Ranjulata Behera

Others

3  

Ranjulata Behera

Others

ଅଭିଶପ୍ତରୁ ମୁକ୍ତି

ଅଭିଶପ୍ତରୁ ମୁକ୍ତି

3 mins
179


 

       ସଂରକ୍ଷଣ ସୁବିଧାକୁ ଲକ୍ଷ୍ୟ କରି ଝାଡୁଦାର ବିଶ୍ବନାଥ ନିଜର ତିନି ଝିଅକୁ କଳବଳେ କୌଶଳେ ମାଟ୍ରିକ ପାସ୍ କରେଇଦେଇଛି । ବଡଝିଅ ପାଖ ଗାଁ ସ୍କୁଲରେ ଶିକ୍ଷୟିତ୍ରୀ ଟିଏ ।ମଝିଆ ଝିଅ ତହସିଲଦାର ଅଫିସରେ ପିଅନ ଭାବେ କାର୍ଯ୍ୟରତ ରହି ସୁଖଦୁଃଖରେ ନିଜର ସଂସାର ରଥକୁ ଆଗେଇ ନେଇଛନ୍ତି ।ସାନ ଝିଅ ଅର୍ପି ମଧ୍ୟ ମାଟ୍ରିକ ପାଠୋଇ ।କିନ୍ତୁ ଭାଗ୍ୟର ବିଡମ୍ବନା ଯେ ମାଟ୍ରିକ ପାସ୍ ପରେ ପରେ ନିଜ ପଡୋଶୀ ପୁଅକୁ ହୃଦୟରେ ଜାଗାଟିଏ ଦେଇ ଭଲ ପାଇ ବସିଲା । ପାଞ୍ଚ ବର୍ଷ ପରେ ଜିଦି କରି 

ତାକୁ ବିବାହ କରିଥିଲା । 


     ପୁଅଟି ସଂପୂର୍ଣ୍ଣ ବେକାରୀ । କାମଧନ୍ଦା କିଛି କରୁ ନଥିଲା । ସାହିପିଲାଙ୍କ ସହ ମିଶି ଗୁଲିଖଟି କରେ ।ମଦ ପିଏ । ଇନ୍ଦିରା ଆବାସ ଯୋଜନାରେ ଗୋଟିଏ ବଖରା ।ସେଇ ଗୋଟିଏ ବଖରାରେ ଶାଶୁ ଆଉ ଏମାନେ ଦୁଇ ପ୍ରାଣୀ ଚଳନ୍ତି । ରୋଷେଇବାସ,ଖିଆପିଆ,ଶୁଆଶୋଇ ସେଇ ଗୋଟିଏ ବଖରାରେ ।


