ଦୁଶ୍ଚରିତ୍ରା
ଦୁଶ୍ଚରିତ୍ରା
୧୯୯୧ -୯୨ ମସିହା ଘଟଣା l ମୁଁ ଓ ମୋର ସ୍ତ୍ରୀ,ଗୋଟିଏ ପୁଅ ଓ ଗୋଟିଏ ଝିଅ ସେତେବେଳେ ସହରରେ ଏକ ଭଡ଼ା ଘରେ ରହୁଥାଉ l ଦିନେ ଗୋଟିଏ ପ୍ରାପ୍ତ ବୟସ୍କ ଝିଅ ଭଡ଼ା ଘର ଖୋଜି ଖୋଜି ଆସି ଆମ ଘର ମାଲିକଙ୍କ ଦ୍ୱାରସ୍ଥ ହେଲା l ମାଲିକ ତାଙ୍କୁ ଆମ ପାଖ ରୁମ୍ ରେ ରହିବାକୁ ଅନୁମତି ଦେଲେ l ସେଇ ଝିଅ ନା ଛବି l ତାର ଚେହେରା ଓ ଫେସନ୍ ରୁ ଜଣାପଡୁଥାଏ ଯେ ସେ ଜଣେ ଶିକ୍ଷିତା ଆଉ କର୍ମଜୀବୀ ମହିଳା l ପ୍ରତିଦିନ ସକାଳ ଦଶଟାରେ ଘରୁ ବାହାରିଯାଏ କାନ୍ଧରେ ଭ୍ୟାନିଟି ବ୍ୟାଗ ଝୁଲାଇ, ମୁହଁରେ କସ୍ମେଟିକ୍, ଓଠରେ ଲିପ୍
ସ୍ଟିକ୍ , ଆଖିରେ କଜଳ ଲଗାଇ ଆଉ ହାଇ ହିଲ୍ l ପ୍ରାୟ ମାସେ ରହିଲା ପରେ ତା ସହିତ ଆମ ପରିବାରର ସମ୍ପର୍କ ବଢ଼ିଗଲା l ମାତ୍ର ତାହାର ଆବହାୱା କେମିତି କେମିତି ଲାଗୁଥିଲା ଖାପ ଛଡ଼ା l
ଆମେ ଲକ୍ଷ୍ୟ କରୁଥିଲୁ, ତା ପାଖକୁ ଅନେକ ଲୋକ ଆସୁଥିଲେ l କିଶୋର ଠାରୁ ପ୍ରଉଢ଼ ଯାଏଁ l ଆମେ ତାକୁ ପଚାରୁ ଏମାନେ କିଏ? ଉତ୍ତର ମିଳେ ଏମାନେ ମୋର ସମ୍ପର୍କୀୟ ଭାଇ, ଦାଦା, ମାମୁଁ, ଭିଣେଇ ଇତ୍ୟାଦି l ସେମାନେ ଗୋଟାଏ ରାତି ତା ରୁମରେ ରହି ଚାଲି ଯାଆନ୍ତି ସକାଳୁ l ଝିଅଟି ତାର ନିତ୍ୟ କର୍ମ ସାରି ଯାଏ ବାହାରକୁ l
ଏମିତି କେତେ ଦିନ ଗଲା ପରେ ଆଉ ଏପରି ଅନେକ ଲୋକଙ୍କ ପ୍ରତିଦିନ ଯିବା ଆସିବା ଦେଖି ଆଉ ଘର ଭିତରୁ କିମ୍ଭୁତ କିମାକାର ଥାପୁଡ଼େଇବା ଆୱାଜ ଶୁଣି ସାଇ ପଡ଼ିଶା ଲୋକଙ୍କ ମନରେ ଆସିଲା ସନ୍ଦେହ l କ୍ରମେ କ୍ରମେ ଏ କଥା ପଡ଼ିଲା ଘର ମାଲିକଙ୍କ କାନରେ l
