କିଣା ଗାଦି
କିଣା ଗାଦି
ସେଦିନ ମକରା ତାର ନିତିଦିନିଆ ପ୍ରିୟ ସାଇକେଲରେ ଆସୁଥିଲା ଘରକୁ। ବାଟରେ ଦଳେ ଲୋକଙ୍କର କଥାବାର୍ତ୍ତା ଶୁଣିଲା, ଶଳେ.... ଟଙ୍କା ଦେଇ ଗାଦି କିଣୁଛନ୍ତି,କରାଣ୍ଡି ପକେଇ ବାଳିଆ ଧରିବେ...କି ରାଜନୀତି କିଓ। ମକରା ଅଶିକ୍ଷିତ ପିଲାଟା, ପୁରା ମୂର୍ଖ ନୁହଁ ଅଣ୍ଡର ମାଟ୍ରିକ ପଢ଼ିଛି,କିନ୍ତୁ ଆଜି କାଲିକା ବି.ଏ., ଏମ୍ ଏ ନୁହଁ। ତା ମୁଣ୍ଡ ଭିତରକୁ ଏସବୁ ପଶିଲା ନାହିଁ। ଗାଦି କଣ ? ଟଙ୍କାରେ ପୁଣି ଗାଦି କିଣା.. ଏସବୁ କଣ? ଖାଲି ସେତିକି ନୁହଁ, କରାଣ୍ଡି ପକାଇ ବାଳିଆ ଧରିବ ଏହାର ଅର୍ଥ କଅଣ?ଆଶ୍ଚର୍ଯ୍ୟ କଥା। ଖାଲି ସେତିକି ନୁହଁ ସେମାନେ ବି କହୁଥିଲେ,କୋଟି କୋଟି ଟଙ୍କା ଖର୍ଚ୍ଚ କରି ଗାଦି କିଣୁଛନ୍ତି।ଆଚ୍ଛା ଗାଦି ଯଦି ଗଦି ହୋଇଥାଏ,ତେବେ କଣ ତା ଦାମ୍ କୋଟି କୋଟି ଟଙ୍କା ? ସେ ବାଟରେ ତା'ଠୁ ଟିକିଏ ଚାଲାକ ବସୁଆକୁ ପାଇଲା। କହିଲା ବସୁଆ ଭାଇ, ଏ ଗାଦି କଣ କି? ବସୁଆ ଟା ଦଣ୍ଡିକିରି ମାଛ ପରି। ସେ ଫିରି ଫିରି ହୋଇ କହିଲା,ଆରେ ବୁଦ୍ଧୁ ଗାଦି ମାନେ ସିଟ୍,ଏତିକି ଜାଣି ନାହୁଁ।ମକରା ଭାବିଲା ସିଟ୍ ମାନେ ବୋଧେ ଚେୟାର ହୋଇଥିବ,ତେବେ ଏ ଚେୟାର ର ଦାମ କଣ କୋଟି କୋଟି ଟଙ୍କା । ଏ ବସୁଆଟା ପୁରା ଗଧଟା,କିଛି ଜାଣିନାହିଁ।
କିଛି ବାଟ ଗଲାପରେ ନଟିଆ ବାରିକ ଦେଖାହେଲା।ସେ ବି କିଛି ପାଠ ପଢ଼ିଛି,ହୁଏତ ଜାଣିଥିବ, ପଚାରିଲା ନଟିଆ ଦାଦା,ଏ କରାଣ୍ଡି ଦେଖେଇ ବାଳିଆ ଧରିବା କଣ କି ଲୋ? ନଟିଆ ଟିକିଏ ଭାବି କହିଲା,ଏଇଟା ଜାଣିନୁ...,ବନିଶୀ କଣ୍ଟାରେ କରାଣ୍ଡି ଗୁନ୍ଥି ପାଣିରେ ଦେଖେଇଲେ,ବଡ଼ ବଡ଼ ବାଳିଆ ମାଛ ତାକୁ ଖାଇଲେ ସେ କଣ୍ଟାରେ ଲାଖେ। ତେଣୁ କରାଣ୍ଡି ଦେଖେଇ ବାଳିଆ ଧରାଯାଏ। ମକରା ଭାବିଲା, ନଟିଆ ଦାଦାଟା ବାହାପିଆ ହେଲେ ବି କଥା ପଦିଏ କହିଲା,ମନକୁ ପାଇଲା। ତାପରେ ବାଟରେ ଯାଉ ଯାଉ ପୁଣି ଭାବିଲା,ଏ କରାଣ୍ଡି ବାଳିଆ ସହ ରାଜନୀତିର ସମ୍ପର୍କ କଣ?
