ଧୋଇଦେଲା ଆଖିଲୁହ
ଧୋଇଦେଲା ଆଖିଲୁହ


ସମୟର ତିନି କଣ୍ଟା ଟିକଟିକ୍ କରି ଆଗେଇ ଚାଲିଛି, କେବେ ପଛକୁ ଫେରି ଚାହିଁନି । ଜୀବନର ଚଲାପଥରୁ ପଛକୁ ବୁଲି ଦେଖିଲା ବେଳକୁ ଅତୀତର ସବୁ ସ୍ମୃତି ମନର ସାଧା କାଗଜରେ ଲିପିବଦ୍ଧ ହୋଇ ସାରିଛି । ସମୟ ସନ୍ଧ୍ୟାର ଆଗମନ, ଆମ୍ବ ତୋଟା ପଡିଆରେ ଆକାଶ ଏକୁଟିଆ ବସିଥାଏ ।
ପଶ୍ଚିମ ଆକାଶଟା ଅସ୍ତଗାମୀ ସୂର୍ଯ୍ୟଙ୍କ କିରଣରେ ସୁନେଲି ବର୍ଣ୍ଣ ଧାରଣ କରିଛି । ଆକାଶର ଛାତି ଚିରି ନୀଡ ଅଭିମୁଖେ ବିହଙ୍ଗ ମାନେ ଆଗେଇ ଚାଲିଥାନ୍ତି । ପାଖ ତାଳବଣରୁ ବାଇଚଢେଇର କିଚିରି ମିଚିରି ସ୍ବର ମନକୁ ଆନନ୍ଦିତ କରୁଥାଏ । ବଣମଲ୍ଲୀର ବାସ୍ନା ପବନର ତାଳେ ତାଳେ ଭାସି ଆସୁଥାଏ ।
ଗୋଠ ବାହୁଡାର ପାଦଧୂଳିରେ ସନ୍ଧ୍ୟାରାଣୀ ଗ୍ରାମପଥ ଦେଇ ଧୀରେଧୀରେ ଗ୍ରାମକୁ ପ୍ରବେଶ କରୁଥିବା ବେଳେ ଜଗନ୍ନାଥ ମନ୍ଦିରରୁ ସନ୍ଧ୍ୟା ଆଳତୀର ଘଣ୍ଟ ଧ୍ବନୀ ସଙ୍ଗେ କୂଳ ଭୁଆଷୁଣୀ ମାନଙ୍କ ତୁଳସୀ ମୂଳରେ ସଞ୍ଜଦୀପ ଦେଲାପରେ ଶଙ୍ଖ ଧ୍ବନୀ ଚେତନାକୁ ଜାଗ୍ରତ କରିଦେଲା ।
ଭାବ ବିହ୍ବଳ ହୋଇ ଇତି ଅବସରେ ଅତୀତର କେତେ କଥାକୁ ବର୍ତ୍ତମାନର ସମୟ ଦର୍ପଣରେ ଦେଖିବାକୁ ଚେଷ୍ଟା କରି ବସିଥିଲା ଆକାଶ । ସେଇ ପୁରୁଣା ଦିନ ମମତାମୟୀ ବୋଉର ସ୍ନେହ ଆଦର ମନଟାକୁ ତାର ଘାଣ୍ଟି ପକଉଥାଏ । ସେଇ ଅଭୁଲା ଛବି ଆଖି ଆଗରେ ସଦାବେଳେ ନାଚିଯାଉଥାଏ ।
ମାତ୍ର ଦଶ ବର୍ଷ ବୟସରେ ବୋଉ ଚାଲିଗଲା ପରଠୁ ଏ ପ୍ରଯ୍ୟନ୍ତ ଆଖିରୁ ଲୁହ କେବେ ଶୁଖିନି । ଚତୁର୍ଥ ଶ୍ରେଣୀ ପଢୁଥିଲା ଆକାଶ । ବୋଉ ଗଲାପରେ ପାଠପଢା ତାର ବନ୍ଧ ହୋଇଗଲା । ସାନ ଭଉଣୀର ବୟସ ଛଅ ବର୍ଷ ତାର ଦେଖାଶୁଣା କରିବା ସହ ଘରର ଛୋଟ ମୋଟ କାମ କରିବାକୁ ପଡୁଥିଲା ।
ପଡିଶା ଲୋକଙ୍କ କଥାରେ ବାପା ଦ୍ବିତୀୟ ବିବାହ କଲେ । ହେଲେ କିଛି ପରିବର୍ତ୍ତନ ବଦଳରେ ଅଧିକ ଚିନ୍ତାଗ୍ରସ୍ତ ହୋଇପଡିଛି ଏବେ ଆକାଶ । ତାର ସାବତ ମାଆ ,କେହି ବେଳେ ଭାଇ ଭଉଣୀ ଦୁହିଁକୁ ଭଲ କରେନାହିଁ । ଶାନ୍ତିରେ ଖାଇବାକୁ ଗଣ୍ଡେ ଦିଏନି କାମ ପରେ କାମ ବରାଦ କରିଚାଲେ । ଏ ଦୁଃଖ କାହାକୁ ବା କହିବ ସେ,ସାବତ ମାଆ ଧମକ ଦେଇଛି ବାପାଙ୍କୁ କହିଲେ ଖାଇବା ବନ୍ଦ ।
ମାମୁଁ ଘରକୁ ଭାଇ ଭଉଣୀ ଦୁହେଁ ଚାଲି ଯିବାକୁ ନିଷ୍ପତ୍ତି ନେଲା ବେଳକୁ ବାପା ମନା କରନ୍ତି । କଣ ବା କରିବ ସେ ବାପାଙ୍କ ମୁହଁକୁ ଦେଖିଲା ବେଳବୁ ମନ ଭାଙ୍ଗିଯାଏ । ନିଜେ ସବୁ ଦୁଃଖ ସହି ସାନ ଭଉଣୀକୁ ସୁଖରେ ରଖିବ ପାଠ ପଢାଇବ କେତେ କଥା ମନରେ ଭାବିଯାଏ । ଭାବନା ଭିତରେ ଦୁଇଧାର ଆଖିରୁ ଗରମ ଲୁହ ଝରଣା ପରି ଝରି ଚାଲିଥାଏ ।
ଏତିକି ବେଳେ କୁଆଡେ ଥିଲା କେଜାଣି କଳାହାଣ୍ଡିଆ ମେଘଟା ଅନ୍ଧାର କରି ମାଡି ଆସି ରିମିଝିମ୍ ସ୍ବରେ ଅଛଡାଏ ବର୍ଷା ଢାଳିଦେଲା । ଆକାଶ ର ଆଖିରୁ "ଧୋଇଦେଲା ଆଖିଲୁହ" ।