Trilochan Behera

Others

3  

Trilochan Behera

Others

"ହାତ ପାଆନ୍ତାରେ ଚାନ୍ଦ"

"ହାତ ପାଆନ୍ତାରେ ଚାନ୍ଦ"

4 mins
549


ମକରା ଯେଉଁ ଦିନ ପାଲିଙ୍କି ଚଢ଼ି ବାହା ହେବା ପାଇଁ ଗଲା, ସାହିର ସାଙ୍ଗ ସାଥୀ ମାନେ, ଭାଇ, ଦାଦା, ପୁତୁରାମାନେ ବାଜା ବଜାଇ ସାଙ୍ଗରେ ଗଲେ। ସାହି ଝିଅ ଓ ଭାଉଜ ମାନେ ତାକୁ ରାଜା ବେଶରେ ସଜାଇ ଦେଇଥିଲେ। ମକରାକୁ ଏସବୁ ବଡ ଅଡୁଆ ଲାଗୁଥିଲା। "ଦୁନିଆ ସାରା ଲୋକ ବାହା ହେଉଛନ୍ତି। ଘରକୁ ସମ୍ଭାଳିବା ପାଇଁ ଘରଣୀଟିଏ ଆଣୁଛନ୍ତି। ଛୁଆ ପିଲା ଜନ୍ମ କରୁଛନ୍ତି। ଏ ତ ସାଧାରଣ କଥା। ଏ ଘଟଣାକୁ ଏତେ ଜାକ ଜମକ କାହିଁକି କରୁଛନ୍ତି। ତାପରେ ମୁଁ ଗୋଟିଏ ସାଧାରଣ ଚାଷି ପିଲା। ବାହାଘର ସରିଲେ ମୁଁ ତ ପୁଣି ସେଇ ବିଲକୁ ଯିବି, ଚାଷ କରିବା ପାଇଁ। ଦିନକ ପାଇଁ ଏ ବେଶ ଓ ମର୍ଯ୍ୟାଦା କଣ ପାଇଁ।"

ମକରା ଗୋଟିଏ ହଟ୍ଟା କଟ୍ଟା ଯୁବକ। ବାପ ମାର ଗୋଟିଏ ବୋଲି ପିଲା। ଗାଁ ପାଖ କଲେଜରୁ ବି.ଏ. ପାସ କରିଛି। ବାପା ସାଙ୍ଗରେ ପିଲା ବେଳୁ ବିଲବାଡି କାମ କରିବା ସଙ୍ଗେ ସଙ୍ଗେ ପାଠ ପଢିଛି। ବାପା ତାକୁ ପିଲାବେଳୁ କହିଥିଲେ "ଆମର ଚାଷି ବନ୍ଦି ଘର। ପାଠ ପଢ, ତା ସଙ୍ଗେ ସଙ୍ଗେ ମାଟି ସହିତ ସମ୍ପର୍କ ରଖ। ଯଦି କୋଉଠି ଚାକିରି ମିଳିଲା ଭଲ। ନ ହେଲେ ଚାଷ କାମ କଲେ ପେଟ କେବେ ଅପୋଷା ରହିବ ନାହିଁ।"

ମକରା ଭାରି ପରିଶ୍ରମୀ। ଭଲ ଜମିବାଡି ବି ଅଛି। ତା ବିଲ, ବଳଦ, ଚାଷ ବାସ ଭଲ ତ ସେ ଭଲ। ପ୍ରକୃତରେ ସେ ପାଠ ଅପେକ୍ଷା ଚାଷ କାମରେ ବେଶି ଖୁସି ପାଏ। ଗାଁରେ ବହୁ ଯୁବକ ବିଏ, ଏମ୍.ଏ. ପାସ କରି ଚାକିରି ନପାଇ ବେକାର ହୋଇ ବସିଛନ୍ତି। ଇଣ୍ଟରଭିଉ ଦେବା ନାଁରେ ବାପାଠାରୁ ଟଙ୍କା ନେଇ ସହର ବୁଲି ଆସନ୍ତି। ପେଣ୍ଟ ସାଟେ ପିନ୍ଧି ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ବଜାରରେ ବୁଲୁଛନ୍ତି। ବୁଢ଼ା ବାପକୁ ଚାଷରେ ସାହାଯ୍ୟ କରିବାକୁ ଲାଜ ଲାଗୁଛି। କଣ ସେ ପାଠ ପଢ଼ାର ମୂଲ୍ୟ? କୋଉଠି ପାଠରେ ଲେଖା ହୋଇଛି ଖାଲି ଚାକିରି କରିବାକୁ? ଚାକିରି ନମିଳିଲେ ଆଉ କିଛି କାମ କରିବା ନାହିଁ, ବେକାର ବସିବା ପାଇଁ।

