ଗଳ୍ପ- ଲକ୍ ଡାଉନ
ଗଳ୍ପ- ଲକ୍ ଡାଉନ
ଏବେ ଏବେ ଖବର ଆସିଲା .. ଭାରତରେ 21 ଦିନପାଇଁ ଲକଡାଉନ ଘୋଷଣା ହୋଇଛି | ମହାମାରୀ କରୋନା କବଳରୁ ବର୍ତ୍ତିବା ପାଇଁ କେବଳ ଏଇ ଗୋଟିଏ ହିଁ ଉପାୟ । ଗୋଷ୍ଠୀ ସଂକ୍ରମଣକୁ ଅଟକାଇ ପାରଲେ ହିଁ ଭାରତ ଭଳି ଏତେ ବଡ ଦେଶରେ କରୋନା ଉପରେ ବିଜୟ ମିଳିପାରିବ |
ସୀମା ସବୁ ଶୁଣିଲା । କିଛି ସମୟ ନୀରବ ରହି ପ୍ରକୃତିସ୍ଥ ହେଲା । ପେଟ ଚାଖଣ୍ଡକ ପାଇଁ ଦାଦନ ଖଟିବାକୁ ଆସି ସୁଦୂର ଆନ୍ଧ୍ରାରେ ରହୁଛି । ବାପାଙ୍କ ଦେହ ଭଲନାହିଁ କେତେବେଳେ କିଛି ହେଇପାରେ ବୋଲି ବୋଉ ମୁଁହରୁ ଶୁଣିବା ପର ଠାରୁ ସେ କିପରି ଗାଁ କୁ ଆସିବ ବୋଲି ପ୍ରସ୍ତୁତି ଚଳାଉଥିଲା ଆଉ ଏବେ ଅଚାନକ ଏ ଘୋଷଣା ...ସେ କ'ଣ କରିବ କିଛି ନିଷ୍ପତ୍ତି ନେଇ ପାରୁନଥିଲା ।
ବାହାରୁ କାହାର ପାଟି ସ୍ବର ଶୁଣି ସେ ଆସି ଦେଖିଲା ତା ସାଙ୍ଗ ତାପସ ଆସିଛି । ଆଉ ଟିକେ ପରେ ସେ ତାକୁ ନେଇ ରେଲ ୱେ ଷ୍ଟେସନରେ ଛାଡିଥାନ୍ତା କିନ୍ତୁ....
-କିରେ ଏବେ କଣ କରିବୁ ସୀମା..?
-କଣ କରିବି ଭାବୁଛି..
-ଆଜି ରାତି 12ଟା ପରେ ସବୁ ଗାଡି, ମଟର, ଟ୍ରେନ୍ ଚଳାଚଳ ବନ୍ଦ ତୁ କ'ଣ ଭାବୁଛୁ ...ଯିବୁ....ନା ରହିବୁ ...ଯଦି ଯିବୁ ଅଧାରାସ୍ତାରେ ଅଟକି ରହିବୁ..
- ମତେ ଯାହାହେଲେ ଯିବାକୁ ପଡିବ ତାପସ...ଘରେ ପୁରୁଷ ଲୋକ ବୋଲି ଜଣେ କେହେ ବି ନାହିଁ... ବୋଉର କଥାରୁ ଲାଗୁଥିଲା ବାପା ବହୁତ ସିରିୟସ୍...ଆଉ ଏ ଭଳି ସମୟରେ ମୁଁ ନିହାତି ପହଞ୍ଚିବା ଦରକାର...
-ହେଲା ଯେ ...ଟ୍ରେନ୍ ତ ଅଧାରାସ୍ତା ରେ ଅଟକି ଯିବ ତୁ କିପରି ଯିବୁ...
-ଯାହା ଈଶ୍ବରଙ୍କ ଇଛା... ଶୁଣ ଆଉ ଅଧ ଘଣ୍ଟା ରହିଲା.. ଠିକ୍ 10ଟାରେ ଟ୍ରେନ ...ତୁ ମତେ ଛାଡିଦେଇ ଆସ୍...
