priyambada samal

Others

2  

priyambada samal

Others

ଜୀବନ ଯେଉଁଠି ମିଳେ

ଜୀବନ ଯେଉଁଠି ମିଳେ

2 mins
127



      

ଶିଶୁର କଅଁଳ ମନ ପରି ଗାଆଁର ମେଘ ଶୂନ୍ୟ ଆକାଶର ପୃଷ୍ଠ ଉପରେ ସାତ ଋତୁଙ୍କର ନାଚକୁଦ ଯେମିତି ମନକୁ ଛୁଇଁ ଯାଏ, ସହରର ଧୂଆଁ ମିଶା ଆକାଶର ଅନାବନା ଗାର ପକା ରଫ୍ ଖାତାରେ ସେମିତି ଅନୁଭବ କରି ହୁଏନା। ଧାଡି ଧାଡି ଧାନ କ୍ଷେତର ସବୁଜ ଦେହ...... ନଈକୁଦରେ କାଶତଣ୍ଡୀ ଫୁଲର ଓଡିଶୀ ନୃତ୍ୟ.... କୁଆଁରୀଙ୍କ ଫୁଲ ବଉଳବେଣୀର ମନଛୁଆଁ ସ୍ୱର. .... ସଂଜ ସକାଳରେ ମନ୍ଦିରର ଶଂଖ ଧ୍ୱନି.... ମାଆର ଜହ୍ନ ମାମୁଁ କୁ ଡାକ ଭିତରେ ଜୀବନଟା ଯେମିତି ଧରା ଦିଏ, ନିଃସଂଗ, ସ୍ୱାର୍ଥପର କୋଳାହଳମୟ, ଧୂମ୍ରବର୍ଣ୍ଣ ଆକାଶ ମଧ୍ୟରେ ସେମିତି ଧରା ଦିଏନି। ଦୂରଦର୍ଶନ ପରଦା ଉପରେ ଗୋଟିଏ ପରେ ଗୋଟିଏ ଛବି ଆସିଲା ପରି ସବୁ ନିଜର ପୃଷ୍ଠ ଭୂମି ବଦଳନ୍ତି। ଦିନ ପରେ ଦିନ ଯାଏ। ରାସ୍ତାର ଭିଡ ଭାଙ୍ଗି ରୀତା ଅବଶ ପାଦରେ କ୍ଳାନ୍ତ ଦେହକୁ ଦୋହଲାଇ ଦୋହଲାଇ ଭଡାଘର ମୁହାଁ ଆଗେଇ ଯାଏ । 

  ସେଇ କିଅଁଳ ଛନଛନ ମନଟିର ନିରୀହ ଚାହାଣୀ ତାକୁ ଉପରବେଳଟା ସାରା ଅସ୍ଥିର କରେ । କିରାଣି ଚାକିରୀରେ ଅଫିସର ଫାଇଲ ଚଷିବା ଭିତରେ ଥରେ ଥରେ ଝରକା ଦେଇ ଆଖି ପଡିଯାଏ ରାସ୍ତା ଉପରେ ଯାଉଥିବା ସ୍କୁଲ ପିଲାମାନଙ୍କ ଉପରେ। ମନଟା ଅସ୍ଥିର ହୋଇଉଠେ । ମନେ ପଡିଯାଏ ମିତାର ନାନୀ ନାନୀ ଡାକ । ଅଫିସ୍ ଆଗରେ ନଣ୍ଡାଳିଆ ହୋଇ ଠିଆ ହୋଇଥିବା ଝାଉଁ ବୃକ୍ଷ ପରି ଲାଗେ ତାକୁ ଏ ସହରୀ ଜୀବନ । ନିହାତି ଅତିଷ୍ଠ ଲାଗେ । ଜୀବିକାକୁ କାମୁଡି ପଡି ରହିବାକୁ ହୁଏ। ଛୁଟିହେବାରୁ ଘର କୁ ଗଲା।ମିତା ଅଝଟକଲା ନାନୀ ମୁଁ ତୋ ସହିତ ଯିବି।ତା ସହିତ ଆସିଲା ମଧ୍ୟ । ଘର ସଜାଡିବା ଠାରୁ ମାର୍କେଟିଂ ପଯ୍ୟନ୍ତ ସବୁଥିରେ ସାହାଯ୍ୟ କଲା । ଯେମିତି ଲାଗୁଥିଲା ତାର ପର ଲାଗି ଯାଇଛି। ନିତ୍ୟକର୍ମ ସାରି ରୋଷେଇ କରି ଖାଇ ଅଫିସ ଚାଲିଗଲା ରୀତା। ଆରମ୍ଭ ହେଲା ମିତାର ନିଛାଟିଆ ଜୀବନ। ମୁକ୍ତ ଗଗନର ପକ୍ଷୀକୁ ପଞ୍ଜୁରୀରେ ବନ୍ଦୀ କଲା ଭଳି ଲାଗୁଥିଲା ତାକୁ। ନାନୀର ହୁକୁମ୍ ବାହାରକୁ ଯିବୁନି, ଟିଭି ଦେଖିବୁ ନଚେତ୍ ମାଗାଜିନ୍ ବସି ପଢିବୁ। ବଡ ଅଡୁଆ ଲାଗୁଥିଲା ତାକୁ। ନାନୀ ଆସିବାରୁ ଖୁସି ହୋଇଗଲା ସେ । 