ମକରା ବାପ ମା' ଙ୍କର ଏକଇରବଳା ସନ୍ତାନ। ପିଲା ବେଳେ ତାକୁ ବହୁତ ଗେଲ୍ହା କରୁଥିଲେ। ମା' ଆଶ୍ଵିନ ମାସର ଏକ ସଂଧ୍ୟାବେଳେ ତାକୁ ବଳେଇ ବଳେଇ ଖୁଆଇ ଦେଲା ବେଳେ ଜହ୍ନକୁ ଦେଖେଇ ଗୀତ ଗାଉଥିଲେ "ଆ ଜହ୍ନ ମାମୁଁ ଶରଦ ଶଶୀ, ମୋ ମକରା ହାତରେ ପଡରେ ଖସି।"

ମକରା ଆକାଶକୁ ଚାହିଁ ହସି ଦେଉଥିଲା ଆଉ ପଚାରୁ ଥିଲା "ମା, ସତରେ ଜହ୍ନ ମୋ ହାତ ପାଖକୁ ଆସିବ?" ମା କହୁଥିଲେ "ହଁ ପୁଅ, ଦିନେ ନିଶ୍ଚେ ତୋ ହାତ ପାଆନ୍ତାକୁ ଜହ୍ନ ଆସିବ"।

ତାର ସରଳ ଓ ନିଷ୍କପଟ ପ୍ରକୃତି ଯୋଗୁଁ ଗାଁରେ ତାକୁ ସମସ୍ତେ ଭଲ ପାଆନ୍ତି। ତା ବଳିଷ୍ଠ ଶରୀରକୁ ଦେଖି ସାଙ୍ଗ ସାଥୀ ମାନେ ତାକୁ ପହିଲିମାନ ବୋଲି କହନ୍ତି। ମକରା ମା ଏଥିରେ ରାଗିଯାଏ ଓ କହେ "ମୋ ପୁଅକୁ କାହିଁକି ଇର୍ଷା କରୁଛ, ତୁମେ ଖାଇପିଇ ବଳୁଆ ହଉନା।" ମକରା କିନ୍ତୁ ଖୁସି ହୁଏ। ଏ ସ୍ଵାସ୍ଥ୍ୟ ତା ପରିଶ୍ରମର ଫଳ। ବିଲରେ ଖଟି ଝାଳ ବୋହିଗଲେ ସେ ବହୁତ ଆନନ୍ଦ ପାଏ। ତା ଝାଳର ଫଳ ଯେତେବେଳେ ଧାନ, ବିରି, ମୁଗ ଓ ପରିବା ହୋଇ ଅମଳ ହୁଏ ସେ ବହୁତ ତୃପ୍ତି ପାଏ। ଅନ୍ୟମାନେ ବାପ ପୂଅ ମିଶି ଯେତିକି ଅମଳ କରନ୍ତି, ସେ ଏକୁଟିଆ ଅଧିକ ଅମଳ କରେ। ବୁଢ଼ା ବାପକୁ ଆଉ ସେ ବିଲକୁ ଯିବାକୁ ଦେଉ ନାହିଁ।

ଗାଁର ଝିଅମାନେ ତାର ପରିଶ୍ରମୀ ଗୁଣ, ଗମ୍ଭୀର ପ୍ରକୃତି ଓ ବଳିଷ୍ଠ ଚେହେରାକୁ ଭାରୀ ଲୋଭ କରନ୍ତି। କେହି କେହି ତାର ନିକଟତର ହୋଇ ତାକୁ ଆକୃଷ୍ଟ କରିବାକୁ ଚେଷ୍ଟା କରନ୍ତି। ମକରା କିନ୍ତୁ ଏଥିରେ ଆଦୌ ଭୁଲିଯାଏନା। ଅନ୍ୟ ଯୁବକ ମାନଙ୍କ ପରି ଝିଅ ମାନଙ୍କ ସାଙ୍ଗରେ ନସର ପସର ହେବା ତାକୁ ଭଲ ଲାଗେନା। ଏଇଟା ତା ଦାମ୍ଭିକ ପୌରୁଷତ୍ଵ ପାଇଁ ହୀନ ବ୍ୟବହାର ବୋଲି ଭାବେ।