ତେଣୁ ସେ ପ୍ରକୃତ କଥା ଜାଣିବା ପାଇଁ ଅପେକ୍ଷା କରି ରହିଲେ କିଛି ଦିନ l ଦିନେ ରାତିରେ ଜଣେ ଯୁବକ ଆସିଲେ ତା ପାଖକୁ l ସେହି ଯୁବକ ରୁମ୍ ରେ ପ୍ରବେଶ କଲା ପରେ ଆସିଲେ ଆଉଜଣେ ଅଚିହ୍ନା ଯୁବକ l ସେ କବାଟର ଶିକୁଳି ଖଟ ଖଟ କରି ନିର୍ଦ୍ଦେଶ ଦେଲା କବାଟ ଖୋଲିବାକୁ l ମାତ୍ର ଛବି ନଖୋଲିବାରୁ ଆରମ୍ଭ ହୋଇଗଲା ଝଗଡ଼ା l ଭିତର ଯୁବକ ଓ ବାହାର ଯୁବକଙ୍କ ମଧ୍ୟରେ ହେଲା ପ୍ରବଳ ପାଟିତୁଣ୍ଡ l ଛବି ବାଧ୍ୟ ହେଲା କବାଟ ଖୋଲିବା ପାଇଁ l ବାହାରେ ଠିଆ ହୋଇଥିବା ଯୁବକ ଜଣକ ଛବି ଗାଲରେ ବସେଇ ଦେଲା ଏକ ଶକ୍ତ ଚାପୁଡ଼ା l ଘର ଭିତର ଯୁବକ ବାହାର ଯୁବକ ଗାଲରେ ବି ବସେଇ ଦେଲା ଦିଟା ଠୋ ଠା ଚଟକଣୀ l ଫଳରେ ତିନି ଜଣଙ୍କ ମଧ୍ୟରେ ଆରମ୍ଭ ହେଲା ଭୀଷଣ ଝଗଡ଼ା ଆଉ ପିଟା ପିଟି ବିଧା ମରାମରି ଚୁମୁଟା ଚୁମୁଟି l
ସାଇ ପଡ଼ିଶା ସମସ୍ତେ ଚାହିଁ ରହିଥାନ୍ତି ତାଟକା ହେଇ l କିନ୍ତୁ କେହି କେହି ପାଖକୁ ଆସି ଚେଷ୍ଟା କରୁନଥିଲେ ସେମାନଙ୍କୁ ରୋକିବା ପାଇଁ l ଅଭଦ୍ର ଭାଷାରେ ଗାଳି ଗୁଲଜ ଦେଖି ଆମର ସହ ଧର୍ମିଣୀ ଚେଷ୍ଟା କଲେ ରୋକିବାକୁ l ମାତ୍ର ସବୁ ଚେଷ୍ଟା ବିଫଳ l ଏମିତି ଝଗଡ଼ା ଚାଲିବା ଭିତରେ ଆସି ପହଞ୍ଚିଗଲେ ଘର ମାଲିକ l ମାଲିକ ପଚାରିଲେ, " କିଓ ବାବୁ ଏମିତି କଣ ଶୋଧା ଶୋଧି କରୁଛ ଖରାପ ଭାଷାରେ l ଏଇଟା ଗୋଟାଏ ଶିକ୍ଷିତ ଘର l ଘଟଣା ଟା କୁହ କଣ? ଆମେ ସମାଧାନ କରିବୁ l ବନ୍ଦ କର ପାଟି l ଆମକୁ ବି ଆସେ ହାତା ହାତି l ବେଶୀ କିଛି ହେଲେ ଆମେ ବାଧ୍ୟ ହବୁ ତମ ନାଆରେ ଥାନାରେ ଏତଲା ଦେବା ପାଇଁ l "
ଘର ମାଲିକଙ୍କ ମୁହଁରୁ ଏପରି ଶୁଣିବା ଆଉ ପାଞ୍ଚ ଜଣ ପଡ଼ିଶା ଭଦ୍ରବ୍ୟକ୍ତି ଆସିବା ପରେ ବନ୍ଦ ହେଲା ସେମାନଙ୍କ ପାଟି l ପଦାକୁ ଆସିଲେ ତିନି ଜଣ ଯାକ l
