏହା 1950-60 ଦଶନ୍ଧିର ଘଟଣା l ଜେଜେ ଜେଜେମାଆ ଆ ତାଙ୍କର ବିବାହ ପାଇଁ ଅନେକ କନ୍ୟା ଦେଖିଥିଲେ ମାତ୍ର ସେତେବେଳେ ଜାତକ ପ୍ରାଧାନ୍ୟ ଥିବାରୁ ଜାତକ ନ ମିଶିବାରୁ ଅନେକ କନ୍ୟା ନାକଚ ହୋଇଗଲେ l ଶେଷରେ ଜେଜେ ସବୁକିଛି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଉପରେ ନ୍ୟସ୍ତ କରିଥିଲେ l


ଦିନକର ଘଟଣା l ଦିନେ ନୂଆ ବର୍ଷ ଉପଲକ୍ଷେ କକେଇଙ୍କ ଷ୍ଟାଫମାନଙ୍କ ତରଫରୁ ଏକ ବଣ ଭୋଜିର ଆୟୋଜନ କରାଯାଇ ଥିଲା l କେନ୍ଦୁଝର ତାରା ତାରିଣୀ ମାତାଙ୍କୁ ଦର୍ଶନ କରିବାର ଵି ଯୋଜନା ଥିଲା l ନିଜର ପରିବାର ସହିତ ସମସ୍ତେ ପୋଲିସ ବଡ଼ ଭ୍ୟାନରେ ବସିଲେ l ଗାଡ଼ିଟି ଘାଟି ରାସ୍ତାରେ ଉଠି ଚାଲିଲା l ମାତାଙ୍କୁ ଦର୍ଶନ କରି ଗାଡ଼ି ଫେରୁଥିଲା l ଘାଟି ରାସ୍ତାରେ ଦୈବାତ ଗାଡ଼ିର ଟାଇ ଋଡ଼ ଭାଙ୍ଗି ଯିବାରୁ ଗାଡିଟି ଆଉ ନିୟନ୍ତ୍ରିତ ହୋଇ ପାରିଲା ନାହିଁ l ବେଗବାନ ଗାଡ଼ିଟି ଗୋଟିଏ ବିରାଟ ଗଛରେ ପିଟି ହୋଇ ଯିବାରୁ ଗଛ ସହିତ ଲାଗି ରହିଲା l ଈଶ୍ୱରଙ୍କ କରୁଣାରେ ଘାଟି ରାସ୍ତା ତଳକୁ ଗାଡ଼ିଟି ଖସି ନ ପଡ଼ି ଅଟକି ରହି ଗଲା l ସମସ୍ତେ ଓଲ୍ଲାଇ ପଡ଼ିଲେ l ମାତ୍ର ଆମ କକେଇ ସାମ୍ନା ସିଟରେ ବସିଥିବାରୁ ତାଙ୍କର ମୁଣ୍ଡରେ ତୀବ୍ର ଆଘାତ ଲାଗିଲା l କପାଳରୁ ସାତ ଇଞ୍ଚ ଫାଟି ଗଲା l ଅଜସ୍ର ରକ୍ତପାତ ଘଟିବାରୁ କକେଇ ବେହୋସ ଅବସ୍ଥାରେ ଗାଡ଼ି କଡ଼ରେ ପଡ଼ି ରହିଲେ l