ମକରା ବାହା ହେବାକୁ ମନା କରି କରି ଏତେ ଡେରି କଲା। ସେ ଚାହିଁଲା କିଛି ଟଙ୍କା ସଞ୍ଚୟ କରି ଟିକେ ଜମା ବଢ଼ାଇଲେ ବାହା ହବ ବୋଲି। ଏବେ ମା କଥାରେ ରାଜି ହେଲା। ମା ବୁଢ଼ୀ ବୟସରେ ଆଉ କେତେ ଖଟିବ। ତାକୁ ସାହାଯ୍ୟ କରିବାକୁ ବୋହୁଟିଏ ଦରକାର।

ମକରାର ପାଲିଙ୍କି ବାଣ-ରୋଷଣୀ ମଧ୍ୟରେ ଭାବି ଶଶୁର ଘରେ ପହଞ୍ଚିଲା କ୍ଷଣି ତାଙ୍କ ଗାଁ ସ୍ତ୍ରୀ, ପୁରୁଷ ଓ ଝିଅ ମାନେ ଦେଖିବାକୁ ରୁଣ୍ଡ ହୋଇଗଲେ। ମକରାର ଗୋଡ ଧୋଇ ବରଣୀ କରି ନେଲେ। ବର ବେଶରେ ମକରା ସୁନ୍ଦର ଦେଖା ଯାଉଥାଏ। ତା ବଳିଷ୍ଠ ବାହା ଆଉ ଚଉଡା ଛାତି ଦେଖି ଝିଅମାନେ ଠରାଠରି ହୋଇ ଟୁପ ଟାପ କଥା ହେଉଥାନ୍ତି। "କଳା ହେଲେ କଣ ହେଲା, ବରଟା ଝକାସ ହେଇଛି"। ଏତେ ସବୁ ଆଦର ଅଭ୍ୟର୍ଥନା ଦେଖି ମକରା ପ୍ରଥମ ଥର ପାଇଁ ନିଜକୁ ଜଣେ ବିଶେଷ ବ୍ୟକ୍ତି ବୋଲି ଅନୂଭବ କଲା।

ଶଶୁର ଘର ଲୋକ ମକରାକୁ ବେଦୀରେ ବସାଇ ଗୋଟିଏ ବୋଲି ଗେହ୍ଲା ଝିଅ ରାଣୀ ସହିତ ବାହାଘର କରାଇଲେ। କିଏ ଜଣେ କହିଲା "ଭାଗ୍ୟବାନ ଟୋକାଟା, ବିଲବାଡି ଚାଷ କାମ କରି ବି ରାଣୀ ଭଳି ସୁନ୍ଦର ଝିଅକୁ ପାଇଲା। ଏତେ ସୁନ୍ଦର ଝିଅଟାକୁ ଏମାନେ ମକରା ହାତରେ ଟେକିଦେଲେ।"

ରାଣୀ ଆଇ.ଏ. ପାସ କରିଛି। ଭାରୀ ସରଳ ଓ ସତ୍ ସ୍ଵଭାବର। ଘର କରଣା କାମ ଭଲ ଜଣା ଓ ପରିଶ୍ରମୀ। ତାର ଇଚ୍ଛାଥିଲା ଯେ, "ମୋତେ ପାଖାପାଖି ଗାଁରେ ବାହା ଦେବ। ମୁଁ ବାପା ବୋଉଙ୍କୁ ଯେତେବେଳେ ଚାହିଁବି ଭେଟିପାରବି। ଛୋଟ ପରିବାର ହୋଇଥିବ। ପୁଅଟି ସଚ୍ଚୋଟ, କର୍ମଠ ଓ ଚରିତ୍ରବାନ ହୋଇଥିବ।"

ରାଣୀର ବାପା ମାଆ ତା ପାଇଁ ସେହିଭଳି ବର ଓ ଘର ଖୋଜୁଥିଲେ। ଝିଅର ବିଚାର ତାଙ୍କୁ ଭଲ ଲାଗିଲା। ମକରାହିଁ ଉପଯୁକ୍ତ ପ୍ରସ୍ତାବ ଭାବେ ଠିକ ହେଲା।