-ହଉ ଠିକ୍ ଅଛି...
ସୀମା ବାହାରିଲା ଏକ ଘଡିସନ୍ଧି ମୁହୂର୍ତ୍ତରେ ଘର ଅଭିମୁଖେ । ପହଞ୍ଚିପାରିବ କି ନାହିଁ ତାକୁ ଜଣାନଥିଲା । ଅସାଧାରଣ ସମୟରେ ଅସାଧାରଣ ନିଷ୍ପତ୍ତି ତ ନେବାକୁ ହିଁ ପଡେ । ସେ ଷ୍ଟେସନରେ ପହଞ୍ଚି ଜାଣିଲା ଯେଉଁ ଟ୍ରେନ ଗୁଡିକ ଯାତ୍ରା ଆରମ୍ଭ କରିନାହାନ୍ତି ସେ ସବୁ କୁ ଯାତ୍ରୀମାନେ ଅଧାରେ ରହି ହଇରାଣ ନ ହେବାକୁ ସରକାର ବାତିଲ କରିଦେଇଛନ୍ତି । ତା' ମୁଣ୍ଡରେ ଚଡକ ପଡିଲା । ଯାହାହେଲେ ବି କିଛି ବାଟ ଘରର ନିକଟବର୍ତ୍ତୀ ହେଇପାରିଥାନ୍ତା । ସେ କ'ଣ କରିବ କିଛି ଚିନ୍ତା କରିପାରୁନଥିଲ ।
ହଠାତ୍ ସେ ଦେଖିଲା କିଛି ଲୋକ ଏକତ୍ରିତ ହୋଇ ଗୋଟିଏ ମାଲଗାଡି ଭଡା କରି ଓଡିଶା ଅଭିମୁଖେ ବାହାରୁଛନ୍ତି । ଟଙ୍କା ଲୋଭରେ ଡ୍ରାଇଭରଟି ସେମାନଙ୍କୁ ମାଲ ସହିତ ଏଡଜେଷ୍ଟ ହୋଇ ଲୁଚିକି ବସିବାକୁ ପରାମର୍ଶ ଦେଉଛି । ସୀମା ପାଇଁ ଏହା ଥିଲା ସତେ ଯେମିତି ଭାସି ଯାଉଥିବା ଲୋକଟି ପାଇଁ ଘାସ ଖଣ୍ଡିକର ଭରସା । ସେ ତାପସକୁ ବିଦାୟ ଦେଇ ଅବିଳମ୍ବେ ଗାଡି ଭିତରକୁ ଉଠିଗଲା । ମୋଟ ଆଠ ଜଣ ଲୋକ ଓଡିଶା ଯିବେ । ଜଣ ପିଛା 1500 ଟଙ୍କା ଦେଲେ ଭୁବନେଶ୍ବରରେ ଆରାମରେ ପହଞ୍ଚାଇଦେବ ବୋଲି ଡ୍ରାଇଭରଟି ବାହାସ୍ଫୋଟ ମାରୁଥିଲା । ବିସ୍କୁଟ ଓ କୁରୁକୁରେ ପ୍ୟାକେଟ ଗୁଡିକ ସହ କେବଳ ୧୨ ଘଣ୍ଟା ସାଲିସ୍ କରିପାରଲେ ହେଲା ।
ସୀମା ତିନୋଟି 500 ଟଙ୍କିଆ ନୋଟ ଡ୍ରାଇଭର ହାତକୁ ବଢାଉଥିବାବେଳେ ଭାବୁଥିଲା ଏ ମଣିଷ ଗୁଡାକ ଅସମୟରେ ହିଁ କେମିତି ଅସହାୟତାର ସୁଯୋଗ ନେଇଥ