କଥାରେ ଅଛି ମାଡ଼କୁ ମହାଦେବ ଡରନ୍ତି l
ଲୋକ ଗହଳି ଭିତରେ ଆଉ ମାଡ଼ ଭୟରେ ଖସି ପଡ଼ିଲା ସେମାନଙ୍କ ମୁଣ୍ଡରୁ ପୋକ l ଯୁବକ ଦୁଇ ଜଣଙ୍କ ମଧ୍ୟରୁ ଜଣଙ୍କ ମୁହଁରୁ ସତ କଥାଟା ବାହାରି ପଡ଼ିଲା l ମୁହଁରୁ ବାହାରି ଆସିଲା ବିନମ୍ର ବଚନ l ସେ ସମସ୍ତଙ୍କ ଆଗରେ ପ୍ରକାଶ କଲା, "ଆଜ୍ଞା ଏଇ ଝିଅ ଆମ ଗାଁର l ମୁଁ କଟକ ଆସିଥିଲି ଘର ପାଇଁ ଜିନିଷ କିଣିବାକୁ l ପୂର୍ବରୁ ଥରେ ଏଠିକି ଆସିଥିଲି l ତେଣୁ ଖୋଜି ଖୋଜି ଆ ପାଖରେ ପହଞ୍ଚିଲି l ଆସିଲା ବେଳେ ବାଟରେ ଆଆର ଜଣେ ସାଙ୍ଗ ଦେଖା ହେଲା l ସେଇ ଝିଅଟି ଭଲ ଝିଅ l ତା ଠାରୁ ଖବର ପାଇଲି ଯେ, ଛବି ଚାକିରୀ କରିବ ବୋଲି ମିଛ କହି କଟକ ଆସିଛି l କିନ୍ତୁ ଚାକିରୀ ବାକିରି କିଛି କରିନି l ଆଜ୍ଞା ଇଏ ବିଏ ପାସ୍ କରିଛି ଆମ ଗାଁ କଲେଜରୁ l ବାପାମାଙ୍କ ଗୋଟିଏ ଝିଅ l ସାମାନ୍ୟ କଥାରୁ ଘରେ କଜିଆ କରି ଏଠିକି ପଳେଇ ଆସିଛି l ପ୍ରାୟ ବର୍ଷେ ହେଲା କିଛି କାମ ନଖୋଜି ଦେହ ବ୍ୟବସାୟ କରୁଛି l ଏହି ଯୋଉ ଟୋକାଟାକୁ ଦେଖୁଛନ୍ତି ଆଜ୍ଞା! ସେ ତାର ଗୋଟାଏ ଗରାଖ l ପ୍ରାୟ ପ୍ରତିଦିନ ତାପାଖକୁ ଯୋଉମାନେ ଆସନ୍ତି ସେମାନେ ସବୁଗୁଡ଼ା ଆଆର ଗରାଖ l ସେମାନଙ୍କ ମଧ୍ୟରୁ ଯେଉଁମାନେ ବିନା ପାଉଣାରେ ଆ ପାଖରେ ଶୋଇବାକୁ ଚେଷ୍ଟା କରନ୍ତି ସେମାନଙ୍କ ସହିତ ଇଏ ଝଗଡ଼ା କରେ l ଗୁଣ୍ଡା ଶ୍ରେଣୀର ଲୋକ ଥିବାରୁ ଇଏ ବେଳେ ବେଳେ ବାଧ୍ୟ ହୁଏ ଶୋଇବାକୁ l ଏଇ ହଉଛି ଆଆର ଅସଲିୟତ୍ l ଆଜ୍ଞା ଆ ବିଷୟରେ ମୁଁ ସତ କଥାଟା କହିଲି l ଏଣିକି ବିଚାର ଆପଣଙ୍କ ହାତରେ l"