ରାଣୀ ବାପ ଘର ଛାଡି ମକରା ସାଙ୍ଗରେ ବୋହୁ ହୋଇ ଆସିଲା। ବହୁଦିନରୁ ନିରସ ରହିଥିବା ଘରଟା ହସ ଖୁସିରେ ପୁରି ଉଠିଲା। ରାଣୀ ଆଣିଥିବା ସ୍ନୋ, ପାଉଡର ଓ ବାସ୍ନା ତେଲରେ ଘରଟା ମହକି ଗଲା। ତା ହାତର ଚୂଡି ଓ ପାଉଁଜି ସବୁର ରୁଣଝୁଣ ଶବ୍ଦରେ ଘରଟା ସଂଗୀତ ମୟ ହୋଇଗଲା। ଘରଟା ପୂରା ନୂଆ ନୂଆ ଲାଗିଲା। ରାଣୀ କଣ୍ଠର ମଧୂର ସ୍ଵର, ଧୀର ସ୍ଵଭାବ, କୋମଳ ସ୍ପର୍ଶ ଓ ସମର୍ପଣ ରେ ମକରା ନିଜକୁ ରାଜା ବୋଲି ଅନୂଭବ କଲା। ମକରାକୁ ଏସବୁ ସୁନ୍ଦର ସ୍ଵପ୍ନଭଳି ଲାଗୁଥିଲା ଓ ଭାରି ଖୁସି ହେଉଥିଲା। ତା ବାପା ମା'ଙ୍କର ଖୁସି ଦେଖି ସେ ଆହୁରି ଖୁସି ହୋଇଗଲା।

ମକରା ସହିତ ମିଶି ରାଣୀ ନିଜକୁ ବଡ ଭାଗ୍ୟବତୀ ବୋଲି ଭାବୁଥିଲା। ଏତେ ବଳିଷ୍ଠ ଦାମ୍ଭିକ ଯୁବକ, ଅଥଚ ଛୋଟ ପିଲା ପରି ସରଳ। ସ୍ଵାମୀ ସ୍ତ୍ରୀ ମଧ୍ୟରେ ଅନ୍ତରଙ୍ଗ ସମ୍ପର୍କ ବିଷୟରେ ମଧ୍ୟ ଭଲ ଭାବରେ ଧାରଣା ନାହିଁ। ଏ କଳୁଷିତ ଦୁନିଆରେ ଷୋଳଅଣା ଖାଣ୍ଟି ସୁନା ଭଳି ମଣିଷ ଅଛନ୍ତି ବୋଲି ଦେଖି ରାଣୀ ଖୁସିରେ ଅଭିଭୂତ ହେଲା। ତା ଜୀବନରେ ସେ ସବୁକିଛି ପାଇଗଲା ବୋଲି ଭାବିଲା।

ଦିନେ ସଂଧ୍ୟା ପରେ ତା ଛୋଟ ଘରର ଛାତ ଉପରେ ଦୁଇଜଣ ଚୁପି ଚୁପି ଯାଇ ବସିଲେ। ଆଶ୍ଵିନ ମାସର ତୋଫା ଚାନ୍ଦର ଥଣ୍ଡା କିରଣ ବିଛାଡି ହୋଇ ପଡିଥାଏ। ମକରା ବିଲରୁ ଆସି ଖାଇଦେଇ ହାଲିଆ ହୋଇ ଥିଲା। ରାଣୀର କୋଳରେ ମୁଣ୍ଡ ରଖି ଶୋଇ ପଡିଲା। ରାଣୀ ତା ମୁଣ୍ଡକୁ ସାଉଁଳେଇ ଦେଉଥିଲା। ମକରାକୁ ବହୁତ ଆରାମ ଲାଗୁଥିଲା। ରାଣୀ କୋଳରେ ଶୋଇ ଶୋଇ ମକରା ଆକାଶର ଚାନ୍ଦ ଆଉ ରାଣୀର ମୁହଁକୁ ଏକା ସାଙ୍ଗରେ ଦେଖୁଥିଲା। ତାକୁ ରାଣୀର ଗୋରା ମୁହଁଟା ଶରତ ଆକାଶର ଚାନ୍ଦ ଠାରୁ ଅଧିକ ତୋଫା ଓ ସୁନ୍ଦର ଲାଗୁଥିଲା। ମକରା ରାଣୀର ମୁହଁରେ ଧିରେ ହାତ ବୁଲାଇ ଆଣିଲା। ତାର ସେ ପିଲା ଦିନେ ମା' ର ଜହ୍ନ ମାମୁଁ ଗୀତ ମନେ ପଡିଲା। "ସତରେ, ଆଜି ଚାନ୍ଦ ମୋ ହାତରେ ଖସି ପଡିଛି।"

©ତ୍ରିଲୋଚନ ବେହେରା, ଭୂବନେଶ୍ଵର

ତା : ୧୬.୦୩.୨୦୧୯

**************************


Rate this content
Log in