ସଙ୍ଗେ ସଙ୍ଗେ କେନ୍ଦୁଝର ପୋଲିସ ହେଡ଼ କ୍ୱାର୍ଟରରୁ ଆମ୍ବୁଲାନ୍ସ ପଠା ଗଲା l ସଦର ହସ୍ପିଟାଲରେ କକେଇ ବେଡ ଉପରେ ପଡ଼ି ରହିଲେ l କିନ୍ତୁ ଚିକିତ୍ସା ଚାଲିବା ସତ୍ତ୍ୱେ ତାଙ୍କର ଚେତା ଫେରିଲାନି l ସମସ୍ତେ ବିପଦର ଆଶଙ୍କାରେ ମ୍ରିୟମାଣ ହୋଇ ପଡ଼ିଲେ l ମାତ୍ର ଭଗବତ ବିଶ୍ୱାସ ମଣିଷକୁ ସର୍ବ ସଙ୍କଟ ମୁକ୍ତ କରେ l ସେହି ହସ୍ପିଟାଲରେ ଜନୈକ ସୁଦକ୍ଷା ଡାକ୍ତରାଣୀ ନିଯୁକ୍ତ ଥିଲେ l ତାଙ୍କ କାନରେ ପଡ଼ିବାରୁ ସେ ଆଗେଇ ଆସିଲେ ଏବଂ ନିଜର ତତ୍ତ୍ଵାବଧାନରେ କକେଇଙ୍କୁ ରଖି ନିଜ ଖର୍ଚ୍ଚରୁ ସ୍ୱତନ୍ତ୍ର ମେଡ଼ିସିନ ଓ ଇଞ୍ଜେକ୍ସନ କିଣି ଚିକିତ୍ସା କରିଥିଲେ l ତାଙ୍କର ସାତ ଇଞ୍ଚ ମୁଣ୍ଡର ଫାଟ ସିଲେଇ ହେଲା l କକେଇଙ୍କ ଚେତା ଫେରି ଆସିଲା ପ୍ରାୟ ସାତ ଦିନ ପରେ l ନିୟମିତ ଚିକିତ୍ସା ଓ ଯତ୍ନ ଦ୍ୱାରା ଉକ୍ତ ମହିୟସୀ ଚିକିତ୍ସିକା କକେଇଙ୍କୁ ସମ୍ପୂର୍ଣ୍ଣ ସୁସ୍ଥ କରିବାକୁ ଉଦ୍ୟମ କଲେ l ଅତ୍ୟଧିକ ରକ୍ତ ସ୍ରାବ ଯୋଗୁଁ କକେଇ ଚଳତକ୍ଷମ ହୋଇ ପାରୁ ନ ଥିଲେ l ଏପରି ଅବସ୍ଥାରେ କକେଇ ପ୍ରାୟ ଛଅ ମାସ ସେହି ହସ୍ପିଟାଲରେ ଚିକିତ୍ସାଧୀନ ରହିଲେ l କକେଇ ଦୁର୍ଗା ଭକ୍ତ l ତେଣୁ ମନେ ମନେ ମାତା କଲ୍ୟାଣମୟୀ ଦୁର୍ଗାଙ୍କୁ ପ୍ରାର୍ଥନା କରୁଥାନ୍ତି l ଏଣେ ମାତା କଟକ ଚଣ୍ଡୀଙ୍କ ପାଖରେ ଆମ ଜେଜେମାଆ କକେଇଙ୍କ ଶୁଭକାମନା କରି ଗୁଆ ବସାଇ ଥିଲେ l ସେ ନିଜେ ମାଆ ଚଣ୍ଡୀଙ୍କ କାଳିସୀ ଥିଲେ l ମାନସିକ ପୂର୍ଣ୍ଣ ପରେ ଗୁଆ ଉଠାଇବାକୁ ମାଆଙ୍କୁ ଜଣାଇ ଥିଲେ l


ମାଆ କଟକଚଣ୍ଡୀଙ୍କ ଅପାର କରୁଣାରୁ କକେଇ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଚାକିରୀରେ ଯୋଗ ଦେଲେ l ତାଙ୍କର ବିଭାଘର ପାଇଁ ଜେଜେ ଓ ଜେଜେମାଆ ବିକଳ ହୋଇ କନ୍ୟା ଖୋଜିବାରେ ବ୍ୟସ୍ତ ଥାଆନ୍ତି l ମାତ୍ର ଜାତକ ମିଶୁ ନଥିବାରୁ ବିଭାଘର ପ୍ରସ୍ତାବ ଭାଙ୍ଗି ଯାଉ ଥାଏ l ଆମର ଠାକୁର ଜେଜେ ଜେଜେମାଆଙ୍କ (ଜେଜେଙ୍କର ନିଜ ପିତା ଓ ମାତା) ଗୋଟାଏ ଜିଦ୍ଦି ଜାତକ ନ ପଡ଼ିଲେ ବିଭାଘର ହୋଇପାରିବ ନାହିଁ l ତେଣୁ ଏପରି ଦ୍ୱିଧାରେ କିଛି ମାସ ବିତିଗଲା l ଜେଜେ ଜଗନ୍ନାଥଙ୍କ ତହସିଲlଦାର ଏବଂ ଆଇନ ପ୍ରତିନିଧି ଭାବେ ସେତେବେଳେ କାର୍ଯ୍ୟରତ ଥିଲେ l ଦିନେ ହଠାତ ଆମ କଟକ ବସାରେ ଜଣେ ବୟସ୍କ ବ୍ୟକ୍ତି ଆସି ଜେଜେଙ୍କୁ ଖୋଜିଲେ l କାରଣ ସେ ତାଙ୍କ ଇଲାକାରେ ଜଗନ୍ନାଥ ସମ୍ପତ୍ତିକୁ ଭୋଗ ଦଖଲ କରୁଥିଲେ ଓ ବାର୍ଷିକ ଖଜଣା ଦେବାକୁ ଚାହୁଁ ଥିଲେ l ଜେଜେଙ୍କ ସହିତ ଦେଖା କରି ଖଜଣା ଦାଖଲ କଲେ l ଜେଜେମାଆ ତାଙ୍କୁ ଅନ୍ନ ଭୋଜନରେ ଅପ୍ୟାୟିତ କଲେ l ଖରାବେଳେ ଟିକେ ବିଶ୍ରାମ କରି ଛାଇ ଲେଉଟିଲେ ଯିବା ପାଇଁ ଆଗନ୍ତୁକ ମହାଶୟଙ୍କୁ ଅନୁରୋଧ କଲେ l ସେହି ଅବସରରେ କଥା ପଡ଼ୁ ପଡ଼ୁ କକେଇଙ୍କ ବିଭାଘର ବିଷୟରେ ଆଲୋଚନା ଚାଲିଲା l ଆଗନ୍ତୁକ ଜଣକ କକେଇଙ୍କ ଫୋଟୋ ଦେଖି ତାଙ୍କ ରୂପରେ ମୁଗ୍ଧ ହେଲେ ଓ ତାଙ୍କ ଗାଆଁରେ ଏକ କନ୍ୟା କଥା କହିଲେ ଯାହାର ପିତାମାତା ବର ଯୋଗାଡ଼ କରିବାରେ ବ୍ୟସ୍ତ କିନ୍ତୁ ବର ମିଳୁ ନାହିଁ l ସେହି ଭଦ୍ରବ୍ୟକ୍ତି ଜେଜେ ଜେଜେମାଆଙ୍କ ଅନୁରୋଧ କ୍ରମେ ମଧ୍ୟସ୍ଥି ହେବାକୁ ରାଜି ହୋଇ ପଡ଼ିଲେ l ତାପରେ ଉକ୍ତ ଆଗନ୍ତୁକ ସସମ୍ମାନେ ବିଦାୟ ନେଲେ l


