ପ୍ରଜ୍ଞାସୁ ମହାନ୍ତି

Others

3  

ପ୍ରଜ୍ଞାସୁ ମହାନ୍ତି

Others

ଛୋଟିଆ ଅନୁଭୂତି

ଛୋଟିଆ ଅନୁଭୂତି

2 mins
512



ସେଦିନ ସକାଳୁ ସକାଳୁ ସାଙ୍ଗକୁ ଛାଡ଼ିବାକୁ ରେଳ ଷ୍ଟେସନକୁ ଯାଇଥିଲି। ନିର୍ଦ୍ଧାରିତ ସମୟ ପୂର୍ବରୁ ଷ୍ଟେସନରେ ପହଞ୍ଚି ପ୍ଲାଟଫର୍ମକୁ ଚାଲି ଆସିଲି ସାଙ୍ଗ ସହିତ। ପ୍ଲାଟଫର୍ମ ପ୍ରାୟ ତ ଗହଳି ହେଇଯାଇଥାଏ।ପ୍ଲାଟଫର୍ମରେ ଥିବା ଜଳଖିଆ ଦୋକାନରୁ ସାଙ୍ଗ ଲାଗି ସିଙ୍ଗଡ଼ା ଦୁଇଟି ଆଉ ମିଠା ତେନ୍ତୁଳି ଚଟଣୀ ଦନାରେ ଆଣି ସାଙ୍ଗକୁ ଦେଲି।ଆଉ ପାଣି ବୋତଲଟିଏ ବି କିଣିକି ଦେଇ ଦେଲି। ପାଣି ବୋତଲଟିକୁ ମୋ ସାଙ୍ଗ ତା ବ୍ୟାଗ୍ କଡ ମୁଣାରେ ରଖି ମୋ ଠୁ ଦନାଟି ନେଇ ଖାଇବା ଆରମ୍ଭ କରିଛି କି ନାହିଁ ପ୍ଲାଟଫର୍ମରେ ଲାଗି ଥିବା ଟ୍ରେନ୍ ଟି ହଠାତ୍ ଚାଲିବାକୁ ଲାଗିଲା। ମୋ ସାଙ୍ଗ ଖାଇବ ଆଉ କଣ। ହଡବଡ଼ିରେ ଦନାକୁ ମୋତେ ଧରେଇ ଟ୍ରେନ୍ ରେ ଚଢ଼ିବାକୁ ଧାଇଁଲା। ଯାହା ହେଉ ଦଉଡ଼ି ଦଉଡ଼ି କୌଣସି ମତେ ସେ ଟ୍ରେନ୍ ବଗିରେ ଚଢ଼ିଗଲା। ଟ୍ରେନ୍ ଧୀରେ ଧୀରେ ନିଜର ଗତି ବୃଦ୍ଧି କଲା ଆଉ ଦେଖୁ ଦେଖୁ ଆଖି ଆଗରୁ ଉଭେଇ ଗଲା।ତେବେ ମୋ ହାତରେ ରହିଯାଇଥିଲା ଦନାଟି।ମୁଁ ଟିକେ ମନ ଦୁଃଖ କଲି ଯେହେତୁ ସାଙ୍ଗଟି ମୋର ଆଣିଥିବା ସିଙ୍ଗଡ଼ା ଖାଇ ହିଁ ପାରିଲାନି।