ଆମ ଘର ମାଲିକ ଅତି ଭଦ୍ର ଲୋକ ଆଉ ଶିକ୍ଷିତ l ସେ କୌଣସି ଝଗଡ଼ା ବା ଗୁଣ୍ଡାମୀ ଆଦୌ ପସନ୍ଦ କରନ୍ତିନି l ସେ ଜଣେ ଇଜ୍ଜତଦାର ବ୍ୟକ୍ତି l ସହରରେ ରହିଛି ତାଙ୍କର ସୁନାମ l ଇଜ୍ଜତକୁ ଆଖି ଆଗରେ ରଖି ଛବିକୁ କହିଲେ, " ଆଲୋ ମା ତୁ ଯୋଉ ଲାଇନ୍ ରେ ପାଦ ଦେଇଛୁ ସେଥିରେ ତୋର ରୋଜଗାର ହେଲେ ସୁଦ୍ଧା ତୋର ଶିକ୍ଷାଦୀକ୍ଷା ଆଉ ତୋର ପରିବାରର ମାନ ମହତ ସବୁ ପଦାରେ ପଡ଼ିଯିବ l ବେଳ ଥାଉଁ ଥାଉଁ ସୁଧୁରି ଯାଆ ମା ' l ନହେଲେ ତୋ ପାଇଁ ସମସ୍ତେ ଭୋଗିବେ l ତତେ ଝିଅ ହିସାବରେ ଯାହା କହିବା କଥା କହିଲି ତେଣିକି ତୁ ଯାହା କରିବୁ l ଯା ତୋର ଜିନିଷ ପତ୍ର ସବୁ ବନ୍ଧା ବନ୍ଧି ଶୀଘ୍ର କର l ଏଇ ମୁହୂର୍ତ୍ତରେ ମୋ ଘର ଖାଲି କର l ତୁ ମୋତେ ଯେତେ ଟଙ୍କା ଦେଲେବି ତୋ ପରି ଗୋଟାଏ ବେଶ୍ୟା ଝିଅକୁ ମୋ ଘରେ ରଖି ପାରିବିନି l " ଘର ମାଲିକଙ୍କ ଏତାଦୃଶ ବିଚାର ଛବିର ଗାଁ ବାସିନ୍ଦା ଲୋକଟିର ମନକୁ ପାଇଲା l ଆଉ ସେ ଖୁସି ହେଇ କହିଲା, " ଆଜ୍ଞା ଉଚିତ୍ ବିଚାର କରିଛନ୍ତି l ଏପରି ଝିଅଟିକୁ ଘରେ ରଖିଲେ ଘରୁ ଶିରୀ ତୁଟିଯିବ ଆଜ୍ଞା l ମୁଁ ତାକୁ ସାଙ୍ଗରେ ନେଇ ତା ମାବାପାଙ୍କ ପାଖରେ ଛାଡ଼ିବି l ତନ୍ତୀ ଘର ପିଲା l ବାପାମାଙ୍କୁ ଲୁଗା ବୁଣାରେ ସାହାଯ୍ୟ କରିବ l "
କିଛି ସମୟ ପୂର୍ବରୁ ସାହି ମୁରବୀଙ୍କ ଠାରୁ ଦୁଇ ବିଧା ଖାଇ ଗରାଖ ଟୋକା ଜଣକ ତା ସାଇକେଲ୍ ଚଢ଼ି ଛୁ ମାରିଥିଲା l ବର୍ତ୍ତମାନ ନିଜ ଗାଁ ବାଲା ଜଣକ ତଳକୁ ମୁହଁ କରି ଠିଆ ହେଇଥିବା ଧନ୍ଦାବାଲି ଛବିକୁ ସାଙ୍ଗରେ ଧରି ଆଉ ତାହାର ଆସବାବ ପତ୍ର ଗୁଡ଼ିକୁ ଏକ ଟ୍ରଲିରେ ଲଦି ବସ୍ ଷ୍ଟାଣ୍ଡ ଆଡ଼କୁ ଆଗେଇ ଗଲେ l ସାଇର ସ୍ତ୍ରୀ ପୁରୁଷମାନେ ପଛରେ ଠିଆ ହେଇ ଚାହିଁ ରହିଥାନ୍ତି ଓ ଟୁପ୍ ଟାପ୍ ହଉଥାନ୍ତି -- ସତରେ ଇଏ ଗୋଟାଏ ବାଜେ ଝିଅଟା ଆମେ ଜାଣି ନଥିଲୁ l ତା ମିଠା କଥାରେ ଭାସିଗଲୁ l ଭାବିଥିଲୁ ଗୋଟାଏ ଶିକ୍ଷିତ ଚାକିରିଆ ଝିଅ ଆମ ପିଲାମାନଙ୍କୁ ପାଠ ପଢ଼େଇବ l ଦେଖିଲା ବେଳକୁ ମହାକାଳଫଳ l ଛି ଛି ଭଗବାନ୍ ଏମିତିକା ଝିଅ କୋଉ ବାପମାଙ୍କୁ ନଦିଅନ୍ତୁ l ଯାହା ବି ହେଉ ସାହିରୁ ତଡ଼ା ଖାଇଲା ଭଲ ହେଲା l
ଘର ମାଲିକ ଯଦି ପଇସା ଲୋଭରେ ରଖି ଥାନ୍ତା ତେବେ ଆମ ଛୁଆପିଲା ଛତରା ଛତରୀ ହେଇଯାଇଥାନ୍ତେ l ଈଶ୍ବର ଯାହା କରନ୍ତି ମଙ୍ଗଳ ପ୍ରାଣୀର ପାଇଁ l
ଈଶ୍ବରଙ୍କ ଦୁନିଆଁରେ ଭଲ ଅଛି ମନ୍ଦ ଅଛି l ସମୟ ଅନୁସାରେ ସବୁ କିଛି ପରିବର୍ତ୍ତନ ହେଇ ଚାଲିଛି l ମଣିଷର ଚାଲିଚଳନ, ବ୍ୟବହାର, ବେଶଭୁଷା ଖାଦ୍ୟପେୟ, ରୋଜଗାର ପନ୍ଥା ନିର୍ଦ୍ଧାରଣ, ନାରୀ ଚରିତ୍ର ପରିବର୍ତ୍ତନ, ଅର୍ଥାନୁଗତ୍ୟ ମାନସିକତା, ବିନା ପରିଶ୍ରମରେ ବେଶୀ ଆୟାକାରୀ ପନ୍ଥା ନିର୍ଦ୍ଧାରଣ ଇତ୍ୟାଦି ଇତ୍ୟାଦି l ଅର୍ଥକାମୀ ଲଳନାବୃନ୍ଦେ ସ୍ୱଇଛାରେ ଗଣିକାବୃତ୍ତି ଗ୍ରହଣ,ଆଧୁନିକଯୁଗରେ ଦୃଷ୍ଟି ଗୋଚର ହେଉଛି ଯାହା ଆମେ ଭାବିନେଇ ପାରିବା ଈଶ୍ୱରଙ୍କ ବୋଧ ହୁଏ ଏଇୟା ଇଚ୍ଛା ଯୁଗ ଧର୍ମ ପାଳନାର୍ଥେ l
ଆମ ପରିବାର ବର୍ଗ ମା କଟକ ଚଣ୍ଡୀଙ୍କୁ ପ୍ରାର୍ଥନା କଲୁ କି, "ହେ ମା' ଛବିରାଣୀ ପରି ଏମିତି ସମସ୍ତ ଯୁବତୀଗଣଙ୍କୁ ଜୀବନ ଧାରଣର ଉପଯୁକ୍ତ ପନ୍ଥା ଦର୍ଶାଇ ସେମାନଙ୍କୁ ସୁପରିଚାଳିତ କରନ୍ତୁ l ସେମାନେ ନାରୀ ଜୀବନର ପ୍ରକୃତ ଦାର୍ଶନିକ ମୁଲ୍ୟ କଣ ଜାଣନ୍ତୁ l ସେମାନେ ନିଜକୁ ନିଜେ ଚିହ୍ନନ୍ତୁ ଆଉ ନିଜକୁ ଶକ୍ତିଶାଳୀକରି ସମଗ୍ର ନାରୀଜଗତର କୀର୍ତ୍ତି ବର୍ଦ୍ଧନ କରନ୍ତୁ l ନିଜ ପରିବାର ଓ ଦେଶର ମର୍ଯ୍ୟାଦା ରଖନ୍ତୁ ଆଗାମୀ ଦଶନ୍ଧିରେ l