ପ୍ରାୟ ପନ୍ଦର ଦିନ ପରେ ଉକ୍ତ ଭଦ୍ର ବ୍ୟକ୍ତି ପୁଣି ଝିଅର ଜାତକ ସାଙ୍ଗରେ ନେଇ ଜେଜେଙ୍କ ପାଖରେ ପହଞ୍ଚିଲେ l ଜଣେ ଭଲ ଜ୍ୟୋତିଷଙ୍କୁ ଘରକୁ ଡାକି ଜାତକ ମିଶାଇଲେ l ବର କନ୍ୟାଙ୍କ ଜାତକ ମେଳ ଖାଇଗଲା l କନ୍ୟାଙ୍କ ଫୋଟ ଦେଖି ଜେଜେ ଏକା ଥରେ ପସନ୍ଦ କରିଗଲେ l ଜେଜେ ଜଗନ୍ନାଥଙ୍କୁ ଏବଂ ଜେଜେମାଆ କଟକ ଚଣ୍ଡୀଙ୍କୁ ଧନ୍ୟବାଦ ସହିତ କୃତଜ୍ଞତା ପୂର୍ଣ୍ଣ ପ୍ରଣାମ ଜଣାଇଲେ l କକେଇଙ୍କ ପାଲିଙ୍କି ଚଢ଼ା ବିଭାଘର ବଡ଼ ଧୁମଧାମରେ ଜେଜେ କରିଥିଲେ l ଚତୁର୍ଥୀ କର୍ମ ଦିନ ଯେତେ ବେଳେ କନ୍ୟାଙ୍କ ଓଢଣୀ ଖୋଲି କକେଇ ଦେଖିଲେ ସେ ଆଖିକୁ ବିଶ୍ୱାସ କରି ପାରିଲେ ନାହିଁ l ଯିଏ ତାଙ୍କ ଜୀବନ ଦୁର୍ଘଟଣା ଗ୍ରସ୍ଥ ସମୟରେ ନିଜର ସ୍ୱତନ୍ତ୍ର ସେବାରେ ଜୀବନ ବଞ୍ଚେଇ ଥିଲେ ଇଏ ସେହି କନ୍ୟା l ମାତା ଠାକୁରାଣୀ ଦୁର୍ଗାଙ୍କ ମହିମା ତିଳେ ତିଳେ ଅନୁଭବ କଲେ l ଜେଜେମାଆଙ୍କ ମନସ୍କାମନା ପୂର୍ଣ୍ଣ ହୋଇ ଥିବାରୁ କଟକଚଣ୍ଡୀଙ୍କ ନିକଟରେ ଭୋଗ ଲଗାଇ ଗୁଆ ଉଠାଇ ଆଣିଥିଲେ l ଏଣୁ ଜଗତର ଜନନୀ ଦୁର୍ଗା କିମ୍ବା ଚଣ୍ଡୀଙ୍କ ରୂପରେ ସଦା ସର୍ବଦା ନିଜର ସନ୍ତାନମାନଙ୍କ ମନୋବାଞ୍ଛା ପୂର୍ଣ୍ଣ କରି ସଙ୍କଟ ଦୂର କରିଥାନ୍ତି l ଆମ ପରିବାରର ପ୍ରତ୍ୟକ୍ଷ ଅନୁଭୂତି l ମାଙ୍କ କୃପାରୁ ଜେଜେ ଜେଜେମାଆ ବାପା କକେଇ କେହି ଆଜି ଆମ ପାଖରେ ନଥାଇ ସ୍ୱର୍ଗରେ ଥିଲେ ସୁଦ୍ଧା ଆମେ ସେମାନଙ୍କ ଦାୟାଦ ମାଆ/ବୋଉ ଏବଂ ସମ୍ମାନୀୟ ଖୁଡ଼ିଙ୍କୁ ଦର୍ଶନ କରିବାର ସୌଭାଗ୍ୟ ଅର୍ଜନ କରି ପାରୁଛୁ ଓ ନିଜ ନିଜକୁ ଭାଗ୍ୟବାନ ମନେ କରୁଛୁ l

( ପୁରୁଣା ପାରିବାରିକ ସତ କଥା )



Rate this content
Log in