       ମୁଁ ଏଥର ଆଉ କଣ କରିବି।ଭୋରୁ ଉଠି ସାଙ୍ଗକୁ ଛାଡ଼ିବାକୁ ଆସି ଥିବାରୁ ମୁଁ ଆଉ ଦାନ୍ତ ଘଷି ନ ଥାଏ।ଆଉ ଅଘଷା ପାଟିରେ ସକାଳୁ କିଛି ଖାଇବା ମୋର ଜମାରୁ ପସନ୍ଦ ନୁହେଁ।ଅଗତ୍ୟା ଦନାକୁ ଡଷ୍ଟବିନ୍ ରେ ଫିଙ୍ଗିବାକୁ ବାହାରିବାରୁ ଦେଖେ ତ ଗୋଟିଏ ବୁଢ଼ୀ ଥୁରୁ ଥୁରୁ ହୋଇ ମୋତେ ବଡ ଆଶାରେ ଅନେଇଛି।ବୁଢୀର ଆଖିରେ ମୋ ଆଖି ମିଶି ଗଲା ପରେ ମୁଁ ଆଉ ଆଖି ଫେରାଇ ପାରିଲି ନାହିଁ।ବୁଢୀର ଚେହେରାଟି ମୋତେ ଅତି ଆପଣାର ମନେ ହେଲା। ଏମିତି ଲାଗିଲା ଯେମିତି ମୋ ମରି ଯାଇଥିବା ଜେଜେ ମା ମୋ ହାତରୁ ଖାଇବା ଟିକକ ପାଇବା ପାଇଁ ବଡ଼ ଆତୁର ହୋଇ ଅପେକ୍ଷା କରିଛି। ଯନ୍ତ୍ର ଚାଳିତ ଭାବରେ ମୋ ହାତଟି ବଢ଼ିଗଲା ବୁଢୀ ଆଡ଼କୁ ଦନାଟିକୁ ବଢ଼େଇ ଦେବା ପାଇଁ।ବୁଢୀ ଖୁସିରେ ଗଦ୍ ଗଦ ହୋଇ ମୋ ହାତରୁ ଦନାଟି ନେଲା। ଆଖିରେ ତାର ଆତ୍ମ ସନ୍ତୋଷ ସ୍ପଷ୍ଟ ଦେଖି ହେଉ ଥିଲା।ମୁଁ ବୁଢୀକୁ ଏକ ଲୟରେ ସେମିତି ଅନେଇ ଥାଏ। ୟା ଭିତରେ ସେ କେତେବେଳେ ମୋ ହାତରୁ ଦନାଟିକୁ ନେଇ ଚାଲିଗଲାଣି ମୋର ଆଉ ଖିଆଲ ନାହିଁ।ସତେକି ମୁହୂର୍ତ୍ତକ ପାଇଁ ମୋତେ ତନ୍ଦ୍ରା ଆଚ୍ଛନ୍ନ କରି ରଖିଥିଲା। ଆଉ ତନ୍ଦ୍ରା ତୁଟିଲା ପରେ ବୁଢୀକୁ ଖୋଜିଲା ବେଳକୁ ତାକୁ ଆଉ ଦେଖିବାକୁ ପାଇନଥିଲି।


    ମୋ ଜେଜେ ମା ମଲା ବେଳକୁ ମୁଁ ତାକୁ ଟିକେ ଦେଖିପାରିନଥିଲି।କାରଣ ମୁଁ ସେତେବେଳେ ନୂଆ ନୂଆ ଚାକିରୀରେ ଯୋଗ ଦେଇଥିଲି।ଆଉ ଜେଜେ ମା ର ଦେହ ବି ପୁରା ଭଲ ଥିଲା ଆଉ ସେ ହଠାତ୍ ଏମିତି ମୋତେ ଛାଡ଼ି ଆର ପାରିକୁ ଚାଲିଯିବ ବୋଲି ମୁଁ ସ୍ୱପ୍ନରେ ସୁଦ୍ଧା କଳ୍ପନା କରିପାରୁନଥିଲି।


  ମନରେ ଅବଶୋଷ ରହିଯାଇଥିଲା।ଜେଜେ ମା ମଲା ବେଳକୁ ମୋ ହାତରୁ ପାଣି ଟିକେ ପାଇ ପାରିଲା ନାହିଁ।ଆଉ ସେଦିନ ସେ ବୁଢୀଟିକୁ ସିଙ୍ଗଡ଼ା ଦନାଟି ବଢ଼େଇ ଲାଗିଲା ସତେ ଯେମିତି ମୋ ଜେଜେ ମା ଆସିଥିଲା ମୋ ହାତରୁ ଖାଇବା ନେବା ଲାଗି।


Rate this content
Log in