ଘରକୁ ଯାଇ ମକରା ତା ଜେଜେ ବାପାଙ୍କୁ ଏସବୁ କହିଲା, କାରଣ ତା ଜେଜେ ବାପା ଜଣେ ଆଧ୍ୟାତ୍ମିକ ଧାରାର ବ୍ୟକ୍ତି।ଭାବିଲା କାଳେ ଜାଣିଥିବେ। ସେ କିନ୍ତୁ କହିଲେ ମୋର ଟିକେ ଏବିଷୟରେ ଜ୍ଞାନ ନାହିଁ, ତୁ ଏସବୁ ଅଧ୍ୟାପକ ସରୋଜ ନନ୍ଦଙ୍କୁ ପଚାର, ସେ ବଡ଼ ଜ୍ଞାନୀ ଓ ବୁଦ୍ଧିମାନ ବ୍ୟକ୍ତି, ଏସବୁ ପ୍ରାଞ୍ଜଳ ଭାବେ ବୁଝାଇ ଦେବେ।
କୌତୁହଳୀ ମକରା ସଙ୍ଗେ ସଙ୍ଗେ ଯାଇ ପହଞ୍ଚିଲା ସରୋଜ ସାରଙ୍କ ଘରେ। ସରୋଜ ସାରଙ୍କୁ ଏ ପ୍ରଶ୍ନ ଦ୍ବୟ ଓ ଅନ୍ୟମାନଙ୍କର ଉତ୍ତର ସମ୍ବନ୍ଧରେ ସେ ସବୁକିଛି ବର୍ଣ୍ଣନା କଲା। ସାର୍ କହିଲେ, ଆରେ ମକରା, ତୁମେ ଯେଉଁ ପ୍ରଶ୍ନ ପଚାରିଛ ତାହା ସାଧାରଣ ପ୍ରଶ୍ନ ନୁହଁ, ଏଥିରେ ଅନେକ ବୁଦ୍ଧିର ତତ୍ତ୍ୱ ପୁରି ରହିଛି। ଯେଉଁମାନେ ତାର ଉତ୍ତର ଦେଇଛନ୍ତି ସେମାନେ ନିଜ ନିଜର ଜ୍ଞାନର ପରିଧି ଅନୁସାରେ ଉତ୍ତର ଦେଇଛନ୍ତି ମାତ୍ର ସୂକ୍ଷ୍ମ ଭାବରେ ତାର ଉତ୍ତର ଶୁଣ।
ପ୍ରଥମତଃ ଟଙ୍କାରେ ବା କୋଟିକୋଟି ଟଙ୍କାରେ ଗାଦି କିଣିଛନ୍ତି, ତାର ଅର୍ଥ ଏବେ ଯେଉଁ ନିର୍ବାଚନ ଗଲା, ନେତାମାନେ ଜିତିବା ପାଇଁ ଭୋଟ୍ ପାଇଁ ନୋଟ୍ ସୂତ୍ର ଅନୁସାରେ ଅନେକ ଅର୍ଥ ବିନିଯୋଗ କରି ଜିତିଗଲେ।ଦଳର ମୁଖ୍ୟ ଯିଏ ସେ ଅପର୍ୟାପ୍ତ ଟଙ୍କା ଖର୍ଚ୍ଚ କରି ଏମାନଙ୍କୁ ବିଜୟୀ କରାଇଛନ୍ତି,ଏବେ ସେମାନଙ୍କ ଜରିଆରେ ସେ ଗଢିବେ ମନ୍ତ୍ରୀମଣ୍ଡଳ ଓ ବସିବେ ମୁଖ୍ୟ ଶାସନ ଗାଦିରେ। କାହାକୁ ମନ୍ତ୍ରୀ ଆସନ ତ କାହାକୁ ବିଧାୟକର ଆସନ ମଧ୍ୟ। ତେଣୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି କିଣାହେଲା ଗାଦି।
ଦ୍ବିତୀୟତଃ କରାଣ୍ଡି ପକେଇ ବାଳିଆ ମାରିବା ମାନେ, ଲୋଭ ଦେଖେଇ ବୃହତ୍ତର ସ୍ୱାର୍ଥ ହାସଲ କରିବା । ନିର୍ବାଚନ ସମୟରେ ନେତା ମାନେ କାହାକୁ ଦୁଇଶହ,ତିନି ଶହ,ପାଞ୍ଚଶହ ଦେଇ ଭୋଟ୍ କିଣନ୍ତି। ତୁମେ ତ ନିଶ୍ଚୟ ଭୋଟ୍ ପାଇଁ କିଛି ପାଇଥିବ ମକରା । ତାପରେ ଜିତିଲେ ତୁମକୁ ଦେଇଥିବା ଟଙ୍କାର ସୁଧ ମୁଳ ତୁମଠୁ ଆଦାୟ କରିବେ।
ମକରା କହିଲା,ସାର୍ ବୁଝିପାରିଲି ନାହିଁ, ସେମାନେ ତ ନେତା ମନ୍ତ୍ରୀ ହେଲେ ଜନସେବା,ଦେଶସେବା କରିବେ,ଆମଠୁ ତାଙ୍କ ଆଦାୟ କରିବେ କିପରି ?