     ଅଶିକ୍ଷିତ ଅମାନିଆ ଅବୁଝା ବେକାରୀ ମଦ୍ଯପ ସ୍ବାମୀର ଜିଦିଖୋର ଯୋଗୁଁ ମାତ୍ର ଅଠେଇଶି ବର୍ଷ ବୟସରେ ଅର୍ପି ପାଞ୍ଚଟି ଛୁଆର ମାଆ ହୋଇସାରିଥିଲା। ଦିନକୁ ଦିନ ଖର୍ଚ୍ଚ ବଢିବଢି ଯାଉଥାଏ । ଏଥିପାଇଁ ପର ଘରେ ବାସନ ମଜାମଜି କାମ କରି ମାସକୁ ଚାରି ହଜାର ଟଙ୍କା ଆଣେ । ପାଞ୍ଚ ପାଞ୍ଚଟି ଛୁଆ,ମଦ୍ଯପ ସ୍ବାମୀ,ରୋଗିଣା ଶାଶୁଙ୍କର ଖର୍ଚ୍ଚ ସେଇ ଟଙ୍କାରେ ହୁଏ । ତିନି ପିଲା ଗାଁ ସ୍କୁଲରେ ପାଠ ପଢିଲେଣି ।ଖରାବେଳ ଖିଆ ସ୍କୁଲରେ ହୋଇଯାଏ । ଅର୍ପି ମଧ୍ୟ ସବୁଦିନ ସ୍କୁଲ ର ହତା, ପଡିଆ ଝାଡୁ ଲଗାଇ ଦିଏ । ସେଥିପାଇଁ ପ୍ରଧାନ ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ଆପୋଷ ଆଲୋଚନାରେ ମଧ୍ଯାହ୍ନଭୋଜନର ବଳକା ଖାଦ୍ଯ ଘରକୁ ନେଇ ଆସିଥାଏ । ରାତିଖିଆ ଏଥିରେ ଚଳିଯାଏ । କେବେ କେମିତି ନିଅଣ୍ଟ ହେଲେ ମାଣେ ଚାଉଳ ରୋଷେଇ କରିଥାଏ । ଅର୍ପିର ବ୍ଯବହାରରେ ଖୁସି ହୋଇ ବାହାପୁଆଣୀ ଶୁଦ୍ଧିକ୍ରିୟା ଭୋଜିଭାତରେ ବାସନ ମଜାମଜି ପାଇଁ ଡକାପଡେ । ଯାହା ବଳକାବଳକି ହୁଏ ନେଇ ଆସେ ।ଏମିତି କଷ୍ଟ ଯନ୍ତ୍ରଣାର ଚକିରେ ଦିନରାତି ପେଶି ହୋଇଯାଉଥାଏ । 


     ଗତ ବର୍ଷ ମାଘର ହାଡଭଙ୍ଗା ଶୀତରେ ଡକାଡକି ହୋଇ ମିଶିକି ଗଲାପରି ଅର୍ପି ର ଶାଶୁ ଓ ମଦ୍ଯପ ସ୍ବାମୀ ମାସକ ମଧ୍ୟରେ ଆରପାରିକୁ ଚାଲିଗଲେ । ଏଇ କଷ୍ଟ ତା ପାଇଁ କିଛି ଫରକ ପକାଇ ନ ଥିଲା ।ବରଂ ସେ ଆହୁରି ଆଶ୍ବସ୍ତି ଲାଭ କଲା । ଶାଶୁଙ୍କର ଯନ୍ତ୍ରଣାର ସ୍ବର ଆଉ ମଦ୍ଯପ ସ୍ବାମୀରଧୃଷ୍ଟତା ଆଉ ନାହିଁ । ବେଶ୍ ଆରାମରେ ଟିକେ ଶୋଇପାରୁଥିଲା ।


     କିନ୍ତୁ ଯାହା ଭାଗ୍ୟରେ ଦୁଃଖର ତାଲିକା ପ୍ରସ୍ତୁତ ହୋଇସାରିଛି ତାକୁ କ'ଣ କିଏ ଲିଭାଇ ଦେଇପାରିବ । ୨୦୨୦ କରୋନା କାଳର କଥା । ସେଦିନ ମୋର ସେଇ ସାହିରେ ଦ୍ବାର ଦ୍ବାର ଯାଇ ସର୍ଭେ କରିବା ଡ୍ଯୁଟି ପଡିଥିଲା । ଡ୍ଯୁଟି କରୁ କରୁ ଦେଖିଲି ଯେ ଅର୍ପି ବାରଣ୍ଡାରେ ଘୋଡାଘୋଡି ହୋଇ ଶୋଇରହିଛି । ରକ୍ତହୀନତା ଯୋଗୁଁ ଖିଆପିଆ ଅଭାବରେ ଚାଲିପାରୁ ନ ଥାଏ । ମୋ ପାଟି ଶୁଣି ସେ ଧୀରେ ଧୀରେ ଉଠି ବସିଲା । ଦୁଃଖର ସୌଧଟିଏ ନିର୍ମାଣ କରିଦେଲା । ଯେଉଁ ଥିରେ ଭଙ୍ଗା ସ୍ବପ୍ନ ଓ ଅଚଳନ୍ତି ଆଶାଗୁଡିକ ଜୀବନ୍ତ ରୂପରେ ଶିରା ପ୍ରଶିରାକୁ କ୍ଷତାକ୍ତ କରିପକାଉଥିଲେ । କରୋନା କଟକଣା ଯୋଗୁଁ ବାସନ ମଜାମଜି କରୁଥିବା ବାବୁ ମାନଙ୍କ ଘରକୁ ଯିବା ବନ୍ଦ ହୋଇଗଲା । ସ୍କୁଲ,ଭୋଜିଭାତ ସବୁ ବନ୍ଦ ହୋଇଗଲା । ଖିଆପିଆ ବହୁତ ଅସୁବିଧା ହେଲା ।ନିତି ରାତିପାହିଲେ ଦି ଓଳି ତିନି ମାଣ ଚାଉଳର ହାଣ୍ଡି ଚୁଲିରେ ବସୁଥିଲା । ଲକ୍ ଡାଉନ୍ ର ପନ୍ଦର ଦିନ ଯେନତେନ ପ୍ରକାରେ ବସିଥିଲା ଏବେ ଘଡିଏ ଦିଘଡି ଲାଗୁଛି । କେତେବା କାହାଠାରୁ ମାଗିଯାଚି ଆଣିବ ।ଆଉ ଠିକ୍ ଟାଇମ୍‌ ରେ ପିଲାଙ୍କ ଖିଆ ହୋଇପାରୁନି । ପିଲାଙ୍କ ମୁହଁକୁ ଅନାଇଲେ ମାଆ ବୋଲି ନିଜକୁ ଘୃଣା ଲାଗୁଛି କହି ବୋହେ ଧକେଇ ଧକେଇ କାନ୍ଦିଲା । ନିଜକୁ ଅଭିଶପ୍ତା ବୋଲି ଆଖ୍ଯା ଦେଲା ।ଅନେକ ବୁଝାବୁଝି କଲି । ସାରା ବିଶ୍ବର ଜୀବନ ଜୀବିକା ଉପରେ କରୋନା ପ୍ରଭାବ ବିସ୍ତାର କରିଛି । ସାରା ବିଶ୍ବ ଆଜି କରୋନାର ଜଞ୍ଜିରରେ ଛଟପଟ ହଉଛନ୍ତି ।ଏମିତି ଅନେକ କଥା କହି ବୁଝାଇଲି । ମୋ କାମସାରି ତା ପାଖରୁ ବିଦାୟ ଆଣି ଫେରିଆସିଲି ।


    ହେଲେ ଦୁଇଦିନ ପରେ ସକାଳୁ ସକାଳୁ ଫୋନ ରିଙ୍ଗ ହେଲା ।ଏତେ ଭୋରରୁ ସଭାପତିଙ୍କ କଲ୍ ଦେଖି ଆଶ୍ଚର୍ଯ୍ୟ ହେଲି ।ତଥାପି ଫୋନ ଉଠାଇଲି । ଅର୍ପି ଏ ଦୁନିଆରେ ଆଉ ନାହିଁ ଶୁଣି ଛାତି ଥରିଉଠିଲା । ତା ଜୀବନର ଅନେକ କଥା ମୋ ପାଖରେ ଆସି ବଖାଣି ଥାଏ । ସାନ୍ତ୍ବନା ଦେବା ବିନା ମୋର ଆଉ କିଛି କରିବା ପଣ ବି ନ ଥାଏ ।  ଭାବି ବସିଲି ହଁ, ସେ ସିନା ଅଭିଶପ୍ତ ଜୀବନରୁ ମୁକ୍ତି ପାଇଲା ।ହେଲେ ପାଞ୍ଚ ପାଞ୍ଚଟା ଜୀବନ ପୁଣି ଅଭିଶପ୍ତ ଜୀବନ ଜଞ୍ଜିରେ ବାନ୍ଧି ଦେଇଗଲା ।


 


Rate this content
Log in