ାନ୍ତି । ସେ ଯାହା ହେଉ ତାକୁ ଅତି ଶିଘ୍ର ଘରେ ପହଞ୍ଚିବାର ଅଛି । ବାପା ଙ୍କ ଦେହ ଖରାପ । ଯୋଉ ବାପା ନିଜେ କଷ୍ଟ ସହି ତାକୁ ବଡ କଲେ ,ତାର ଚାକିରୀ ଖଣ୍ଡିଏ ପାଇଁ ଜମି ବିକି ଦଲାଲକୁ ଟେକିଦେଲେ , ଦଲାଲ ଟଙ୍କାତକ ନେଇ ବେଇମାନୀ କରିବାରୁ ଆଜି ତାକୁ ଗ୍ରାଜୁଏଟ୍ ହୋଇବି ଦାଦନ ଖଟିବାକୁ ପଡୁଛି ଏଇ ଦୁଃଖରେ ଯିଏ ତିଳ ତିଳ ମରିଚାଲିଥିଲେ ସେ ହୁଏତ ଆସନ୍ତାକାଲି ଅତୀତ ହୋଇଯିବେ ଏଇ ଭାବନାରେ ତା ଆଖିକୁ ନିଦ ଆସୁନଥିଲା । ଗାଡି ରାତ୍ରିର କାଳୀମା ଚିରି ଓଡିଶା ଆଡକୁ ମୁହାଁଉଥିଲା । ଦୀର୍ଘ 12 ଘଣ୍ଟା ..500ରୁ ଉର୍ଦ୍ଧ୍ବ କି.ମି । ସୀମା ସେ ବିସ୍କୁଟ୍ ପେଟି ଗୁଡିକ ଭିତରେ ପଶି ଅସ୍ତବ୍ୟସ୍ତ ହେଇପଡୁଥିଲା । ତଥାପି ଉପାୟ ନାହିଁ ,ବିକଳ୍ପହୀନ ହେତୁ ଜାକିଜୁକି ହୋଇ ସେମିତି ବସିରହିଲା । ରାତିଟି ବଡ କଷ୍ଟରେ ବିତିଲା । ସକାଳ ହେଲା । ଓଡିଶାରେ ପହଞ୍ଚିବା ପୂର୍ବରୁ ଗାଡିଟି ପୋଲିସ ଦ୍ବାରା ଅଟକ ରହିଲା । ପୋଲିସ ଡି.ଜିଙ୍କ କଡା ନିର୍ଦ୍ଦେଶ ସବୁଗାଡି ଓଡିଶା ରେ ପହଞ୍ଚି ପୂର୍ବରୁ ଚେକ ହେବ । ନଚେତ ଗାଡି ସି.ଜ କରାଯିବ । ଡ୍ରାଇଭଟି ଖସିବାର ସବୁ ଉପାୟ କରିଲା । କିନ୍ତୁ ଫଳପ୍ରଦ ହେଲାନାହିଁ ଓଲଟି ମାଲଗାଡିରେ ଯାତ୍ରୀ ପରିବହନ କରୁଥିବାରୁ ଫାଇନ ଦେଲା । ବାଧ୍ୟ ହୋଇ ସୀମା ଅନ୍ୟ ମାନଙ୍କ ପରି ସେଠାରୁ ଚାଲି ଚାଲି ଗାଁ ଅଭିମୁଖେ ବାହାରିଲା । ଆହୁରି 80 କି.ମି ରାସ୍ତା ଯିବାର ଅଛି । ସେ ନିଜର ବେଗ୍ ଦୁଇଟା ଧରି ଗାଁ ଆଡକୁ ଚାଲିଲା । ଚାଲି ଚାଲି ଯାଉଥିବା ବେଳେ ବାପାଙ୍କ କଥା ମନେ ପଡି ଆଖିରୁ ଲୁହର ଧାର ବହିଚାଲିଲା । ସେ ଆଗକୁ ଆଗକୁ ଯେତେ ଯାଉଥିଲା ବାପାଙ୍କ ପ୍ରତିଟି କଥା ସେତେ ମନେ ପଡୁଥିଲା । ଏମିତି ଚାଲି ଚାଲି ପ୍ରାୟ 10 କି.