ସାର୍ କହିଲେ,କହିଲ ମକରା,ନିର୍ବାଚନରେ ଜଣେ ଏତେ ଟଙ୍କା କାହିଁକି ଓ କି ଉଦ୍ଦେଶ୍ୟ ରଖି ଖର୍ଚ୍ଚ କରିଥାଏ ? ଜିତିସାରିଲା ପରେ ଜଣେ ଆରମ୍ଭ କରେ ଶୋଷଣ।କେଉଁଠି ଇନ୍ଦିରା ଆବସରୁ ତ କେଉଁଠି ଅନ୍ତର୍ଦ୍ୱୟ ଯୋଜନାରୁ ଏହିପରି ନାନା ଯୋଜନାରୁ। କେତେବେଳେ ସାଧବା ନାଁରେ ବିଧବା ଭତ୍ତା ତ କେଉଁଠି ମୃତ ନାଁରେ ବି ମଞ୍ଜୁର କରି ଆତ୍ମସାତ କରନ୍ତି ଋଣ। ଦେଖୁନୁ ମକରା,ନିର୍ବାଚନ ପୂର୍ବରୁ ଯେ ପିନ୍ଧୁଥିଲା ଫଟା ପ୍ୟାଣ୍ଟ,ଜିତିବାର ବର୍ଷେ ଦୁଇବର୍ଷ ପରେ ସେ ରହିଲାଣି ଦୁଇମହଲା କୋଠାରେ। ନିର୍ବାଚନ ପରେ ବଢ଼ାଇବେ ଜିନିଷର ଦରଦାମ୍,ଶୋଷିବେ ଖାଉଟି ଠାରୁ। ଦେବେ ଠିକାଦାରଙ୍କୁ କାମ,ଆଦାୟ କରିବେ ପି.ସି.ଭୁଶୁଡିବ କୋଠାବାଡ଼ି,ହରାଇବେ କେତେ ନିରୀହ ତାଙ୍କ ଜୀବନ।ହଜାର ହଜାର ଠିକାଦାରଙ୍କ ଠାରୁ ପି.ସି.ନେଇ ମହଜୁଦ କରି ରଖିବେ କୋଟି କୋଟି ଟଙ୍କା ପୁଣି ଭବିଷ୍ୟତରେ ନିର୍ବାଚନରେ ଲଢ଼ିବାକୁ। ତେଣୁ ୟାକୁ ହିଁ କୁହାଯାଇଛି,କରାଣ୍ଡି ଦେଖେଇ ବାଳିଆ ମାରିବା କଥା।
ମକୁରୁ ଦୀର୍ଘଶ୍ଵାସ ପକାଇ କହିଲା ସାର୍ ପ୍ରକୃତରେ ପାଠ ଏଇଠି ଅଛି। ଏ ମୁର୍ଖମାନେ ତା ଉତ୍ତର କେମିତି ବା ଦେଇପାରିଥାନ୍ତେ? ମୁଁ ଆଉ କେବେ ଭୋଟ୍ ଦେବିନାହିଁ ଆଜ୍ଞା,ଏ ଶୋଷଣ କାରୀଙ୍କ ଆୟ ବଢ଼ାଇବି ନାହିଁ କି ତାଙ୍କ ଗାଦି ଶକ୍ତ କରିବି ନାହିଁ। ସାର୍ କହିଲେ, ଆରେ ନାଁ ନାଁ, ଭୋଟ୍ କାହିଁକି ଦେବନି, ତୁମ ଅଧିକାରରୁ କାହିଁକି ବଞ୍ଚିତ ହେବ,ବରଂ କାହାଠୁ ଟଙ୍କାଟିଏ ନ ନେଇ ସ୍ୱଇଚ୍ଛାରେ ଭଲ ଲୋକଟିକୁ ଭୋଟ୍ ଦିଅ ଓ ଦେବାପାଇଁ ପ୍ରବର୍ତ୍ତାଅ,ତେବେ ଯାଇ ଗାଦି କିଣା ମୁକ୍ତ ହେବ ଓ କରାଣ୍ଡି ଦେଖେଇ ବାଳିଆ ମରା ନୀତି ଲୋପ ପାଇବ।
ମୁଁ ଶପଥ କରୁଛି ସାର୍,କେବେବି ଲାଞ୍ଚ ନେଇ ଭୋଟ୍ ଦେବିନାହିଁ,କି ଟଙ୍କା ଦେଇ ଗାଦି କିଣିବା କରାଇ ଦେବି ନାହିଁ।
