STORYMIRROR

DEEPALI JENA

Others

3  

DEEPALI JENA

Others

ବେନାମୀ ଗାଳ୍ପିକ

ବେନାମୀ ଗାଳ୍ପିକ

2 mins
146

ପ୍ରାୟ ,

ସଞ୍ଜ ନୁଆଣୀ ହେଇ ଆସୁଥାଏ।ଶୀତ ଦିନର ସୁଲୁସୁଲିଆ ପବନରେ ହାତଟା ଥଣ୍ଡା ହେଇ ଯାଉଥାଏ।  ସୂର୍ଯ୍ୟ ଦେବତା ନାଲି ରଙ୍ଗର ଓଢଣୀ ଟାଣି ଲେଉଟାଣି ନେଉଥାନ୍ତି ପାହାଡ ତଳରୁ। ପାହାଡ ପାଖରେ ମଇଁଷିଆଳ ତା ମଇଁଷି ମାନଙ୍କୁ ବାଟ ଅଡେଇ ଫେରୁଥାଏ ତା ଭଙ୍ଗା ଚାଳିଆକୁ। ଖାଦ୍ୟ ଅନ୍ଵେଷଣ ରେ ବସା ଛାଡି ଚାଲି ଯାଇଥିବା ବଗ ବଗୁଲି ଦୁଇଟି ଡେଣା ଝାଡି ମନ ଖୁସିରେ ଫେରୁଥାନ୍ତି ବସାକୁ। 

     ଗପଟା ଆରମ୍ଭ କରୁ କରୁ, ସୁଲୋଚନା ମଝିରେ ଷଣ୍ଢ ପୁରେଇ ଡାକିଦେଲା,ହେଇଟି ଶୁଣୁଚ! ସେତିକି ଥାଉ ତମର ସେ ଅନାବନା କଥାକୁ କାଗଜରେ ଲେଖିବା। ମତେ କିଛି କହି ପାରନି ବୋଲି ଯାହା ସେ କାଗଜ କଲମ ଉପରେ ରାଗ ସୁଝାଅ। ହଉ ସେତିକି ଥାଉ ! ଚା ପିଇ ଦିଅ, ନହେଲେ ଥଣ୍ଡା ହେଇଗଲେ ମୁଁ ଆଉ ଗରମ କରିପାରିବିନି। ଏତିକି କହିଦେଇ ସୁଲୋଚନା ମନେ ମନେ କଣ ଗୁଡାଏ ଗୁଣୁଗୁଣୁ ହେଇ ତା ରୋଷେଇ ଘର ଆଡେ ପଶିଗଲା।। 

     ଏପଟେ ଅମର ବାବୁ, ବିଚରା ଲେଖକ ହ୍ଋଦୟ। ମନକୁ ଯାହା ଭାବନା ଆସେ ତାକୁ ସେ ଲେଖନିର ରୂପ ନଦେଲେ ତାଙ୍କୁ ନିଦ ହୁଏନି ,ତେଣିକି ସେ ପାଠକୀୟ ଆଦୃତି ପାଆନ୍ତୁ କି ନାହିଁ। ଲେଖିବା ତାଙ୍କ ଜୀବନର ଗୋଟେ ମୁଖ୍ୟ ଜିନିଷ। ସବୁଠାରୁ ମଜା କଥା ହେଉଛି, ଆଜି ପର୍ଯ୍ୟନ୍ତ ସେ ଯେତେ ବି ବହି ଛପେଇ ଛନ୍ତି, ସବୁଗୁଡିକ ଫ୍ଲପ୍। ସେଥିପାଇଁ ତ ତାଙ୍କ ଧର୍ମପତ୍ନୀ ଚିଡନ୍ତି ତାଙ୍କ ଉପରେ।ପେଟ ପାଟଣା କଥା, ପାଞ୍ଚ ଜଣକୁ ନେଇ ଘର ଚଳେଇବାରେ ଅର୍ଥ ନିହାତି ଆବଶ୍ୟକ।  କିନ୍ତୁ ଅମର ବାବୁଙ୍କୁ ଏ ସବୁ କିଛି ଫରକ ପଡେନି। ଦିନକୁ ଦିନ ସେ ଚଢନ୍ତି ଶବ୍ଦର ପାହାଚ। ପାହାଚ ପରେ ପାହାଚ ପୁଣି ଶୀଖର ,ତଥାପି କିଛି ଅଧା ରହିଯାଏ ବୋଲି ସେ ଖୋଜନ୍ତି ନିର୍ଜନ ସ୍ଥାନ । ବନ ଗହନ। ଶୂନ୍ୟ ଆକାଶ। ମୁଠାଏ ମାଟି। ବିନ୍ଦୁଏ ଜଳ। ଏ ସବୁରୁ କିଛି ଅଣୁ ସାଉଁଟି ସେ ତାଙ୍କ ଲେଖାକୁ ଦିଅନ୍ତି ଜୀବନ୍ୟାସ। ହେଲେ ସମସ୍ତଙ୍କ କଟାକ୍ଷପାତ ସହି ଅକ୍ଷର ସବୁ ଜାକିଜୁକି ହେଇ କୋଉ କଣରେ ପଡେ। 