  କିଛିଦିନର ରହଣି ଭିତରେ ରୀତା ଅନୁଭବ କଲା ମିତା ଆଉ ପୂର୍ବ ଭଳି ହସ ଖୁସିରେ ରହୁନି । କେମିତି ଚୁପଚାପ୍ ହୋଇଯାଇଛି। ସେ ଦିନେ ତାକୁ ପଚାରିଲା । ନାନୀର କୋଳରେ ମୁହଁ ରଖି ଭୋଭୋ ହୋଇ କାନ୍ଦି ପକାଇଲା ମିତା । କହିଲା "ନାନୀ ଚାଲ ଘରକୁ ଯିବା । ତୋ ଛୁଟି କେବେ ପଡିବ?ବାପା ବୋଉଙ୍କ କଥା ମନେ ପଡୁଛି। ସମସ୍ତେ ମୋତେ ମନେ ପକାଉଛନ୍ତି। ଗାଆଁ, ନଈ, କାଶତଣ୍ଡୀ ପଠା ଆଉ ଆମ୍ବ ଜଗିଚା ତାର ସ୍ୱପ୍ନରେ ସବୁ ରାତିରେ ମୁଁ ଦେଖୁଛି। ସେମାନେ ମୋତେ ଡାକୁଛନ୍ତି। ମୋତେ ଘରକୁ ନେଇ ଚାଲ୍ ନା। ତୋ ଛୁଟି ଆଉ କେତେ ଦିନ ରହିଲା? "ମିତାକୁ ଆଶ୍ୱାସନା ଦେଉ ଦେଉ ନିଜେ ବି କାନ୍ଦି ପକାଇଲା ରୀତା। ମିତାକୁ ପ୍ରବୋଧନା ଦେଇ କହିଲା ଆସନ୍ତା ରବିବାର ଯିବା। ଖୁସି ହୋଇ ଗୋଟିଏ ଖେପାରେ ମିତା ଡେଇଁ ଡେଇଁ ଚାଲିଗଲା ଅନ୍ୟରୁମକୁ। ସେ ଖାଲି ଅପେକ୍ଷା କରୁଥିଲା ରବିବାରକୁ। ଖାଲି ମିତା ନୁହେଁ ରୀତା ମଧ୍ୟ। ଯେଉଁଠି ଜୀବନ ଅଛି ସେଠାକୁ ଫେରିବା ପାଇଁ କି ବ୍ୟାକୁଳତା ସତେ ;ପ୍ରତିଦିନ କ୍ୟାଲେଣ୍ଡରକୁ ଯାଇ ମିତା ଦେଖେ ରବିବାର ଆଉ କେତେ ଦିନ ରହିଲା। 



Rate this content
Log in