ମି ଯାଇଥିବ ସେପଟେ କୋଭିଡ-19 ଦାୟିତ୍ବରେ ଥିବା ଜଣେ ପ୍ରଶାସନିକ ଅଧିକାରି ନିଜ ଜିପରେ ଯାଉଥିବାବେଳେ ତାଙ୍କର ନଜର ପଡିଲା । ତାକୁ ଏକାକି ପୁଣି ଏତେ ସାମାନ ଧରି ଯାଉଥିବା ଦେଖି ଅଧିକାରୀ ଜଣଙ୍କ ଗାଡି ଅଟକାଇ କାରଣ ପଚାରିଲେ । ପରେ ସେ ତାକୁ ନିଜ ଜିପରେ ବସାଇ ପରବର୍ତ୍ତୀ ବ୍ଳକ ହେଡ କ୍ବାଟର ରେ ଛାଡିଲେ । ଗଲାବେଳେ ଅଧିକାରୀ ଜଣକ ଖଣ୍ଡେ କାଗଜ ତା ହାତକୁ ବଢାଇ ଦେଲେ । ଯେଉଁଥିରେ ସେ କରୋନା ଲଢେଇରେ ଜଣେ ଯୋଦ୍ଧା ପାଲଟି,ମୁହଁକୁ ମାସ୍କରେ ଘୋଡେଇ, ହାତକୁ ବାରମ୍ବାର ସାବୁନରେ ଧୋଇବା, ସାମାଜିକ ଦୂରତ୍ବ ରକ୍ଷାକରିବା ଓ ଏଇ କରୋନା ଭୁତାଣୁ ଠାରୁ ବିଜୟୀ ହେବାର ବାର୍ତ୍ତା ଲେଖାଥିଲା । ସେଇ ଅଧିକାରୀଙ୍କ ସଦଇଛା ବଳରେ ସେ ରାସ୍ତାରେ ପଡୁଥିବା ପ୍ରତିଟି ବ୍ଳକରୁ ସହାୟତା ପାଇଲା ଓ ନିଜ ଗାଁରେ ପହଞ୍ଚିପାରିଲା । ଘରେ ପହଞ୍ଚି ଆମ୍ବୁଲାନ୍ସ ଡକାଇ ବାପାଙ୍କୁ ମେଡିକାଲ ନେଲା, ଚିକିତ୍ସା କରାଇଲା ଆଉ ନିଜେ ନିଜର ଟ୍ରାଭେଲ ହିଷ୍ଟ୍ରି ଦେଇ 14 ଦିନ ପାଇଁ କ୍ବାରେଣ୍ଟାଇନ୍ କୁ ଗଲା । ସୀମା ମହାପୁରୁଷଙ୍କ କଥା ବହିରେ ପଢିଥିଲା କିନ୍ତୁ ସେ ଦିନ ସତରେ ପ୍ରଥମେ ଜଣେ ମହାପୁରୁଷଙ୍କ ସାକ୍ଷାତ ପାଇପାରିଲା ବୋଲି ମନେପକାଇ କୃତକୃତ୍ୟ ହୋଇଉଠିଲା ।
ବାର୍ତ୍ତା÷ଘରେ ରୁହନ୍ତୁ, କରୋନା ଦାଉରୁ ମୁକ୍ତ ରୁହନ୍ତୁ , ସଚେତନ ହୋଇ ଲକଡାଉନର ନିୟମ ମାନନ୍ତୁ, ହାତକୁ ବାରମ୍ବାର ସାବୁନରେ ଧୁଅନ୍ତୁ , ମାସ୍କ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ ॥
.........ଧନ୍ୟବାଦ..........