ଦାୟୀ ମୁଁ
ଦାୟୀ ମୁଁ
ତିନିପୁରୁଷ ପରେ ୫୬ ଜଣିଆ ଯୌଥ ସାବତ ପରିବାରର ମଝିଆ ପୁଅବୋହୁର କୋଳରେ ଲକ୍ଷ୍ମୀ ପ୍ରତିମାଟିଏ କୋଳମଣ୍ଡନ କଲା । ଧୋବ ଫର ଫର,ଛୁଞ୍ଚି ନାକ , ଲକ୍ଷ୍ମୀ ପାଦ ଭଳି ହାତପାଦ । ଆହାଃ କେତେ ଗୁଲୁଗୁଲିଆ ।ଜେଜଠାରୁ ଆରମ୍ଭ କରି ଦାଦା,ଖୁଡି,ମାଆଯାଏ ସମସ୍ତଙ୍କ ଛାତି କୁଣ୍ଡେ ମୋଟ ।
ମୁହୂର୍ତ୍ତେ ବି ଭୂଇଁଛୁଆଁ କରେଇ ଦିଅନ୍ତି ନାହିଁ । ଏ କାଖ ସେ କାଖ ହୋଇ ଠୁକୁଠୁକୁ ବି ଚାଲିଲା । ଚାଲିଲା, ଖେଳିଲା , ବୁଲିଲା ।ଧୀରେ ଧୀରେ ବଡହେଲା ।ଯେତିକି ବଡ ହଉଥାଏ ।ସେତିକି ଅଙ୍ଗର ପରିବର୍ତ୍ତନ ଘଟିଲା ।ଦିନକୁ ଦିନ ସୁନ୍ଦରତା ବି ବଢୁଥିଲା ।
ଗାଁ ଦାଣ୍ଡରେ ଚାଲିଯାଉ ଥିଲେ ।ଟୋକାଏ ଚାତକ ଭଳି ଆଶାସକ୍ତ ଚାହାଣୀରେ ଚାହିଁ ରହୁଥିଲେ । ବଢିଲା ଝିଅ ତ ପୁଅଙ୍କ ଚାହାଣୀ ଦେଖି ଫୁଲେଇ ହଉଥାଏ । ଗେହ୍ଲା ହୋଇ ବଢିଥିବାରୁ ଗୋଡ କଚଡା ଚାଲିରେ ଗର୍ବ, ଅହଂକାର ଫେଣ୍ଟାଫେଣ୍ଟି ହୋଇଗଲା । କଥାକଥାକେ ଜବାବ । ସାଇପଡୋଶୀ ସଭିଏଁ ମିତାର ଏ ବ୍ଯବହାରରେ ଅସନ୍ତୁଷ୍ଟ।
ସତର ଭରି ଅଠର ଯେବେ ଚାଲିଲା । ବିବାହ ପାଇଁ ପ୍ରସ୍ତାବ ପରେ ପ୍ରସ୍ତାବ ଆସିଲା । କାହାକୁ କ'ଣ କହି ବାହୁନି ଦିଏ ,ପରିବାରରେ ସଭିଏଁ ବ୍ଯସ୍ତ । ବଢିଲା ଝିଅର ପାଦ ଖସିଗଲେ ସର୍ବ ନାଶ ।କେତେ ବେଳେ କାହା ନଜରରେ ରହିଯିବ ଯଦି ସବୁ ସରିଯିବ ।ପାଞ୍ଚ ଖଣ୍ଡ ଗାଁ ରେ ଥିବା ମାନସମ୍ମାନ ସବୁ ଚାଲିଯିବ । ସମସ୍ତେ ବ୍ଯସ୍ତ ହୋଇପଡିଲେ ।
ବିଧାତାର କୃପା ବଳରେ କିଛି ଦିନ ପରେ ପାଖ ଗାଁ ଅଶୋକ ସହିତ ବିବାହ ହେଲା ।
ଯାର ଯଉ ପ୍ରକୃତି କୁଆଡେ ବା ଯିବ । ସୁନ୍ଦର ଚେହେରା ପାଇଁ ମନରେ ଭରା ଗର୍ବ । ଶାଶୁଘରେ ନ ପଶୁଣୁ କଥା କଥାକେ ଜବାବ ।କୁଟା ଦିଖଣ୍ଡ ବି କରୁ ନଥାଏ ।