     ଥରେ ଲେଖକ ସଭା ମଣ୍ଡଳୀ ବସିଥିଲା। ଯେଉଁ ଲେଖକଙ୍କର ଗଳ୍ପ, କବିତା, ପ୍ରବନ୍ଧ ଉଚ୍ଚ କୋଟୀର ତାଙ୍କୁ ପୁରସ୍କୃତ କରାଯାଉ ଥିଲା। ସେହି ବର୍ଷ ଅମର ବାବୁଙ୍କର "ବେନାମୀ ଗାଳ୍ପିକ" ନାମରେ ଖନ୍ଡିଏ ପ୍ରବନ୍ଧ ପୁସ୍ତକ  ବାହାରିଥିଲା। କିନ୍ତୁ ପୁରସ୍କୃତ ହେବାପାଇଁ ଚୟନ ହେଇଥିବା ବହି ଗୁଡିକ ମଧ୍ୟରେ ଏ ବହିର ସ୍ଥାନ ନଥିଲା। ସେ ସଭାରେ ଅମର ବାବୁଙ୍କୁ ନୁଆ ନୁଆ କଲମ ଧରିଥିବା ଲୋକମାନେ କେତେ ଥଟ୍ଟା ପରିହାସ କଲେ। ସମସ୍ତଙ୍କ ଖୁସିରେ ଖୁସିହେଇ ସଭାରେ ତାଳିମାରି ଅମର ବାବୁ ଚୁପ୍ ଚାପ୍ ଘରକୁ ଫେରି ଆସିଲେ ପୁଣି କିଛି ଅନୁଭୂତି ନେଇ, ସେଇଦିନ ଠୁ ତାଙ୍କ ଲେଖିବାରେ ବିରତି ଆସିନି ।।

     ତାଙ୍କ ବେନାମୀ ଗଳ୍ପର କିଛି ଧାଡିରେ ସେ କହିଛନ୍ତି :-,"ଲେଖକର ନାଁ ଦେଖି ପୁସ୍ତକ ବହି ଚୟନ କରିବା ଅପେକ୍ଷା, ପ୍ରଥମେ ଗୋଟେ ଲେଖାକୁ ପଢି ତା ମର୍ମକୁ ବୁଝି ସେଇ ଲେଖକକୁ ଖୋଜିବାରେ ତାର ପ୍ରତ୍ୟେକ ଟି ଶବ୍ଦକୁ ପଢିବାରେ ଆନନ୍ଦ ଥାଏ। ବୋଧେ ସେଥିପାଇଁ ମୁଁ ମୋ ପ୍ରବନ୍ଧ ପୁସ୍ତକ ର ଶୀର୍ଷକ ରଖିଚି ବେନାମୀ ଗାଳ୍ପିକ,ମୋ ଭଳି ନାଁ ନାହିଁ ମୋ ଶବ୍ଦ ମାନଙ୍କର । "ବୋଧେ ପୁରସ୍କୃତ ସଭା ଆୟୋଜନ ପୂର୍ବରୁ ଏହି ବହିଟିକୁ ପାଠକ ସମାଜ ଥରେ ପଢିନବାର ଥିଲା। 

ଲେଖକ ଟିଏ ସୀମା ପାର ହୋଇ ଡେଇଁ ପଡେ ଶବ୍ଦର ପାହାଡ। ଉଚା ଉଚା ଆହୁରି ଉଚା କୁ ଉଡିଯାଏ ଝଡର ଇଗଲ ପରି। ଯାହା ସବୁ ସାଉଁଟେ ତାକୁ ସେ କ୍ରୁଷ୍ନସାର ମ୍ରୁଗ ଭଳି କାଗଜରେ ଲିପିବଦ୍ଧ କରେ। ଏ ସମାଜର ନିନ୍ଦା ସହେ।କାହିଁକି ସେ ରେବତୀ କୁ ମାରିଲେ ବୋଲି ଗାଳି ଶୁଣେ। ପାଟ ଭଳି ଚିତ୍ରକୁ ପୁଣି ଆଶ୍ଵାସନା ଦିଏ ଚୁ ଚୁ କରି । ଏହିଭଳି କେତେ ସମସ୍ୟା ଦେଇ ଲେଖକର କଲମ ମୁନ ଗତିକରେ ଝରଣାରୁ ନଈ ,ନଈରୁ ସମୁଦ୍ର। ନିର୍ଯାସ ଦିଏ ତା ଆଖିର ଲୁହରେ, ପ୍ରେମ -ପ୍ରଣୟରେ ପୁଣି ମିଳନ -ବିଛେଦରେ। ଦଶ ଦିନ ଦଶ ରାତି ଧରି ଗୋଟେ ଭାବନାକୁ ସେ ରୂପ ଦେଇ ଦିଏ ସିନା ହେଲେ ପାଠକ ସମାଜ ତାକୁ ଦୁଇ ମିନିଟ୍ ଆଖି ବୁଲେଇ ତର୍ଜମା କରିନିଏ।ପ୍ରଶ୍ନ ର ପାହାଡ ଠିଆ ହୁଏ।  ଲେଖକର ହ୍ରୁଦୟ ସେ ବୁଝେନି। ପୁଣି ଥରେ ଶବ୍ଦର ପାହାଡ ଫିଙ୍ଗା ହୁଏ କୋଉ କବାଡିବାଲା ବସ୍ତାନିରେ।  

       ସବୁ ପରେ ଦିନ ବିତି ଯାଇଚି। ପୁଣି ଥରେ ପୁରୂବ ଦିଗରେ ସୂର୍ଯ୍ୟ ନାଲି ରଙ୍ଗର ଓଢଣୀ ଟାଣି ଏ ଧରା ପୃଷ୍ଠରେ ଅବତରଣ କରିଛନ୍ତି। କୋଇଲିର କୁହୁତାନରେ ବାଡିର ଆମ୍ବ ଗଛରେ ଦୁଇ ବାଇ ଚଢେଇ ଝୁମୁଛନ୍ତି। ଆଉ ସୁଲୋଚନା ଗରଗର ହଉନି ।ଅମର ବାବୁ ଲେଖିଲା ବେଳେ ଗରମ ଚା କପ୍ ଟି ଧିରେ ଆଣି ପାଖେ ରଖିଦେଇ ଯାଉଚି............।।।। 



Rate this content
Log in