କିଛି କଥା..କିଛି ବ୍ୟଥା
କିଛି କଥା..କିଛି ବ୍ୟଥା
ମନେପଡେ ..ବହୁ ବର୍ଷ ତଳର କଥା ଏ ।କୁଶଭଦ୍ରାନଦୀ କୂଳର ପ୍ରାଚୀନ ଐତିହ୍ୟ ସମ୍ପନ୍ନ ଗାଁଆଟି ।ଚତୁର୍ଥ ଶ୍ରେଣୀରେ ପଢୁଥିବା ମିନୁ ଅଚାନକ ଦିନେ ଚମକି ଉଠିଲା ।ହୁରି ପଡିଥିଲା ଗାଁରେ ।ପାଖ ଗାଁର ବୋହୂଟିଏ ବିଷ ଖାଇଛି ।ମର ଶରୀର ନଈ ବନ୍ଧରେ ସେଇ ବିଶାଳ ବରଗଛ ଗଣ୍ଡିକୁ ଭରା ଦେଇ ରଖାହୋଇଛି।
ବନ୍ଧର ଗୋଟିଏ ମୁଣ୍ଡରେ ଏ ଗଛ ।କାହିଁ କେଉଁ କାଳର ।ସେଇଠୁ ରାସ୍ତାଟିଏ ଗଡିଯାଇଛି ତଳକୁ..ବାମ ପଟେ ଚମ୍ପା ମାଆଙ୍କ ଘର। ନନାଙ୍କ ଦେଠେଇ ।ଖୁବ୍ ସୁନ୍ଦର ଜମିଦାର ଘର ।ଏ ଘରେ କିଛି ଓଡିଆ ଫିଲ୍ମ ସୁଟିଂ ହେଇଛି ।ଡାହାଣ ପଟକୁ ଆଉ ଏକ ବିଶାଳ ବରଗଛ ।ଏ ଦୁଇ ଗଛର ଓହଳରେ ଅନେକ ଦୋଳି ଖେଳରେ କୈଶୋର ବିତିଛି ।ବରଗଛର ଅଳ୍ପ ଆଗକୁ ଗଲେ ଗୋପୀନାଥଙ୍କ ମନ୍ଦିରର ଖୁବ୍ ବଡ କାଠର ଯାଉଁଳି କବାଟ। ମନ୍ଦିରର ମୁଖ୍ୟ ଦରଜା ।ଆଗକୁ ଗାଁ ।ବନ୍ଧର ଅନ୍ୟ ମୁଣ୍ଡରେ ଝିଅଟିର ।ସେ ସମୟର ଜମିଦାର ଘର ।ମା’ ସାଆନ୍ତାଣୀ ଛୁଆ ସାଆନ୍ତାଣୀ ଡାକରେ ବଡ ହୋଇଛି ମିନୁ ।ତାଙ୍କ ଘରଠାରୁ ବେଶ୍ କିଛି ଦୂର ଗାଁ । ଛୋଟ ବେଳେ ଏମିତି ଲାଗୁଥିଲା ବୋଧହୁଏ।
ବନ୍ଧ ଉପରେ ଥିବା ବରଗଛ ମୂଳରେ ଟୋକେଇଟିଏ ।ତା ଭିତରେ ବସିଛି ନାରୀ ମୂର୍ତ୍ତିଟି।
ହଳଦୀ ପାଣି କି ଔଷଧ ଲୁଗା ସାରା ।ମୁଦ୍ରିତ ଚକ୍ଷୁ ।ପ୍ରଶାନ୍ତ ମୁଖ ।ଚତୁର୍ଦ୍ଦିଗରେ ଲୋକଗହଳି ପ୍ରତି ଏକାନ୍ତ ନିସ୍ପୃହ ।ଭିଡ ଠେଲି ଛୋଟ ମିନୁ ଆଗକୁ ଗଲା । ଖୁବ୍ କମ୍ ବୟସର ବୋହୂଟିର ଏ ଅବସ୍ଥା ଦେଖି ମିନୁ ଆଖିରେ ଲୁହ ଟଳମଳ।
କି କଷ୍ଟ ହେଲା ଯେ ଏଇ ନିଷ୍ପତି ନେଲା !କି କେହି ତାକୁ ମାରିଦେଲେ! ଭିଡରୁ ଚାପା ଗୁଞ୍ଜରଣ ଶୁଭୁଥିଲା।
ମିନୁର କିଶୋରୀ ହୃଦୟଟି ଅହେତୁକ ବ୍ୟଥାରେ ଭାରାକ୍ରାନ୍ତ ହୋଇ ଉଠୁଥିଲା ।ଛୋଟ ମସ୍ତିଷ୍କ କଥାଟିକୁ ସହଜ ଭାବରେ ଗ୍ରହଣ କରି ପାରୁନଥିଲା ।ମଣିଷ କେଡେ ନିଷ୍ଠୁର । ଘରକୁ ଫେରି ବହୁତ ବାର ବୋଉଙ୍କୁ ପ୍ରଶ୍ନ କରିଛି । ବୋଉ ଖୁବ୍ ବୁଝେଇଥିଲେ ଭାବପ୍ରବଣ ଝିଅକୁ ତାଙ୍କର । କିନ୍ତୁ ଏ ଘଟଣାକୁ ସେ ସହଜ ଭାବରେ ଗ୍ରହଣ କରି ପାରୁନଥିଲା।
ଏ ମଧ୍ୟରେ ପ୍ରାୟ ଗୋଟିଏ ଯୁଗ ବିତିଯାଇଛି। ବାତ୍ୟାରେ ମନ୍ଦିର ପାଖ ବରଗଛଟି ଆଶ୍ଚର୍ଯ୍ୟଜନକ ଭାବରେ ଉପୁଡି ପଡିଛି । କିନ୍ତୁ ବନ୍ଧ ଉପରେ ଥିବା ବରଗଛ ଠିକ୍ ସେମିତି ଦଣ୍ଡାୟମାନ । ସବୁଜ । ଓହଳ ପୂର୍ଣ୍ଣ । ନିର୍ବିକାର। କିନ୍ତୁ କେବେ କିପରି ବୟସ୍କା ମିନୁ ଗାଁକୁ ଗଲେ ଅନିଚ୍ଛାକୃତ ଭାବରେ ସେ ଗଛ ଦିଗକୁ ଦୃଷ୍ଟି ଚାଲିଯାଏ । ଏବଂ ଭାସି ଉଠେ ସେଇ ମୁହଁଟି ।ସୁନ୍ଦର । ସଜଳ । ନିର୍ଜୀବ । ପ୍ରଶ୍ନ କରୁଥାଏ ..ମୋ ଅପରାଧ କ'ଣ ଥିଲା? ଆଖି ଫେରାଇ ଆଣେ ମିନୁ। ଅସହାୟତାର ଦୀର୍ଘ ଶ୍ଵାସରେ ହୃଦୟ ହୁଏ ବିଦୀର୍ଣ୍ଣ। ବିଦ୍ରୋହ କରି ଉଠେ ମନ ।ହଁ ..ଏ ଦୁନିଆରେ ଏମିତି ହୁଏ । ମୁହଁ ଫେରାଇନିଏ ସେ।