ସମସ୍ତଙ୍କ ଭିତରେ ଅଶାନ୍ତି ଓ ଭୟର ବାତାବରଣ ସୃଷ୍ଟି କରିନେଲା ।ଅଶୋକ ଯାହା ବୁଝାଇଲେ ବି ସେ ତ ଜିଦ୍ଖୋର । ଏ କାନରେ ଶୁଣି ଆର କାନରେ ବାହାର କରିଦଉଥିଲା । ଏଥିପାଇଁ କେତେ ଥର ଡିର୍ଭସ ଦେବାଯାଏ କଥା ଯାଇଛି । ତଥାପି ନିଜ ଜିଦିରେ ସେ ଅଟଳ ।ଆଗରୁ ବଢିଯାଇଥିବା ପ୍ରକୃତି କୁ ମାଆ ଖୁଡିଙ୍କ କଥା ବି କାମ ଦେଲାନି ।
ଏମିତି ଦିନେ ଅଶୋକ ବାବୁ ତାଙ୍କ ବନ୍ଧୁ ସହିତ କଥାବାର୍ତ୍ତା ହେଉଥିଲେ ।
-ନୂଆ କରି ଯୋଗ ଦେଇ ଥିବା ଲେଡି କିରାଣୀ କି ସୁନ୍ଦର ବୋଲି ସାଙ୍ଗ ରାକେଶଙ୍କ ସହ କଥା ହଉଥିଲେ ।ମିତାର କାନରେ କଥାଟି ପଡିଗଲା ।ଓହୋଃ ସରିଗଲା କଥା ।ପାଦ କଚଡାକୁ ବାସନ ଫୋପଡା ,ଟେବୁଲ ଚୌକି ଢକଢାକକୁ କବାଟ ଝରକା ଧଡଧାଡ୍ । ଅଶୋକ ହାତ ଗୋଡ ଧରି ଯେତେ ବୁଝେଇଲେ ବି ଅବୁଝା ।ତିନିଦିନ ହେଲା ପେଟରେ ଦାନା ଟିକେ ବି ପଡିନାହିଁ ।ଭୋକକୁ ପିତ୍ତ ଚଢିଯାଉଥାଏ ।ଯାହାକୁ ଯାହା ନାହିଁ ତାହା କହିଗଲା ।
ଅଶୋକ ଶେଷରେ ଶ୍ବଶୁରଙ୍କୁ ଫୋନ କରିଜଣାଇଲେ ।ଛୁପି ଛୁପି କାନପାତି ସବୁ ଶୁଣି ଜାଣିଦେଲା ।ଆଉ ଟିକେ ପିତ୍ତ ବଢିଗଲା । କବାଟ କୋଣରେ ରଖାଯାଇଥିବା କିରୋସିନି ଢାଳି ନିଆଁ ଲଗାଇଦେଲା ।ହୁତୁହୁତୁ ହୋଇ ଅଧାରୁ ଅଧିକ ପୋଡିଗଲା ।
- ବଞ୍ଚାଅ ବଞ୍ଚାଅ ରଡି କଲାବେଳକୁ ଅଶୋକ ଆସି ଦେଖିଲା ବେଳକୁ ମିତା ଦେହରେ ନିଆଁ । ଆଉ କିଛି ଉପାୟ ନ ପାଇ କମ୍ବଳଟିଏ ଘୋଡାଇ ନିଆଁ କୁ ଆୟତ୍ତ କଲେ ଜଳାପୋଡ଼ା ଯନ୍ତ୍ରଣା ତୀବ୍ରତର ହେଲା । ଅଶୋକ କୋଳେଇ ନେଇ ନିଜ ବେଡକୁ ନେଇ ଶୁଆଇ ଦେବାକୁ ନେଲା ବେଳେ ଡ୍ରେସିଂଙ୍ଗ ଦର୍ପଣରେ ନିଜ ଚେହେରାକୁ ଦେଖି ବିଳାପ କଲେ । ହେ ଭଗବାନ ସୁନ୍ଦର ଚେହେରା ମୋର ଗର୍ବ ପାଇଁ ଉଜୁଡିଗଲା ।
