କ୍ଳାନ୍ତ ଅପରାହ୍ନ
କ୍ଳାନ୍ତ ଅପରାହ୍ନ
ହଠାତ୍ ଦିନେ ନିଜ ଘରକୁ ଫେରିବା ସମୟରେ ନିଜ ଘରଠୁ ସ୍ଵଳ୍ପ ଦୂରରେ କିଛି ଶବ୍ଦର ଆଭାସ ପାଇ ମୋ ଦୃଷ୍ଟି କେନ୍ଦ୍ରୀଭୂତ ହେଲା ଏକ ନିର୍ଦ୍ଧିଷ୍ଟ ଦିଗ ଆଡ଼େ । ମୋ ଦୃଷ୍ଟି ଯେଉଁ ଦିଗରେ କେନ୍ଦ୍ରୀଭୂତ ହୋଇଥିଲା ସେ ଦିଗରେ ଘର ଥିଲା ପ୍ରଧାନ ପରିବାରର । ସବୁଦିନ ଭଳି ଆଜି ମଧ୍ୟ ମୁଁ ସେଇ ପଥ ଅତିକ୍ରମ କରି ନିଜ ଘରକୁ ଫେରେ । କହିବାକୁ ଗଲେ ସେ ଆମ ପଡ଼ୋଶୀ । ସେ ଘର ସବୁବେଳେ ଶାନ୍ତ ଓ ନିଃଶବ୍ଦ ପ୍ରାୟ ଘର । କାରଣ ସେଇ ଘରେ କେବଳ ବୃଦ୍ଧ ପ୍ରଧାନ ଦମ୍ପତ୍ତି ବସବାସ କରନ୍ତି । ଯଦିଓ ପରିବାର ଦୁଇ ପୁତ୍ର, ବଧୂ ଓ ସେମାନଙ୍କ ସନ୍ତାନକୁ ନେଇ ଗଠିତ କିନ୍ତୁ ସେମାନେ ସମସ୍ତେ ଦୁଇ ଚାରି ବର୍ଷ ହେଲା ବିଦେଶରେ ସ୍ଥାପିତ । ତେଣୁ ଘରେ କେବଳ ପ୍ରଧାନ ବାବୁ ଓ ତାଙ୍କ ସହଧର୍ମିଣୀ ରହନ୍ତି । ସେମାନଙ୍କ ବ୍ୟତୀତ କେବଳ ଜଣେ ପରିଚାରିକା ତାଙ୍କ ଘରକୁ ନିତ୍ୟ ଆସେ । କିନ୍ତୁ ଆଜି ଏ ଘର ମଧ୍ୟରୁ ପ୍ରବଳ ଶବ୍ଦ ଫାଟକ ମଧ୍ୟ ଦେଇ ବାହାରକୁ ଶୁଭୁଚି । ମନରେ ଉତ୍କଣ୍ଠା ଜାତ ହେବାରୁ ଫାଟକ ମଧ୍ୟ ଦେଇ ଥିବା ସୂକ୍ଷ୍ମ ଝରକା ଦେଇ ମୁଁ ମୋ ଦୃଷ୍ଟି ନିବଦ୍ଧ କଲି । ସେଠି ଯାହା ମୋ ଦୃଷ୍ଟିଗୋଚର ହେଲା ତାହା ମୋ ପାଇଁ ଆଶ୍ଚର୍ଯ୍ୟଜନକ ଥିଲା । ଦେଖିଲି ପ୍ରଧାନ ବାବୁ ଏକ ହକି ଷ୍ଟିକ୍ ସାହାଯ୍ୟରେ ଏକ ସୁନ୍ଦର ,ଦାମୀ ,ଶୋଭନୀୟ, ବିଳାସପୂର୍ଣ୍ଣ ଗାଡ଼ିକୁ ଭଙ୍ଗାରୁଜା କରୁଥାନ୍ତି । ମନରେ ଦ୍ୱନ୍ଦ୍ୱ ଜାତ ହେବାରୁ ପାଖକୁ ଯାଇ ଘଟଣା ସମ୍ପର୍କରେ ସମୀକ୍ଷା କଲି । ସେଥିରୁ ଯାହା ତଥ୍ୟ ପାଇଲି ତାହା ଅତ୍ୟନ୍ତ ମାର୍ମିକ ମନେ ହୁଏ । ଘଟଣା ଏପରି ଥିଲା ସେଦିନ ଯେଉଁ ଗାଡ଼ିକୁ ପ୍ରଧାନ ବାବୁ ଭଙ୍ଗାରୁଜା କରିଥିଲେ ସେ ଗାଡ଼ି ପ୍ରଧାନ ବାବୁଙ୍କ କନିଷ୍ଠ ପୁତ୍ର ତାଙ୍କ ପାଇଁ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । କିନ୍ତୁ ଉକ୍ତ ଗାଡିକୁ ଦେଖି ପ୍ରଧାନ ବାବୁଙ୍କ ପୁଞ୍ଜିଭୂତ ଅସନ୍ତୋଷର ବହ୍ନି ଜାଗ୍ରତ ହୋଇଥିଲା ଓ ସେ ସମ୍ପୂର୍ଣ୍ଣ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । କୌଣସି ଅଂଶ ଅକ୍ଷତ ଅବସ୍ଥାରେ ନଥିଲା । ସମ୍ପୂର୍ଣ୍ଣ ରୂପେ ଗାଡ଼ିଟି ଚୂର୍ଣ୍ଣ ହୋଇ ଯାଇଥିଲା । ବୟସର ଅପରାହ୍ନରେ ପ୍ରଧାନ ବାବୁଙ୍କ ଆଚରଣର କାରଣ ଜାଣିବାକୁ ମୁଁ ଆଗ୍ରହୀ ହେଲି । ଯେଉଁ କାରଣ ଯୋଗୁଁ ପ୍ରଧାନ ବାବୁଙ୍କ ଆଚରଣରେ ପରିବର୍ତ୍ତନ ଗଠିଛି । ସେ କାରଣ ଥିଲା ନିଜ ଆତ୍ମୀୟମାନଙ୍କ ଉପେକ୍ଷା । ପ୍ରଧାନ ବାବୁଙ୍କ ଦୁଇ ପୁତ୍ର,ବଧୂ ଥାଇ ମଧ୍ୟ ସେ ଆଜି ସେମାନଙ୍କ ସ୍ନେହରରୁ,ଯତ୍ନରୁ ବଞ୍ଚିତ । ଦୁଇ ପୁତ୍ର ଗତ ଦଶ ବର୍ଷରୁ ଉର୍ଦ୍ଧ୍ୱ ସମୟରୁ ବେଦେଶରେ ଅବସ୍ଥାପିତ । ଏ ଯଦିଓ ସେମାନେ ପ୍ରଧାନ ବାବୁଙ୍କ ଖବର ପଚାରନ୍ତି କିନ୍ତୁ ବିଗତ ପାଞ୍ଚ ବର୍ଷ ବୟସରୁ ଉର୍ଦ୍ଧ୍ୱ ସମୟ ହେଲାଣି କିନ୍ତୁ ସେ ଥରୁଟିଏ ନିଜ ଗୃହମୁଖ ଦେଖି ନାହାନ୍ତି । ତାପରେ କନିଷ୍ଠ ପୁତ୍ରର ଏପରି ବିଳାସପୂର୍ଣ୍ଣ ଗାଡିର ପ୍ରେରଣ ପ୍ରଧାନବାବୁଙ୍କ ସହନଶୀଳତା ବନ୍ଧକୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇ ଥିଲା । ତେଣୁ ସେ ନିଜ କନିଷ୍ଠ ପୁତ୍ର ପ୍ରେରଣ କରିଥିବା ଗାଡ଼ିକୁ ସମ୍ପୂର୍ଣ୍ଣ ଭଙ୍ଗିଦେଇଥିଲେ । ବୟସ ଅପରାହ୍ନରେ ଯେଉଁ ଆତ୍ମୀୟ ସୁରକ୍ଷା ଓ ଯତ୍ନ ସେ ଆଶା ସେ କରୁଥିଲେ ନପାଇ ନିରାଶ ହୋଇଥିଲେ ।
